Unknown

 

 

 

 

 

 

 

 

 

 

 

 

ସ୍ୱପ୍ନ ପାଇଁ ରାତି କାହିଁ

ଗୌରହରି ଦାସ

 

ସୂଚୀପତ୍ର

 

୦୧.

ସ୍ୱପ୍ନ ପାଇଁ ରାତି କାହିଁ

୦୨.

ଜଣେ ରାଜା ଥିଲେ

୦୩.

ଏକଲା ରାଜପୁତ୍ର

୦୪.

ନିଜ ସହ ମୁହାଁମୁହିଁ

୦୫.

ମିଷ୍ଟର ଡି କେ ଲକ୍ଷ୍ମଣ

୦୬.

ବୁଢ଼ା ଲୋକଟି ଶୋଇଛି

୦୭.

ମିଷ୍ଟର ସାକ୍‌ସେନା ଓ ଜହ୍ନରାତି

୦୮.

ରଥ ଆଉ ଯାତ

୦୯.

ଅପରାଧୀ

୧୦.

ଅଭିନୟର ରଙ୍ଗ

୧୧.

ଧୂଳିଘର, ଲୁନା ଓ ଗଜଲ୍‌

୧୨.

ଘଟଣା ସବୁ ଦୁର୍ଘଟଣା ପାଲଟୁଥିବାର ମୁହୂର୍ତ୍ତ

୧୩.

ଗୋଟିଏ କଥାକୁହା କଣ୍ଢେଇର ବିୟୋଗରେ

୧୪.

ଖଜୁରୀ ଗଛ

Image

 

ନିଜକଥା

 

ସମୁଦ୍ରରେ ମୁକ୍ତା ଅଛି ବୋଲି ଯେ ସାରାଦିନ ସମୁଦ୍ରରେ ବିତଉଥିବା ନୋଳିଆଟି ମୁକ୍ତାର ମହାଜନ ହେବ, ସେକଥା କୁହାଯାଇ ପାରେନା । ରୂପ, ଗୁଣ ଓ ବିଦ୍ୟା ଅଛି ବୋଲି ଯେ ଗରିବ ଝିଅଟି ମନଲାଖି ବର ଓ ମନ ଚିହ୍ନୁଥିବା ଘର ପାଇଯିବ, ସେକଥା ବି କେମିତି କୁହାଯାଇ ପାରିବ ? ଅଥଚ ନୋଳିଆ ସ୍ୱପ୍ନ ଦେଖେ, ସ୍ୱପ୍ନ ଦେଖେ ଗରିବ ଘରର ବଢ଼ିଲା ଝିଅ । ସେମାନଙ୍କର ସ୍ୱପ୍ନର ସୂଚୀପତ୍ରଠାରୁ ଦୀର୍ଘ ସ୍ୱପ୍ନଭଙ୍ଗର କାହାଣୀ, ଆଶାଠାରୁ ଗଭୀର ନିରାଶାର ବୈତରଣୀ ।

 

ପିଲାଦିନେ ସବୁ କାହାଣୀ ଶେଷରେ ବାପା, ବୋଉ, ସାନବାପା ନଇଲେ ସାନବୋଉ ଗୋଟେ ଫୁଲଗଛର ମରିଯିବା କଥା ଘୋଷଣ କରୁଥିଲେ । ସେମାନେ କହୁଥିଲେ, “ମୋ ଗପଟି ସରିଲା, ଫୁଲଗଛଟି ମରିଲା ।” ସେଦିନ ପଚାରିବାକୁ ଇଚ୍ଛା ହଉଥିଲା, କାହିଁକି ସବୁ ମାମୁଲି କାହାଣୀ ଶେଷରେ ଗୋଟେ ସୁକୁମାର ଫୁଲଗଛକୁ ମାରି ଦିଆଯାଏ ? କାହିଁକି ଗୋଟେ ଛନଛନିଆ ସ୍ୱପ୍ନକୁ ଭାଙ୍ଗି ଦିଆଯାଏ ଖାସ୍‌ ଗୋଟେ ମିଛିମିଛିକା ବାହାନା ପାଇଁ । ଆଜି ଏ ପରିଣତ ବୟସରେ ବି ୟାର ଉତ୍ତର ମୁଁ ଖୋଜି ପାଇନାହିଁ । କାରଣ ମୁଁ ଏମିତି ଅନେକ ଗପ ଦେଖିଛି, ପଢ଼ିଛି ଓ ଜାଣିଛି, ଯେଉଁଗୁଡ଼ିକ ଅନେକ ଅନେକ ଫୁଲଗଛ ମରିଯିବା ସତ୍ତ୍ୱେ ବି ସରନ୍ତି ନାହିଁ, ଶେଷ ହୁଅନ୍ତି ନାହିଁ । ସେ ଗପ ସମୁଦ୍ରବେଳାରେ ଶାମୁକାର ପିଠି ଲେଉଟଉଥିବା ନୋଳିଆର ଗପ, ବାପାଙ୍କର ଶୁଖିଲା ମୁହଁ ଓ ରାତି ଅନ୍ଧାରରେ ବୋଉ ସାଙ୍ଗେ ଗପସପରୁ ପୁଣି ଗୋଟାଏ ପ୍ରସ୍ତାବ ଭାଙ୍ଗିଯିବାର ଦୁଃସମ୍ବାଦ ଶୁଣି ଆଖି ପୋଛୁଥିବା ଗରିବ ଝିଅର ଗପ, ସକଳ ଯୋଗ୍ୟତା ଓ ପ୍ରମାଣପତ୍ର ସତ୍ତ୍ୱେ କର୍ମଯୋଗାଣ ଦପ୍ତର ସାମ୍ନାରେ ବର୍ଷ ବର୍ଷ ଅପେକ୍ଷା କରୁଥିବା ବେକାର ତରୁଣର ଗପ, ପୁଆଣି ଆଗରୁ ଏକମାତ୍ର କନ୍ୟାର କିରାସିନି ଢାଳି ଆତ୍ମହତ୍ୟା ସମ୍ବାଦରେ ଭାଙ୍ଗିରୁଜି ଯାଉଥିବା ବୁଢ଼ା ବାପଟିର ଗପ । ସେମାନଙ୍କର ସମସ୍ତଙ୍କର ଗୋଟେ ଗୋଟେ ସୁନ୍ଦର ସ୍ୱପ୍ନ ଅଛି, ଗୋଟେ ଗୋଟେ ରଙ୍ଗୀନ ନକ୍‌ସା ବି ଝୁଲୁଛି ସେମାନଙ୍କ ଆଖି ସାମ୍ନାରେ; ଅଥଚ ସେମାନଙ୍କର ସ୍ୱପ୍ନ ପାଇଁ ରାତି କାହିଁ-?

 

ମାତ୍ର ଚଉରାଳିଶ ବର୍ଷ ତଳେ ପ୍ରଚୁର ରକ୍ତ ଓ ସ୍ୱେଦ ନିଗାଡ଼ି ଯେଉଁ ଦେଶଟି ସ୍ୱାଧୀନତା ପାଇଥିଲା, ସେଇ ଆମର ଭାରତ ଓ ଅମଲାତନ୍ତ୍ରର ଦସ୍ତାବିଜ୍‌ର ‘ଇଣ୍ଡିଆ’ ଆଜି ଈପ୍‌ସିତ ଲକ୍ଷ୍ୟଠାରୁ ଅନେକ ଯୋଜନ ଦୂରରେ । ରାତାରାତି ବଦଳି ଯାଇଛି ମୂଲ୍ୟବୋଧ, ବଦଳି ଯାଇଛି ଦୃଷ୍ଟିଭଙ୍ଗୀ, ବଦଳି ଯାଇଛି ସମ୍ପର୍କର ପରିଭାଷା । ଆଜି ଅଗଷ୍ଟ ପନ୍ଦରରେ ଜାତୀୟ ପତାକା ଉଡ଼େଇବାର ଆବେଗ ସଙ୍କୁଚିତ ହେଇ ପହଞ୍ଚି ଯାଇଛି ଗୋଟାଏ ନିସ୍ପୃହ ଦାପ୍ତରିକ ଔପଚାରିକତାରେ । ମାଟି ଉପରୁ ବେଶ୍‌ ଉଚ୍ଚତାରେ ଉଡ଼ୁଥିବା ପତାକାର ସ୍ଥିତି ପରି, ଢେର୍‌ ଦୂରରେ ଅପହଞ୍ଚ ଆମର ସ୍ୱାଧୀନତା, ଦାରିଦ୍ର୍ୟ ଓ ଅସହାୟତାରୁ ନିଷ୍କୃତି ।

 

ଅଥଚ, ଏ ଦେଶର ଅଶୀ କୋଟି ମଣିଷଙ୍କ ଭିତରୁ ଅଶୀ ଭାଗ ଅସହାୟ ମଣିଷ ତଥାପି ସ୍ୱପ୍ନ ଦେଖନ୍ତି, ସ୍ୱପ୍ନ ଦେଖନ୍ତି ଗୋଟାଏ ଶୁଭ ସକାଳର, ଗୋଟାଏ ଅର୍ଥପୂର୍ଣ୍ଣ ସ୍ୱାଧୀନତାର । ସେମାନେ ସ୍ୱପ୍ନ ଦେଖନ୍ତି, କାରଣ ସ୍ୱପ୍ନ ଦେଖିବା ଭିନ୍ନ ସେମାନଙ୍କ ପାଖେ ଅନ୍ୟ କିଛି ଅବଲମ୍ବନ ନାହିଁ ।

 

ଏମିତି କିଛି ମଣିଷଙ୍କ ମନକଥା କହିବାକୁ ଚେଷ୍ଟା କରିଛି ଏ ସଂକଳନରେ । ସେସବୁ କେମିତି ଭାବେ କୁହାଯାଇଛି ତା’ର ବିଚାର ପାଠକପାଠିକାଙ୍କ ହାତରେ । କାରଣ ଗପଟିଏ ଲେଖିଲାବେଳେ କାଳିଶି ଲାଗିବା ପରି ମୋର ଅନୁଭବ ହୁଏ, କ’ଣ ଲେଖୁଛି ବା କ’ଣ ସବୁ ଲେଖି ହେଇଯାଉଛି ତାହା ମୁଁ ଜାଣିପାରେ ନାହିଁ । ସେଇଥିପାଇଁ ସମ୍ଭବତଃ ବେଳେ ବେଳେ ଗୋଟାଏ ଅଜବ ଆତ୍ମସଚେତନତା ମୋତେ କାବୁ କରି ରଖେ । କାହିଁକି ଲେଖୁଛି ମୁଁ, କ’ଣ ଲେଖୁଛି, ନ ଲେଖିଲେ କ’ଣ ଚଳନ୍ତା ନାହିଁ–ଏତେ ଏତେ ଭଲ ଗପ ଓ ଭଲ ଗାଳ୍ପିକ ଥାଉ ଥାଉ ମୋର ପୁଣି ଆଉ କିଛି ଗଳ୍ପ ଲେଖିବା ଓ ସେଇ ଆଳରେ ଗୋଟାଏ ଗାଳ୍ପିକ ହେଇଯିବା ସତରେ କ’ଣ ପ୍ରୟୋଜନ–ଏମିତି ଅନେକ କଥା ଆଚ୍ଛନ୍ନ କରି ରଖେ । ଆତ୍ମସଚେତନାର ଏ ଆବେଶ କାଟିବା ପାଇଁ ଢେର୍‌ ସମୟ ଲାଗିଯାଏ । ପୁଣି ଗୋଟାଏ ମୁଗ୍ଧ କି କରୁଣ ଅନୁଭବ ମୋତେ ବାଟ କଢ଼େଇ ନେଇଯାଏ କାଗକ-କଲମ ପାଖକୁ । କିଛି ଲେଖିପକାଏ ଓ ଲେଖିସାରି ନିଜେ ତାକୁ ଗପ ବୋଲି କହେ । ହାତୀ ତା’ର ଅଳସ ଭଙ୍ଗୀରେ, ସିଂହ ତା’ର ରାଜକୀୟ ଠାଣିରେ ଓ ମୃଗସାର ତା’ର ଚଞ୍ଚଳ ଗତିରେ ଏଇ ରାସ୍ତା ଆଗରୁ ପାର ହେଇଛନ୍ତି ବୋଲି ଯେ ଠେକୁଆ କି ଗୁଣ୍ଡୁଚିମୂଷା ସେ ରାସ୍ତା ଆଉ ପାରି ହେବନାହିଁ ସେ କଥାକୁ କାହିଁକି କେଜାଣି ଶେଷ ପର୍ଯ୍ୟନ୍ତ ମନ ଗ୍ରହଣ କରେ ନାହିଁ ।

 

‘ସ୍ୱପ୍ନ ପାଇଁ ରାତି କାହିଁ’ ବହିଟିକୁ ଆପଣଙ୍କ ପାଖେ ପହଞ୍ଚେଇବାରେ ଶ୍ରୀ ଶରତ କୁମାର ମହାନ୍ତିଙ୍କ ଅବଦାନ ବେଶି । ମାମୁଲିରୁ ମାମୁଲି ସ୍ୱୀକୃତି ପାଇଁ ମୂଲ୍ୟବୋଧକୁ ବଳି ଦେଉଥବା ସଂଖ୍ୟାଧିକ ମଣିଷଙ୍କ ମେଳରେ ଗୋଟିଏ ପରେ ଗୋଟିଏ ଲୋଭନୀୟ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରି ଚାଲିଥିବା ଏଇ ସାରସ୍ୱତ ସନ୍ନ୍ୟାସୀଙ୍କୁ ତାଙ୍କର ଶ୍ରଦ୍ଧା ଓ ଆନ୍ତରିକତା ପାଇଁ ମୋର ଅଜସ୍ର କୃତଜ୍ଞତା । ‘ଅଗ୍ରଦୂତ’ ପ୍ରକାଶକ ସଂସ୍ଥାର ମନ୍ମଥବାବୁ ଓ ପ୍ରଚ୍ଛଦ ଶିଳ୍ପୀ ରଞ୍ଜିତ ପରିଜା ଦୁହେଁ ମୋର ବନ୍ଧୁ । ସେମାନଙ୍କ ସହଯୋଗ ପାଇଁ ମୁଁ ମୋର ଶ୍ରଦ୍ଧା ଜଣାଉଛି । ଏହି ସଙ୍କଳନରେ ସଂକଳିତ ଅଧିକାଂଶ ଗଳ୍ପ ପୂର୍ବରୁ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା । ଏଇ ଅବସରରେ ମୁଁ ସଂପୃକ୍ତ ସମ୍ପାଦକମାନଙ୍କୁ ସ୍ମରଣ କରୁଛି ଓ ଯେଉଁ ବନ୍ଧୁ, ସତୀର୍ଥ ଓ ସମ୍ପର୍କୀୟମାନଙ୍କ ଶ୍ରଦ୍ଧା ସହଯୋଗ ମୋତେ ବରାବର ଗପ ଲେଖିବାରେ ଉତ୍ସାହ ଦେଇ ଆସିଛି ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣଉଛି-

 

–ଗୌରହରି ଦାସ

Image

 

ସ୍ୱପ୍ନ ପାଇଁ ରାତି କାହିଁ

 

କ୍ରମେ ସ୍ପଷ୍ଟରୁ ସ୍ପଷ୍ଟତର ହେଉଛି ପୁଲିସ ବୁଟ୍‌ର ଆୱାଜ ।

 

ମାନସ ପାଦର ଗତି ପୁଣି ବଢ଼େଇଲା । ପୁଲିସ ହାତରେ ଧରାପଡ଼ିଯିବା ଅର୍ଥ ସିଧା ସିଧା ହାଜତକୁ ଚାଲାଣ ଦୁଇ ତିନିଦିନ ପାଇଁ । ପକେଟ୍‌ ଭିତରୁ ଟିକେଟ୍‌ ପୁଳାକ ବାହାର କରି ଫୋପାଡ଼ିଦେଲା ରାସ୍ତାକଡ଼ ନାଳ ଭିତରକୁ । ନାଲି ହଳଦିଆ ରଙ୍ଗର ସିନେମା ଟିକେଟ୍‌ ଗୁଡ଼ିକ କିଛି ସମୟ ପ୍ରଜାପତିମାନଙ୍କ ପରି ଉଡ଼ି ପଡ଼ିଗଲେ ନର୍ଦ୍ଦମାର ପଚାପାଣି ଭିତରେ ।

 

ଅନେକ ବାଟ ୟା’ ଭିତରେ ଆସିଗଲାଣି ମାନସ । ଭାବିଲା ବସାକୁ ପଳେଇବ । ଦାଦା ଫେରି ଆସିବଣି ଖଟିରୁ । ସେ ଜାଣିଲେ କିଛି ଗୋଟାଏ ବ୍ୟବସ୍ଥା କରିବ । ପୁଣି ଭାବିଲା–ନାଇଁ, ପୁଲିସକୁ ବିଶ୍ୱାସ ନାହିଁ । ପେଟ୍ରୋଲିଂ ନାଆଁରେ ଯଦି ସେଆଡ଼କୁ ଚାଲି ଆସନ୍ତି, କଥା ସରିବ । ଘୋଷାଡ଼ି ନେବେ, ଝୁଡ଼ି ଭିତରୁ କୁକୁଡ଼ାକୁ ଭିଡ଼ିନେଲା ପରି । ମାନସ ଟିକିଏ ଥକ୍କା ମାରିବା ପାଇଁ ଛିଡ଼ାହେଲା ଅନ୍ଧାରିଆ ଜାଗା ଦେଖି । ଝାଳରେ ଗୋଟାପଣେ ବୁଡ଼ିଯାଇଛି ଜାମାପ୍ୟାଣ୍ଟ୍‌ । କେମିତି ଗୋଟାଏ କୋତରା ଗନ୍ଧ ଆସୁଛି ଗଞ୍ଜି ଭିତରୁ । ଛିଟ ରୁମାଲଟା ମୁଣ୍ଡରୁ ଖୋଲି ସେଇଥିରେ ପୋଛିଦେଲା କପାଳ, ଛାତି ଓ ବେକପଛ । ଶ୍ୟେଃ, ବେଳଟା ଭଲ ଚାଲିନାହିଁ ଏବେ । ଯାହା କଲେ ବି ପୁଲିସ ପିଛା ଛାଡ଼ୁନି ।

 

ମାନସ ପ୍ରକୃତରେ କିଛିଦିନ ହେଲା ବଡ଼ କଷ୍ଟରେ ଥିଲା । ପ୍ରଥମେ ଧରାପଡ଼ିଲା ତା’ର ବହି ଦୋକାନ । ସେଠି ସେ ବିକୁଥିଲା ହଳଦିଆ ଜରିମଡ଼ା ଗରମାଗରମ ବହି । ଦିନକୁ ପଚାଶ ବା ଷାଠିଏ ତ ବାଆଁ ହାତ୍‌କା ଖେଲ୍‌ । ପୁଲିସ ଆଖିରେ ଗଲାନାହିଁ । ଧରି ନେଇଗଲା ମାନସକୁ । ମାନସ କିନ୍ତୁ ସେତେବେଳ ଯାଏ ଜାଣିପାରି ନ ଥିଲା ତା’ର ଦୋଷ ରହିଗଲା କଉଠି ? ପଛକୁ ଜାଣିଲା, ନୂଆ ବହିଗୁଡ଼ାକ ତା’ର ନକୁଳ ହାବିଲଦାରକୁ ଦେବା ଦରକାର ଥିଲା ।

 

ମାନସର ବେଳେବେଳେ ରାଧାମାଧବ ମଠ କଥା ମନେପଡ଼େ । ମନେପଡ଼େ ଗୋସେଇଁ ବାଆଜିଙ୍କ କଥା । ମନଟା ଛି ହେଇଯାଏ । ସବୁଗୁଡ଼ା ଆଇଁଷିଆ ପ୍ରକୃତିର । ସେଇଥିପାଇଁ ଦୁଧ ଘିଅ ତୁଳନାରେ ମାଛ, ମାଉଁସ, ମଦ ବେଶୀ ବିକ୍ରି ହଉଛି ଆଜିକାଲି । ସମସ୍ତଙ୍କର ମନ ସେଇଠି, ଉପରେ ଦେଖେଇ ହେବେ ସାଧୁ, ସନ୍ଥ । ଏମିତିକା ଛଳନା କରିବାର ଅର୍ଥ କ’ଣ ? ସେ ଉତ୍ତର ପାଏନା, ପାଇବାକୁ ଅପେକ୍ଷା କରେ ନାହିଁ । ଦାଦା ଯେଉଁ ପରାମର୍ଶ ଦେବେ, ସେ ସେଇ କାମ କରିବ । ଦାଦା ଏଇନେ ତା’ ପାଇଁ ଠିକ୍‌ ସେଇଆ, ମହାଭାରତର ଅର୍ଜ୍ଜୁନଙ୍କ ପାଇଁ କୃଷ୍ଣ ଯାହା ଥିଲେ । ମାନସକୁ କଳେବଳେ ଏ ସହରରେ ତା’ ନିଜ ଗୋଡ଼ରେ ଠିଆ ହେବାକୁ ହେବ । ଦାଦା କଥା ଦେଇଛି । ମଠ କଥା ଆଉ ନ ଭାବିଲେ ଭଲ । ସେସବୁ ଏବେ ପୁରୁଣା ସ୍ମୃତି ପାଲଟିଗଲାଣି ।

 

ମାନସକୁ ଏବେ ବାଇଶ ପୂରିଲା । ପାଞ୍ଚବର୍ଷ ତଳେ ସେ ଆସିଥିଲା ଏ ସହରକୁ, ଆସିଥିଲା ନୁହେଁ ତ ପଳେଇ ଆସିଥିଲା । ନ ଆସି ବା କ’ଣ କରିଥାନ୍ତା ମଠରେ ? ସେଠି କ’ଣ ମଣିଷ ରହେ ?

 

ମାନସକୁ ଯେଉଁଦିନଠୁ ପନ୍ଦର ବର୍ଷ ପୂରିଲା, ସେଇଦିନଠୁ ତା’ ବାପା ବୋଉ ତାକୁ ନେଇ ରାଧାମାଧବ ମଠରେ ଛାଡ଼ିବାର ଯୋଜନା କରି ବସିଥିଲେ । ସେ ବେଳେବେଳେ ମଠ ଓ ବାଆଜି ପ୍ରସଙ୍ଗ ଶୁଣେ । କିନ୍ତୁ ଗୁରୁତ୍ୱ ଦିଏ ନାହିଁ ସେ କଥାକୁ । ତା’ର ମନ ନ ଥାଏ ସେସବୁ ଶୁଣିବାକୁ । ମାଟ୍ରିକ୍‌ଟା ପାସ୍‌ କରିଥିଲା, ଭାବିଥିଲା ସହରକୁ ପଳେଇଯାଇ କିଛି ଗୋଟାଏ କାମ କରିବ । ଦି’ ପଇସା ପାଖରେ ହେଲେ ଗାଆଁକୁ ଆସିବ । ଭଙ୍ଗା ଘର ନୂଆ କରି ତିଆରି କରିବ । ତା’ପରେ ଗୌରୀ ଘରକୁ ଯାଇ ତା’ ବାପା ଆଗେ ଛିଡ଼ା ହେବ । କହିବ, ଏଇ ଦେଖ, ମୁଁ ନିଜ ଗୋଡ଼ରେ ଛିଡ଼ା ହେଇଛି । ଏଥର ତମ ଝିଅକୁ ମୋ ସାଙ୍ଗେ ବାହା ଦେବାରେ ତମର କିଛି ଆପତ୍ତି ଅଛି କି ?

 

ମାନସ କିନ୍ତୁ ଜାଣି ନଥିଲା, ପନ୍ଦର ଷୋଅଳ ବର୍ଷର ପୁଅ ପକ୍ଷେ ବାହାହେବା କଥା ଚିନ୍ତା କରିବା ହିଁ ଗୋଟାଏ ଅପ୍ରାପ୍ତବୟସ୍କ ଅପରାଧ । ଅଥଚ ସେହି ବୟସର ଝିଅଙ୍କ ପାଇଁ ବର ଖୋଜିବାରେ ବାପା, ଭାଇ, ବନ୍ଧୁବାନ୍ଧବ ସମସ୍ତେ ପୂରା ଦମ୍‌ରେ ଲାଗି ପଡ଼ନ୍ତି । ଝିଅଟିକୁ ମୁହଁଖୋଲି କିଛି କହିବାକୁ ପଡ଼େ ନାହିଁ । ମାନସ ଗୌରୀ ପାଇଁ ଅପେକ୍ଷା କରିଥିଲା, କିନ୍ତୁ ଗୌରୀ ଅପେକ୍ଷା କଲା ନାହିଁ । ତା’ର ସେ ଯେଉଁ ପ୍ରେମ, ରୁମାଲ ଖଣ୍ଡେ ଭିତରେ ପାନ ଦି’ ଖଣ୍ଡ କି ବଙ୍କାତେଢ଼ା ଅକ୍ଷରରେ ଚିଠି ଦୁଇ ଚାରିଟି, ସେତକ ହିଁ ମାନସ ପାଖେ ଛାଡ଼ିଦେଇ ସେ ବାହା ହେଇଗଲା । ଗୌରୀର ସବାରି ଗାଆଁମୁଣ୍ଡ ଡେଇଁଗଲା ବେଳେ ମାନସକୁ ଲାଗୁଥିଲା ତା’ ପ୍ରେମର କୋକେଇ ଯେମିତି ମଶାଣିମୁହାଁ ହେଉଛି । ଯାଉ ଜଳିଯାଉ ସେସବୁ । ସେ କାହିଁକି ଜଣକ ପାଇଁ ସାରାଜୀବନ ବିତେଇଦେବ ଅନୁଶୋଚନାରେ ? କି ପ୍ରେମ ବା କରୁଥିଲା ସିଏ, ଥରେ ଦି’ ଥର ମାଈସଞ୍ଜ ଅନ୍ଧାରରେ ହାତ ପାପୁଲି ଚିମୁଟି ଦେବା ଭିତରେ ହିଁ ଥିଲା ତା’ ପ୍ରେମ ସୀମିତ ।

 

ବାପା ବୋଉ ସେହି ଯେ ମଠକଥା ଉଠେଇଥିଲେ, ଆଉ ବନ୍ଦ ହେଲା ନାହିଁ ତାଙ୍କ କଥା-। ମାନସ ଶୁଣିଲା, ତା’ ଜନ୍ମହେବା ଆଗରୁ କୁଆଡ଼େ ତା’ ବାପାବୋଉ ତାକୁ ରାଧାମାଧବଜୀଉଙ୍କ ପାଖେ ବିକି ଦେଇଥିଲେ । କାରଣ ବିଷୟରେ ସେ ପଚାରିଛି ତା’ର ବାପାକୁ । ସେ କହନ୍ତି, ତୋ ବାପା ବୋଉଙ୍କର ପିଲାପିଲି ହେଉ ନଥିଲେ ଢେର୍‌ ବର୍ଷଯାଏ । ଗାଆଁଲୋକେ ଆଣ୍ଠୁକୁଡ଼ା, ବାଞ୍ଝ କହି ଚିଡ଼ଉଥିଲେ ତୋ ବାପାକୁ, ତୋ ବୋଉକୁ । ସେଇପାଇଁ ସେମାନେ ଠାକୁରଙ୍କ ପାଖେ ମାନସିକ କରି, ପୁଅଟେ ଦେଲେ ତାକୁ ହିଁ ସଅଁପି ଦେବାକୁ କଥା ଦେଇଥିଲେ । ଏଇନେ ସିଏ ବାଆଜି ହେବାକୁ ରାଜି ନ ହେଲେ ଅନର୍ଥ ହେବ । ସେମାନେ ଧର୍ମ ଦ୍ରୋହ ଦୋଷରେ ଦୋଷୀ ହେବେ ।

 

ମାନସର ମନଟା ତା’ ବାପାବୋଉଙ୍କ ପ୍ରତି ଯେମିତି ଦୟାରେ ତରଳିଯାଏ, ମଣିଷମାନଙ୍କର ଅସହାୟତାରୁ ଫାଇଦା ଉଠାଉଥିବା ଠାକୁର, ବାବାଜି ମଠ ମନ୍ଦିର ପ୍ରତି ସେମିତି ଚିଡ଼ିଯାଏ । ପୁଣି ସେ ଜାଣିପାରେ ନାହିଁ, ବାପର ମାନସିକ ପାଇଁ ପୁଅ କାହିଁକି ଅନିଚ୍ଛାରେ ଛେଳି ମେଣ୍ଢାପରି ଘୋଷଡ଼ା ହେଇ ଯିବ ମଠକୁ ? ସିଏ ଗୋଟାଏ ମଣିଷ, ତା’ର ପୁଣି ଇଚ୍ଛା ଅନିଚ୍ଛା, ରୁଚି ଅରୁଚି ରହିବ କି ନାହିଁ ?

 

ତା’ ପ୍ରତିବାଦର କିନ୍ତୁ ଅର୍ଥ କିଛି ରହିଲାନି ।

 

ତା’ର ବାପା ଦିନେ ସକାଳୁ ସକାଳୁ ତାକୁ ନେଇ ଛାଡ଼ିଦେଇ ଆସିଲେ ଦଶ ମାଇଲ ଦୂର ରାଧାମାଧବ ମଠରେ । ସେଠି ତା’ର ପହଞ୍ଚିବାକୁ ଯେମିତି ଅପେକ୍ଷା କରିଥିଲା ଭଣ୍ଡାରିଟିଏ । ସାଙ୍ଗେ ସାଙ୍ଗେ ମାନସର ସୁନ୍ଦରିଆ କୁଞ୍ଚୁ-କୁଞ୍ଚିଆ ବାଳକେରାକୁ ଚାଞ୍ଛିଦେଲା । ଗାଧୋଇସାରି ଗାମୁଛା ଖଣ୍ଡେ ପିନ୍ଧିଲା ମାନସ, ଆରଖଣ୍ଡକରେ ସ୍କୁଲ୍‌ର ଝିଅପିଲାଏ ସେମାନଙ୍କ ଉଚ୍ଚା ଛାତିକୁ ଘୋଡ଼େଇଲା ପରି ସେ ନିଜ ଦେହକୁ ଘୋଡ଼େଇ ପକେଇଲା । ଅଇନାଟା ଟେକି ମୁଣ୍ଡକୁ ଚାହିଁଲାବେଳକୁ ତାକୁ କାନ୍ଦ ମାଡ଼ି ଆସିଲା । ମୁଣ୍ଡ ତ ନୁହେଁ, ଶାଗ ଉପୁଡ଼ା ଯାଇଥିବା ବାଡ଼ି ଅରାଏ ଯେମିତି ସେଇଟା ! ପଛପଟକୁ ଗୁଣ୍ଡୁଚିମୂଷା ଲାଞ୍ଜ ପରି ଚୁଟି କେରାକ ତାକୁ ସବୁଠୁ ଲଜ୍ଜାଜନକ ମନେ ହେଉଥିଲା ।

 

ହାଟରେ ବାଟରେ ସମସ୍ତେ ତାଙ୍କୁ ଡାକନ୍ତି ବାଆଜି । ‘ବାଆଜି’ ‘ବାଆଜି’ ଡାକ ଶୁଣିଲାବେଳେ ସେ ଜବାବ ଦିଏ ନାହିଁ । ଭିତରେ ଭିତରେ ‘ମାନସ’ ‘ମାନସ’ ବୋଲି ଉଚ୍ଚାରଣ କରେ । କାଳେ ସେଇ ନାଆଁଟାକୁ ସେ ଭୁଲିଯିବ ଏଇ ଆଶଙ୍କାରେ । ସକାଳୁ ଉଠି ଫୁଲ ତୋଳେ, ଗାଈଙ୍କୁ ଖାଇବାକୁ ଦିଏ । ଗାଧୋଇପଡ଼ି ଫୁଲମାଳ ଗୁନ୍ଥେ, ଘିଅଦୀପ ସଜିଲ କରିଦିଏ, ମଠ ଓଳାଏ । ଜଣାଣ ଆବୃତ୍ତି କରେ, ଗିନି ବଜାଏ । ଉପରଓଳି ବଗିଚାରେ କାମ କରେ, ଝୁଣା ଲଗେଇ ମଶାଡ଼ାଆଁସ ତଡ଼େ । ଠାକୁରଙ୍କ ପାଖେ ସଞ୍ଜ ଆଳତି ଦିଏ । ଗାଈକୁ ତୋରାଣି ଦିଏ । ଦିନରେ ଦୁଇବେଳା ଘିଅପକା ଅରୁଆ ଅନ୍ନ ଓ ମଝିରେ ଚୁଡ଼ା, ଦହି, ଗୁଡ଼ ମିଶେଇ ଖାଏ ।

 

ଖାଇବା କାମଟିକୁ ଛାଡ଼ିଦେଲେ ମଠର ବାକୀ ସବୁ କାମ ମାନସକୁ ଭାରି ବିରକ୍ତିକର ମନେହୁଏ । ଠାକୁର କି ବାଆଜି ଗୋସାଇଁଙ୍କ ଆଡ଼କୁ ତା’ ମନ ଟାଣି ହୋଇଯାଏ ନାହିଁ କଦାପି । ମନେପଡ଼େ ଗାଆଁ ପୋଖରୀର ମାଛଧରା ନଈକଣ୍ଟିଆ ମାଛର ଚଡ଼ଚଡ଼ି । ଚିଙ୍ଗୁଡ଼ି ପୋଡ଼ା ଓ ପଖାଳ କଂସା । ବଣିଆସାହି ପଦାର ଗୁଡ଼ିଉଡ଼ା ଓ ଅର୍ଜ୍ଜୁନ ବାଆଜି ପୋଖରୀ ହୁଡ଼ାର ଡାଳମାଙ୍କୁଡ଼ି ଖେଳର ସ୍ମୃତି ତାକୁ ଅସ୍ତବ୍ୟସ୍ତ କରିଦିଏ ।

 

ଆଉ ଏସବୁ ଭିତରେ ରହି ରହି ମନେପଡ଼େ ଗୌରୀର ସ୍ମୃତି । ତା’ର ଫୁଲିଲା ଫୁଲିଲା ଗାଲ, ଉଚ୍ଚା ଛାତି, କୁନ୍ଦିଦେଲା ପରି ଗୋଡ଼ ଯୋଡ଼ିକ, ଟଣା ଟଣା ଅବାଧ୍ୟ ଆଖି ସବୁ ମିଶିମାଶି ଶୂନ୍ୟରେ ଗୌରୀର ମୂର୍ତ୍ତିଟିଏ ଗଢ଼ିଦିଏ । ନିଦ ବାଉଳାରେ ସେ ତକିଆକୁ କୁଣ୍ଢେଇ ଧରେ । ମୂର୍ତ୍ତିଟା ଦୂରକୁ ଦୂରକୁ ଘୁଞ୍ଚିଯାଇ କୁଆଡ଼େ ମିଶିଯାଏ । ମାନସର ନିଦ ଭାଙ୍ଗେ । କେହି କୁଆଡ଼େ ନାହିଁ, ମନ୍ଦିର ବେଢ଼ାରେ ବୈରାଗ୍ୟ ରହସ୍ୟବାଦ ତାକୁ ଥଟ୍ଟାକରେ ପରା !

 

ମାନସକୁ କିନ୍ତୁ ଭଲଲାଗେ ମଠ ଭିତରର ଉତ୍ସବ ଦିନଗୁଡ଼ିକ । ରାଧାଷ୍ଟମୀ, ଜନ୍ମାଷ୍ଟମୀ ଓ ଆଉ ଆଉ ବାରବ୍ରତରେ ଢେର୍‌ ଲୋକ ଆସନ୍ତି । ସୁନ୍ଦରୀ ସଧବା ସ୍ତ୍ରୀ ଓ ତାଙ୍କ ସାଙ୍ଗରେ ଯୁବତୀ ଝିଅ ଆସନ୍ତି ଭୋଗଡ଼ାଲା ଧରି । ମାନସ ଦେହରେ ସେଦିନ ବିଜୁଳି ଖେଳିଯାଏ । ଗୋଡ଼ ଦିଇଟା ତଳେ ଲାଗେନାହିଁ । ଭିଡ଼ କ୍ରମେ ସରିଯାଏ, ମାନସର ମନଟା ମରିଯାଏ ।

 

ଏମିତି ହୁଏତ ଆଉ କିଛିବର୍ଷ ରହିଯାଇଥାନ୍ତା ସେଇ ମଠରେ ମାନସ । ସେଦିନ ଅପରାହ୍‌ଣରେ କିନ୍ତୁ ସେ ନ ଦେଖିବା ଦୃଶ୍ୟଟେ ହିଁ ଦେଖିଲା, ମଠରେ ନୂଆ ଆସିଥିବା ମାତାଜୀଙ୍କ ସାଙ୍ଗରେ ବାଆଜି ମହାରାଜ କ’ଣ କରୁଥିଲେ ଗମ୍ଭୀରି ଘରଟାରେ ? ଛିଃ, ଛିଃ, ଠାକୁର ମନ୍ଦିର ବେଢ଼ା ଭିତରେ ଏସବୁ କ’ଣ ଶୋଭାପାଏ ? ଲଣ୍ଡିତ ମସ୍ତକ ଦୁଇଟି ନାରୀ ପୁରୁଷର ସେଇ ଉଲଗ୍ନ ଯୁଗ୍ମବଦ୍ଧ ଅବସ୍ଥା ତା’ର ମନକୁ ଶବସଙ୍ଗମ ଦର୍ଶନର ବିତୃଷ୍ଣା, ବିରକ୍ତି ଓ ଘୃଣାରେ ବିଷେଇ ଦେଇଥିଲା । ମାନସ ତା’ର ଲେଙ୍ଗୁଟି ଆଉଥରେ ଭଲକରି ଭିଡ଼ିଦେଇ ଦୌଡ଼ିଲା ଯେ ରାତି ଦଶଟାବେଳକୁ ସେ ଯାଇ ତା’ ଗାଆଁରେ ହାଜର ।

 

ବାଆଜିର ସେହି ପ୍ରଦର୍ଶନୀମାର୍କା ଚେହେରାଟା ଥିଲା ଗାଆଁପିଲାଙ୍କ ପାଇଁ କୌତୁକର ବିଷୟ । ମାନସ ଭାବିଥିଲା କିଛି ଗୋଟାଏ କାମ କରି ତା’ ବାପା ବୋଉଙ୍କୁ ଜଣେଇଦେବା ଦରକାର ଯେ, ତା’ର ଆଉ ଇଚ୍ଛା ନାହିଁ ମଠକୁ ଯିବାପାଇଁ । ସେମାନେ ତାକୁ ମୁକୁଳାନ୍ତୁ କି ନ ମୁକୁଳାନ୍ତୁ ସିଏ ଆଉ ସେଠିକି କଦାପି ଯିବନାହିଁ । ନାହିଁ ତ ଅନ୍ୟ କୁଆଡ଼େ ପଳାଇବ । ତେଣିକି ତାକୁ ସେମାନେ ଆଉ ପାଇବେ ନାହିଁ ।

 

ସତକୁ ସତ ମାନସ ଦି’ପହର ଖାଇବା ବେଳେ ସବୁରି ଆଖିରେ ଆଙ୍ଗୁଳି ଗେଞ୍ଜା ଶିକା ଉପରୁ ଚିଙ୍ଗୁଡ଼ିଭଜା ରଖା ହୋଇଥିବା ଗିନାଟା ଝାମ୍ପି ନେଲା ଓ ମୁଢ଼ି ଚୋବେଇଲା ପରି ଆରାମରେ ଭଜା ଚିଙ୍ଗୁଡ଼ି ଚୋବେଇ ଚାଲିଲା । ବାପା ତା’ର ରାଗରେ ଅନ୍ଧ ହେଇଗଲେ । ବାଡ଼ି ଧରି ଦଉଡ଼ି ଆସିଲେ । ବୋଉ ମୁଣ୍ଡକୋଡ଼ି କହିଲା, ସତ୍ୟାନାଶିଆଟା ଧର୍ମ ସାରିଲାରେ... । ସାନଭାଇଟା ବି କିଛି ବୁଝି ନ ବୁଝି ଓଲଟି ତା’ର ଚୁଟିକୁ ଭିଡ଼ିଧରିଲା । ତା’ର ରାଗ ହେଲା, ମାନସ ତାରି ଭାଗତକ ହିଁ ଖାଇଛି । ସେ ଛାଡ଼ିବ ନାହିଁ ।

 

ଆଉ ସେଇଦିନ ସଞ୍ଜବେଳେ ନାନାରକମର ଅଭିସଂପାତକୁ ହଜମ କରି ମାନସ ପଳେଇ ଆସିଥିଲା କଟକ । ଏଇଆକୁ କ’ଣ ଘର କହନ୍ତି ? ସେ ଜାଣିଛି, ତାକୁ ମଠକୁ ପଠେଇଦେଇ ବାପା ତା’ର ଦାୟିତ୍ୱରୁ ଅବ୍ୟାହତି ପାଇଯାଇଛନ୍ତି । ଚାରିଜଣିଆ ପରିବାରରୁ ଗୋଟିଏ ପେଟ କମିଗଲେ କାହିଁରେ କ’ଣ ?

 

ପୋଲିସ୍‌ ଜିପ୍‌ଟେ ଏଆଡ଼େ ଆସୁଛି ବୋଧହୁଏ ! ମାନସ ରାସ୍ତାକୁ ପିଠିକରି ଗୋଟିଏ ଗୋଟିଏ ପାହୁଣ୍ଡ ପକେଇ ଆଗକୁ ଚାଲିଲା । ସିନେମା ହଲ୍‌ ବହୁତ ପଛରେ ରହିଗଲାଣି ।

 

ଗାଆଁରୁ ସେ ପ୍ରଥମେ ପଳେଇ ଆସିଥିଲା କଟକ । ହାଲିଆରେ ସେ ଶୋଇପଡ଼ିଥିଲା ଷ୍ଟେସନ୍‌ ସ୍କୁଲ୍‌ ବାରଣ୍ଡାରେ । ପଥଶ୍ରମ ଭୋକ-ଶୋଷ ଏବଂ ସର୍ବୋପରି ଅସହାୟତା ତା’ର ଶରୀରଟାକୁ ଅବସନ୍ନ କରି ଦେଇଥିଲା । କେତେବେଳେ ନିଦ ଲାଗିଯାଇଥିଲା ତା’ର ମନେନାହିଁ ।

 

ମଝି ରାତିରେ ନିଦ ଭାଙ୍ଗିଲାବେଳକୁ ସେ ଅନୁଭବ କରିଥିଲା ଗୋଟିଏ ମାଂସର ପାହାଡ଼ ଯେମିତି ତା’ ଉପରେ ପେଟେଇ ପଡ଼ିଛି । ତା’ ପେଟତଳକୁ ଝୁଲିଥିବା ପ୍ୟାଣ୍ଟ୍‌ ଖଣ୍ଡକ ମାନସ ପାଉ ନ ଥିଲା । ଗୋଟିଏ ମୋଟା ଲୋକ ତା’ ଉପରେ ଓ ସେ ତଳେ । ପାଟି କରିବ କି ମାନସ ? କିଏ ଅଛି ତା’ର ଚିହ୍ନାଜଣା ? ତାକୁ ଫେର୍‌ କାନ୍ଦ ମାଡ଼ିଲା । ତା’ଉପରେ ପେଟେଇଥିବା ଲୋକଟି ଏତେ ଜୋର୍‌ରେ ନିଃଶ୍ୱାସ ନଉଛି କାହିଁକି ? ମାନସକୁ ଭାରି କଷ୍ଟ ହଉଛି । ତା’ର କିଛି ଜୁ ନାହିଁ । ତା’ର ମରିଯିବା ପାଇଁ ଇଚ୍ଛା ହଉଥିଲା ।

 

ଅବଶେଷରେ ସେ ଲୋକଟା ତା’ ଉପରୁ ଓହ୍ଲେଇଗଲା । ମାନସ ସେଯାଏ କାନ୍ଦୁଥିଲା କୋହ ଚାପି ଚାପି । କାଳିଆ ଭୁଶୁଣ୍ଡା ଲୋକଟା ତା’ ପାଖକୁ ଲାଗିଆସି କହିଲା, “କିବେ, କାନ୍ଦୁଛୁ କାହିଁକି ! ଶଳା ମାଲ୍‌ ଖଣ୍ଡେ ହେଇଛୁ ବେ !”

 

ମାନସ କାନ୍ଦି କାନ୍ଦି କହିଲା, “ମୋର ଏଠି କେହି ଚିହ୍ନାଜଣା ନାହାନ୍ତି । ଆଜି ଆସିଛି ଗାଆଁରୁ ।”

 

ସେ ଲୋକଟା ଏଥର ପ୍ରସନ୍ନ ଦିଶୁଥିଲା । ଦୁଇଟଙ୍କିଆ ନୋଟ୍‌ଟେ ଫୋପାଡ଼ିଦେଇ କହିଲା, “ଗୁଣ୍ଡୁଚିମୂଷାର ଲାଞ୍ଜ ପରିକା ଚୁଟିକେରାକ ରଖିଛୁ କାହିଁକି ବେ ? ହଉ, କାଲିକି ଆ’, ଗ୍ରାଣ୍ଡ୍‌ ସିନେମା ହଲ୍‌ ପାଖକୁ । ଦେଖିଛୁ ନା ବେ ?”

 

ମାନସ ମୁଣ୍ଡ ହଲେଇ ନାହିଁ କଲା ।

 

ଲୋକଟା ବତେଇଲା, “ଏଇଠୁ ମାଲଗୋଦାମ ଦେଇ ପଳେଇବୁ । ତା’ପରେ ଛତ୍ରବଜାର । ଆଉ ଟିକିଏ ଗଲେ ତ ସିନେମା ହଲ୍‌ । ନ ଜାଣିପାରିଲେ କାହାକୁ ପଚାରିଦେବୁ । ମୁଁ ଯାଉଛି ।”

 

ମାନସ ତା’ର ପ୍ୟାଣ୍ଟ୍‌ଟାକୁ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ପିନ୍ଧି ପକାଇଲା । ଜୀବନର ଆଉ ଗୋଟାଏ ଉଲଗ୍ନ ସତ୍ୟକୁ ସେ ସେଇମାତ୍ର ଅତିକ୍ରମ କରୁଥିବା ପରି ଟିକିଏ ଅଭିଜ୍ଞ ଦିଶୁଥିଲା ନିଜେ ନିଜ ପାଖରେ ।

 

ଅନ୍ଧାରରେ ଲୋକଟାର ମୁହଁ ସେ ବାରିପାରି ନ ଥିଲା ଠିକ୍‌ ଭାବରେ । ପରଦିନ ଦାଦା କିନ୍ତୁ ମାନସର ଲଣ୍ଡାମୁଣ୍ଡଟିକୁ ବେଶ୍‌ ଦୂରରୁ ଦେଖି ଚିହ୍ନିପାରିଥିଲା । କଥା କହିବାକୁ ସମୟ ନଥିଲା ତା’ର । ତା’ ଚାରିପଟେ ହାଉଯାଉ ହଉଥାଆନ୍ତି ଲୋକଗୁଡ଼ିଏ । ଘଣ୍ଟାଏ କାଳ ମାନସ ସାଇକେଲ୍‌ ଷ୍ଟାଣ୍ଡ୍‌ ପାଖେ ଛିଡ଼ାହେଇ କାରସାଦି ଦେଖୁଥିଲା ।

 

ସତେଇଶ ଅଠେଇଶ ବର୍ଷ ହେବ ଦାଦାର ବୟସ । ଚଉଡ଼ା ଛାତି ଉପରେ ହଳଦିଆ ଫତେଇ । ପିନ୍ଧିଛି ଗୋଟାଏ ଫୁଲ୍‌ପ୍ୟାଣ୍ଟ୍‌ । ଛିଟ ରୁମାଲ ଖଣ୍ଡେ ଗୁଡ଼େଇ ଦେଇଛି ମୁଣ୍ଡ ଉପରେ । ତାକୁ ଘେରି ଗୋଟାଏ ଛୋଟକାଟିଆ ମେଳା । ପାନପିକ ପିଚ୍‌କରି ସେ ଛାଟିଦଉଛି ପାଦତଳର ଶୂନ୍ୟରାସ୍ତା ଅରାକୁ ଓ କାରବାରରେ ଲାଗିପଡ଼ୁଛି । ଅନେକ ସମୟ ମାନସ ତାକୁ ଚାହିଁଲା । ସିନେମା ଆରମ୍ଭର ସେକେଣ୍ଡ୍‌ ବେଲ୍‌ ହେବା ପରେ ପରେ ଭିଡ଼ କମିବାକୁ ଲାଗିଥାଏ ଦାଦା ଚାରିପାଖରୁ । ମାନସ ସାହସ କରି ଦାଦା ପାଖକୁ ଗଲା ଭିଡ଼କାଟି ଓ ଏଥର ସିଧା ଦାଦାର ମୁହଁକୁ ହିଁ କହିଲା, “ମୁଁ ତମ ପାଖକୁ ଆସିଥିଲି ।”

 

: ତୁ କିଏ ବେ ?

 

: ମୁଁ... ମୁଁ... । ଶଙ୍କିଗଲା ମାନସ । କ’ଣ କହିବ ସେ ଦାଦାକୁ ? କାଲି ରାତିରେ ସେ ଯେମିତିକା ଲଜ୍ଜାଜନକ ପରିସ୍ଥିତିରେ ଦାଦା ସାଙ୍ଗେ ତା’ର ହେଇଥିଲା ପ୍ରଥମ ପରିଚୟ, ସେକଥା ସେ କ’ଣ ସ୍ମରଣ କରିପାରିବ ଏଇଠି ! ରାତି ଅନ୍ଧାରରେ ଅନ୍ତରଙ୍ଗ ସମ୍ପର୍କ ଦିନ ଆଲୁଅରେ ଅର୍ଥହୀନ ମନେହେଲା ତା’ର ।

 

ଦାଦା କହିଲା, “ଆବେ ତୁ ସେଇ ନା, କାଲି...” ତା’ କଥା କାଳେ ଶେଷ ହେଇଯିବ ସେପାଇଁ ଆଗତୁରା ମାନସ ମାଡ଼ିବସିଲା ପରି କହିଲା, “ହଁ, ହଁ, ମୁଁ ସେଇ ।”

 

“ଆଚ୍ଛା, ଗଲୁ ଗଲୁ–ମୋ ନାଆଁ କହି କାଉଣ୍ଟରରୁ ଦଶଟା ବାଲ୍‌କନି ଟିକଟ ଆଣିବୁ ।”

 

କାଉଣ୍ଟର ସାମ୍ନାରେ ତଥାପି ଲମ୍ବିଥିବା ଧାଡ଼ିକୁ ହିଁ ବିକଳ ଭଙ୍ଗୀରେ କହିଲା ମାନସ–“ସେଠି ତ ଏତେ ଭିଡ଼ ।”

 

ଦାଦା ଚିତ୍କାର କଲା, “ଶଳା, ମାଇଚିଆ, ଆବେ ଯାଉଛୁ ନା ଦେଖିବୁ ? ଦାଦାର ନାଆଁ କହିବୁ । ସେ ସମସ୍ତଙ୍କ ଆଗେ ତୋତେ ଟିକେଟ୍‌ ଦେବ । ହଁ ଲାଇନ୍‌ରେ ଯାଇ ଛିଡ଼ାହେବୁ ନାହିଁ । ଲାଇନ୍‌ରେ ମାଇଚିଆଗୁଡ଼ାକ ଛିଡ଼ାହୁଅନ୍ତି ବେ ।”

 

ମାନସ ଦାଦାର କଥା ମାନିଥିଲା ।

 

ସେହିଦିନୁ ଦାଦାର ହାତବାରିସି ହେଇ ଦିନ ବିତେଇ ଦେଇଥିଲା ଏ ସହରରେ । ସିନେମା ଟିକେଟ୍‌ ବ୍ଲାକ୍‌ କରିବା ସେମିତି କଷ୍ଟକାମ ନୁହେଁ । କାଉଣ୍ଟରର କ୍ଲର୍କ ଟିକେଟ୍‌ ପିଛା ନେବ ଚାରଣା । ଶହେଟା ଟିକେଟ୍‌ ଚାହୁଁ ଚାହୁଁ ସଫା । ହାତକୁ ଆସିବ ପଚାଶ ଟଙ୍କା । ଦାଦାର ତିରିଶ, ତା’ର କୋଡ଼ିଏ । ଦିନବେଳା ଷ୍ଟେସନ୍‌ରେ କାମ ।

 

ସେଠି ଆଗତୁରା ଟ୍ରେନ୍‌ ଟିକେଟ୍‌ କିଣିରଖେ ଦାଦା । ସଞ୍ଜବୁଡ଼େ ପ୍ଲାଟ୍‌ଫର୍ମର ଅନ୍ଧାରିଆ ଜାଗାରେ ବିକେ । ହାୱଡ଼ା ଏକ୍ସପ୍ରେସ୍‌ର ଗୋଟାଏ ଟିକେଟ୍‌ ବିକ୍ରି ହେଇଗଲେ ପଚିଶ ଟଙ୍କା । ମାନସ ସେଥିରେ ଓସ୍ତାଦ ପାଲଟି ଯାଇଥିଲା ମାସ ଛଅଟାରେ । ନାମକୁ ମାତ୍ର ଗୋଟାଏ ଠେଲାଗାଡ଼ିରେ ବିକ୍ରି କରେ ମାଗାଜିନ୍‌ । ପ୍ରକୃତ ପକ୍ଷେ ସେ ଟ୍ରେନ୍‌ ଟିକେଟ୍‌ ହିଁ ବିକ୍ରି କରେ ।

 

ଦିନେ କିନ୍ତୁ ଦାଦା ଚିଡ଼ିଗଲା ମାନସ ଉପରେ । ଅର୍ଜ୍ଜୁନ ହାବିଲଦାରର ଝିଅ ଆଉ ତା’ ସ୍ତ୍ରୀ ସେଦିନ ସିନେମା ନ ଦେଖି ଫେରିଗଲେ । ଅର୍ଜ୍ଜୁନ ହାବିଲଦାର ନିଶ ମୋଡ଼ିଲା–“ଶଳା, ମୋ ଫ୍ୟାମିଲି ଟିକେଟ୍‌ ନ ପାଇ ଫେରିଲେ । ସବୁ ବ୍ଲାକରଙ୍କୁ ଏଠୁ ନିପାତ କରିବି ।” ଦାଦା କାନକୁ କଥାଟା ଗଲା । ଦାଦା ମାନସର ଗାଲରେ କଷିଦେଲା ନିର୍ଘାତ୍‌ ଚଟକଣା ।

 

: ଅର୍ଜ୍ଜୁନ ହାବିଲଦାରର ପିଲାଏ ଟିକେଟ୍‌ ନପାଇ କେମିତି ଫେରିଗଲେ ବେ ? ବେପାର କରୁଛୁ ବୋଲି ମଣିଷ ଚିହ୍ନିବୁ ନାହିଁ ? ତିନିଟା ଟିକେଟ୍‌ ଯୋଗାଡ଼ କରି ଦେଇ ପାରିଲୁ ନାହିଁ ? ଶ୍ୟେ, ତିନିଟା ଟିକେଟ୍‌ ଧରେଇ ତିନିଟା କୋଲ୍‌ଡ ଡ୍ରିଙ୍କ୍‌ ଦେଇ ଦେଇଥିଲେ ଆମର ବେପାର ବୁଡ଼ିଥାନ୍ତା କି ? ଭାଗ୍‌ ମୋ ଏରିଆରୁ । ତୋଦେଇ ଏସବୁ ହେବ ନାହିଁ । ଶଳା ମାଇଚିଆ-

 

କୋଡ଼ିଏ ବର୍ଷର ସଳଖ ଭେଣ୍ଡିଆ ମାନସ ଚଟକଣା ସହିଯାଇଥିଲା ସତ, କିନ୍ତୁ ଏମିତିକା ଗାଳିଫଜିତ୍‌ ପାଇଁ ଆଦୌ ପ୍ରସ୍ତୁତ ନ ଥିଲା । ସେ ନାକସଳଖ ସେଇଠୁ ବାହାରିଗଲା ସହର ବାହାରକୁ । ଦାଦା ସାଙ୍ଗେ ତା’ର ସମ୍ପର୍କ ସେଇଠି କଟିଗଲା ।

 

ପଛରେ ବୁଝିଥିଲା ଦାଦା ରାଗିବାର କାରଣ । ପଟାପୋଲର ସେ ଯେଉଁ ମାଇକିନାଟା, ସେ କୁଆଡ଼େ ଦାଦାକୁ ପଟି ଚଢ଼େଇ ତା’ଠୁ ପାଞ୍ଚହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲା । ସେ ମାଇକିନାଟା ଆଗରୁ ଦି’ ଜଣଙ୍କୁ ଛାଡ଼ିଥିଲା । ଦାଦା ତୃତୀୟ । ଦାଦା ସେଦିନ ଦିଇଟା ବଡ଼ ବୋତଲ ରମ୍‌ ସଫା କରି ଦେଇଥିଲା ବିରହ କଷ୍ଟରେ ।

 

ମାନସ କିନ୍ତୁ ଫେରି ନଥିଲା ଦାଦାର ଆଡ଼୍‍ଡ଼ାକୁ । ମଦ, ଗଞ୍ଜେଇ, ଅଫିମର କଡ଼ା ବାସ୍ନା, ଦିନରାତି ଅଶ୍ଳୀଳ ଚିତ୍କାର, ରାତିଅଧରେ ଦାଦାର ଅଦଉତି–ଏସବୁ ବେଶିଦିନ ସେ ବରଦାସ୍ତ କରି ପାରିନଥାନ୍ତା । ସବୁ ଜିନିଷ ବେଶି ହେଲେ ମାନସର ଦେହ ଜଳେ । ରାଧାମାଧବ ମଠର ସଦାବେଳେ ଘିଅ ଦହି ଗନ୍ଧ ପରି ଏଠି ମଦ ଆଇଁଷ ଗନ୍ଧ ତାକୁ ସୁଖ ଲାଗେ ନାହିଁ ।

 

ସେ ପଳେଇ ଆସିଥିଲା କ୍ୟାପିଟାଲ୍‌ ।

 

ଏ ଜାଗାଟା ଫାଙ୍କା । ସବୁ ବେପାର ଏଠି ଆରମ୍ଭ କରିହେବ ଏକା ଏକା ।

 

ଷ୍ଟେସନ୍‌ରୁ ଓହ୍ଲେଇ ସେ ଛିଡ଼ା ହେଉଥିଲା ମାଷ୍ଟର କାଣ୍ଟିନ୍‌ରେ । ଆଉ ଠିକ୍‌ ସେତିକିବେଳେ ଟିକେଟ୍‌ ପାଇଁ ଆଶାୟୀ ଦଳବେହେରା ବାବୁ ସାଙ୍ଗେ ତା’ର ଚିହ୍ନା ହେଇଥିଲା ।

 

ଏଇ ଦଳବେହେରା ବାବୁ ସାଙ୍ଗେ ପରିଚୟ ହେଇ ନ ଥିଲେ ମାନସର ଭାରତୀୟ ଗଣତନ୍ତ୍ର ସାଙ୍ଗେ ଏତେ ଜଲ୍‌ଦି ମୁଲାକାତ୍‌ ହୋଇ ପାରି ନଥାନ୍ତା । ଦଳବେହେରା ବାବୁଙ୍କୁ ବି ନେତା କହିବ । ଦେଖୁ ଦେଖୁ ତାକୁ ଚିହ୍ନିଥିଲେ ଓ ଡାକିଥିଲେ, “ଆ’ ମୋ ସାଙ୍ଗରେ ।”

 

ଡେଙ୍ଗା ହେଇ ଗୋରା ତକତକ ଚେହେରା ଦଳବେହେରାବାବୁଙ୍କର । ତାଙ୍କ ଏରିଆର ନାମକରା ନେତା । ନିଜ ଦଳ ଏଯାଏଁ ପାୱାରକୁ ଆସିନାହିଁ ବୋଲି ମନ୍ତ୍ରୀ ହେଇ ପାରିନାହାନ୍ତି । ନ ହେଲେ ସେ କୁଆଡ଼େ ମୁଖ୍ୟମନ୍ତ୍ରୀ ହବା ଲୋକ । ଦଳବେହେରାଙ୍କୁ ମାନସ ପଚାରିଲା, “କେଉଁଠିକି ଯିବି ?”

 

: ନେତାଙ୍କ ଘରକୁ ।

 

: ସେଠି କ’ଣ କରିବି ମୁଁ ?

 

: ତୋର କିଛି କରିବା ଦରକାର ନାହିଁ । ଆଗ ଲୋକ ଯାହା କହିବେ ତୁ ଖାଲି ଜବାବ ଫେରେଇବୁ–‘ଜିନ୍ଦାବାଦ୍‌’ ।

 

: ମୁଁ ତ କିନ୍ତୁ ଭଲକି ଚିହ୍ନିନି ଆପଣଙ୍କୁ !

 

: ଆରେ କେତେ ଫଟେଇ ହେଉଛୁ ? ତୁ କାହାକୁ ଚିହ୍ନିଛୁ ? ଚିହ୍ନିଛୁ ରାଜୀବ ଗାନ୍ଧୀକୁ ? ଚିହ୍ନିଛୁ ଭି. ପି. ସିଂହ, ଦେବୀଲାଲକୁ ? ଫଟୋ ଦେଖିଥିବୁ ସେମାନଙ୍କର । ମୋତେ ଏବେଠୁ ଚିହ୍ନୁନୁ, କିଏ ମନା କରୁଛି ? ମୋ ନାଁ ସୁଧାକର ଦଳବେହେରା, ଇଲେକ୍ସନ୍‌ ପରେ ହେବି ଏମ୍‌.ଏଲ୍‌.ଏ. । ତା’ପରେ ମନ୍ତ୍ରୀ, ବୁଝିଲୁ ?

 

ମାନସ ଗଣି ଗଣି ପାଞ୍ଚଥର ଜିନ୍ଦାବାଦ୍‌ କରିଥିଲା । ନେତା ପଚାରିଲେ, “ତମେ ସବୁ ତା’ହେଲେ ଚାହୁଁଛ ଦଳବେହେରାଏ ଟିକେଟ୍‌ ପାଆନ୍ତୁ ।”

 

ଜନତା କହିଲେ, “ହଁ ହଁ–ସୁଧାକର ଦଳବେହେରା ଜିନ୍ଦାବାଦ, ଜିନ୍ଦାବାଦ... ।”

 

“ହଉ ହେଲା, ଦଳବେହେରାଙ୍କର ଯେତେବେଳେ ଏତେ ସମର୍ଥକ, ସେ ଅଲବତ୍‌ ଟିକେଟ୍‌ ପାଇବେ । ଦୟାକରି ସମସ୍ତେ ଏବେ ଯାଅ ।”

 

ନେତା ଘର ଭିତରକୁ ଚାଲିଗଲେ ।

 

ଜନତାଏ ଚାଲିଗଲେ ନିଜ ନିଜ ଜାଗାକୁ । କିଏ ଷ୍ଟେସନ୍‌କୁ, କିଏ ରାଜମହଲ ଛକକୁ ତ ଆଉ କେହି ବସ୍‌ଷ୍ଟାଣ୍ଡ୍‌କୁ । ମାନସକୁ ମିଳିଗଲା ତିରିଶ ଟଙ୍କା ।

 

ରାଜଧାନୀର ପ୍ରଥମ ଅନୁଭୂତି ବଡ଼ ରୋମାଞ୍ଚକର ଥିଲା ତା’ ପାଇଁ । କଟକର କ୍ଳେଦାକ୍ତ ଅନୁଭୂତି ଇଏ ନୁହେଁ । ଖାଲି ହଳେ ଖଦଡ଼ ଡ୍ରେସ୍‌ ଦରକାର ତା’ର ।

 

ନିର୍ବାଚନ ପ୍ରଚାର କାମ ସରିଗଲା ।

 

ଦଳବେହେରାଏ ପ୍ରଥମେ ଏମ୍‌.ଏଲ୍‌.ଏ. ଓ ସତକୁ ସତ ମାସ ଦି’ଇଟା ପରେ ମନ୍ତ୍ରୀ ହୋଇଗଲେ । କିନ୍ତୁ ମାନସର କିଛି ପରିବର୍ତ୍ତନ ହେଲା ନାହିଁ ।

 

ଏମ୍‌.ଏଲ୍‌.ଏ. ଦଳବେହେରାଙ୍କ ସାଙ୍ଗେ ଦେଖାଚାହାଁ ହେଉଥିଲା ସିନା, ମନ୍ତ୍ରୀ ଦଳବେହେରାଙ୍କ ସଙ୍ଗେ ଆଉ ଭେଟ ହେଲାନାହିଁ ।

 

ମାନସ ପୁଣିଥରେ ଫେରିଆସିଲା ନିଜର ନିର୍ଜନଦ୍ୱୀପକୁ । ପୁଣିଥରେ ତା’ ସାମ୍ନାରେ ଅସହାୟତା ଓ ଚାରିପଟେ ଦୀର୍ଘଶ୍ୱାସର କୋଳାହଳ ।

 

ଏଇ ଦି’ ଦିନ ହେଲା ସେ ପୁଣି ଯାଇ ସିନେମା ହଲ୍‌ ପାଖେ ଆରମ୍ଭ କରିଥିଲା ଟିକେଟ୍‌ ବ୍ଲାକ୍‌ କାରବାର । ଏଠି କିନ୍ତୁ ପୁଲିସ ଟିକେ ଟାଣ । କାଉଣ୍ଟରରୁ ଘୋଷାରି ନେଇ ଗୋଟେ କନେଷ୍ଟବଳଟେ ତାକୁ ଦେଲା ଦି’ ଖୁନ୍ଦା । ମାନସ ‘ବୋଉଲୋ’ କହି ଡିଆଁ ମାରିଛି ଯେ ପଛକୁ ଚାହିଁବାକୁ ଭରସି ପାରିନାହିଁ ।

 

ଅନେକ ଦୂରରେ ରହିଲାଣି ସିନେମା ହଲ୍‌ । କନେଷ୍ଟବଳ ଫେରିଯିବଣି ତା’ ବାଟରେ । ମାନସ ଆକାଶକୁ ହିଁଲା । ପାଖରେ ପଡ଼ିଛି ତିରିଶଟି ଟଙ୍କା । ପୂରା ଟଙ୍କା ଲଗେଇ ଦେଇଥିଲା ସିନେମା ଟିକେଟ୍‌ରେ । ଟିକେଟ୍‌ଗୁଡ଼ା କିନ୍ତୁ ବିକ୍ରି ହେବା ପୂର୍ବରୁ ନିଜେ ସେଗୁଡ଼ାକୁ ସେ ଫୋପାଡ଼ି ଦେଇ ଆସିଛି ନର୍ଦ୍ଦମା ଭିତରେ । ସୋ ଅଧା ହେଲାଣି, ସେ ଟିକେଟ୍‌ଗୁଡ଼ା ଆଉ କିଏ ନେଇଥାନ୍ତା-?

 

ରାସ୍ତା ଦୁଇକଡ଼ରେ ଉଚ୍ଚା ଉଚ୍ଚା କୋଠାଗୁଡ଼ିକୁ ଚାହିଁ ମାନସ ଚାଲିଥିଲା । ଭାବୁଥିଲା, କଟକ ଫେରିଯାଇ ପୁଣିଥରେ ଦାଦା ପାଖେ ପହଞ୍ଚିଯିବ କି ? ଦାଦା ନାଆଁରେ ତ ଦିଇ ଦିଇଟା ଖୁନ୍‌ ଓ ପାଞ୍ଚଟା ରେପ୍‌ କେସ୍‌ । ତା’ ସାଙ୍ଗେ ମଣିଷ କେତେଦିନ ରହିପାରିବ ? କେତେବେଳେ ଦାଦା ସାଙ୍ଗରେ ସିଏ ମଧ୍ୟ ଭିତରକୁ ନ ଯିବ ଏହାର କିଛି ଗାରେଣ୍ଟି ଅଛି କି ?

 

ମାନସ ବଡ଼ ଅସହାୟ ବୋଧ କରୁଥିଲା ।

 

ବିରକ୍ତି ଓ କ୍ରୋଧ ଆସୁଥିଲା ତା’ର ନିଜ ବାପାବୋଉ, ରାଧାମାଧବ ମଠ ବାଆଜି, ଦାଦା, ଦଳବେହେରା ଓ ଶାସନ ବ୍ୟବସ୍ଥା ଉପରେ । ପୋଲିସ୍‌ ଜିପ୍‌ ଓ କଚେରି କୋଠା ଉପରେ । ତମେମାନେ ଯଦି ବଞ୍ଚିବାର ବାଟଟେ ଦେଖାଇ ନ ପାରୁଚ ନ ଦେଖାଅ । ଆମେ ଯେଉଁ ବାଟ ଧରୁଛୁ ସେଇଟାକୁ ବନ୍ଦ କରିବାକୁ ତମେ କିଏ ?

 

ମାଗାଜିନ୍‌ ଦୋକାନ କରିବି ବସ୍‌ଷ୍ଟାଣ୍ଟ୍‌ରେ, ପୋଲିସ୍‌ ଉଠେଇଦେବ । କିହୋ, ଦଉନ ପାଞ୍ଚ ହଜାର, ମୁଁ ବି କ୍ୟାବିନ୍‌ଟେ ପକାଇ ଆରାମରେ ବସନ୍ତି । ଟିକେଟ୍‌ ବ୍ଲାକ୍‌ କଲେ ପୋଲିସ୍‌ ଠେଙ୍ଗୁଣି ପାହାର । ଦେଶୀମଦ, ଗଞ୍ଜେଇ ବିକିଲେ ପାପ, ଅପରାଧ । ଯାହା କଲେ ବି ଇଏ ଶଳା ପଛରେ ଲାଗିବେ ।

 

: ହୁଁ, ପାପ–ଅପରାଧ !

 

ମାନସକୁ ଏ ଦୁଇଟା ଶବ୍ଦ ଏକଦମ୍‌ ଅର୍ଥଶୂନ୍ୟ ଓ ଫାଲ୍‌ତୁ ମନେ ହଉଥିଲା । ସେ ମନକୁ ମନ କହିଲା–ଏସବୁ ସାନ ସାନ ମଣିଷଙ୍କ କଥା । ଭଲ ବାଟରେ ଯାଅ ବା ଭୁଲ୍‌ ବାଟରେ ଯାଅ, ପଇସା କମାଅ । ଅଜସ୍ର ପଇସା କମାଅ । ଉଚ୍ଚକୁ ଉଠିଯାଅ । ଉପରେ କିଛି ପାପପୁଣ୍ୟ ନାହିଁ । ସେଠି କିଛି ଭଲମନ୍ଦ ନାହିଁ । ପୁଲିସ କୁର୍ଣ୍ଣିସ କରିବ, ନେତାଏ ଘରକୁ ଆସିବେ । ଜନତା ଫୁଲମାଳ ଦେବେ । କେମିତି ଏତେ ଉଚ୍ଚରେ ପହଞ୍ଚିଲ, ସେଇଟା ଜମା ବଡ଼କଥା ନୁହେଁ; କେତେ ଉଚ୍ଚରେ ପହଞ୍ଚିଛ, ସେଇଟାହିଁ ବଡ଼କଥା ।

 

ଅନ୍ଧାରୁଆ ଲାଇଟ୍‌ପୋଷ୍ଟ୍‌ ପାଖରେ ଠିଆ ରହି ରହି ମାନସ ମନକୁ ମନ ପ୍ରଶ୍ନ ପଚାରୁଥିଲା, ‘ଗୋଟାଏ ସ୍ୱାଧୀନ ଦେଶର ଏକୋଇଶ ବାଇଶ ବର୍ଷର ଭେଣ୍ଡା ଟୋକା, ଯିଏ ରମଣକ୍ଷମ ଓ ପୁତ୍ର ଉତ୍ପାଦନ ପାଇଁ ସମର୍ଥ, ସିଏ ନିଜର ପେଟ ଖଣ୍ଡକ ଆଉ ପିଠି ଅରାକ ପାଇଁ ଅଳ୍ପକିଛି ଟଙ୍କା କାହିଁକି ଉପାର୍ଜନ କରିପାରୁ ନାହିଁ ? ୟା’ ନାଁ ଗୋଟେ ଜୀବନ ?’

 

ଟିକିଏ ରହି ସେ ମନକୁ ମନ ପୁଣି ସାନ୍ତ୍ୱନା ଦେଲା, ‘ନା, ଗୋଟାଏ କିଛି ବଡ଼କାମ କରିବାକୁ ପଡ଼ିବ ।’

 

ଲାଗୁପଛେ ପାଞ୍ଚଦିନ ଏଥର ମନ୍ତ୍ରୀଙ୍କୁ ଦେଖା କରିବ । ତା’ପରେ ଅଛି ଓ.ଏସ୍‌.ଏଫ୍‌.ସି., ବ୍ୟାଙ୍କ, ଇପିକଲ୍‌ । ଶେଷ ପର୍ଯ୍ୟନ୍ତ ଯଦି ଏଇ ସଂସ୍ଥାଗୁଡ଼ା ବନ୍ଦ ହୋଇଯାଇ ନଥାନ୍ତି, ତା’ହେଲେ ସେ ଆଣିବ ଋଣ । ଗୋଟାଏ ତାଲା ଫ୍ୟାକ୍ଟରି ବସେଇବ । ଅନେକ କାରଖାନା ଓଡ଼ିଶାରେ ଖୁବ୍‌ ଶୀଘ୍ର ବଡ଼ ବଡ଼ ତାଲା ଦରକାର କରିବେ ।

 

ହଁ, ସେ ସବାଆଗେ ମନ୍ତ୍ରୀ ସୁଧାକର ଦଳବେହେରାଙ୍କୁ ଦେଖା କରିବ । ସେଇଟା ପହିଲା କାମ ।

 

ମାତ୍ର ସୁଧାକର ଦଳବେହେରାଙ୍କ ସାଙ୍ଗେ ଦେଖା ହେଉ ନଥିଲା । ସେ ମନେ ମନେ ସ୍ଥିର କରିନେଲା ଯେ ଯେତେଦିନ ଲାଗୁ ପଛକେ ସେ ସୁଧାକର ଦଳବେହେରାଙ୍କୁ ଦେଖା ନ କରି ଫେରିବ ନାହିଁ । ନିର୍ବାଚନ ସମୟରେ ସେ କଣ୍ଠ ଫଟେଇ ସ୍ଲୋଗାନ ଦେଇଛି । ଦଙ୍ଗା ହଙ୍ଗାମା ପାଇଁ ଅଣ୍ଟାଭିଡ଼ି ବାହାରିଛି । ରାତିଦିନ ଏ ଗାଆଁରୁ ସେ ଗାଆଁ ଧାଇଁ ଦଉଡ଼ି ପୋଷ୍ଟର ମାରିଛି । ଆଉ ଏତେଗୁଡ଼ା କାମ ଯାହା ପାଇଁ କରିଛି ତା’ ସାଙ୍ଗେ ଦେଖା ଟିକିଏ ହେଇପାରିବ ନାହିଁ ? ଅଲବତ୍‌ ହେବ ।

 

ସେଦିନ ସକାଳୁ ସକାଳୁ ମନ୍ତ୍ରୀଙ୍କ ଘରେ ଭାରି ଭିଡ଼ । ଗାଡ଼ିମଟର ଧାଡ଼ିକି ଧାଡ଼ି । କେତେ ଆସୁଛନ୍ତି, କେତେ ଯାଉଛନ୍ତି ତା’ର ହିସାବ ନାହିଁ । ହୋମଡ଼ା ଚୋମଡ଼ା ବାବୁଭାୟାଙ୍କଠୁ ଆରମ୍ଭ କରି ଚାକିରି ପ୍ରାର୍ଥୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟାଏ ଆଶା–ମନ୍ତ୍ରୀ ଦର୍ଶନ । ମନ୍ତ୍ରୀଙ୍କ ଦର୍ଶନ ମିଳିଗଲେ ସବୁ ସମସ୍ୟାର ସମାଧାନ ହେଇଯିବ । ପଙ୍ଗୁ ଗିରି ଲଙ୍ଘିଯିବ ।

 

ସାତଦିନ ପରେ ଦେଖା ମିଳିଲା ମନ୍ତ୍ରୀଙ୍କ ସାଙ୍ଗରେ । ଏତେଦିନ ଯାଏ ମାନସକୁ ଅପେକ୍ଷା କରି ରହିବାକୁ ପଡ଼ିଲା ବୋଲି ମନ୍ତ୍ରୀ ନିଜ ପିଅନ ଚପରାସୀଙ୍କ ଉପରେ ଭୀଷଣ ଉତ୍ତ୍ୟକ୍ତ ହେଲେ । ‘ତମେମାନେ ଜାଣିନାହଁ, ସେ ଆମର ପାର୍ଟି-ୱାର୍କର ? ସପ୍ତାହେ ହେଲା ଆସି ଫେରି ଯାଉଛନ୍ତି । ତମେମାନେ ମୋ ଭାବମୂର୍ତ୍ତି ନଷ୍ଟ କରି ଛାଡ଼ିବ ଦେଖୁଛି !’

 

ମାନସର ଦୀର୍ଘଦିନର ପ୍ରତୀକ୍ଷା, ଗ୍ଳାନି ଓ କ୍ଷୋଭ ଦରଜଳା ସିଗାରେଟ୍‌ର ଧୂଆଁ ପରି କୁଆଡ଼େ ମିଳେଇଗଲା । ତା’ର ଉପଲବ୍ଧି ହେଲା, ଏହି ଦଳବେହେରାଏ ନିଶ୍ଚୟ ଏ ଦେଶର ନେତୃତ୍ୱ ନେଇପାରିବେ । ଭାରତକୁ ଏକବିଂଶ ଶତାବ୍ଦୀ ଆଡ଼କୁ ଆଗେଇ ନେଇ ପାରିବେ ।

 

ଦଳବେହେରାଏ ପଚାରିଲେ, “କୁଆଡ଼େ ଆସିଥିଲ ମାନସ ?”

 

ମାନସ କ’ଣ ଉତ୍ତର ଦେବ ଏ ପ୍ରଶ୍ନର ? କିଛି ସମୟ ଚୁପ୍‌ ରହି କହିଲା, “ଆପଣଙ୍କୁ ଟିକେ ଦେଖା କରିବାକୁ ଆସିଥିଲି । ତା’ଛଡ଼ା ମୋର ଗୋଟାଏ କିଛି କାମ ଦରକାର । ଏବେ ସମ୍ପୂର୍ଣ୍ଣ ବେକାର ବୁଲୁଛି ତ ।”

 

ଦଳବେହେରା ତାଙ୍କ ହାତ ଘଣ୍ଟାକୁ ହିଁ ବ୍ୟସ୍ତ ଭଙ୍ଗୀରେ କହିଲେ, “ତମେମାନେ ଦେଶର ଅବସ୍ଥା ଜାଣୁନାହଁ । ବେକାରଙ୍କ ସଂଖ୍ୟା ଯାହା ହେଲାଣି ସେଥିରେ କାହାକୁ କେଉଁଠି ଭର୍ତ୍ତି କରିବି-? ବରଂ ତମେ ଆଉ ଗୋଟାଏ କିଛି ପ୍ରସ୍ତାବ ଚିନ୍ତା କର । ଏ ଚାକିରି ଫାକିରି ମିଳିବା ଭାରି ମୁସ୍କିଲ-।” ତା’ପରେ ମନ୍ତ୍ରୀ ଖୁବ୍‌ ବ୍ୟସ୍ତ ଭାବରେ ତାଙ୍କର କ’ଣ ଗୋଟାଏ ମିଟିଂକୁ ବାହାରି ଚାଲିଗଲେ-

 

ମାନସ ମନ୍ତ୍ରୀ ସୁଧାକର ଦଳବେହେରାଙ୍କ ଘର ଆଗର କ୍ରମଅପସୃୟମାଣ ଜନତାର ଭିଡ଼କୁ କିଛି କାଳ ନିରୀକ୍ଷଣ କଲା ଓ ଫେରିଗଲା ପୁଣି ଷ୍ଟେସନ୍‌କୁ ।

 

ସବୁ ହତଭାଗ୍ୟମାନଙ୍କର ଗୋଟିଏ ଜାଗାରେ ଦେଖାହୁଏ । ମାନସର ଷ୍ଟେସନ୍‌ ପାଖରେ ଦେଖା ହୋଇଥିଲା ବନ୍ଧୁ ଦୁଃଶାସନ ସାଙ୍ଗରେ କିଛିଦିନ ତଳେ । ସିଏ ଭୁବନେଶ୍ୱରରେ ଗୋଟାଏ ଗ୍ରୀଲ୍‌ ଦୋକାନ କରିବା ଯୋଜନାରେ ଅଛି । ଭଲ ଆଇଡ଼ିଆ ସବୁ ଅଛି ଟୋକାଟାର । ଉଠିଗଲେ ଉଠିଯିବ । ଗୋଟାଏ ଅସୁବିଧା କିନ୍ତୁ ଦୁଃଶାସନର । ସେଇଟା ତା’ ସ୍ତ୍ରୀ, ଯିଏ ତାକୁ ପଛଆଡ଼ୁ ସବୁବେଳେ ଟାଣୁଛି ।

 

ଦୁଃଶାସନ ରେଭେନ୍‌ସାରେ ପଢ଼ୁଥିଲା ବି.ଏ. । ଜଣକ ଘରେ ରହୁଥିଲା ଓ ତାଙ୍କ ପିଲାପିଲିଙ୍କୁ ପାଠ ପଢ଼ଉଥିଲା । ଛାତ୍ରୀ ଜଣକ ରୂପସୀ । ଦୁଃଶାସନ ଜେନା ଛାତ୍ରୀଙ୍କୁ ପାଠ ପଢ଼ଉ ପଢ଼ଉ ଭଲପାଇ ବସିଲା । ତା’ପରେ ଦି’ ତିନିଥର ନିରୋଳାରେ ସାଙ୍ଗହେଇ ବସିଲେ, ଗପିଲେ । କଥାଟା ଦୁଇ କାନରୁ ତିନି କାନ ହେଇ ପ୍ରଘଟ ହେଲା । ଝିଅ ବାପାଙ୍କର ପୋଲିସ୍‌ ଚାକିରି । ଦୁଃଶା ଓ ସାବିତ୍ରୀ ଦୁହେଁ ଦିନେ ରାତିରେ ଘର ଛାଡ଼ି ରାଇରଙ୍ଗପୁର ପଳେଇଗଲେ । ପଛକୁ ସବୁକଥା ଜଣାପଡ଼ିଲା । ସେତେବେଳକୁ ବାହାଘର ସିନା ହେଇନି, କିନ୍ତୁ ସାବିତ୍ରୀ ଗର୍ଭରେ ଦୁଃଶାର ସନ୍ତାନ । ବାପା ବାଡ଼େଇପିଟି ହେଇ ଚୁପ୍‌ ହେଇ ରହିଲେ । ପୁରୀ ମନ୍ଦିରରେ ଦୁଃଶା ବାହା ହେଇଗଲା ସାବିତ୍ରୀକୁ ।

 

ମାନସକୁ ଦୁଃଶାର ଆଡ଼୍‍ଭେଞ୍ଚର ଶୁଣିବାକୁ ଭଲ ଲାଗେ । ତା’ ମୁଣ୍ଡଟା ଗୋଟାଏ ଆଇଡ଼ିଆର କାରଖାନା ପରି ଲାଗେ ମାନସକୁ । ସେ ସାହସ ଦିଏ, “ବୁଝିଲୁ ଦୁଃଶା, ତମପରି ମଣିଷମାନେ ବହୁତ ଉପରକୁ ଉଠିବେ ।”

 

‘ହଁ, ଉପରକୁ ଉଠିବେ ?’ –ଦୁଃଶାସନ ଦୀର୍ଘଶ୍ୱାସ ନିଏ । ‘ମୋ ଘଣ୍ଟା, ରେଡ଼ିଓ ବି ବିକା ସରିଲେଣି ଏଇ ଓ.ଏସ୍‌.ଏଫ୍‌.ସି. ଚକ୍କରରେ । ଗୋଟି ଗୋଟି କରି ସବୁ ଅଫିସରଙ୍କୁ ସନ୍ତୁଷ୍ଟ କରି ସାରିଲିଣି, ତଥାପି ଲୋନ୍‌ ସାଙ୍କ୍‌ସନ୍‌ ହବାର ନାମଗନ୍ଧ ନାହିଁ । ସାଇନ୍‌ବୋର୍ଡ଼ ଝୁଲେଇ ମୁଁ ବସିଛି ।’

 

ମାନସ ଦୁଃଶାସନର ଗ୍ରୀଲ୍‌ ଦୋକାନ ସାମ୍ନାରେ ଝୁଲା ହେଇଥିବା ସାଇନ୍‌ବୋର୍ଡ଼ଟା ପଢ଼ିଲା–ସାବିତ୍ରୀ ଫେବ୍ରିକେସନ୍‌ ୱାର୍କସ, ଭୁବନେଶ୍ୱର । ମନେ ମନେ ହସିଲା ମାନସ, ଦୁଃଶା ତା’ ସ୍ତ୍ରୀକୁ ବହୁତ ବେଶି ଭଲପାଉଛି । ତା’ର ବି ମନେପଡ଼ିଲା ଗୌରୀ କଥା । ଇସ୍‌, କେଡ଼େ ସୁନ୍ଦର ସୁନ୍ଦର ଆଖିଯୋଡ଼ିକ ଗୌରୀର ! ସେ ଦୀର୍ଘଶ୍ୱାସ ନେଲା ।

 

“ଚାଲ୍‌, ଆଉ କପେ ଲେଖା’ ଚା’ ପିଇ ଆସିବା ।” –ଦୁଃଶା ପ୍ରସ୍ତାବ ଦେଲା ।

 

ପାଖ ଝୁମ୍ପୁଡ଼ିରୁ ଦିଇଟା ହାଫ୍‌’ ଚା’ ଓ ଖଣ୍ଡିଏ ଲେଖା ପାନ ଖାଇ ଦୁଃଶା ଓ ମାନସ ପୁଣି ଫେରିଆସିଲେ ସାବିତ୍ରୀ ଫେବ୍ରିକେସନ୍‌ ୱାର୍କସର ଅଫିସ୍‌-କମ୍‌-କାରଖାନା ଭିତରକୁ । ପୁଣିଥରେ ସେଇ ପ୍ରଲମ୍ବିତ ଅସହାୟତା ଓ ଅସରନ୍ତି କଳ୍ପନା ।

 

ମାନସ କହିଲା, “ଆଜି ଦଳବେହେରାକୁ ଦେଖା କରିବାକୁ ଯାଇଥିଲି । ମୋତେ ଭାରତର ବେକାରୀ ସମସ୍ୟା ଉପରେ ଲେକ୍‌ଚର ଶୁଣାଇଲା । ଚାକିରି ବାକିରି କଥା ତ ସେ ଶୁଣିଲା ନାହିଁ । ଆଉ କିଛି ପ୍ରସ୍ତାବ ନେଇ ଯିବାକୁ କହିଛି । ମୁଁ ଭାବୁଛି, ଆଗେ ତମର ଏଇ ଲୋନ୍‌ ସାଙ୍କ୍‌ସନ୍‌ କଥାଟା କହେ । ଯଦି କଥାଟା ହୋଇଗଲା ତମେ କୂଳରେ ଲାଗିଯିବ । ମୋ କଥା ତ ଅଛି, ଦେଖିବା ।”

 

ଦୁଃଶାସନ କହିଲା, “ଅଲବତ୍‌ ହେବ । ମୋର ଭାଇ ସେତିକି ବ୍ୟାକିଂ ନାହିଁ ବୋଲି ମୁଁ ଏତେ ଅସୁବିଧା ଭୋଗୁଛି । ତମେ ଟିକିଏ ଚେଷ୍ଟାକର, ପ୍ଲିଜ୍‌ । ମୁଁ ପୂରା ହତାଶ ହୋଇ ସାରିଲିଣି ।”

 

ମାନସ କିଛି କହିଲା ନାହିଁ । ଦୁଃଶାର ପିଠି ଥାପୁଡ଼େଇଦେଲା ।

 

ମନ୍ତ୍ରୀ ସୁଧାକର ଦଳବେହେରା କହିଲେ, “କୃଷକ ସମାବେଶ ବଡ଼ ଧରଣର କରିବା କଥା ମୁଁ ଏଇଥିପାଇଁ କହୁଛି ଯେ, କୃଷକମାନେ ହିଁ ଏ ଦେଶର ମେରୁଦଣ୍ଡ ।” ଜୀବନରେ ଏ ପ୍ରକାର ବକ୍ତୃତା ପ୍ରଥମଥର ପାଇଁ ଶୁଣୁଥିବା ପରି ତାଙ୍କ ଚାରିପଟେ ଘେରିଥିବା ଲୋକମାନେ, ଆଉ ଟିକିଏ ନିଜ ନିଜର ବେକଟିମାନ ଝୁଙ୍କେଇ ଦେଲେ । ମନ୍ତ୍ରୀ ପୁଣି କହିଲେ, “ଚିଫ୍‌ ମିନିଷ୍ଟର ଇଣ୍ଡଷ୍ଟ୍ରି ଉପରେ ମାତ୍ରାଧିକ ଇମ୍ପଟାନ୍‌ସ ଦେଉଛନ୍ତି । ମୋ ମତରେ କୃଷିକୁ ଏ ରକମ ହେଳା କରିବା ଉଚିତ ନୁହେଁ । ସେଥିପାଇଁ କୃଷକ ସମାବେଶ ହେବ । ରାଜ୍ୟସ୍ତରୀୟ ସମାବେଶ ସଫଳ ହେଲେ ସର୍ବଭାରତୀୟ କୃଷକ-ସମାବେଶ ଆୟୋଜନ କରିବା । ଏଇଟା ଷ୍ଟେଟ୍‌ର ପ୍ରେଷ୍ଟିଜ୍‌-ଇସ୍ୟୁ । ଆପଣମାନେ ସାହାଯ୍ୟ କରିବା ଦରକାର ।”

 

: ସାର୍‌ ।

 

: ୟେସ୍‌ ସାର୍‌ ।

 

ସବୁକଥାରେ ‘କିନ୍ତୁ’ ଭର୍ତ୍ତି କରିବାରେ ସିଦ୍ଧହସ୍ତ ପ୍ରାଇଭେଟ୍‌ ସେକ୍ରେଟେରୀ କହିଲେ, “ସାର୍‌, ଆପଣ ଏତେ ଶୀଘ୍ର ତାରିଖଟା ସ୍ଥିର କରିଦେଲେ ! ସେଇଟା ଟିକିଏ ପ୍ରବ୍ଲେମ୍‌ ହୋଇପାରେ-। ଏତେ ଚଞ୍ଚଳ ସବୁଯାକ ଠିକ୍‌ଠାକ୍‌ ହେବା ଟିକିଏ କଷ୍ଟକର ନୁହେଁ କି ?”

 

: କଷ୍ଟକର ନିଶ୍ଚୟ, କିନ୍ତୁ ଅସମ୍ଭବ ତ ନୁହେଁ । ନିଜର ଦାର୍ଶନିକ ପଣିଆର ପରିଚୟ ଦେଇ ମନ୍ତ୍ରୀ କହିଲେ । ସେ ପୁଣି କହିଲେ, “ତା’ଛଡ଼ା କଷ୍ଟକର କାମ କରିବା ହିଁ ଆମର ଦକ୍ଷତା । ବିରୋଧୀଦଳବାଲାଙ୍କ ଭଳି ଆମେ ବାକ୍ୟବୀର ନୋହୁଁ ।’’

 

ପ୍ରାଇଭେଟ୍‌ ସେକ୍ରେଟେରୀ ମୁଣ୍ଡ ଟୁଙ୍ଗାରିଲେ ।

 

ସେଦିନ ଗୋଟିଏ ଭଲଦିନ ଥିଲା ମାନସର । ମନ୍ତ୍ରୀ ଦଳବେହେରାଙ୍କ ସାଙ୍ଗରେ ଚଟାପଟ୍‌ ଦେଖା ହୋଇଗଲା । କଥାବାର୍ତ୍ତାରୁ ଜଣାପଡ଼ିଲା ଦଳବେହେରାଏ ଯେମିତି ମନେ ମନେ ତାକୁ ଖୋଜି ହେଉଥିଲେ ।

 

ମାନସ ଯାଇଥିଲା ମନ୍ତ୍ରୀଙ୍କୁ କହିବ ଦୁଃଶାସନର ଫେବ୍ରିକେସନ୍‌ ଫ୍ୟାକ୍ଟରି କଥା । କିନ୍ତୁ କହିପାରିଲା ନାହିଁ । ତା’ ଆଗରୁ ମନ୍ତ୍ରୀ ତାକୁ କହିଲେ, “ଦେଖ ମାନସ, ତମକୁ ଗୋଟାଏ ଜରୁରୀ କାମ ଦେଉଛି । ଏ କାମ ତମେ ପନ୍ଦର ଦିନ ଭିତରେ ସାରିବ । ଏ କାମରେ ସଫଳ ହେଲେ ତମକୁ ଗୋଟାଏ ଚାନ୍‌ସ ମିଳିଯିବ ।”

 

ଦୁଃଶାସନର ସମସ୍ୟା-ବିସ୍ମୃତ ମାନସ କହିଲା, “ଆପଣ କାମ ବତାନ୍ତୁ, ମୁଁ ନିଶ୍ଚୟ କରିବି ।”

 

ମନ୍ତ୍ରୀ କହିଲେ, “କୃଷକ ସମାବେଶ ପାଇଁ ଟେଣ୍ଟ୍‌ ହାଉସ୍‌ ଆୟୋଜନ, ଖିଆପିଆ କାମ ତମକୁ ବୁଝିବାକୁ ହେବ । କୌଣସି ଠିକାଦାର ଉପରେ ଭରସା ଆସୁନାହିଁ । ମୋ ଡିପାର୍ଟମେଣ୍ଟ୍‌ ସବୁ ବୁଝିବ । ତମ ନାଆଁରେ କିନ୍ତୁ ବିଲ୍‌ ହେବ । ତମେ ଆମ ନିଜର ଲୋକ । ଆଉ ଗୋଟିଏ କଥା ହଉଛି, ତମର ତ ପୁଣି ଏନ୍‌ଗେଜ୍‌ମେଣ୍ଟ୍‌ ଦରକାର । ଏ ସୁଯୋଗଟା ତମେ ହାତଛଡ଼ା ନକଲେ ଭଲ-।”

 

ମାନସର ଏଥିରେ ଅରାଜି ହେବାରେ କିଛି ନଥିଲା । ସେ ମନ୍ତ୍ରୀଙ୍କ କଥାରେ ‘ହଁ’ ଭରିଲା ଓ କୃତଜ୍ଞତା ଜଣାଇଲା ।

 

ପ୍ରକୃତ ଘଟଣାଟା କିନ୍ତୁ ଥିଲା ଅଲଗା । ମନ୍ତ୍ରୀ ନିଜର ଶାଳକଙ୍କୁ ଏ କାର୍ଯ୍ୟଟି ଦେବାକୁ ଚାହିଁଥିଲେ । କାଳେ ଖବରକାଗଜରେ ସେପରି କଥା ବାହାରିବ, ସେଇଥିପାଇଁ ସେ ଗୋଟେ ବିଶ୍ୱସ୍ତ ଛେଳି ଖୋଜୁଥିଲେ । ବିଲ୍‌, ଭାଉଚର ସବୁ ତିଆରି ହେବ ସେହି ଛେଳି ନାଆଁରେ । ପାଣ୍ଠି କିନ୍ତୁ ଏ ପକେଟ୍‌ରୁ ଆସି ସେ ପକେଟ୍‌କୁ ଯିବ ।

 

ବେଳେବେଳେ ଛେଳି ହେବାର ବି ଗୋଟାଏ ସୁବିଧା ଥାଏ । ସେ ସୁବିଧାଟା ହେଲା ଛେଳି ଯେମିତି ଅନାୟାସରେ ଘରକୁ ପଶିଯାଏ, ଗେହ୍ଲେଇ ହୁଏ, ସେପରି ଆଉ କେହି ହୁଅନ୍ତି ନାହିଁ-। ମାନସର ସେହି ସୁବିଧା ହେଇଥିଲା । ସେ ବେଳ ଅବେଳ ନମାନି ମନ୍ତ୍ରୀଙ୍କ ଅନ୍ଦରମହଲ ପର୍ଯ୍ୟନ୍ତ ଚାଲିଯାଉଥିଲା ଓ ମନ୍ତ୍ରୀଙ୍କ କାନପାଖେ ନଇଁପଡ଼ି ଗୋପନୀୟ କଥାଗୁଡ଼ା ନିଦକରେ କହିପାରୁଥିଲା-

 

ଆଉ ସବୁଠୁ ମାନସର ଯେଉଁ ବଡ଼ ଲାଭ ହେଇଥିଲା ସେ ସମ୍ପର୍କରେ ସେ ନିଜେ ମଧ୍ୟ ଅନେକ ଦିନ ପର୍ଯ୍ୟନ୍ତ ଜାଣିପାରି ନ ଥିଲା । ରାସ୍ତାଘାଟରେ ଲୋକମାନେ ତାକୁ ନଇଁପଡ଼ି ନମସ୍କାର କରୁଥିଲେ । ଅଫିସର ମହଲରେ ତା’ର କିଛିଟା ଗୁରୁତ୍ୱ ବୃଦ୍ଧି ପାଇବାରେ ଲାଗିଥିଲା । ମନ୍ତ୍ରୀଙ୍କ ଘରକୁ ବା ଦପ୍ତରକୁ ଯେଉଁମାନେ ଦେଖା କରିବାକୁ ଆସୁଥିଲେ, ସେମାନେ ପ୍ରଥମେ ମାନସକୁ ଦେଖା କରୁଥିଲେ । ତାକୁ ମିନିଷ୍ଟରଙ୍କର ପଲିଟିକାଲ୍‌ ଏଜେଣ୍ଟ୍‌ ବିଚାରୁଥିଲେ ସେମାନେ ।

 

ମାନସର ଏବେ ଆଉ ଦାଦା କଥା, ଦୁଃଶାସନ କଥା, ଗୌରୀ କଥା କିଛି ମନେ ପଡ଼ୁନଥିଲା । ରାଧାମାଧବ ମଠର ବାବାଜି ଗୋସେଇଁ, ବାପା-ବୋଉ ଏମାନେ ସମସ୍ତେ ପୁରୁଣା ବହିର ପୃଷ୍ଠା ଭିତରେ ହଜିଗଲେଣି । ନିଜ ଚେହେରାରେ କିଛିଟା ପରିବର୍ତ୍ତନ ଆଣିଛି ମାନସ । ତା’ ପୋଷାକକୁ ଚାହିଁଲେ ତାହା ବାରିହୋଇ ପଡ଼େ । କିଛି ଟଙ୍କା ବି ରହିଲାଣି ବ୍ୟାଙ୍କ ଖାତାରେ ।

 

ମାନସକୁ ଏବେ ଆଉ ନିଜର ପେଟ କିମ୍ବା ପିଠି କଥା ଚିନ୍ତା କରିବାକୁ ପଡ଼ୁନାହିଁ । ତେବେ ରାତିର ଉତ୍ତୀର୍ଣ୍ଣ ପ୍ରହରରେ ତା’ର ଆଉ ଜଣକ କଥା ଏବେ ବାରମ୍ବାର ମନେପଡ଼ୁଛି ? କିଏ ସେ ? ଗୌରୀ । ନା ଆଉଜଣେ ।

 

ଦୁଃଶାସନ ସାଙ୍ଗେ ମଝିରେ ଥରେ ଦେଖା ହେଇଥିଲା । ସିଏ ମାନସର ହାବଭାବ ଦେଖି କିଛି ଟଙ୍କା ମଧ୍ୟ ଦେବାକୁ ପ୍ରସ୍ତୁତ ଥିଲା ମନ୍ତ୍ରୀଙ୍କୁ । ମାନସ ଜାଣେ ଯେ ସବୁ ଛୋଟ ବଡ଼ ଝରଣା ଓ ନଈର ପାଣି ସମୁଦ୍ରରେ ପଡ଼ିଲାପରି ବିଭିନ୍ନ ସୂତ୍ରରୁ ଟଙ୍କା ପଇସା ଯାଇ ମନ୍ତ୍ରୀଙ୍କ ପାଖେ ପହଞ୍ଚେ । ତେବେ ଯେଉଁ ରାସ୍ତାଘାଟ ଦେଇ ଟଙ୍କା ଯାଇଥାଏ, ସେ ଅଞ୍ଚଳ ଟିକେ ଉର୍ବର ହେଇଥାନ୍ତି ଅବଶ୍ୟ । ଦୁଃଶାସନର କଥା ଶୁଣିବାକୁ ମାନସର ବେଳ ନଥିଲା । ସମାବେଶ ଆଉ ଦୁଇଦିନ ପରେ । ସେଣ୍ଟରରୁ ମିନିଷ୍ଟରମାନେ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ । ସେ ଏବେ ବହୁତ ବ୍ୟସ୍ତ ।

 

ଦୁଃଶାସନ ମୁହଁ ତଳକୁ ଝୁଲେଇ ଚାଲିଥିଲା । ଆଜିକାଲି ଯେ ସାବିତ୍ରୀର ସାମାନ୍ୟ ସାମାନ୍ୟ ଚାହିଦା ପୂରଣ କରି ପାରୁନାହିଁ । ସ୍ନୋ, ପାଉଡର କି ଶାଢ଼ିର ଚାହିଦା ପୂରଣ ତା’ ପକ୍ଷେ ଅସମ୍ଭବ ହୋଇ ପଡ଼ିଲାଣି । ଦିନେ ଚାଳିଶ, ପଚାଶ ଖଣ୍ଡ ଭଲ ଭଲ ବହି ନେଇ ସେ ହାଫ୍‌-ରେଟ୍‌ ଦେଇ ଆଣିଥିଲା ଷାଠିଏ ଟଙ୍କା । ଓ.ଏସ୍‌.ଏଫ୍‌.ସି. ଲୋନ୍‌ ସାଙ୍କ୍‌ସନ୍‌ କଥା ସେ ଏବେ ଭୁଲିଗଲାଣି-। ଫେବ୍ରିକେସନ୍‌ ୟୁନିଟ୍‌ କିମ୍ବା ଟ୍ରାନ୍‌ସପୋର୍ଟ ୟୁନିଟ୍‌ ପାଇଁ ଆଉ ଋଣ ଦିଆଯିବ ନାହିଁ ବୋଲି କୁଆଡ଼େ ସରକାର ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଏବେ ନିଆଗଲା । ଦୁଃଶାସନ କିନ୍ତୁ ତିନିବର୍ଷ ତଳୁ ଓ.ଏସ୍‌.ଏଫ୍‌.ସି. ଧାଉଁଛି ।

 

ସାବିତ୍ରୀର ଦେହ ମଧ୍ୟ ଆଜିକାଲି ଭଲ ରହୁନାହିଁ । ମନେ ମନେ ପସ୍ତଉଛି କି ସାବିତ୍ରୀ-? ଦୁଃଶାସନର ବେଳେବେଳେ ଦୟା ହୁଏ ସାବିତ୍ରୀ ଉପରେ । ଏମିତି ଗୋଟାଏ ଅସହାୟତାର ଅନ୍ଧଗଳି ଭିତରକୁ କାହିଁକି ସେ ଟାଣିଆଣିଲା ବିଚାରୀକୁ ? ପୁଲିସ ବାପା ତା’ର କିଛି ନ ହେଲେ ତ ଅନ୍ତତଃ ଭଲ ଘରଟିଏ ଦେଖି ବାହା ଦେଇପାରିଥାନ୍ତେ ଝିଅକୁ ।

 

ସେସବୁ ଏବେ ଚିନ୍ତା କରି ଲାଭ ନାହିଁ । ମାନସ ଥିଲା ତା’ର ଶେଷ ଆଶା । ସିଏ ବି ହାତରୁ ଖସିଗଲା । ନ ହେଲା ନାହିଁ ଇଣ୍ଡଷ୍ଟ୍ରି । କେଉଁ ଗୋଟାଏ ପ୍ରାଇଭେଟ୍‌ ସଂସ୍ଥାରେ ଛୋଟ ବଡ଼ ଚାକିରିଟେ ହେଲେ ମିଳିଯାଆନ୍ତା କି ? ସେତକ ବି ତା’ ପାଇଁ ସ୍ୱପ୍ନ ପାଲଟିଲାଣି । ସ୍ୱପ୍ନ ସବୁ ରାତିଠାରୁ ବଡ଼ ହେଇ ଯାଉଛନ୍ତି ।

 

କୃଷକ ସମାବେଶ ଯଥାସମୟରେ ଅତ୍ୟନ୍ତ ସଫଳତା ସହ ଉଦ୍‌ଯାପିତ ହୋଇଗଲା । ଏସବୁ ସଫଳତାର ଗୌରବ ମନ୍ତ୍ରୀ ସୁଧାକର ଦଳବେହେରାଙ୍କର ହିଁ ପ୍ରାପ୍ୟ, ଯଦିଓ ସେ ସଦୟଚିତ୍ତରେ ଏଥିରୁ କିଛି ଅଂଶ ମାନସ ଓ ତାଙ୍କ ନିଜର ସହଯୋଗୀମାନଙ୍କୁ ଦେବାର କାର୍ପଣ୍ୟ କରି ନ ଥିଲେ । ମୁଖ୍ୟମନ୍ତ୍ରୀ ଖୁବ୍‌ ଖୁସି ହୋଇ ଯାଇଥିଲେ ଓ ସେଇ ଖୁସି ଯୋଗୁ ମନ୍ତ୍ରୀମଣ୍ଡଳର ପରବର୍ତ୍ତୀ ସଂପ୍ରସାରଣ ବେଳେ ସୁଧାକର ଦଳବେହେରା ଉପମନ୍ତ୍ରୀରୁ ପୂର୍ତ୍ତବିଭାଗ ରାଷ୍ଟ୍ରମନ୍ତ୍ରୀ ପାହ୍ୟାକୁ ପଦୋନ୍ନତି ପାଇପାରିଲେ ବୋଲି ଲୋକେ କୁହାକୁହି ହେଉଥିଲେ ।

 

ସମାବେଶ ପରେ ମାନସ ହାତରେ କିଛି କାମ ନଥିଲା । ଦଳବେହେରାଙ୍କ ଶାଳକ ଯାହା ଯେଉଁଠି ଦସ୍ତଖତ କରିବାକୁ କହିଲା ସେ ଆଖିବୁଜି ସେଇଠି ସେଇଠି ଦସ୍ତଖତ କରିସାରିଲା ପରେ ତା’ର କାମ ସରିଥିଲା ।

 

ସେ ଏବେ ନିରୋଳାରେ ସମୟ ବିତାଉଥିଲା ଗେଷ୍ଟ୍‌ହାଉସ୍‌ରେ । ବେଳେବେଳେ ମନ୍ତ୍ରୀଙ୍କ ଶାଳକ ଓ ବନ୍ଧୁମାନଙ୍କ ଗହଣରେ । ମାନସ ସେମାନଙ୍କ ଖାଇବା ପିଇବା କଥା ବୁଝେ । ସେମାନେ ମାନସ ଉପରେ ଖୁବ୍‌ ଖୁସି ।

 

ଏମିତି ଖୁସିବାସିରେ ଆଉ କିଛିଦିନ ବିତିଯାଇଥାନ୍ତା ମାନସର । କିଛି ଗୋଟାଏ ହେବାପାଇଁ ତା’ର ପ୍ରବଳ ଆଗ୍ରହ ଥିଲା । ଅଥଚ ସେକଥା କହିବାମାତ୍ରେ ଦଳବେହେରା ଅନ୍ୟ ପ୍ରସଙ୍ଗକୁ କଥା ବଦଳ କରି ଚାଲି ଯାଉଥିଲେ । ସେଇଟା ମାନସର ବଡ଼ ଦୁଃଖ ଥିଲା ।

 

ତେବେ ମାନସ ଆଉ ଗୋଟାଏ କାମ ପାଇଯାଇଥିଲା ଛାଏଁ ଛାଏଁ । ମନ୍ତ୍ରୀଙ୍କ ପାଖକୁ ଯା-ଆସ କରୁଥିବା ବ୍ୟବସାୟୀମାନେ ତାକୁ ଯଥେଷ୍ଟ ଗୁରୁତ୍ୱ ଦେଉଥିଲେ । ସେ ମନ୍ତ୍ରୀଙ୍କ ପାଖଲୋକ ବୋଲି ବଡ଼ ବଡ଼ ଅଫିସରମାନେ ମଧ୍ୟ ଧରି ନେଇଥିଲେ । ଏମାନଙ୍କ ଭିତରୁ ମନ୍ତ୍ରୀଙ୍କ ପାଖେ କାହାର କିଛି କାମ ପଡ଼ୁଥିଲେ ସେମାନେ ପ୍ରଥମେ ମାନସକୁ କହୁଥିଲେ । ମାନସ ସେମାନଙ୍କ ପାଖେ ସହଜରେ ମିଳୁଥିଲା । ରିସ୍କ୍‌ ମଧ୍ୟ ନାହିଁ । ବଦଳି, ଟ୍ରାନ୍‌ସଫର, ଲାଇସେନ୍‌ସ, ଠିକାଦାରି କାମ ପାଇଁ ଆଶାୟୀ ସମସ୍ତଙ୍କଠାରୁ ମାନସ କିଛି ଟଙ୍କା ନେଉଥିଲା ଓ ସେସବୁର ଅର୍ଦ୍ଧାଧିକ ଶାଳକଙ୍କ ଜରିଆରେ ମନ୍ତ୍ରୀଙ୍କୁ ଦେଇ କାମ କରଉଥିଲା । ଯାହାର କାମ ହେଉଥିଲା ସେ ଖୁସି ହେଉଥିଲା ଓ ଯାହାର କାମ ହେଉ ନ ଥିଲା ସେ ଦୁଃଖୀ ହେଉ ନଥିଲା । ଏ ଖେଳର ଏଇଟା ନିୟମ–କର୍ମଣ୍ୟେ ବାଧିକାରସ୍ତେ ମା ଫଳେଷୁ କଦାଚନ । ସେ ବାବଦରେ ବେଶ୍‌ କିଛି ଉପାର୍ଜନ ହେଉଥିଲା ମାନସର ।

 

ମାନସ ଏଣିକି ନିଜେ ଘର ବସେଇବା କଥା ବରାବର ଚିନ୍ତାକରେ । ଶୋଭା ସାଙ୍ଗେ ଚିହ୍ନାପରିଚୟ ହେବା ଦିନଠାରୁ ଏ ରକମର ଚିନ୍ତାଟେ ତା’ ମନକୁ ଆବୋରି ବସିଛି । ଶୋଭା କମ୍‌ ବୟସର ଜଣେ ବିଧବା । ଦୁଇମାସର ଘରସଂସାର ପରେ ତା’ ସ୍ୱାମୀ ମରିଯାଇଥିଲା । ସେଇଦିନୁ ସେ ଏକାକୀ । ଶୋଭା ଶିକ୍ଷୟିତ୍ରୀ । ବଦଳି ବାତିଲ ପାଇଁ ଥରେ ମାନସକୁ ଦେଖା କରିଥିଲା ସିଏ । ସେ ତା’ କାମ କରି ଦେଇଥିଲା । ଶୋଭା କୃତ୍ୟ କୃତ୍ୟ ହେଇ ଚାଲିଯାଇଥିଲା । ଯିବା ଅବସରରେ ମାନସ ତା’ ଠିକଣାଟା ବୁଝି ଲେଖି ରଖିଥିଲା । କାହିଁକି କେଜାଣି ଏହି ନାରୀଟି ମାନସକୁ ପ୍ରଥମରୁ ଭଲ ଲାଗିଥିଲା ।

 

ସେଦିନ ଥିଲା ରବିବାର । ମାନସ ଯାଇ ଚାରି ନମ୍ବର ୟୁନିଟ୍‌ରେ ଶୋଭା ରହୁଥିବା ବସାରେ ପହଞ୍ଚିଲା । ଶୋଭା ସେତେବେଳେ ଗାଧୋଇ ସାରି ବାଥ୍‌ରୁମ୍‌ରୁ ବାହାରି ଆସୁଥିଲା ।

 

ପ୍ରଥମ ଦେଖାରେ ହିଁ ମାନସ ଭଲପାଇଯାଇଥିଲା ଶୋଭାକୁ । ବିଶେଷତଃ ଶୋଭାର ଅଙ୍ଗସୌଷ୍ଠବ ମାନସକୁ ଖୁବ୍‌ ଭଲ ଲାଗିଥିଲା । ଅନେକଟା ସାଦୃଶ୍ୟ ଥିଲା ଗୌରୀ ସାଙ୍ଗରେ ଶୋଭାର ।

 

ଶୋଭା ଚା’ ଜଳଖିଆ ଆଣି ଦେଲା ।

 

ମାନସ ଜଳଖିଆ ଖାଇଲା, ଚାହା ପିଇଲା ।

 

ଅନେକ ସମୟ ଯାଏ ସେମାନେ ଗପିଲେ । ମାନସ ତା’ର ନିଜ କଥା କହିଲା । ଶୋଭା କହିଲା ତା’ କଥା । ଦୁହେଁ ଦୁହିଁଙ୍କର ପାଖାପାଖି ହେବାକୁ ଚେଷ୍ଟା କରୁଥିଲେ । ଢେର୍‌ ସମୟ ରହି ମାନସ ଫେରି ଆସିଥିଲା ଗେଷ୍ଟ୍‌ହାଉସ୍‌କୁ ।

 

ମାନସ ଏବେ ନିରୋଳା ମୁହୂର୍ତ୍ତ ପାଇଲେ ଶୋଭା କଥା ଚିନ୍ତା କରେ । ମନକୁ ସାହସ ଦିଏ । ସେ ଶୋଭାକୁ ବାହା ହେଇପଡ଼ିଲେ କ୍ଷତି କ’ଣ ? ବାପାମାଆଙ୍କ କଥା ମନେପଡ଼େ । ସାନଭାଇ ଦିଇଟାଙ୍କ କଥା ବି । ଅନେକ ବର୍ଷ ହେଲା ସେ ଯାଇନି ଗାଆଁକୁ । ଗାଆଁ କହିଲେ ସେମିତି କିଛି ଆକର୍ଷଣ ଅନୁଭବ କରେନି ସିଏ ।

 

ମାନସ ଶୋଇରହି ଅତୀତ କଥା ଚିନ୍ତାକରେ । ମନେପଡ଼େ କୈଶୋରର କ୍ଳେଦାକ୍ତ ସ୍ମୃତି । ରାଧାମାଧବ ମଠର ଦୁଃସ୍ୱପ୍ନ, କଟକର ଦାଦା ଗ୍ୟାଙ୍ଗ୍‌ ଓ ସିନେମା ଟିକେଟ୍‌ ବ୍ଳାକ୍‌ କରିବା କଥା । ପୁଣି ମନେପଡ଼େ ତା’ର ବହିଦୋକାନ ଜବତ ହେବାର ଦୁର୍ଦ୍ଦଶା । ଅନେକ କଷ୍ଟ ଭୋଗିଲାଣି ମାନସ । ଅନେକ ପଥ ଅତିକ୍ରମ କଲାଣି ଇତିମଧ୍ୟରେ । ଅଥଚ ଲକ୍ଷ୍ୟ କେଉଁଠି ?

 

ଶୋଭାକୁ ବାହା ହେଲେ ଅନେକ ସମସ୍ୟାର ସମାଧାନ ହେଇଯାଆନ୍ତା । ମାନସର ନିଜର ବୋଲି ହେଇ ଜଣେ କେହି ରହନ୍ତା ଏ ଦୁନିଆରେ । ସଞ୍ଜବୁଡ଼େ ଚଢ଼େଇମାନେ ବସାକୁ ଫେରିଗଲା ପରି ସିଏ ବି ଫେରି ଆସନ୍ତା ତା’ର ବସାକୁ । ଶୋଭା ତା’ର ସବୁଯାକ ଅଳିଅର୍ଦ୍ଦଳି ବୁଝନ୍ତା ।

 

ଅନ୍ୟମାନେ ଏଥିରେ ରାଜି ହେବେ ତ ?

 

ଏହି ‘ଅନ୍ୟମାନେ’ ହିଁ ମାନସର ଚିନ୍ତାର କାରଣ । ଏମାନେ କୁଆଡ଼େ ଥାଆନ୍ତି, କୁଆଡ଼େ ଯାଆନ୍ତି କେହି ଖବର ରଖନ୍ତି ନାହିଁ । ଅଥଚ ଜୀବନର କିଛି ଗୋଟାଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲାବେଳକୁ ସେହିମାନେ ହିଁ ପ୍ରଥମେ ଆସି ବାଟ ଓଗାଳନ୍ତି ।

 

ତେବେ ସବାଆଗେ ସେ ମୁହଁ ଖୋଲି ଶୋଭାକୁ ଏ ପ୍ରସ୍ତାବ ଦେବା ଦରକାର । ଶୋଭାର ‘ହଁ’ ‘ନାହିଁ’ ଉପରେ ନିର୍ଭର କରୁଛି ତା’ ଭବିଷ୍ୟତର କର୍ମପନ୍ଥା ।

 

ବଡ଼ ସାହସ କରି ସେଦିନ ସେ ଶୋଭା ଆଗରେ ତୋଳିଧରିଲା ପ୍ରସ୍ତାବଟି । କଥାଟା କହିସାରିଲା ପରେ ପରେ ସେ ଶୋଭାର ମୁହଁକୁ ମୁଣ୍ଡ ଟେକି ଚାହିଁପାରିଲା ନାହିଁ । ଏତେବେଳେ ଶୋଭାର ମୁହଁ କେମିତି ଦିଶୁଥିବ ? ସେ ରାଗିଯାଉନି ତ ଏପରି ଲଜ୍ଜାହୀନ ପ୍ରସ୍ତାବରେ ! ଅଥବା ଏହାକୁ ଅନୁମୋଦନ କରି ଲାଜେଇ ଲାଜେଇ ହସୁଛି କି ? କିଏ ଜାଣେ ? ମାନସ କିନ୍ତୁ ହିଁ ପାରୁନାହିଁ ଶୋଭାର ମୁହଁକୁ ।

 

ଚା’ କପ୍‌ ଥଣ୍ଡା ହୋଇଯାଇଥିଲା ।

 

ମାନସ ସେହିପରି ମୁହଁକୁ ତଳକୁ କରି ଶୋଭାର ଘର ଗେଟ୍‌ ଡେଇଁ ରାସ୍ତା ଉପରକୁ ଚାଲି ଆସୁଥିଲା ।

 

ମାନସ ଚାଲିଗଲା ପରେ ଶୋଭା ଦୀର୍ଘଶ୍ୱାସ ନେଲା । ମାନସ ଖୁବ୍‌ ଭଲପିଲା । ଯଦିଓ ଏଇନେ ସେ ଗୋଟାପଣେ ଦଳବେହେରାଙ୍କ ପଞ୍ଝା ଭିତରେ । ତେବେ ଶୋଭା କଦାପି ଆଶା କରି ନଥିଲା ଯେ, ମାନସ ତାକୁ ନେଇ ଏମିତି ଗୋଟାଏ ଉଦ୍ଭଟ ଚିନ୍ତା ମୁଣ୍ଡ ଭିତରକୁ ଘେନି ଆସିବ ?

 

ହଁ, ଉଦ୍ଭଟ ଚିନ୍ତା ନୁହେଁ ତ ଆଉ କ’ଣ ? ଶୋଭାର ଦୟା ହେଲା ମାନସ ଉପରେ । କଞ୍ଚା ବୟସ ହେଲେ ଏଇମିତି ହେଇଥାଏ । ତେବେ ଭିତରେ ଭିତରେ ତାକୁ ଭାରି ଖୁସି ଲାଗୁଥିଲା-। ଆଜି ବି ତା’ର ପାଣିଗ୍ରହଣ ପାଇଁ ମାନସ ପରି ଯୁବକ ନିଜଆଡ଼ୁ ପ୍ରସ୍ତାବ ଆଣୁଛନ୍ତି...ଏସବୁ ତା’ର ରୂପ ଓ ଗୁଣ ପାଇଁ କମ୍‌ ପ୍ରଶଂସା ନୁହେଁ ତ ? କିନ୍ତୁ ସେପାଇଁ ଯଥେଷ୍ଟ ବିଳମ୍ବ ହୋଇଗଲାଣି-

 

ଶୋଭା ଘରର କବାଟ ଝରକା ବନ୍ଦ କରିଦେଇ ପ୍ରଚୁର କାନ୍ଦିଲା । ମନେପଡ଼ିଲା ବାହାହେଇ ଆସିବାର ସେଇସବୁ ଅପାସୋରା ଦିନଗୁଡ଼ାକର ସ୍ମୃତି । ସୁଖର ମୁହୂର୍ତ୍ତ ସବୁ ହାତ ଆଞ୍ଜୁଳି ଭିତରର ବାଲିମୁଠା ଖସିଗଲା ପରି ଖସିଯାଆନ୍ତି । ଧରି ରଖି ହୁଏ ନାହିଁ ସେ ମୁହୂର୍ତ୍ତମାନଙ୍କୁ ।

 

ପରଦିନ ମାନସ ଆସିଥିଲା । ତା’ ପରଦିନ ବି ତା’ର ଗୋଟାଏ ଜିଦ୍‌–ସେ ଶୋଭାଠୁ ତା’ ପ୍ରଶ୍ନର ଉତ୍ତର ‘ହଁ’ କିମ୍ବା ‘ନା’ ଶୁଣିବାକୁ ଚାହେଁ । ମାନସ ଆସିବାବେଳକୁ ଶୋଭା ନଥିଲା, ଶୋଭା ଜାଣି ଜାଣି ଚାଲିଯାଇଥିଲା ପଡ଼ୋଶୀ ଘରକୁ । ସେ ମାନସ କିମ୍ବା ତା’ର ପ୍ରଶ୍ନ କୌଣସିଟିକୁ ସାମ୍ନା କରିବାକୁ ଚାହୁଁ ନ ଥିଲା ।

 

ମାନସ ଫେରି ଯାଉଥିଲା ଗେଷ୍ଟ୍‌ହାଉସ୍‌କୁ । ରାସ୍ତା ଉପରେ ରାକେଶଙ୍କ ଗାଡ଼ି । ସେ ମନ୍ତ୍ରୀଙ୍କ ଶଳା । ଗାଡ଼ି ବନ୍ଦକରି ଲିଫ୍‌ଟ ଯାଚୁଥିଲେ । “କ’ଣ ମାନସ, ଆଜିକାଲି ମାଷ୍ଟ୍ରାଣୀଙ୍କ ଘରକୁ ବହୁତ ବେଶୀ ଯା’ଆସ କରୁଛ ଦେଖୁଛି ।”

 

ମାନସ ଉତ୍ତର ଦେଲା ନାହିଁ ।

 

: ଚେହେରା ଖଣ୍ଡେ ରଖିଛି କିନ୍ତୁ ସେ ମାଷ୍ଟ୍ରାଣୀ । ନା କ’ଣ ? ତମ ପାଇଁ ଆମେ ୱେଟିଂ ଲିଷ୍ଟ୍‌ରେ ରହିଛୁ ବୋଲି ଜାଣିଛ ତ ?

 

ମାନସର କାନମୁଣ୍ଡା ଲାଲ ହୋଇଗଲା । ଇଚ୍ଛା ହଉଥିଲା ସେହି ମୁହୂର୍ତ୍ତରେ ସେ ରାକେଶ ଗାଡ଼ିରୁ ଓହ୍ଲାଇଯିବ । ଏତେ ଭଦ୍ର ପରିବେଶରେ ବଢ଼ୁଥିବା ମଣିଷମାନଙ୍କ ଭିତରେ ଏତେ କୁତ୍ସିତ ଧାରଣା ବସା ବାନ୍ଧେ କେମିତି ? କିନ୍ତୁ କିଛି କହିପାରିଲା ନାହିଁ ସେ ।

 

ରାକେଶ କିନ୍ତୁ ଚୁପ୍‌ ରହିବା ଲୋକ ନୁହେଁ । ସେ ପୁଣିଥରେ ମୁହଁ ଖୋଲିଲେ–“ମାନସ, ତମର ଯଦି କିଛି ଆପତ୍ତି ନ ଥାଏ, ମୋତେ ଟିକିଏ ପରିଚୟ କରାଇ ଦିଅନ୍ତ ନାହିଁ ମାଷ୍ଟ୍ରାଣୀ ସାଙ୍ଗରେ ।”

 

ଓ-ହୋ, ମାନସ ଚିତ୍କାର କରି ଉଠିବ କି ?

 

ନା, ସେପରି କିଛି ସେ କଲା ନାହିଁ । ଏଥର ମଧ୍ୟ ଚୁପ୍‌ ରହିଲା । ଯାହାହେଲେ ବି ରାକେଶ ମନ୍ତ୍ରୀଙ୍କ ଶାଳକ ।

 

ଅପମାନ, କ୍ରୋଧ ଓ ଆତ୍ମଗ୍ଳାନିରୁ ମୁକ୍ତି ପାଇବା ପାଇଁ ମାନସ ସେଦିନ ନିଜ ରୁମ୍‌କୁ ଫେରିଆସି ପ୍ରଚୁର ମଦ୍ୟପାନ କଲା । ଶୋଭାର ନିରବତା ତାକୁ କଷ୍ଟ ଦେଇଥିଲା । ଯେ କୌଣସି ଉପାୟରେ ହେଉନା କାହିଁକି ସେ ଏସବୁ ଭୁଲିଯିବା ପାଇଁ ଚାହୁଁଥିଲା । ଶୋଭା ସାଙ୍ଗେ ରାକେଶର ପରିଚୟ ଅଛି କି ? ଏମିତି ଏକ ସନ୍ଦେହ ତାକୁ ସାପ ଗୋଡ଼େଇଲା ପରି ମଝିରେ ମଝିରେ ଗୋଡ଼ଉଥିଲା । ମାନସ ସେହିପରି ଅର୍ଦ୍ଧଚେତନ ଅବସ୍ଥାରେ କେତେବେଳେ ଶୋଇପଡ଼ିଥିଲା ଜାଣେନାହିଁ ।

 

କିନ୍ତୁ ପରଦିନର ପ୍ରଭାତୀ ସଂସ୍କରଣ କାଗଜ ଖଣ୍ଡକ ତା’ର ସବୁଯାକ ସ୍ୱପ୍ନ, ସବୁ ଆଶା, ଆକାଂକ୍ଷା ଧୂଳିସାତ୍‌ କରି ଦେଇଥିଲା । ସକାଳକୁ ମାନସ ପାଖେ ନିଜର ସମୁଦାୟ ପରିଚୟ ବଦଳି ଯାଇଥିଲା ।

 

ସକାଳ କାଗଜର ପ୍ରଥମ ପୃଷ୍ଠାରେ ହିଁ ପ୍ରକାଶ ପାଇଥିଲା ‘ଶିକ୍ଷୟିତ୍ରୀଙ୍କୁ ଧର୍ଷଣ ଓ ହତ୍ୟା’ ଶିରୋନାମାରେ ସମ୍ବାଦଟିଏ । ସମ୍ବାଦ ସାଙ୍ଗରେ ଛାପା ଯାଇଥିଲା ଶୋଭାର ଫଟୋ । ମାନସ ଯେତେ ଶୀଘ୍ର ସମ୍ଭବ, ସମୁଦାୟ ସମ୍ବାଦଟି ଉପରେ ଆଖି ପହଁରେଇ ନେଇଥିଲା । ସମ୍ବାଦର ଶେଷଭାଗକୁ ଲେଖାଥିଲା, ପୂର୍ତ୍ତ ବିଭାଗ ରାଷ୍ଟ୍ରମନ୍ତ୍ରୀଙ୍କ ନିକଟ ସମ୍ପର୍କୀୟ ଏବଂ ଶାସକଦଳର ଜଣେ ଯୁବନେତାଙ୍କର ଶ୍ରୀମତୀ ଶୋଭା ମହାନ୍ତିଙ୍କ ସାଙ୍ଗେ ଅବୈଧ ସମ୍ପର୍କ ଥିଲା । ପୋଲିସ୍‌ ଏହି ଯୁବନେତାଙ୍କୁ ଖୋଜୁଛି ଓ ଅନୁସନ୍ଧାନ ଜାରି ରହିଛି ।

 

ଗେଷ୍ଟ୍‌ହାଉସ୍‌ ପୋର୍ଟିକୋରେ ଜିପ୍‌ ରହିବାର ଶବ୍ଦ ଶୁଣିଲା ମାନସ । ପୋଲିସ୍‌ ସାଇରନ୍‌ ବାଜୁଛି କି ? ମାନସ ପରଦାଟିକୁ ଭଲକରି ଟାଣିଦେଲା ଓ ଦୁଆର ଝରକା ଆଉଜେଇ ଆଣି ନିଜର ଲୁଗାପଟା ସଜାଡ଼ିବାରେ ଲାଗିଗଲା । ଯେମିତି ହେଲେ ତାକୁ ଗେଷ୍ଟ୍‌ହାଉସ୍‌ରୁ ତୁରନ୍ତ ଚାଲିଯିବାକୁ ପଡ଼ିବ । ଯେ କୌଣସି ମୁହୂର୍ତ୍ତରେ ପୋଲିସ୍‌ ଏଠି ପହଞ୍ଚି ଯାଇପାରେ ।

 

ମାନସର ପାଦତଳର ପୃଥିବୀ ଦୂରରୁ ଦୂରକୁ ଚାଲିଯାଉଥିଲା । ତା’ ଆଖି ଆଗରେ ନାଚିଯାଉଥିଲା ଶୋଭାର ନିଷ୍ପାପ ମୁହଁ । ପଛେ ପଛେ ଆଉ ଜଣକର ଦୁଇଟି କ୍ଷୁଧିତ ଚକ୍ଷୁ । ମାତ୍ର ସେ କ’ଣ କରିପାରିବ ? ନିଜେ ତ ଏଇନେ ବିଷଚକ୍ରର ପଞ୍ଝା ଭିତରେ, ସନ୍ଦେହ ଘେରରେ ।

 

ବ୍ରିଫ୍‌କେସ୍‌ଟାକୁ ସଜାଡ଼ି ଆଣି ଧୀରେ ସେ କବାଟ ଆଉଜେଇ ଆଣିଲା ଓ ଗେଷ୍ଟ୍‌ହାଉସ୍‌ର ଫାଟକ ପାଖେ ରହିଥିବା ରିକ୍‌ସା ଉପରେ ବସିପଡ଼ି କହିଲା, ‘ଚାଲ୍‌ ।’

 

ରିକ୍‌ସା ଆଗକୁ ଗଡ଼ିଲା ।

 

ପୁରୀ ସହରଟା ପିଲାଟିଦିନରୁ ମାନସକୁ ଆକର୍ଷଣ କରି ଆସିଛି । ଏହାର ଗୋଟାଏ ପଟେ ସମୁଦ୍ର–ସମସ୍ତ ପ୍ରକାର ଅନୁଶାସନ, ଶୃଙ୍ଖଳା ଓ ନିୟନ୍ତ୍ରଣମୁକ୍ତ ଅବାଧ ଉଲଙ୍ଗ ବ୍ୟାପ୍ତି ଓ ଆରପଟେ ଶ୍ରୀଜଗନ୍ନାଥ ମନ୍ଦିର–ସମସ୍ତ ପ୍ରକାର ଶୃଙ୍ଖଳା, ସଂଯମ ଓ ରକ୍ଷଣଶୀଳତାର ସଙ୍କୋଚ ତାକୁ ଚିରକାଳ ରହସ୍ୟଘେରା ବୈରାଗ୍ୟ ଓ ବୈରାଗ୍ୟ ମିଶା ସଂଶୟବାଦ ଭିତରେ ଆଚ୍ଛନ୍ନ କରି ରଖିଛି । ସକାଳବେଳା ସେ ଲୋକଦୃଷ୍ଟିରୁ ଆଢ଼ୁଆଳେ ରହିବା ପାଇଁ ଏ ଦି’ ଜାଗା ଭିତରୁ କୌଣସିଠାକୁ ଯାଉନାହିଁ । ତେବେ ପ୍ରତ୍ୟହ ସଞ୍ଜବୁଡ଼େ ଯାଉଛି ସମୁଦ୍ର କୂଳକୁ ।

 

ଦୂରରୁ ପୋଲିସ୍‌ ଜିପ୍‌ଟେ ଆସୁଛି ।

 

ମାନସ ସହର ଆଡ଼କୁ ପିଠି କରି ଗଭୀର ସମୁଦ୍ରକୁ ଚାହିଁ ରହିଲା ।

 

ସାତଦିନ ହେଇଗଲାଣି ଇତିମଧ୍ୟରେ । ପ୍ରତ୍ୟହ ସେ ଏଠୁ ସେଠୁ ବିଭିନ୍ନ ଜାଗାରୁ ଟେଲିଫୋନ୍‌ କରୁଛି ମନ୍ତ୍ରୀ ସୁଧାକର ଦଳବେହେରାଙ୍କ ସାଙ୍ଗେ କଥା ହେବା ପାଇଁ । ସବୁଥର ସେଇ ଏକା ବିରକ୍ତିକର ପୁନରାବୃତ୍ତି–ମିନିଷ୍ଟର ନାହାନ୍ତି । ସବୁଥର ଭିନ୍ନ ଭିନ୍ନ ଟୁର୍‌ରେ ଯାଇଛନ୍ତି, ସେକ୍ରେଟେରିଆଟ୍‌ ଯାଇଛନ୍ତି, ଆସେମ୍ବ୍ଲି ଯାଇଛନ୍ତି, ନହେଲେ ବାଥ୍‌ରୁମ୍‌ରେ ଅଛନ୍ତି । ମାନସ ଜାଣେ ଇଏ ସବୁ ଚାଲାକ ଲୋକଙ୍କ ମନଭୁଲା କଥା । ମନ୍ତ୍ରୀ ସେଇଠି ନିଶ୍ଚୟ ଥିବେ ।

 

ଚାରିଦିନ ତଳେ କାଗଜରେ ବାହାରିଥିଲା ସୁଧାକର ଦଳବେହେରାଙ୍କ ବିବୃତି । ଶୋଭା ମହାନ୍ତି ହତ୍ୟାକାଣ୍ଡ ସହ ସଂପୃକ୍ତ କୌଣସି ଯୁବନେତାଙ୍କ ସଙ୍ଗେ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସେ ବିବୃତି ଦେଇଥିଲେ । ଗେଷ୍ଟ୍‌ହାଉସ୍‌ରେ ତାଙ୍କ ନାଆଁରେ ବୁକ୍‌ ହେଇଥିବା ରୁମ୍‌ରେ ସଂପୃକ୍ତ ଯୁବନେତା ଜଣକ ରହୁଥିବାର ଅଭିଯୋଗକୁ ମଧ୍ୟ ସେ ଅସ୍ୱୀକାର କରିଥିଲେ ଓ ଏହା ପଛରେ ତାଙ୍କୁ ବଦନାମ କରିବାର ସଙ୍ଗଠିତ ଷଡ଼ଯନ୍ତ୍ର ରହିଥିବା ଉଲ୍ଲେଖ କରି ସମୁଦାୟ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ ।

 

ମାନସର ଦୁଇ ହାତମୁଠା ରାଗରେ ଥରୁଥିଲା । ଲୋକଟା ଏଡ଼େ ବଡ଼ ମିଥ୍ୟାବାଦୀ ! ନିଜର ଶଳାକୁ ଫାଶୀଖୁଣ୍ଟରୁ ଦୂରେଇ ରଖିବା ପାଇଁ ତା’ ପରି ନିରପେକ୍ଷ ମଣିଷଟିକୁ ଜାଣିଜାଣି ବଦନାମ୍‌ କରି ଦେଉଛି । ଇଚ୍ଛା ହଉଥିଲା, ମାନସ ସେଇଠି ଗୋଟେ ସାମ୍ବାଦିକ ସମ୍ମିଳନୀ ଡାକି ମନ୍ତ୍ରୀ ସୁଧାକର ଦଳବେହେରାଙ୍କ ସବୁଯାକ ଗୁମର ଖୋଲିଦିଅନ୍ତା । କୃଷକ ସମାବେଶର ମିଛ ବିଲ୍‌, ବଦଳି ପ୍ରମୋସନ୍‌ ପାଇଁ ଲାଞ୍ଚ ଦେଣନେଣ, ମନ୍ତ୍ରୀଙ୍କ ନୈଶାଭିସାର, ପ୍ରିୟାପ୍ରୀତି ତୋଷଣ, ଡାକବଙ୍ଗଳାରେ ନାରୀକୟ କାଣ୍ଡ କଥାସବୁ ସେ ଖୋଲି କହିଦିଅନ୍ତା । କିନ୍ତୁ ତା’ କଥାକୁ କିଏ ବିଶ୍ୱାସ କରିବ ? ସୁଧାକର ଦଳବେହେରା ଯାହାହେଲେ ବି ମନ୍ତ୍ରୀ, ତାଙ୍କଠୁ ଟିକିଏ ଇସାରା ପାଇଲେ ଗୁଣ୍ଡାମାନେ ତା’ ଉପରେ ଟ୍ରକ୍‌ ମଡ଼େଇଦେବେ, ନଇଲେ ପୁଲିସ ଧରିନେଇ ହାଡ଼ଗୋଡ଼ ଛତୁ କରିଦେବ ।

 

ତା’ହେଲେ ଏ ସମାଜର ଶୋଭାମାନେ କ’ଣ ଚିରଦିନ ଏହିପରି ଧର୍ଷିତା ହେଉଥିବେ ? ଏହିପରି ରାତି ଅନ୍ଧାରରେ ସେମାନଙ୍କୁ ହତ୍ୟାକରି ସବୁଯାକ ସତ୍ୟକୁ ଚିରଦିନ ପାଇଁ ନିରବ କରି ଦିଆଯିବ ?

 

ଏ ସବୁକୁ ଭୁଲିଯାଇ ପାରିଲେ କ’ଣ କ୍ଷତି ହୁଅନ୍ତା ମାନସର ? ଫେରିଯାଇ ସୁଧାକର ଦଳବେହେରା ପାଖରେ ଶରଣ ପଶିଲେ ସେ ତ କିଛି ନା କିଛି ଉପାୟ ବତେଇ ଦିଅନ୍ତେ ? ଏତେ ଏତେ ଧର୍ଷଣ ଓ ହତ୍ୟାକାଣ୍ଡର ଆସାମୀମାନେ ତ ବେଶ୍‌ ନିଧଡ଼କରେ ବୁଲୁଛନ୍ତି ରାଜଧାନୀ ରାଜରାସ୍ତାରେ । କେହି ସେମାନଙ୍କର କେଶାଗ୍ର ମଧ୍ୟ ସ୍ପର୍ଶ କରିପାରୁ ନାହିଁ । ରାତାରାତି ସେମାନଙ୍କର ସାମାଜିକ ପ୍ରତିଷ୍ଠା ବଢ଼ିଯାଉଛି । ମନ୍ତ୍ରୀମାନଙ୍କ ଘରକୁ ଯା-ଆସ ସହଜ ହେଇଯାଇଛି ସେମାନଙ୍କ ପାଇଁ । ଅସୁବିଧା ରହିଲା କେଉଁଠି ?

 

ମାନସର କିନ୍ତୁ ଏଇଟା ଇ ସବୁଠୁ ବଡ଼ ସମସ୍ୟା । ସେ ପଛକୁ ଫେରିଯାଇ ପାରୁ ନାହିଁ-। ଫେରି ଯାଇପାରିଥିଲେ ସେ ଫେରିଯାଇଥାନ୍ତା ତା’ ଗାଆଁକୁ । ଚାଷବାସ କରି ମୂଲମଜୁରି ଲାଗି ବଞ୍ଚିଯାଆନ୍ତା । ଫେରିଯାଇପାରିଥିଲେ ଫେରିଯାଇଥାନ୍ତା ରାଧାମାଧବଙ୍କ ମଠକୁ-। ବାଆଜି ଗୋସେଇଁଙ୍କ ପରି ଦିନରେ ଘିଅଭାତ ଖାଇ ରାତିରେ ଯୁବତୀ ମାତାଜୀମାନଙ୍କ ସାଙ୍ଗେ ରାସଲୀଳା କରି ବେଶ୍‌ ଆରାମରେ ରହିପାରି ଥାଆନ୍ତା । ଫେରିଯାଇପାରିଥିଲେ ଯାଇଥାଆନ୍ତା ଦାଦାର ବସାକୁ, ଟିକେଟ ବ୍ଲାକ୍‌ କରି, ନଙ୍ଗଳା ବହି ବିକି, ଗଞ୍ଜେଇ ମଦଖାଇ, ଚଉଦ ପନ୍ଦର ବର୍ଷର ନିଆଶ୍ରୀ ଟୋକାଙ୍କୁ ରାତିକରେ ବିବସ୍ତ୍ର କରି ଦାଦାଗିରିର ଛାତି ଫୁଲେଇ ବଞ୍ଚିଯାଇ ପାରିଥାନ୍ତା । ମାନସର କିନ୍ତୁ ସେଇ ସମସ୍ୟା, ସିଏ ଆଗର ରାସ୍ତା ଜାଣେ ନାହିଁ କି ପଛକୁ ଫେରି ଯାଇପାରେ ନାହିଁ ।

 

ଥଣ୍ଡା ପବନ ବହୁଛି । କିଛି ସମୟ ପୂର୍ବରୁ ପାଖଆଖରେ କେଉଁଠି ବର୍ଷା ହେଇଯାଇଛି । ଏଠି ବି ବର୍ଷା ହେଇପାରେ । ଶୀଘ୍ର ହୋଟେଲକୁ ଫେରିଗଲେ ହେବ । ଅଥଚ ଏତେ ଶୀଘ୍ର ଯିବା ପାଇଁ ଇଚ୍ଛା ହଉନାହିଁ । ଅନେକ ଗୁଡ଼ିଏ ଘଟଣା ଲାଗଲାଗ ହେଇ ନାଚିଯାଉଛି ତା’ ଆଖି ସାମ୍ନାରେ-। ଦେହ ଝାଳେଇ ଯାଉଛି ।

 

ଏଣିକି ସେ ଫ୍ୟାକ୍ଟରି କରି ପାରିବ ନାହିଁ । ସବୁ ପୋଲିସ୍‌ ଷ୍ଟେସନ୍‌ର ଅପରାଧୀ ତାଲିକାରେ ଚଢ଼ିଯାଇଥିବ ତା’ର ନାଆଁ । ତା’ ଜାମା ଉପରେ ବସିଯାଇଥିବ ଷ୍ଟାମ୍ପ୍‌ଟିଏ–ୱାଣ୍ଟେଡ଼୍‍ । ସେ ଖୁନୀ ଆସାମୀ, ଧର୍ଷଣକାରୀ ।

 

କିଛି ଦୂରରେ ପୁରୀ ହୋଟେଲ ସାମ୍ନା ବେଳାଭୂଇଁ ଉପରେ ଚାରି ପାଞ୍ଚଜଣ କ’ଣ ଫୁସ୍‌ଫୁସ୍‌ ହଉଛନ୍ତି ବୋଧହୁଏ । କିଏ ହେଇପାରନ୍ତି ଏମାନେ ? ମାନସ କୌତୂହଳୀ ହେଇ ପଡ଼ିଲା ଓ ପରକ୍ଷଣରେ ଦ୍ରୁତପାଦରେ ସେ ସେହି ଲୋକମାନଙ୍କ ଠାରୁ ଦୂରକୁ ଲିଯିବା ପାଇଁ ପାଦର ଗତି ବଢ଼େଇ ଦେଲା ।

 

କିଏ ଜଣେ ଉଚ୍ଚ କଣ୍ଠରେ କହିଲା, ପୋଲିସ୍‌, ପୋଲିସ୍‌ ।

 

ମାନସ ସ୍ଥିରହେଇ ଛିଡ଼ା ହେଇଗଲା ଦି’ ତିନି ମିନିଟ୍‌ । ଆଶ୍ଚର୍ଯ୍ୟ, ସେହି ଅପରିଚିତ ଯୁବକମାନେ ଝାଉଁବଣର ଅନ୍ଧାର ଭିତରେ ଡେଇଁ ଡେଇଁ ପଳେଇ ଯାଉଛନ୍ତି କାହିଁକି ? ମାନସକୁ ସେମାନେ ପୋଲିସ୍‌ ବୋଲି ଭାବି ନାହାନ୍ତି ତ ? ମାନସ ମୁଣ୍ଡ ଉପରୁ କ୍ୟାପ୍‌ଟାକୁ ଖୋଲି ଚଉଭାଙ୍ଗ କଲା ଓ ଗେଞ୍ଜିଦେଲା ପ୍ୟାଣ୍ଟ୍‌ ପକେଟ୍‌ରେ । କିଛି ସମୟ ତଳେ ଆବିଷ୍କାର କରିଥିବା ସେହି ଯୁବକମାନଙ୍କ ପ୍ରତି ତା’ର ଅସ୍ୱାଭାବିକ କୌତୂହଳ ବଢ଼ିଯାଇଥିଲା । ସେମାନେ ପୋଲିସ୍‌ ନୁହନ୍ତି, ଏକଥା ଜାଣିବା ପରେ ତା’ର ସାହସ ଟିକିଏ ବଢ଼ିଯାଇଥିଲା । ସେ ସ୍ଥିର କରିଥିଲା କାଲି ସେ ସେମାନଙ୍କୁ ଯେନତେନ ପ୍ରକାରେଣ ଭେଟିବାକୁ ଚେଷ୍ଟା କରିବ ।

 

ଅଧ ରାତିରେ ଲାଇନ୍‌ ଚାଲିଯାଇଥିଲା, ମାନସ ରହୁଥିବା ହୋଟେଲ୍‌ର । ଲାଇଟ୍‌ ଲିଭିଯାଇଥିଲା ଓ ଫ୍ୟାନ୍‌ଟା ବନ୍ଦ ହେଇ ଯାଇଥିଲା । ମାନସର କଣ୍ଠନଳୀ ଶୁଖିଗଲା ପରି ମନେ ହଉଥିଲା । ସେ ଆଜିକାଲି ନିଜକୁ ଭୀଷଣ ଅସ୍ୱସ୍ତି ବୋଧ କରୁଥିଲା ।

 

ବେଳେବେଳେ ସେ ଗୋଟାଏ ଭୟଙ୍କର ଦୁଃସ୍ୱପ୍ନ ଦେଖି ବିଛଣାରୁ ଉଠି ବସୁଥିଲା । କେବେ କେବେ ଦୁଇଟା ବିଶାଳକାୟ ଲୋମଶ ହାତ ତା’ର ବେକ ଦୁଇପଟୁ ତାକୁ ମାଡ଼ିବସୁଥିଲା ତ ଆଉ କେବେ ଗୋଟାଏ ଫାଶ ଦଉଡ଼ି ତା’ ଦେହ ଚାରିପଟେ କଷିହେଇ ଯାଉଥିଲା । ସେ ଏପ୍ରକାର ସ୍ୱପ୍ନ ଦେଖିବା ମାତ୍ରେ ନିଦବାଉଳାରେ ଚିତ୍କାର କରି ଉଠୁଥିଲା ଓ ଉଠିପଡ଼ି ଦୁଇ ତିନି ଗିଲାସ ଥଣ୍ଡା ପାଣି ପିଇ ଯାଉଥିଲା ଢକଢ଼କ କରି ।

 

ହଠାତ୍‌ ଲାଇନ୍‌ ଚାଲିଗଲେ ବନ୍ଦ ଘରଟା ଭିତରେ ଅଣନିଃଶ୍ୱାସୀ ଲାଗେ ମାନସକୁ । ସିଏ ଉଠିଯାଇ ବନ୍ଦ ଝରକାକୁ ଖୋଲିଦେଲା । ହୁ-ହୁ ହେଇ ପଶି ଆସିଲା ସମୁଦ୍ର ପବନ । ବିଛଣା ପାଖକୁ ଫେରି ଆସୁଥିଲା ମାନସ । ଆରପଟ ରୁମ୍‌ରୁ ଚାପା ଗଳାରେ କାହାର କଥାବାର୍ତ୍ତା ଶୁଣାଯାଉଥିଲା–

 

: ମୋ ମତରେ ପୁଲିସକୁ ଏତେ ବୋକା ଭାବିବା ଉଚିତ ନୁହେଁ । ସିଏ ନିଶ୍ଚୟ ପୁଲିସ । ଇଣ୍ଟେଲିଜେନ୍‌ସ ଡିପାର୍ଟମେଣ୍ଟ୍‌ର କେହି ହେଇଥିବ ।

 

ଦ୍ୱିତୀୟ କଣ୍ଠସ୍ୱର: ଆରେ ନା, ନା । ମୁଁ ହଲପ କରି କହିପାରେ ସେ ପୁଲିସ ନୁହେଁ । ପୁଲିସବାଲାଙ୍କର ଆଜିକାଲି ଏତେ ଧୈର୍ଯ୍ୟ ନାହିଁ ।

 

ପ୍ରଥମ ସ୍ୱର: ସେ ଯାହା ହେଲେ ବି ରିସ୍କ ନେବା ଠିକ୍‌ ହେବ ନାହିଁ । ନୂଆଲୋକ କେହି ଯାଇପାରିଲେ ଭଲ ହୁଅନ୍ତା । ସେଠି ପହଞ୍ଚି ଟଙ୍କାଟା ଧରି ଆସିବା କଥା ଖାଲି ।

 

ଦ୍ୱିତୀୟ ସ୍ୱର: କିନ୍ତୁ ନୂଆ ଲୋକ ଏଠି କେଉଁଠୁ ପାଇବ ?

 

ମାନସ ଏମାନଙ୍କ କଥାବାର୍ତ୍ତାରୁ ଜାଣିଲା ଯେ, ସେମାନେ ଭଲ ଲୋକ ନୁହନ୍ତି । କେଉଁଠୁ ଥୋଡ଼ାଏ ଟଙ୍କା ଆଣିବାର ଅଛି ଏମାନଙ୍କର, ବଦଳରେ ଏମାନଙ୍କୁ ହୁଏତ କିଛି କାମ କରିବାକୁ ପଡ଼ିବ । ବିନା ପ୍ରତିଦାନରେ କାହାଠୁ କଥାପଦେ ମିଳିବା ତ ଆଜିକାଲି ସମ୍ଭବ ନୁହେଁ !

 

କିଛିକ୍ଷଣ ପାଇଁ ମାନସ ଭାବିଲା, ସେ ଯିବକି ସେମାନଙ୍କର କାମଟା କରିଦେବାକୁ ? ଗୋଟାଏ ନିଷିଦ୍ଧ ଇଲାକାର ଉତ୍ତେଜକ ଆହ୍ୱାନ ବରଂ ଭଲ, ଏ ପ୍ରକାର ଭୀରୁ ଆତ୍ମଗୋପନ ଅପେକ୍ଷା । ଦେବତାର ଅଭିଶାପ ଠାରୁ ଭଲ ଅପଦେବତାର ଆଶୀର୍ବାଦ ।

 

କେବଳ ଗୋଟାଏ ଆଶଙ୍କା ଥିଲା ତା’ର । ସେମାନେ କାଳେ ତାକୁ ଅବିଶ୍ୱାସ କରିବେ ଏଇ ଆଶଙ୍କାରେ ମାନସ ଥ-ଥ-ମ-ମ ହେଉଥିଲା ।

 

ଚାପା ଉତ୍ତେଜନା ଓ ଅସ୍ଥିର ମାନସିକତା ଭିତରେ ସେ ଯାଇ କେତେବେଳେ ପାଖ ରୁମ୍‌ର ଆଉଜା କବାଟ ଉପରେ ନକ୍‌ କଲାଣି, ସେକଥା ତା’ର ମନେ ନାହିଁ । ଢେର୍‌ ସମୟ ପର୍ଯ୍ୟନ୍ତ ଦୁଆର ନକ୍‌ କରିବା ପରେ କବାଟଟା ଧଡ୍‌କରି ଖୋଲିଗଲା ।

 

ଭିତରେ ନିରନ୍ଧ୍ର ଅନ୍ଧକାର ।

 

ଅଶରୀରୀ କଳାଛାଇ ପରି ମଣିଷ ଚାରିଟିଙ୍କର ଛାୟାମୂର୍ତ୍ତି ଖୋଲା ଝରକା ବାଟେ ଆସୁଥିବା ନିଷ୍ପ୍ରଭ ଷ୍ଟ୍ରୀଟ୍‌ ଲାଇଟ୍‌ରେ ହଲୁଥିଲା ।

 

ମାନସ କହିଲା, “ମହମବତିଟେ ଲଗାନ୍ତୁ, ଅନ୍ଧାର ଭିତରେ କିଛି ଦେଖି ହେଉନାହିଁ ।”

 

ସେମାନଙ୍କ ଭିତରୁ ଜଣେ ଗମ୍ଭୀର କଣ୍ଠରେ କହିଲା, “ତମେ କିଏ ମହାଶୟ ?”

 

“ମୁଁ ମାନସ । ଏବେ ଆପଣଙ୍କର ଲୋକ । ମୁଁ ସେଇ କାମଟା କରି ପାରିବି ବୋଲି ବିଶ୍ୱାସ ହଉଚି । ମୋର ମଧ୍ୟ କିଛି ଏନ୍‌ଗେଜ୍‌ମେଣ୍ଟ୍‌ ଦରକାର ।”

 

ହଠାତ୍‌ ଲାଇନ୍‌ ଆସିଗଲା ।

 

ଉଜ୍ଜ୍ୱଳ ଆଲୋକରେ ସଭିଙ୍କ ଆଖି କିଛି ସମୟ ପାଇଁ ବନ୍ଦ ହୋଇଗଲା ।

 

“ଏ ଖେଳର କିନ୍ତୁ ଗୋଟାଏ ସର୍ତ୍ତ ଅଛି । ତମ ପଛେ ପଛେ ଆମ ଭିତରୁ ଜଣେ ଯିବ । ଆମ ସାଙ୍ଗେ ଯଦି କେଉଁଠି ବେଇମାନୀ କରିବ, ତା’ହେଲେ ସେ ତମକୁ ସେଇଠି ମାରିଦେବ । ନାଇଁ ତ, ତମେ ଆଜିଠୁ ଆମର ବନ୍ଧୁ । ତମ କଥା ଆମେ ବୁଝିବୁ ।”

 

ସମ୍ମତି ମୁଦ୍ରାରେ ମାନସ ହାତ ବଢ଼େଇ ଦେଲା । କରମର୍ଦ୍ଦନ ପର୍ବ ସରିଗଲା କେଇଟି ମୁହୂର୍ତ୍ତରେ ।

 

“ଆଜି ରାତିରେ ହିଁ ତମେ ଚାଲିଯାଅ । ଷ୍ଟେସନ୍‌ ପାଖରେ ତମକୁ ଜଣେ ବ୍ୟାଗ୍‌ଟାଏ ଦେଇଦେବ । ସେଇଟା ପହଞ୍ଚେଇବା ଖାଲି ତମର କାମ । ଅଧିକା କୌତୂହଳୀ ଆଦୌ ହବନାହିଁ । ତା’ ଦ୍ୱାରା ତମେ ଅଯଥାରେ ପୋଲିସ୍‌ର ଦୃଷ୍ଟି ଆକର୍ଷଣ କରି ବସିବ । ଏଇ ନିଅ, ଏଇଟାକୁ ତମ ପାଖରେ ରଖ ।”

 

ଦ୍ୱିତୀୟ ଜଣକ ବଢ଼େଇଥିଲା ଗୋଟିଏ ଛୁରୀ । ବିଜୁଳି ଆଲୁଅରେ ଛୁରୀଟାର ହ୍ୟାଣ୍ଡଲ ଚକ୍‌ଚକ୍‌ କରୁଥିଲା ।

 

ମାନସର ହାତଟା ଟିକେ ଥରି ଉଠିଲା କି ? ହେଇଥିବ । ଆମ୍ବଗଛକୁ ପିଲାଦିନେ ଫୋପାଡ଼ି ଫିଙ୍ଗିଛି । କଇଁଆ ଗଛ ପାଖରେ ଲାଗିଥିବା ଗୁଡ଼ିଟାକୁ ଓହ୍ଲେଇ ଆଣିବା ପାଇଁ ଆଙ୍କୁଡ଼ିର ସାହାଯ୍ୟ ନେଇଛି, ବ୍ଲେଡ୍‌ରେ ନଖ କାଟିଛି, କିନ୍ତୁ ଏ ଛୁରୀ... ?

 

ଏତେ ଛୋଟିଆ ଜିନିଷଟା ତାକୁ କିପରି ବଡ଼ ଭୟଙ୍କର ମନେହେଉଥିଲା । ପୁଣି ମନେପଡ଼ୁଥିଲା ଖବରକାଗଜ ପୃଷ୍ଠାରେ ଧର୍ଷିତା ଶୋଭାର ବିକୃତ ଚେହେରା, ରାକେଶର କ୍ଷୁଧିତ ଦୁଇଟି ରକ୍ତଚକ୍ଷୁ । ସେ ଚିଲ ଝାମ୍ପିଲା ପରି ଛୁରୀଟାକୁ ନେଇ ରଖିଦେଲା ଟ୍ରାଉଜର ପକେଟ୍‌ରେ ।

 

: ଗୁଡ୍‌, ଦରକାର ପଡ଼ି ନ ପାରେ । ତଥାପି ପାଖରେ ରଖିଥିଲେ କ୍ଷତି ନାହିଁ । ଏବେ ତମେ ଯାଅ । ଆଉ ଘଣ୍ଟାକ ପରେ ଷ୍ଟେସନ୍‌ ଯିବାପାଇଁ ପ୍ରସ୍ତୁତ ହୋଇପଡ଼ ।

 

ସେହିଦିନ ଡାଉନ୍‌ ଜଗନ୍ନାଥ ଏକ୍‌ସପ୍ରେସ୍‌ ଟ୍ରେନ୍‌ରେ ବସି ମାନସ ପୁରୀ ସହର ଛାଡ଼ିଦେଲା । ସେ ଜାଣିଥିଲା ଏ ରାସ୍ତା ଦୁର୍ଗମ ଓ ଅପ୍ରତ୍ୟାଶିତ; ମାତ୍ର ଦିନର ରାସ୍ତା ଯାହା ପାଇଁ ନିଷିଦ୍ଧ, ରାତିର ଅନ୍ଧଗଳି ତା’ ପାଇଁ ଅନିବାର୍ଯ୍ୟ ଅବଲମ୍ବନ ।

 

ମାନସ ନିଜକୁ ନିଜେ ପଚାରୁଥିଲା :

 

“ତମେ କୁଆଡ଼େ ଯାଉଛ ମାନସ ? ଶେଷକୁ ଅସାମାଜିକ ଚୋରା ବ୍ୟବସାୟୀଙ୍କ ସାଙ୍ଗରେ ହାତ ମିଳେଇଲ ? ଭାରବାହୀ ଓଟ ହେଇ ତମେ ଯେଉଁ ବ୍ୟାଗ୍‌ଟିକୁ ବୋହି ନେଉଛ ତା’ ଭିତରେ କ’ଣ ଅଛି ଜାଣିଛ କି ? ତା’ ଭିତରେ ଥାଇପାରେ ଚରସ, ହେରୋଇନ୍‌, ନ ହେଲେ ଜାଲ୍‌ନୋଟ୍‌ । ତମ ପଛେ ପଛେ ଘୂରୁଛି ପୋଲିସ୍‌ର ସର୍ଚ୍ଚ ୱାରଣ୍ଟ୍‌ । ତମର ଗତିବିଧିକୁ ସତର୍କ ଦୃଷ୍ଟିରେ ଲକ୍ଷ୍ୟ କରୁଛି ଆଉ ଯୋଡ଼ିଏ ବିଷଚକ୍ଷୁ । ତମର ମୁକୁଳି ଯିବାର ସବୁପଥ ଏବେ ଅବରୁଦ୍ଧ-। ଫେରିଯିବାକୁ ହିଁଲେ ତମର ଛାତି ଉପରେ ଭୁସିହେଇଯିବ ତୀକ୍ଷ୍‌ଣ ଛୁରୀ ।

 

“ମାନସ, ତମର ଏବେ ମନେପଡ଼ୁଛି କି ଗୋଟାଏ ପବିତ୍ର ପ୍ରଭାତର ମନ୍ତ୍ରୋଚ୍ଚାରଣ ଭିତରେ ହେଇଥିଲା ତମର ଜନ୍ମ । ମନେପଡ଼ୁଛି କି ବାପା-ବୋଉଙ୍କର ମଧୁର ଆକଟ । ତମର ପ୍ରଥମ ପ୍ରେମିକା ଗୌରୀର ପ୍ରେମଚିଠି, ଶୋଭା ଆଗରେ ରଖୁଥିବା ବାହାଘରର ପ୍ରସ୍ତାବ–ସେସବୁ ଧୀରେ ଧୀରେ ଅପସରି ଯାଉଛି ତମ ଆଖି ଆଗରୁ । ଅପରାଧ, ହିଂସା, ଘୃଣା ଓ ନିର୍ମମ ପ୍ରବଞ୍ଚନାର ପୋଡ଼ାଧୂଆଁରେ ଆଚ୍ଛନ୍ନ ହେଇ ଯାଉଛି ଚାରିଆଡ଼ । ତମେ ଏସବୁରୁ ନିଷ୍କୃତି ପାଇଁ ଆଖିରେ ଲଗେଇ ନେଇଚ କଳାଚଷମା ।

 

“ମାନସମାନଙ୍କର ଭାଗ୍ୟ ଏହିପରି ନା ? ତମେ ଅଭିମାନ କରୁଛ, ଉତ୍ତ୍ୟକ୍ତ ହେଉଛ ଶାସନ ବ୍ୟବସ୍ଥା ଉପରେ ? ତମକୁ ତମ ହାଲ୍‌ ଉପରେ ଛାଡ଼ିଦେଇ ପାରୁନି କାହିଁକି ଅବଶିଷ୍ଟ ସମାଜ–ଏଇଆ ଭାବୁଛ କି ?

 

“ତମକୁ ନିଜ ଭାଗ୍ୟ ସହ ଏଇ ମୁହୂର୍ତ୍ତରୁ ସନ୍ଧି ସ୍ଥାପନ କରିନେବାକୁ ହେବ ।”

 

ମାନସ ଝରକାବାଟେ ମୁହଁ ଗଳାଇ ଗୋଟାଏ ଦୀର୍ଘଶ୍ୱାସ ନେଲା । ସେ ମନେ ମନେ କିଛି ଶପଥ କରୁଥିଲା କି ? ଯେତେ ନିର୍ଯାତନା, ଯେତେ କଷ୍ଟ ପଡ଼ୁ ପଛକେ ସେ ପୁଣିଥରେ ଫେରି ଆସିବ ଏ ସହରକୁ । ପ୍ରଚୁର ଉପାର୍ଜନ କରିବ, ସଞ୍ଚୟ କରିବ ପ୍ରଚୁର ଟଙ୍କା । ସମାଜରେ ତିଷ୍ଠିବା ଲାଗି କେବଳ ଟଙ୍କା ଦରକାର ।

 

ମାନସର ଛାତି ଭିତରୁ କିଏ ଜଣେ ତଥାପି କହୁଥିଲା, “ତୁମେ ଇଏ କ’ଣ କରୁଛ ? ତମର ଭବିଷ୍ୟତ କଥା ଚିନ୍ତା କରୁଛ ତ ?”

 

ମାନସ ନିଜକୁ ନିଜେ ପୁଣି ଉତ୍ତର ଦେଲା, “ମୋର ଭବିଷ୍ୟତ ନାହିଁ, ଅତୀତ ନ ଥିଲା, ଯାହା ଅଛି ଏଇ ବର୍ତ୍ତମାନ ।”

Image

 

ଜଣେ ରାଜା ଥିଲେ

 

ଆଉଥରେ ଦୀର୍ଘଶ୍ୱାସ ନେଲା ରଘୁନାଥ । ନା, ଆଉକିଛି ରାହା ନାହିଁ ଆଖି ସାମ୍ନାରେ । ଉଆସର ଯେତେ ଯାହା ଦାମୀ ଦାମୀ ଚିଜ ସବୁ ଥିଲା, ବରଷ ଗୋଟାକ ଭିତରେ ସେସବୁ ହାତଛଡ଼ା ହେଇଗଲେଣି । ଶାଗମାଛ ମୂଲରେ ତ ସେସବୁକୁ ନିଜ ଜାଣତରେ ବିକି ଆସିଛି ରଘୁନାଥ । କାହାକୁ କହିବ ସେ ଏକଥା ଏଇନେ ? ହତଶିରୀ ହେଇପଡ଼ିଛି ଉଆସଟା । ଖାଁ ଖାଁ ଲାଗୁଛି ଉଆସ ଭିତରର ଦ୍ୱିପହର ।

ରଘୁନାଥ ଆଣ୍ଠୁ ଉପରୁ ମୁହଁ ଟେକି ଆଉଥରେ ଚାହିଁଲା ରିଆଡ଼କୁ । ସେପଟ ଉଆସ ଘର ପଦ୍ମପୋଖରୀ ହୁଡ଼ାରେ ଦୁଇ ଚାରିଟା ବଗୁଲିଆ ପିଲା ପାତିମାଙ୍କଡ଼ ଡେଇଁଲା ପରି ହୁମୁ ହୁମୁ ହେଉଛନ୍ତି । ସେମାନଙ୍କୁ ଆଉ ସେ ଆକଟ କରିପାରିବ ନାହିଁ । ଯେତେ ଅଡ଼ିଲେ ବି ଯେଉଁକଥାକୁ ସେଇକଥା । ପାଚିରିଟା ତ ଆଠ ଦଶ ଜାଗାରେ ଭାଙ୍ଗି ଭୁଶୁଡ଼ି ପଡ଼ିଛି । ସେମାନଙ୍କୁ ଏବେ ସେ କେଉଁ ଫାଟକ ଓଗାଳି ବନ୍ଦ କରି ପାରିବ !

ଅଥଚ ଦିନ ଥିଲା, ରଘୁନାଥ ମନେ ପକାଇବାକୁ ଚେଷ୍ଟାକଲା–ଉଆସ ଫାଟକ ଡେଇଁ ଭିତରକୁ ଆସିବା ତ ଦୂରର କଥା, ଉଆସ ଆଡ଼େ ମୁଣ୍ଡ ଟେକି ହିଁବାକୁ ବି ଭରସି ପାରୁ ନଥିଲେ ରାସ୍ତାଗଲା ଲୋକ ।

ରଘୁନାଥ ମୁଣ୍ଡ ଉପରୁ ଠେକାଟାକୁ ଖୋଲିଦେଲା । ମୁଣ୍ଡ, ଛାତି, ପିଠିର ଝାଳ ପୋଛିଦେଲା ଗାମୁଛାଟାରେ । ଉଠି ଛିଡ଼ାହେଲା ଅଣ୍ଟା ସଳଖି । ବେଳ ଥାଉଁ ଥାଉଁ କିଛି ଗୋଟାଏ ବ୍ୟବସ୍ଥା କରିବାକୁ ହେବ ।

 

ଖିଲାଣ ସନ୍ଧିରେ ବସା ପାରିଥିବା ଦିଇଟା ଚଢ଼େଇ ଫଡ଼୍‍ଫାଡ଼୍‍ କରି ଉଡ଼ିଗଲେ ।

 

ରଘୁନାଥ ଆଉଥରେ ଦୀର୍ଘଶ୍ୱାସ ନେଲା ।

 

ଏଇ କେତେ ବର୍ଷ ହେବ ସେଇ ହିଁ ତ ଏଡ଼େ ବଡ଼ ଉଆସଟାରେ ପଡ଼ିରହିଛି ଏକା ଏକା, ଗୋଟାଏ ବିରାଟ କୋଳାହଳର ଅବଶିଷ୍ଟ ପ୍ରତିଧ୍ୱନି ପରି । ନିଜେ ସେ ବେଳେ ବେଳେ ଜାଣିପାରେନା, ତା’ର ପରିଚୟ ।

 

ଏବେ ସେ ରାଜାଙ୍କର ଭୃତ୍ୟ, ଦରୱାନ, ପୂଜାରୀ, ଗୁମାସ୍ତା ସବୁ । ସେଇ ଗୋଟିଏ ମଣିଷ, ଏତେସବୁ ପରିଚୟ ତା’ର । ସେଦିନ ଆଉ ନାହିଁ, ଯେତେବେଳେ ଥାଟପଟାଳି ଭାଙ୍ଗୁଥିଲା ଚାକର, ପୂଜାରୀ ପିଆଦା, ଅର୍ଦ୍ଦଳି, ଡ୍ରାଇଭର, ବବୁର୍ଚିଙ୍କ ଭିଡ଼ରେ ଉଆସ । ଏକା ରାଜା ସାହେବଙ୍କ ପାଇଁ ଦରକାର ହଉଥିଲେ ଦଶ ବାରଟା ଚାକର ବାକର, ପୁଣି ଅଙ୍ଗଅଳସ ଭାଙ୍ଗିବାକୁ ବେଳ ଅବେଳେ ଦରକାର ହଉଥିଲେ ଦୁଇଟା ପହେଲମାନ । ରାଣୀମାଆଙ୍କ ଅନ୍ଦରମହଲରେ କେଉଁ କମ୍‌ ଥିଲେ ପୋଇଲି ପରିବାରୀ !

 

ରାଣୀମା’ଙ୍କ ସ୍ମୃତି ମନେ ପଡ଼ିଲାରୁ ରଘୁନାଥର ଆଖିଯୋଡ଼ାକ ଓଦା ହୋଇ ଉଠିଲା ।

 

ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ ଥିଲେ ରାଣୀମା । ଦିଅଁଦେବତା ପୂଜାରେ ଥିଲା ଅଚଳାଚଳ ଭକ୍ତି । ଚଢ଼େଇ ଚିରଗୁଣୀଙ୍କ ପେଟ ବୁଝୁଥିଲେ । ଅକାଳେ ସକାଳେ ରାଜଉଆସର ଚାକର-ବାକର କି ପୋଇଲି ମୁଦୁସୁଲିଟେ ବାଧିକି ପଡ଼ିଲେ ରାଣୀମା ତା’ ଶେଯ ପାଖରେ ଯାଇ ପହଞ୍ଚି ଯାଉଥିଲେ-। ଖବର ଅନ୍ତର ବୁଝି ପଥି ଔଷଧ ବ୍ୟବସ୍ଥା କରି ଆସୁଥିଲେ । ତାଙ୍କପରି ମଣିଷଟିଏ ଆଉ ଭଲା କିଏ ଅଛି ଏ ମହିମଣ୍ଡଳରେ ?

 

ରାଣୀମା ଏ ଚାକିରି ଦେଇଥିଲେ ରଘୁନାଥକୁ । ସେଇ ଯେ ତିରିଶ ବର୍ଷ ତଳର ଗୋଟାଏ ଧୂଆଁଳିଆ ଅପରାହ୍‌ଣରେ ଯୋଡ଼ି ହୋଇଯାଇଥିଲା ଏ ଉଆସ ସାଙ୍ଗେ ରଘୁନାଥର ସମ୍ପର୍କ, ଆଉ ତୁଟି ନାହିଁ । ରାଣୀମା ଚାଲିଗଲେ । ଲିଗଲା ଉଆସର ସବୁ ଶିରୀ ସମ୍ପଦ । ଚାହୁଁ ଚାହୁଁ ବରଷ କେତେଟା ଭିତରେ ସବୁ ଲୋକବାକ ଛାଡ଼ି ପଳେଇଗଲେ, ଯିଏ ଯାହା ପାରିଲା ରୁଣ୍ଡେଇ ମୁଣ୍ଡେଇ । କେବଳ ଯାଇପାରି ନାହିଁ ରଘୁନାଥ । ଯାଆନ୍ତା କେମିତି ? ରାଣୀମା ତାକୁ ବରାବର କହୁଥିଲେ, ରଘୁନାଥ ତୋ ରାଜା ସାହେବଙ୍କ କଥା ତୁଇ ବୁଝିବୁ ରେ, ଭାରି ଭୋଳା ମଣିଷ ସେ ।

 

ରାଣୀମା ଚାଲିଗଲେ । ରାଜୁତି ଚାଲିଗଲା । ରଘୁନାଥ ଯାଇପାରିନାହିଁ । ରାଜା ସାହେବଙ୍କ ପାଖରେ ଏଇମିତି ବିତିଲାଣି କାଳକ । ଉଆସ ବାହାରର ଦୁନିଅଁ ସାଙ୍ଗରେ ସେ କ’ଣ ଖାପ ଖୁଆଇ ଚଳିପାରିବ ଆଉ ଏ ବୁଢ଼ା ବୟସରେ ?

 

ଚାଲୁ ଚାଲୁ କେତେବେଳେ ରଘୁନାଥ ଫାଟକ ପାଖେ ପହଞ୍ଚି ଯାଇଛି ତା’ର ଖିଆଲ ନାହିଁ । ଯେମିତି ବି ହେଉ ରାଜାସାହେବଙ୍କ ରାତି ମଣୋହି ପାଇଁ କିଛି ଗୋଟାଏ ବ୍ୟବସ୍ଥା କରିବାକୁ ହେବ । ନଡ଼ିଆ ପାରିବାବାଲା ଆସିବାକୁ କହିଥିଲା । ଆଉ କ’ଣ ବେଳଓଳିଟାରେ ଆସିବ ? ବିଶ୍ୱାସ ହଉନି । ରାଜଗାଆଁରୁ ବି ଏଯାଏ କିଛି ଖବର ପଠେଇଲେନି ଲକ୍ଷ୍ମୀଧର, ଭାଗଚାଷୀଙ୍କ ମେଳିଆ । ଏତେଗୁଡ଼ାଏ ଜମି ଚାଷ କରି ଖାଉଛନ୍ତି । ଉଆସକୁ ଧାନ କି ସରୁ ବାସମତୀ ଚାଉଳ ଦି ଗାଡ଼ି ପଠେଇବା କଥା ମୁହଁରେ ଧରୁନାହାନ୍ତି । ଏତେ କୃତଘ୍ନ ଏ ଲକ୍ଷ୍ମୀଧର ? ହଉ, ସବୁ ଭାଗ୍ୟ !

 

ରଘୁନାଥ ମନେ ମନେ ଚିଡ଼ି ଉଠୁଥିଲା ସେମାନଙ୍କ ଉପରେ । ଚିଡ଼ନ୍ତା ନାହିଁ ବା କିପରି-? ସିଏ ତ ଏଇ କେତେବର୍ଷ ହେଲା ରାଜଉଆସର ଗୋଟାଏ ଅବିଚ୍ଛେଦ୍ୟ ଅଙ୍ଗ ହେଇପଡ଼ିଛି-। ସେଥିପାଇଁ ସେ ଚିଡ଼ୁଛି । କିନ୍ତୁ ଏଇ ଆସକ୍ତି ଓ ମମତାର ଟୁବି ଗାଡ଼ିଆ ଭିତରୁ ଯଦି ମୁଣ୍ଡଟେକି ଥରୁଟିଏ ରଘୁନାଥ ଚାହାଁନ୍ତା, ତା’ହେଲେ ଦେଖିପାରନ୍ତା ଯେ, ଇଏ ସବୁ ଇତିହାସର ସ୍ୱାଭାବିକ ପ୍ରକ୍ରିୟା । ତିଳେହେଲେ ବିଚ୍ୟୁତି ନାହିଁ କେଉଁଠି । ଯୁଗ ଯୁଗ, ବର୍ଷ ବର୍ଷ ଧରି ଏଇ ଲକ୍ଷ୍ମୀଧର ଓ ତା’ ଗାଆଁ ଲୋକମାନେ ହିଁ ରାଜଉଆସର ଅକଥନୀୟ ଶୋଷଣ, ଜୁଲୁମ ଓ ଅତ୍ୟାଚାରର ନିରବ ଶିକାର ପାଲଟି ଆସିଥିଲେ । ବାଡ଼ିବଗିଚାର ପହିଲି ଫୁଲ, ଫଳଟେ ଠାରୁ ଆରମ୍ଭ କରି କ୍ଷେତର ପହିଲି ଧାନ, ମୁଗ ଯାଏ ସବୁ ଯାଇ ଭେଟି ଦେଇ ଆସୁଥିଲେ ରାଜାଘର ପିଣ୍ଡା ଉପରେ ବିନା ପ୍ରତିବାଦରେ । ବେଠି ଖଟି ଖଟି ଅଣ୍ଟା ବାଙ୍କିଯାଇଛି ତା’ ବାପ ଦାଦାଙ୍କର । ଏବେ ସେମାନେ ପ୍ରତିକ୍ରିୟା ପ୍ରକାଶ କରିବା ସ୍ୱାଭାବିକ ।

 

ସେ ଥିଲା ଗୋଟାଏ ଭିନ୍ନ ଯୁଗ ।

 

ରଜାଙ୍କର ସେତେବେଳେ କାହିଁକି କେଜାଣି ଧାରଣା ଥିଲା ଯେ ସିଏ ହିଁ ଏ ମାଟିର ଇନ୍ଦ୍ର-। ତାଙ୍କ ରାଜ୍ୟରେ ଫୁଟୁଥିବା ନୂଆ ଫୁଲ, ଫଳୁଥିବା ନୂଆ ଫଳ ପରି ନୂଆ ଯୁବତୀଙ୍କ ଉପରେ ବି ତାଙ୍କର ପହିଲି ଅଧିକାର ।

 

ବେଶୀ ଦିନ ରହିପାରି ନ ଥିଲା ଏ ଅରାଜକତା ।

 

ବାଘ ଶିକାରକୁ ଦିନେ ଯାଇ ଜଙ୍ଗଲ ଭିତରେ ପ୍ରାଣ ହରେଇଲେ ବୁଢ଼ା ରାଜା । ଉଆସ ଗୋଟାକରେ ଛାଇଗଲା ଶୋକର ଶୀତଳ ଝଡ଼ । ସେଇ ଅଶ୍ରୁପାତ ଓ ଦୀର୍ଘଶ୍ୱାସ ଭିତରେ ଅଭିଷେକ ହୋଇଥିଲା ଏଇ ରାଜାସାହେବଙ୍କର ।

 

ଏ ରାଜାସାହେବ ଥିଲେ ବାପାଙ୍କଠାରୁ ଏକଦମ୍‌ ଅଲଗା । ଶିକାର, ପାରିଧିରେ ତାଙ୍କର ସଉକ ନ ଥିଲା । ଦିନସାରା ସେ ପ୍ରାୟ କେଉଁଠିକି ଯାଉ ନ ଥିଲେ । ନାଚଗୀତ, ମୁର୍‌ଗୀ, ସରାବ ଭଲ ତ ଏ ପୃଥିବୀ ଭଲ । ବେଳ ଜାଣି ଏସବୁର ଇନ୍ତେଜାମ୍‌ ହୋଇଯିବା ଚାହି । ଦଣ୍ଡେ ପହରେ ତ ଦୂରର କଥା, ଗୋଟାଏ ମିନିଟ୍‌ ବିଳମ୍ବ ହେଲେ ସେ ବରଦାସ୍ତ କରିବା ଲୋକ ନୁହଁ । ରଘୁନାଥ ରାଜାସାହେବଙ୍କ ରାଗ ଓ ତାଙ୍କର ମିଜାଜ ଜାଣେ । ଖୁସି ହେଇଗଲେ ରାଜାସାହେବ ପାଖରେ ଯାହା ଥିବ ଉଠେଇ ଫିଙ୍ଗି ଦିଅନ୍ତି ପାଖଲୋକ ଉପରକୁ–ଯା, ନେଇଯା, ଏଇଟା ତୋ ପାଇଁ ମୋର ବକ୍‌ସିସ୍‌ । ରାଗ ହୋଇଗଲେ କିନ୍ତୁ ରକ୍ଷା ନାହିଁ ।

 

ରଘୁନାଥ ସବୁ ବୁଝେ । ରଜାପୁଅ ସେ । ତାଙ୍କର ଅଲଗା ଢଙ୍ଗ । ଅଲଗା ପୃଥିବୀର ଭାଷା । ସେଇଥିପାଇଁ ଉଆସର ଶିରୀସମ୍ପଦ ଲୁଟି ହୋଇଗଲା ପରେ ବି ରଘୁନାଥ ଏସବୁ ରଜାଙ୍କ କାନରେ କହିପାରେ ନାହିଁ । ପ୍ରାଣପଣେ ଚେଷ୍ଟାକରି ରଜାଙ୍କର ନିତିଦିନର ପ୍ରୟୋଜନ ମେଣ୍ଟେଇବା ପାଇଁ ଅଣ୍ଟା ଭିଡ଼େ । ରଜାଙ୍କର ଘଡ଼ିକି ଘଡ଼ି ହୁକୁମ–ଆଜି ଏଇଟା ରାନ୍ଧ, କାଲି ସେଇଟା । ଆଜି ଏ ଦୋକାନରୁ ମିଠା ତ କାଲି ସେ ଦୋକାନରୁ ସନ୍ଦେଶ ଆଣ । ଆଜି ହୁଇସ୍କି ତ କାଲି ଜିନ୍‌ । ସବୁ ଶୁଣେ ରଘୁନାଥ । ହୁକୁମ ତାମିଲ କରେ ।

 

କବାଟକୁ ଧୀରେ ଆଉଜି ରଘୁନାଥ ବାହାରି ଆସେ ଭିତର ଖଞ୍ଜା ଆଡ଼େ । ବୁଝିପାରେ ନାହିଁ, କେମିତି ସେ ନିତି ନିତି ଏତେ ରକମର ଚିଜର ବନ୍ଦୋବସ୍ତ କରିବ । ଆଉ ତ ସେ ଯୁଗ ନାହିଁ ଯେ ଗୁମାସ୍ତାଙ୍କୁ ଚିଠା ବଢ଼େଇଦେଲେ ଯେ ଗଣିଦେବେ ମୁଠା ମୁଠା ଟଙ୍କା । କେମିତି ସେ କହିବ ରାଜାସାହେବଙ୍କୁ ଏ କଥା ? ଏତେଦିନ ହେଲା ତ କିଛି କହିନାହିଁ ସେ, କହିପାରି ନାହିଁ । ଆଜି ଆଉ କହି ଲାଭ କ’ଣ ?

 

କେହି ପଚାରୁ ବା ନ ପଚାରୁ ରଘୁନାଥ କିନ୍ତୁ ଜାଣେ, ପ୍ରତିଟି ଆସରର ଆୟୋଜନ ପାଇଁ ତାକୁ ଛାତି ଉପରେ ପଥର ରଖି ରାଜବାଟୀର ଦୁର୍ମୂଲ୍ୟ ଜିନିଷଟିମାନ ବିକିବାକୁ ପଡ଼ିଛି ପାଖ ଦୋକାନରେ । ହଜାର ହଜାର ଟଙ୍କା ମୂଲ୍ୟର ହାତୀଦାନ୍ତ, ସୁନାଗହଣା, ଦାମୀ ଗାଲିଚା ଓ ଫୁଲଦାନି ସବୁକୁ କେଇ ଶହ ଟଙ୍କାରେ ବିକ୍ରି କରିଚି ରଘୁନାଥ ଖାସ୍‌ ରାଜାସାହେବଙ୍କ ଚାହିଦା ପୂରଣ କରିବା ପାଇଁ । ସବୁଥର ଚିକେନ୍‌, ବିରିଆନି ପରଷି ଦେଲାବେଳେ ରଘୁନାଥ ଭାବିଛି, ଉଆସର ଏ ଅଭାବ କଥା ଜଣା କରେଇବ ରାଜାସାହେବଙ୍କୁ । ତାଙ୍କର ଯାହା ଇଚ୍ଛା କରନ୍ତୁ ପଛକେ ! ରଘୁନାଥ ଆଉ ପାରୁନାହିଁ ଏସବୁ । କିନ୍ତୁ ରାଜାଙ୍କର ନିଶା ଟୁଳୁଟୁଳୁ ଆଖି, ଥରିଲା ପାଦ ଓ ଘୁମେଇଲା ପରି ହାବଭାବ ଦେଖି ସେ କିଛି କହିପାରିନାହିଁ । ମନେପଡ଼ିଛି ରାଣୀମାଆଙ୍କ କଥା ‘ତୋ ରାଜାସାହେବ ଭାରି ଭୋଳା ମଣିଷର ରଘୁନାଥ, ତୁ ଟିକେ ତାଙ୍କ କଥା ବୁଝୁଥିବୁ ।’

 

ରଘୁନାଥ ଚୁପ୍‌ଚାପ୍‌ ବାସନକୁସନ ଗୋଟେଇ ଆଣି ଫେରିଆସେ । ପୁଣି ସଜାଡ଼ି ଦିଏ ଟେବୁଲ । ଟେବୁଲ ଉପରେ ବୋତଲ, ଗିଲାସ ଥୋଇଦିଏ ସଜେଇ । ନିଜ କୋଠରିର କବାଟ ପାଖେ ବସି ଆକାଶକୁ ଚାହିଁରହେ ।

 

ରଜାଙ୍କର ଖାସ୍‌ କମରାରୁ ଶୁଭେ ଭାଓଲିନ୍‌ ଓ ତବଲାର ଟିପାଧ୍ୱନି । କେଉଁ ଓସ୍ତାଦ ପୁଣି ନେଇ ଆସିଛି ବୋଧହୁଏ କଲିକତାରୁ କେଉଁ ନାଚବାଲୀ–ଏଇନେ ଚାରି ପାଞ୍ଚଦିନ ପୁଣି ଚାଲିବ ଏ ଆସର । ଚିଡ଼ିଉଠେ ରଘୁନାଥ । ଯାଉ, ସବୁ ଏଇମିତି ଚାଲିଯାଉ–ଏଇମିତିକାରେ ସବୁ ଚାଲିଯାଉ ।

 

ବଣିଆ ଦୋକାନ ସାମ୍ନାରେ ପହଞ୍ଚି ରଘୁନାଥ ଟିକିଏ ଦମ୍‌ ନେଲା । ଗିଲାସେ ପାଣି ମାଗିଲା ଦୋକାନର ପିଲାଟାକୁ । ବଣିଆ ବୁଦ୍ଧିମାନ୍‌, ଖୁବ୍‌ ଖାତିର କରେ ରଘୁନାଥକୁ ତା’ ମୁହଁ ଉପରେ । ତାରି ଦୟାରୁ ତ ସେ ବର୍ଷ ଦିଇଟାରେ ଲକ୍ଷାଧିକ ଟଙ୍କା ମୁନାଫା କଲାଣି । ମୁହଁ ଉପରେ ହସକେରାକ ଖେଳେଇ ପଚାରିଲା, “ଆଉ ରଘୁନାଥ ସବୁ ଭଲ ତ ?”

 

ରଘୁନାଥ ତଳକୁ ମୁହଁ ପୋତିଲା । ବଣିଆ ମୁହଁକୁ ଚାହିଁଥିଲେ ଦେଖିପାରିଥାନ୍ତା ଯେ କେମିତି ଗୋଟାଏ ଲୋଭୀ ଶାଗୁଣାଟେ ବସିଛି ବଣିଆର ନାକ ଉପରେ । ଟିକିଏ ରହି ରଘୁନାଥ ନିଜ ମଝି ଆଙ୍ଗୁଳିରୁ ବାହାର କଲା ପଥରବସା ଓସାରିଆ ମୁଦିଟା । ସେଇ ମୁଦିଟିକୁ ସାହୁ ହାତକୁ ବଢ଼େଇଦେଇ ସେ କହିଲା, “ସାହୁଏ, ଆଜି ତ ଆଉ କିଛି ନାହିଁ । ଏଇ ମୁଦିଟାକୁ ବନ୍ଧାରଖି ଟଙ୍କା ଦେଢ଼ଶ ଦେଇଥାଅ । ଦିନ ଦୁଇ ଚାରିଟା ପରେ ଆସି ମୁକୁଳେଇ ନେବି ।”

 

ସାହୁ ରଘୁନାଥ ହାତରୁ ମୁଦିଟା ନେଇ ହିସାବୀ ଆଖିରେ ଚାହିଁଲା ତାକୁ । ବୋଧହୁଏ ସେ କଳିବାକୁ ଚାହୁଥିଲା ଯେ କାହାର ଚାହିଦାର ଓଜନ ବେଶୀ–ତା’ର ନା ରଘୁନାଥର । ମୁଦିଟାକୁ ଏପଟ ସେପଟ ଘୂରେଇ ସାହୁ କହିଲା, “ସୁନାଟା ତ ସେତେ ଭଲ ଜଣାପଡ଼ୁନି । ହଉ, ତୁମେ ଯେତେବେଳେ କହୁଛ ତମ କଥା ତ ଆମେ ଭାଙ୍ଗିପାରିବା ନାହିଁ । ଏଇ ଶହେଟା ଟଙ୍କା ଦଉଛି । ଟିକେ ଶୀଘ୍ର ମୁକୁଳେଇ ନେବାର ବ୍ୟବସ୍ଥା କରିବ । ଏଇଛୁଣିକା ଟଙ୍କାପଇସାର ବଡ଼ ନିଅଣ୍ଟ । ତମେ ତ ସବୁ ବୁଝୁଥିବ ।” ରଘୁନାଥର ଛାତି ଭିତରର କେଉଁ ନରମ ଥାନରେ ଛୁଞ୍ଚି ଫୋଡ଼ିଦେଲା ପରି ଲାଗିଲା ସାହୁର କଥାଟା । ଦେଢ଼ଶହ ଜାଗାରେ ଶହେ ଟଙ୍କା ଦେଲା ବୋଲି ରଘୁନାଥ କିଛି ଭାବୁ ନଥିଲା । କିନ୍ତୁ ସୁନାଟା ଭଲ ନୁହେଁ କହି ବଣିଆ ତାକୁ ଯେଉଁ ଆଘାତ ଦେଇଥିଲା ସେଇଟା ରଘୁନାଥ ବରଦାସ୍ତ କରିପାରୁ ନ ଥିଲା ।

 

ରଘୁନାଥର ମନେପଡ଼ୁଥିଲା ଗୋଟାଏ ଦୃଶ୍ୟ । ଆଜିକି ଦଶବର୍ଷ ତଳର ସେ ଦୃଶ୍ୟ । ସେଦିନ ରାଜାସାହେବଙ୍କ ଘରକୁ ଆସିଥାଆନ୍ତି ଜଣେ କୁଣିଆଁ ଦିଲ୍ଲୀ କି ମୁମ୍ବାଇରୁ । ତାଙ୍କର ଖାସ୍‌ ଆଦେଶ, ସେ ଓଡ଼ିଆ ଘରର ରାନ୍ଧଣା ଖାଇବେ । ରାନ୍ଧଣାର ଦାୟିତ୍ୱ ରାଜାସାହେବ ରଘୁନାଥକୁ ଡାକି ଦେଇଥିଲେ । ରାଜଉଆସରେ ତ ରଘୁନାଥ ଏକା ପୂଝାରୀ ନୁହେଁ, ବବୁର୍ଚ୍ଚି ଖାନସମା ହେଇ ତେର ଚଉଦ ଲୋକ ସେତେବେଳେ ଦିନରାତି ମହଜୁଦ ଥାଆନ୍ତି । କେତେବେଳେ କାହାର ଲୋଡ଼ା ପଡ଼ିବ କିଏ କହିବ ? ରଘୁନାଥ ଉପରେ ରଜାଙ୍କର ଏପରି ବିଶେଷ ଆଦର ସ୍ନେହ ଯୋଗୁ ସେମାନେ ମନେ ମନେ ରାଗିଯାଆନ୍ତି । ରଘୁନାଥ ସେସବୁ ଜାଣିପାରେ ଓ ମନେ ମନେ ଖୁସି ହୁଏ-

 

ସେଦିନ ରାନ୍ଧୁ ରାନ୍ଧୁ ରୋଷେଇଘର ଭିତରେ ଆଖି ଲାଗିଯାଇଥିଲା ରଘୁନାଥର । ଚୁଲା ଉପରେ ସେତେବେଳକୁ ବସିଥିଲା ମୁଗଡ଼ାଲି । ପାଣି ମରି ଡାଲି ଲାଗିଗଲାଣି କଡ଼େଇରେ । ପୋଡ଼ା ବାସ୍ନାରେ ହଠାତ୍‌ ରଘୁନାଥର ନିଦ ଭାଙ୍ଗିଗଲା । ଏ ଅବସ୍ଥା ଦେଖୁ ଦେଖୁ ତା’ ମୁଣ୍ଡରେ ଯେମିତି ବଜ୍ର ପଡ଼ିଗଲା । କ’ଣ କରିବ ? ରଜାଙ୍କର ସ୍ନେହ ଆଦର ପରି ରାଗରୋଷ ସାଙ୍ଗରେ ମଧ୍ୟ ସେ କମ୍‌ ପରିଚିତ ନୁହେଁ । ମଣୋହି ବେଳର ଦଣ୍ଡେ ନିମିଷେ ବି ଉଛୁର ହେବ ନାହିଁ ତାଙ୍କର । ସେମିତିକା ଅପରାଧ ଯିଏ କରିବ, ଦଣ୍ଡ ଭୋଗିବ । ହାତଗୋଡ଼ ବାନ୍ଧି ପିଆଦାମାନେ ପିଟିଦେଇଯିବେ ଠେଙ୍ଗୁଣିରେ । ଆଜି ତ ପୁଣି କୁଣିଆଁ ଆସିଛନ୍ତି । ରଜା ତା’ ମୁଣ୍ଡ ରଖିବେ ନାହିଁ ଆଉ ।

 

ମନେ ମନେ ଠାକୁରକୁ ମୁଣ୍ଡିଆ ମାରିଲା ରଘୁନାଥ । କେତେଦିନ ତଳର କଥାଟେ ମନେ ପଡ଼ିଥିଲା ତା’ର । ରାଜକୋଷ ତୋଷରପାତ ଅଭିଯୋଗରେ ଯେଉଁ ତହସିଲଦାର ବନ୍ଧାହୋଇ ଆସିଥିଲା ଉଆସ ଗାଆଁରୁ, ସେଇ କହିଥିଲା ରଘୁନାଥକୁ ଏକଥା । ତହସିଲଦାରଟା ଟଙ୍କା ମାରି ଘରବାଡ଼ି ତିଆରି କରି ନ ଥିଲା । ଟଙ୍କା ସୁନା କିଛି ଜମେଇ ରଖି ନ ଥିଲା । ତା’ର ଖାଇବା ପିଇବାରେ ଏତେ ଅୟସ ଯେ ଖାଉ ଖାଉ ସେ ହଜାର ହଜାର ଟଙ୍କା ଖାଇଯାଇଥିଲା । ସେଇ କହିଥିଲା ରଘୁନାଥକୁ ପୋଡ଼ା ମୁଗଡ଼ାଲିର ବଘରା ରହସ୍ୟ । ଏ ବିପଦ ବେଳେ ସେଇ ତହସିଲଦାରଟାର କଥା ରଘୁନାଥକୁ ଲାଗିଥିଲା ଭାସିଗଲା ଲୋକର କୁଟାଖିଅ ଆଶ୍ରା ପରି ।

 

ଖାଣ୍ଟି ଗୁଆଘିଅରୁ ଛଟାଙ୍କେ ଢାଳି ସେଇଥିରେ ଡାଲି ବଘାରି ଦେଇଥିଲା ରଘୁନାଥ । ତା’ ସାଙ୍ଗରେ ଦିଇଟା ଲେମ୍ବୁପତ୍ର ଛୁଙ୍କବେଳେ ପକେଇ ଦେଇଥିଲା । ଟିକିଏ ଟିକିଏ ଲାଗି ଯାଇଥିବା ମୁଗଡ଼ାଲିର ଘିଅଛୁଙ୍କ ସେଦିନ ରାଜା ସାହେବ ଓ ତାଙ୍କ ଅତିଥିଙ୍କୁ ଏତେ ସୁଆଦିଆ ଲାଗିଥିଲା ଯେ, ସେମାନେ ରଘୁନାଥକୁ ପ୍ରଶଂସାରେ ପୋତି ପକାଇଥିଲେ । ରାଜାସାହେବ ତ ଖୁସିହେଇ ସେଦିନ ରଘୁନାଥ ଉପରକୁ ଫୋପାଡ଼ି ଦେଇଥିଲେ ଏଇ ଭରିଏ ଓଜନର ପଥରବସା ସୁନାମୁଦି । ଅନେକ ଦିନ ଯାଏ ସେଇଟା ରଘୁନାଥର ଆଙ୍ଗୁଳିକୁ ଢିଲା ହେଉଥିଲା ବୋଲି ସେ ରଖି ଦେଇଥିଲା ବାକ୍‌ସ ଭିତରେ । ‘ମୁଦିଟା କାହିଁକି ପିନ୍ଧୁନାହୁଁ’ ବୋଲି ରାଜାସାହେବ ଥରେ ଦି’ଥର ପଚାରିବାରୁ ଏଇ ତିନିବର୍ଷ ହେଲା ରଘୁନାଥ ପିନ୍ଧୁଥିଲା ମୁଦିଟାକୁ । କେମିତି ଗୋଟାଏ ମାୟା ଲାଗି ଯାଇଥିଲା ସେଇଟି ପ୍ରତି ରଘୁନାଥର । ହଁ, ରଖିଥାଉ ସାହୁ । ଆଉ କାହା ପାଇଁ ତ ବନ୍ଧା ପକଉନାହିଁ ରଘୁନାଥ । ନିଜର ଖାଉନ୍ଦ, ରାଜା ସାହେବଙ୍କ ପାଇଁ ବନ୍ଧା ପକଉଛି । ତାଙ୍କରି ଜିନିଷ ତାଙ୍କରି କାମରେ ଲାଗୁ ।

ଶେଷଥର ପାଇଁ ରଘୁନାଥ ଟିକିଏ ଚାହିଁଲା ମୁଦିଟା ଆଡ଼େ ଓ ଆଉଥରେ ଚିହ୍ନ ବସିଯାଇଥିବା ନିଜର ମଝି ଆଙ୍ଗୁଳିକୁ । କେମିତି ଗୋଟାଏ ଦାଗ ବସିଯାଇଛି ଆଙ୍ଗୁଳିଟା ଉପରେ ଯେ ନ ଜାଣିଲା ଲୋକ ବି ଜାଣିଦେବ, ହାତଟା ଅଲଗା ଦିଶୁଛି । ସାହୁ ବଣିଆ ମୁଦିଟାକୁ ଗୋଟାଏ ମଇଳା ବାକ୍‌ସ ଭିତରକୁ ପକେଇ ଦେଇ ବାକ୍‌ସଟା ବନ୍ଦକରି ଦେଲା ଧଡ଼୍‍ କରି ।

ଟଙ୍କା ଶହେଟା ଧରି ରଘୁନାଥ ଫେରି ଆସିଲା ଉଆସକୁ ।

ସବୁଦିନ ପରି ରାଜାସାହେବଙ୍କ ନିଶା ଟୁଳୁଟୁଳୁ ଆଖି । ଘୁମେଇଲା ପରି ଚେହେରା । ରାଜାସାହେବ ତାଙ୍କର ବିରାଟକାୟ ଚେହେରାକୁ ଧରି ଡାଇନିଂ ଟେବୁଲ ଉପରେ ବସିଛନ୍ତି । ଏଇଟା ତାଙ୍କର ମଣୋହି ବିଜେ ସମୟ । ଗୋଟାଏ ମାତ୍ର ଅବଶିଷ୍ଟ ଝରା ଦେହରୁ ଝରୁଛି କିଛି ଆଲୁଅ । ନାଆଁକୁ ମାତ୍ର ଆଲୁଅ ଜଳୁଚି, ବଡ଼ ଘରଟା କିନ୍ତୁ ଦିଶୁଚି ଅନ୍ଧାରିଆ, ରହସ୍ୟମୟ ।

ସେଦିନ ଏବେ ନାହିଁ । ମେହଗାନି ବିରାଟ ଡାଇନିଂ ଟେବୁଲ ଉପରେ ଲମ୍ବି ଯାଉଥିଲା ସାରିସାରି ପ୍ଲେଟ୍‌ମାନଙ୍କର ଧାଡ଼ି । ନାନାଜାତି ଫଳ, ନାନାଜାତି ବ୍ୟଞ୍ଜନର ମହକରେ ମହକି ଉଠୁଥିଲା ଉଆସ । ସେପଟେ, ଠିକ୍‌ ସେଇ କୋଣଟାରେ ବସୁଥିଲେ ଓସ୍ତାଦ୍‌ ତାଙ୍କର ତିନି ଚାରିଜଣ ସାଙ୍ଗଙ୍କ ସହ । ଏସ୍‌ରାଜ, ଭାଓଲିନ୍‌ ସହ ତବଲାର ଟିପାଧ୍ୱନିରେ କେମିତି ଗୋଟାଏ ଚାପା ସଙ୍ଗୀତର ଗୁଞ୍ଜରଣ ଭାସି ଯାଉଥିଲା ଡାଇନିଂ ହଲ୍‌ରେ । ମଣୋହି ସରୁଥିଲା; କିନ୍ତୁ ସରୁ ନ ଥିଲା ସଙ୍ଗୀତ ଆସର । ତା’ପରେ ଆରମ୍ଭ ହେଉଥିଲା ପ୍ରକୃତ ଆସର ।

ରଘୁନାଥ ଆଜି ତରତର କରି ବାଢ଼ି ଦେଉଥିଲା ପଲାଉତକ ରାଜାଙ୍କ ପ୍ଲେଟ୍‌ରେ । ବଡ଼ ସନ୍ତର୍ପଣରେ ସେ ଜାଣି ଜାଣି ରାଜାଙ୍କ ନଜର ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିଲା ନିଜର ଡାହାଣ ହାତ ମଝି ଆଙ୍ଗୁଳିଟାକୁ । ସଫା ତଉଲିଆରେ ପ୍ଲେଟ୍‌ଟାକୁ ପୋଛି ଚିକେନ୍‌ ଦି’ପିସ୍‌ ବାଢ଼ି ଦେଉଥିଲା ବେଳେ ହିଁ ରାଜାସାହେବ ସେଇମିତି ନିଦୁଆଳି ଆଖିରେ ଡାକିଲେ, “ରଘୁନାଥ” ।

: ଛାମୁ, ହୁକୁମ କରନ୍ତୁ ମଣିମା !

: ରଘୁନାଥ ! ତମର ସେ ଡାହାଣ ହାତଟା ଫାଙ୍କା ଫାଙ୍କା ଦିଶୁଛି କାହିଁକି ?

ହେ ଭଗବାନ, ରଘୁନାଥର ମୁଣ୍ଡ କିଛି କାମ କଲା ନାହିଁ । ଗାମୁଛା କାନିରେ ଆଙ୍ଗୁଳିଟାକୁ ଘୋଡ଼େଇ ରଖୁ ରଖୁ ସେ କହିଲା, “ନାଇଁ ଛାମୁ, ହୁଗୁଳା ହଉଥିଲା ଯେ ମୁଦିଟା, ମୁଁ ରଖିଦେଇଛି ସେଇଟାକୁ ।”

: ସେ ମୁଦିଟା ତମ ହାତକୁ ଭଲ ଦିଶେ ରଘୁନାଥ । ତମେ ସେଇଟାକୁ ମଝିରେ ମଝିରେ ବାହାର କରିଦଉଛ କାହିଁକି ? ଆଣ, ଆଣ ମୁଦିଟାକୁ । ଆଣି ପିନ୍ଧିଲ ଆଗେ । ତମର ଏ ଫୁଙ୍ଗୁଳା ହାତଟା ଗୋଟାଏ ବିଧବାର ହାତପରି ଦିଶୁଛି ହୋ ।

ରଘୁନାଥ ହତବାକ୍‌ ହେଇଗଲା । କାହିଁକି ସେ ମିଛ କଥାଟା କହିଲା ଛାମୁଙ୍କୁ ! ସତରେ ଯଦି ସେ ଜିଦ୍‌ କରିବସନ୍ତି ମୁଦିଟା ପାଇଁ, କ’ଣ କରିପାରିବ ସେ ଏଇନେ, ଏ ରାତିଟାରେ ?

ରଘୁନାଥ ଆଶଙ୍କା ଅମୂଳକ ନ ଥିଲା ।

ରାଜାସାହେବ ଜିଦ୍‌ କରି ବସିଥିଲେ ସେଇଠି । ସେଇ ମୁହୂର୍ତ୍ତରେ ଦେଖିବାକୁ ଚାହାନ୍ତି ରଘୁନାଥ ହାତର ମୁଦିଟାକୁ । ନ ହେଲେ ସେ ମଣୋହିରେ ବସିବେ ନାହିଁ ।

ରଘୁନାଥ ତା’ର ତିରିଶ ବର୍ଷର ଅଭିଜ୍ଞତାରୁ ଭଲକରି ଜାଣିଛି ରାଜା ସାହେବଙ୍କର ନିଶା ଆଉ ଜିଦ୍‌ । ସେ କାନ୍ଦ କାନ୍ଦ ହୋଇ ଗୋଡ଼ ତଳେ ପଡ଼ିଗଲା ରାଜାସାହେବଙ୍କର ।

: ମଣିମା, ମୋ ଭୁଲ୍‌ କ୍ଷମା କରିବା ହେଉ ମଣିମା । ମୁଁ ଆପଣଙ୍କୁ ମିଛ କହିଛି ।

: ସତ କ’ଣ ରଘୁନାଥ ?

ତା’ପରେ ରଘୁନାଥ ଅନିଚ୍ଛା ସତ୍ତ୍ୱେ ସତକଥାଟିକୁ କହିଥିଲା ରାଜାଙ୍କୁ । ରାତ୍ରିର ମଣୋହି ଆୟୋଜନ ପାଇଁ ସେ ମାତ୍ର ଶହେଟି ଟଙ୍କାରେ ବନ୍ଧା ପକେଇ ଆସିଛି ସୁନାମୁଦିଟାକୁ ସାହୁ ଦୋକାନରେ । କଥାଟା କହିଲାବେଳେ ରଘୁନାଥର ସ୍ୱର ଶୁଭୁଥିଲା ବେଶ୍‌ ଓଜନିଆ ।

ରାଜାସାହେବଙ୍କର ନିଦୁଆଳି ଆଖିରେ ଏବେ ଆଉ ସେ ଘୁମାଣିଆ ନିଶା ନ ଥିଲା । ବଢ଼ା ଥାଳି ଓ ପ୍ଲେଟ୍‌କୁ ଟିକିଏ ଦୂରକୁ ଘୁଞ୍ଚେଇ ଦେଇ ଅଭୁକ୍ତ ରାଜାସାହେବ ଉଠି ଲିଗଲେ ନିଜର ଶୋଇବା ଘରକୁ ।

ରଘୁନାଥ ସେଇମିତି କାନ୍ଦ କାନ୍ଦ ହେଇ ଧାଇଁଥିଲା ରଜାଙ୍କର ପଛେ ପଛେ । ଦୁଃଖର ସୀମା ନ ଥିଲା ତା’ର କେଉଁଦିନ । ଆଜି କିନ୍ତୁ ସବୁ ଦୁଃଖକୁ ଏଇଟା ବଳିପଡ଼ିଥିଲା । ସତରେ ଯଦି ରାଜାସାହେବ ଖାଇବା ଥାଳିରୁ ଉଠିଯାଇ ଉପବାସରେ ଶୁଅନ୍ତି, ତା’ହେଲେ ରଘୁନାଥ ନିଜକୁ କ୍ଷମା କରିପାରିବ ନାହିଁ । ତା’ର ବାରବର୍ଷର ତପସ୍ୟା ବ୍ୟର୍ଥ ହେଇଯିବ ।

ଧୀରେ ଧୀରେ ଅବସନ୍ନ ଦେହ ଘୋଷାଡ଼ି ଉପର ମହଲାରେ ପହଞ୍ଚି ରଘୁନାଥ ଦେଖିଲା ରାଜାସାହେବ ନିଜେ ତାଙ୍କ ଶୋଇବା ଘର ଭିତରକୁ ପଶିଯାଇ ଲାଇଟ୍‌ ଲିଭେଇ ଦେଉଛନ୍ତି ଓ ଭିତରପଟୁ ବନ୍ଦ କରିଦେଉଛନ୍ତି କବାଟ ଓ ଝରକା ।

ରଘୁନାଥ ସେଇ ଦୁଆର ବନ୍ଧ ଉପରେ ବାରମ୍ବାର ମୁଣ୍ଡ ବାଡ଼େଇଲା । ଗୋଡ଼ତଳେ ପଡ଼ିଲା, ନାକକାନ ଘଷି ହେଲା, କିନ୍ତୁ ସେ ଘରର କବାଟ ଖୋଲିଲା ନାହିଁ ।

ରାତିସାରା ସେଇମିତି ଘର ଭିତରେ ରାଜାସାହେବ ଓ ଘର ବାହାରେ ବିଶ୍ୱସ୍ତ ଭୃତ୍ୟ ରଘୁନାଥ ।

ପରଦିନ ପ୍ରତ୍ୟୁଷରୁ, ଅନେକ ଡକାହକା ପରେ ମଧ୍ୟ ଭିତରପଟୁ କିଛି ଜବାବ ନ ଶୁଣିବାରୁ ରଘୁନାଥ ମନରେ ଆଶଙ୍କା ପଶିଲା । ସେ ଦଉଡ଼ି ଦଉଡ଼ି ଯାଇ ଶାବଳଟା ଘେନି ଆସିଲା ତଳ ମହଲାରୁ ଓ କବାଟ ଦେହରେ ଠେସଦେଇ ଭାଙ୍ଗିଦେଲା ଯାଉଁଳି କବାଟର କଡ଼ି । ବନ୍ଦକବାଟ ମୁକୁଳା ହେଇଗଲା । ସକାଳର ତେର୍ଚ୍ଛା ଖରାରୁ ପୁଳାଏ ଏକାସାଙ୍ଗରେ ପଶିଆସିଲା କୋଠରି ଭିତରକୁ ।

ରାଜାସାହେବ ଚୁପ୍‌ଚାପ୍‌ ମୁହଁମାଡ଼ି ବିଛଣା ଉପରେ ଶୋଇଥିଲେ । ରଘୁନାଥ ପାଦଯୋଡ଼ିକୁ ଯାଇ ଛୁଇଁଲା ଧୀରେ, ତା’ପରେ ଆଉ ଟିକେ ଜୋର୍‌ରେ, ତା’ପରେ ଆଉ ଟିକିଏ ବଳ ଦେଇ । ଶେଷରେ ସେ ତା’ ସବୁଯାକ ବଳ ଖଟେଇ ଓଲଟେଇ ଦେଲା ରାଜାଙ୍କର ଦେହଟାକୁ ଓ ରାଜାଙ୍କର ମୁହଁଟାକୁ ଦେଖି ଚିତ୍କାର କରି ଉଠିଲା ।

ରାଜାସାହେବ ସବୁଦିନ ପାଇଁ ନିଦରେ ଶୋଇଯାଇଥିଲେ ।

Image

 

Unknown

ଏକଲା ରାଜପୁତ୍ର

 

ମାଷ୍ଟର କ୍ୟାଣ୍ଟିନ୍‌ ଛକ ପାଖେ ବସ୍‌ରୁ ଓହ୍ଲାଉଥିଲି । ହଠାତ୍‌ ଦେଖା ହୋଇଗଲା ନୀରଦା ସାଙ୍ଗରେ । ସିଏ ବି କୁଆଡ଼େ ସେଇ ବସ୍‌ରେ କଟକରୁ ଆସୁଥିଲା । ସାଙ୍ଗେ ସାଙ୍ଗେ ଅବଶ୍ୟ ଚିହ୍ନି ହେଲା ନାହିଁ ନୀରଦାକୁ । ତା’ର ବେଶପୋଷାକ ସାଙ୍ଗେ ଚେହେରାରେ ବି ଯଥେଷ୍ଟ ପରିବର୍ତ୍ତନ ହୋଇ ଯାଇଥିଲା । ଦାଢ଼ିଗୁଡ଼ାକ ବଢ଼ିଯାଇଥିଲା, ଜାମା ଲୁଗା ଢେର୍‌ଦିନ ହେଲା ସଫାସୁତରା ହେଇ ନଥିଲା । ଟାଆଁସା ମୁହଁଟାର ବେଫିକର ଭଙ୍ଗୀ କିନ୍ତୁ ପୂର୍ବ ପରି ସ୍ପଷ୍ଟ ବାରିହେଇ ପଡ଼ୁଥିଲା । ସେଇଟା ବ୍ୟତିରେକେ ନୀରଦାକୁ ଚିହ୍ନିବା ମୁସ୍କିଲ ହୁଅନ୍ତା ।

 

ମୁଁ ନୀରଦାକୁ କୁଣ୍ଢେଇ ପକେଇ କହିଲି, “ଅନେକ ଦିନ ପରେ ଦେଖାହେଲା ତମ ସାଙ୍ଗରେ ।” ନୀରଦା ମୋତେ କୋଳାଗ୍ରତ କରି ଉତ୍ତର ଦେଇଥିଲା, “ଅନେକ ଦିନ ନୁହେଁ, ଅନେକ ବର୍ଷ ପରେ । ଚାଲ୍‌, ଚାଲ୍‌ ପିଇବା ଓ କଥାବାର୍ତ୍ତା ହବା । ତୋର କିଛି ଜରୁରୀ କାମ ନାହିଁ ତ !”

 

ସେତେବେଳକୁ ମୁହଁସଞ୍ଜ ହୋଇଗଲାଣି । ଶୀଘ୍ର ଘରକୁ ଫେରିବା ସେପରି କିଛି ଅବଶ୍ୟ ଜରୁରୀ ନ ଥିଲା । ନୀରଦା ସଙ୍ଗେ ଏତେ ବର୍ଷ ପରେ ଦେଖାହୋଇଛି ଯେତେବେଳେ କିଛି ସମୟ ଗପସପ ନକରି ଯିବାକୁ ମନ ବି ହେଉ ନ ଥିଲା । ମୁଁ କହିଲି, “ନାଇଁ, ନୀରଦା–ମୋର କିଛି ଜରୁରୀ କାମ ନାହିଁ ।”

 

ନୀରଦା ପଚାରିଲା, “ତୁ ଏଠି କେଉଁଠି ରହୁଛୁ କିରେ, ତୋର ଦେଖାଶୁଣା ନାହିଁ !”

 

ମୁଁ କହିଲି, “ଜଞ୍ଜାଳିଆ ଲୋକ ମୁଁ, କୁଆଡ଼େ ଯା-ଆସ କରିପାରୁନାହିଁ । ତା’ଛଡ଼ା ସତ କହିବାକୁ ଗଲେ ତମେ ଭୁବନେଶ୍ୱରରେ ରହୁଥିବା କଥା ମୁଁ ଆଗରୁ ଜାଣି ନ ଥିଲି ।”

 

ନୀରଦା କହିଲା, “ତୁ ବା ଜାଣିବୁ କେମିତି ? ମୁଁ ଏଇ ତିନି ଚାରି ମାସ ହେଲା ଆସିଛି । ଷ୍ଟେସନ୍‌ ସେପଟେ ରହୁଛି । ତୁ କେତେବେଳେ ଆମ ଘରଆଡ଼େ ଆସୁନୁ । ତୋ ଖୁଡ଼ୀ ତୋତେ ଦେଖିଲେ ଖୁସି ହେବ । ପିଲାପିଲିଙ୍କୁ ନେଇ ଆସିବୁ ନିଶ୍ଚୟ ।”

 

ଦୁହେଁ ଚା’ ପିଇଲୁ । ନୀରଦାଦା ଖଣ୍ଡିଏ ସିଗ୍ରେଟ୍‌ ଲଗେଇ ଆକାଶକୁ ଧୂଆଁ ଛାଡ଼ିଲା । ମୁଁ ଗୋଟିଏ ଜର୍ଦ୍ଦା ପାନ ଖାଇ ତା’ ସାଙ୍ଗରେ ଷ୍ଟେସନ୍‌ ପର୍ଯ୍ୟନ୍ତ ଗଲି । ନୀରଦାଦା ଓଭରବ୍ରିଜ୍‌ ଡେଇଁ ସେପଟକୁ ଯିବ । ମୁଁ ତାକୁ ବିଦାୟ ଦେଲି ଓ ଆସିବା ପୂର୍ବରୁ ଆସନ୍ତା ରବିବାର ଉପରଓଳି ତା’ ଘରକୁ ଯିବାର ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଲି ।

 

ନୀରଦା ଓରଫ ନୀରଞ୍ଜନ ମହାନ୍ତିକୁ ଏକା ମୁଁ ନୁହେଁ, ତାଙ୍କର ସମସାମୟିକ ସବୁ ପିଲା ନୀରଦାଦା ଡାକୁଥିଲେ । ଶେଷ ଶବ୍ଦଟି ବାରମ୍ବାର ଉଚ୍ଚାରଣ ଭଙ୍ଗୀରେ ଅପଭ୍ରଂଶ ହେଇ ହେଇ ଶେଷକୁ ନୀରଦାରେ ଆସି ପହଞ୍ôଚଥିଲା । ନୀରଦାକୁ ଏମିତି ସମ୍ଭ୍ରମ ଓ ସମ୍ମାନ ଦେଖାଇବାର ଯୁକ୍ତିଯୁକ୍ତ କାରଣ ମଧ୍ୟ ଥିଲା ଅନେକ ।

 

ନୀରଦାଙ୍କ ବାପା କଲିକତାର କେଉଁ ଗୋଟାଏ ସର୍କସ ଦଳରେ କାମ କରୁଥିଲେ । ନୀରଦା ମଝିରେ ମଝିରେ କଲିକତା ଯାଉଥିଲା ଓ ଫେରି ଆସୁଥିଲା ବ୍ୟାଗ୍‌ଭର୍ତ୍ତି ସ୍ୱପ୍ନ ଓ ଅନୁଭବ ନେଇ । ରେଳଗାଡ଼ି ଦେଖି ନଥିବା ଆମପରି ସହପାଠୀମାନଙ୍କୁ ସେ ତା’ ପାସଙ୍ଗରେ ପକଉ ନଥିଲା ଓ କଥା କହିବା ବେଳେ କେମିତି ଗୋଟାଏ ବେଖାତିର ଭାବ ସେ ଆମ ଉପରକୁ ଫିଙ୍ଗି ଦେଉଥିଲା କଲିକତାରୁ ଆଣିଥିବା ଗୋଟାଏ ଚକୋଲେଟ୍‌ କିମ୍ବା ବିସ୍କୁଟ୍‌ ସାଙ୍ଗରେ ମିଶେଇ ।

 

‘ତମେମାନେ ତ ହାଓଡ଼ା ପୋଲ ଦେଖିନାହଁ’ ସେ କଥା ଆରମ୍ଭ କରୁଥିଲା ଏହିପରି ଓ କହୁଥିଲା, “କଲିକତାର ରାସ୍ତାଘାଟ, କୋଠାବାଡ଼ି ଅଲଗା ଢଙ୍ଗର । ତମକୁ କିମିତି କହିବି ଭିକ୍ଟୋରିଆ ମେମୋରିଆଲ୍‌ର ଜିଅନ୍ତା ଛବିମାନଙ୍କ କଥା ।” ସେ ଆମର ଅଜ୍ଞତା ପ୍ରତି ଦୟା ପ୍ରଦର୍ଶନ କରୁଥିଲା ଓ କେବଳ ତା’ର ସହାଧ୍ୟାୟୀ ହେଇଥିବାର ସୁଯୋଗ ପାଇଥିବା ହେତୁ ସେ ଆମମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିବାକୁ ବାଧ୍ୟ ହେଉଥିଲା ।

 

ନୀରଦା ତା’ପରେ କହୁଥିଲା ପ୍ଲାନେଟରିୟମ୍‌ କଥା, ସର୍କସ କଥା ଓ ବେଳେବେଳେ ସିନେମା ଦେଖିବା କଥା । ସିନେମା ବିଷୟଟି ଆମ ଶ୍ରେଣୀର ସବୁଠୁ ବୁଦ୍ଧିମାନ୍‌ ବାଳକ ଅଜୟ ବି ବୁଝିପାରୁ ନ ଥିଲା । ହଲ୍‌ ଭିତରେ ଗାଡ଼ି ମଟର, ହାତୀ ଘୋଡ଼ା, ମେଘ ପବନ କିଛି ନ ଥାଇ କେମିତି ସିନେମାରେ ସେ ସବୁଯାକ ଘଟଣା ଦେଖିହୁଏ ତାହା ଆମେ କେହି ବୁଝିପାରୁ ନ ଥିଲୁ ।

 

ଏହିସବୁ ଦୃଷ୍ଟିରୁ ନୀରଦା ଆମ ପାଖେ ଥିଲା ଗୋଟାଏ ସଶ୍ରଦ୍ଧ ବ୍ୟକ୍ତିତ୍ୱ । ତା’ର କଲିକତୀ ବେଶପୋଷାକ, ନେଳୀ ଚଷମା ଓ ନାଲି ଟୋପି, ବସ୍ତାନି ଭର୍ତ୍ତି ରଙ୍ଗବେରଙ୍ଗୀ ବହି ଓ ସ୍ୱପ୍ନବୋଳା ଅନୁଭବକୁ ନେଇ ସେ ଥିଲା ଆମ ଗହଣର ଏକକ ରାଜପୁତ୍ର । ଆମେ ସବୁ ତା’ର ଦୟା ଓ କରୁଣା ଆଶାୟୀ ଅକିଞ୍ଚନ ପ୍ରଜାକୁଳ । ତା’ର ସାନ୍ନିଧ୍ୟ ଲାଭ କରି କୃତ୍ୟ କୃତ୍ୟ ହେଉଥିଲୁ ।

 

ଅନୁଭୂତି ଓ ଅଭିଜ୍ଞତାରେ କେବଳ ନୁହେଁ, ସାହସ ଓ ପ୍ରତ୍ୟୁତ୍ପନ୍ନମତିତାରେ ମଧ୍ୟ ନୀରଦା ଥିଲା ଆମ ପିଲାଙ୍କ ଭିତରୁ ସବୁଠୁ ଆଗରେ । ଆମ୍ବଗଛରୁ ଆମ୍ବ ଝଡ଼େଇବା, ରାତି ଅଧରେ ମଶାରି ସହାୟତାରେ ସ୍କୁଲ୍‌ ପଛ ପୋଖରୀରୁ ମାଛ ଧରିବା, ମାଷ୍ଟ୍ରମାନଙ୍କୁ ଭୁଅଁ ବୁଲେଇ ହଷ୍ଟେଲ୍‌ ବିଛଣାରେ ତକିଆମାନଙ୍କୁ ଶୁଆଇ ଦେଇ ଯାତ୍ରା ଦେଖିବାକୁ ଚାଲିଯିବା ଭଳି ଦୁଃସାହସିକ କାର୍ଯ୍ୟରେ ନୀରଦାର ଭୂମିକା ଥିଲା ଉଲ୍ଲେଖନୀୟ । ତା’ର ଏହିସବୁ ଗୁଣ ପାଇଁ ଆମେ ତାକୁ ନେତାର ସମ୍ମାନ ଅବଶ୍ୟ ଦେଉଥିଲୁ ।

 

ଦଶମ ଶ୍ରେଣୀ ସରସ୍ୱତୀ ପୂଜା ବେଳର କଥା । ନୀରଦାର ଆଉ ଗୋଟାଏ ଦୁଃସାହସିକ କାର୍ଯ୍ୟ ସମ୍ପର୍କରେ ସେଇ ବର୍ଷ ପ୍ରଥମଥର ପାଇଁ ଆମେମାନେ ଖବର ପାଇଲୁ । ଏତେବଡ଼ କାମଟାଏ ଯେ ଆମ ବୟସର ସହପାଠୀ ଜଣେ କରିପାରେ, ତାହା ଆମର ଧାରଣା ଭିତରେ ନଥିଲା ।

 

ନୀରଦାକୁ ସେତେବେଳେ ବୟସ ପନ୍ଦର କି ଷୋହଳ । ଭଲ ଚେହେରା, ଚଉଡ଼ା ଛାତି–ଦେଖିବା ଲୋକ କହିବ ପଚିଶ ଛବିଶ ବର୍ଷର ଯୁବକଟିଏ । ସେତେବେଳକୁ ତ ସିଏ ପାନ, ବିଡ଼ି, ଗୁଡ଼ାଖୁ, ସିଗ୍ରେଟ୍‌ ଅମଳ ସବୁ ପାଣି କରି ସାରିଥାଏ । ସରସ୍ୱତୀ ପୂଜା ପରେ ସବୁ ପିଲାଏ ଘରକୁ ଚାଲିଗଲେ । ଖାଇପିଇ ସଞ୍ଜକୁ ଆସିଲେ ଡ୍ରାମା । ଏକା ନୀରଦାର ଦେଖାନାହିଁ, ଆଉ ଦେଖାନାହିଁ ପ୍ରମିଳାର । ପ୍ରମିଳା ଆମ ସ୍କୁଲର ସବୁଠୁ ସୁନ୍ଦରୀ ଝିଅ ଥିଲା । ସେ ପଢ଼ୁଥିଲା ନୀରଦା ସାଙ୍ଗରେ, ଆମଠୁ ଗୋଟାଏ କ୍ଲାସ୍‌ ଉପରେ । ଫୁଲେଇ ଝିଅ । ନୀରଦା କେତେଥର ତାକୁ ହିଁ ହସେ, ଆଖିରେ ଆଖିରେ ତା’ ସାଙ୍ଗେ କଥାବାର୍ତ୍ତା କରେ–ପିଲାମାନେ କୁହାକୁହି ହୁଅନ୍ତି । ମାତ୍ର ଆମ ଭିତରୁ ଅଧିକାଂଶ ଏପରି ଏକ ବିପଦଜନକ କାର୍ଯ୍ୟ ସମ୍ବନ୍ଧରେ ଅଧିକ ଆଗ୍ରହୀ ହେବାକୁ ପସନ୍ଦ କରୁ ନଥିଲୁ, ଯଦିଓ ମନେ ମନେ ନୀରଦାକୁ ତାରିଫ କରୁଥିଲୁ ।

 

ସରସ୍ୱତୀ ପୂଜା ସଞ୍ଜବେଳେ ନୀରଦା ଓ ପ୍ରମିଳା ଦୁହେଁ କାହାକୁ କିଛି ନ କହି କୁଆଡ଼େ ଉଭାନ୍‌ ହୋଇଗଲେ । ରାତି ନଅଟା ଦଶଟାବେଳକୁ ଡ୍ରାମା ଚାଲିଥିବା ବେଳେ ପ୍ରମିଳା ଫେରି ଆସିଲା ତା’ ଘରକୁ ଓ ତା’ ବୋଉର ରାଗରୋଷାୟିତ ପ୍ରଶ୍ନ ‘କୁଆଡ଼େ ଯାଇଥିଲୁ’ ଉତ୍ତରରେ ସେ ଅତ୍ୟନ୍ତ ନିର୍ଲିପ୍ତ କଣ୍ଠରେ, “ମୋର ହଠାତ୍‌ ଇୟେ ହେବାରୁ ମୁଁ ପୋଖରୀ ଆଡ଼େ ଚାଲିଯାଇଥିଲି, ତୁ ମିଛଟାରେ ବ୍ୟସ୍ତ ହେଉଛୁ” କହି ଚୁପ୍‌ଚାପ୍‌ ଶୋଇବା ଘର ଭିତରକୁ ପଶିଯାଇଥିଲା । ଆମେମାନେ ପ୍ରମିଳାର ସେହି ନୈଶାଭିସାର ସମ୍ପର୍କରେ ଅଧିକ କିଛି ଜାଣିବା ପାଇଁ ଯେହେତୁ ଆଗ୍ରହୀ ନଥିଲୁ, ସେ ଦୃଷ୍ଟିରୁ ପ୍ରମିଳାର ତତ୍‌କ୍ଷଣାତ୍‌ କେଉଁ କୈଫିୟତ ତା’ର କଳିହୁଡ଼ୀ ବୋଉକୁ ନିରବ କରିଦେଇ ପାରିଲା, ସେ ସମ୍ବନ୍ଧରେ ମଧ୍ୟ ମୁଣ୍ଡ ଖେଳାଉ ନଥିଲୁ ।

 

ମାତ୍ର ଏହାପରେ ନୀରଦା ଆମ ଦୃଷ୍ଟିରେ ଜଣେ ଅତ୍ୟନ୍ତ ସମ୍ମାନାସ୍ପଦ ଅଭିଭାବକ ପାଲଟି ଯାଇଥିଲା । ତା’ର ସବୁଯାକ ନିର୍ଦ୍ଦେଶକୁ ଆମେ ଅକ୍ଷରେ ଅକ୍ଷରେ ପାଳନ କରୁଥିଲୁ ଏବଂ ତା’ ପରି ଜଣେ ସାହସୀ ଯୁବକର ସାନ୍ନିଧ୍ୟ ଲାଭ କରିଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁଥିଲୁ-। ଆବଶ୍ୟକ ପଡ଼ିଲେ ‘ତମ ପାଇଁ ଆମେ ଜାନ୍‌ ଦେଇଦେବୁ’ ବୋଲି ଅନାବଶ୍ୟକ ପ୍ରତିଶ୍ରୁତି ମଧ୍ୟ ତାକୁ ଦେଉଥିଲୁ ।

 

ପରେ ପରେ ଆସିଲା ମାଟ୍ରିକ୍‌ ପରୀକ୍ଷା । ନୀରଦା ପ୍ରଥମ ବର୍ଷ ଫେଲ୍‌ ହେଇ ଆମ ସାଙ୍ଗେ ଆଉ ଥରେ ପରୀକ୍ଷା ଦେଲା । ପ୍ରମିଳା ତାକୁ ବାରମ୍ବାର ଚିଠିପତ୍ର ଦେଇ ପରିଶେଷରେ ଅନ୍ୟତ୍ର କୁଆଡ଼େ ବାହା ହେଇଗଲା ଓ ନୀରଦା ସେ ସମ୍ପର୍କରେ ଟିକିଏ ବି ଦୁଃଖ ପ୍ରକାଶ କଲାନାହିଁ-। ପରୀକ୍ଷା ପରେ ପରେ ନୀରଦା ଚାଲିଗଲା ତା’ ଘରକୁ ଓ ମୁଁ ମୋ ବାପା ଚାକିରି କରୁଥିବା ସହରକୁ । ଅନେକ ଦିନ ପର୍ଯ୍ୟନ୍ତ ଦେଖାସାକ୍ଷାତ ନ ଥିଲା ।

 

କିଛିଦିନ ତଳେ ଖବର ପାଇଥିଲି ନୀରଦା ଘରଉପର ଦେଇ ଝଡ଼ଟେ ବହିଯାଇଛି । ବୁଢ଼ା ବୟସର ନୀରଦାର ବାପା କଲିକତାର କେଉଁ ଜଣେ ବଙ୍ଗୀୟ ବିଧବାଙ୍କୁ ବାହାହେଇ ପଡ଼ିଛନ୍ତି-। ସେ ଆଉ ଗାଆଁକୁ ପ୍ରାୟ ଆସୁ ନାହାନ୍ତି କି ନୀରଦା କଲିକତା ଯାଉନାହିଁ । ନୀରଦାର ନିଜ ବୋଉ ଅନେକ ଆଗରୁ ମରିଯାଇଥିଲା । ନୀରଦା ବାପାର କାମକୁ ବରଦାସ୍ତ କରି ନପାରି ଘର ଛାଡ଼ି ଦେଇଥିଲା ।

 

ନୀରଦା ପାଇଁ ମନ ଦୁଃଖ ହେଇଥିଲା । ଖୁବ୍‌ ଖୁସି ମିଜାଜର ମଣିଷ ସେ, ବଡ଼ ଦୁଃଖ ପାଇଥିବ । ପରେ ପରେ ଖବର ପାଇଲି, ସେ ବାହା ହେଇଛି ।

 

ରାସ୍ତା ସରିଆସିଥିଲା । ମୁଁ ମନେ ମନେ ସ୍ଥିର କଲି, ଯେମିତି ହେଉ ରବିବାର ଦିନ ନୀରଦା ଘରକୁ ଯିବି । ଏତେବର୍ଷ ପରେ ଦେଖାଚାହାଁ ଯେତେବେଳେ ହେଇଛି, କିଛି ସମୟ ନ ଗପିଲେ ମନଟା ହାଲୁକା ଲାଗିବ ନାହିଁ ।

 

ରାତିରେ ନୀଳିମାକୁ କହିଲି ନୀରଦା ସାଙ୍ଗେ ଭେଟ ହେବା କଥା । ଆଗରୁ କେତେଥର ତା’ ସମ୍ପର୍କରେ ମୁଁ ନୀଳିମାକୁ କହିଥିଲି । ନୀରଦାକୁ ଦେଖିଯିବା ପାଇଁ ସେ ବି ଚାହୁଁଥିଲା । ମୁଁ କହିଲି, ରବିବାର ଦିନ ମୁଁ ଆଗେ ଯାଇ ଘରଟା ଦେଖିଆସେ । ତା’ପରେ ଦୁହେଁ ଯିବା, ସେମାନଙ୍କୁ ବି ଡାକି ଆସିବା ।

 

ରବିବାର ଅପରାହ୍‌ଣ । ମାଷ୍ଟର କ୍ୟାଣ୍ଟିନ୍‌ରେ ଟାଉନ୍‌ ବସ୍‌ରୁ ଓହ୍ଲେଇ ନୀରଦା ବତେଇଥିବା ପ୍ରକାରେ ଓଭରବ୍ରିଜ୍‌ ପାରହେଇ କଟକ ରୋଡ୍‌ ଅଞ୍ଚଳରେ ପହଞ୍ଚିଗଲି । ନୀରଦାର ଘରଟା ଖୋଜି ପାଇବାକୁ ଟିକିଏ କଷ୍ଟ ହେଲା । ଗୋଟାଏ ଦୋ-ତାଲା ଘର ପଛପଟେ ଥିବା ଗ୍ୟାରେଜ ଘରଟାରେ ହିଁ ରହୁଥିଲା ନୀରଦା ଓ ତା’ ସ୍ତ୍ରୀ । ବାରଣ୍ଡାରେ ଆଜବେଷ୍ଟସ୍‌ ପଡ଼ି ରୋଷେଇ ଘରଟେ ସାମ୍ନାପଟକୁ ।

 

ନୀରଦା ପୁଣି ଏମିତି ଏକ ପରିବେଶରେ ! ମୁଁ ଟିକିଏ ଦୁଃଖିତ ହେଲି । ପିଲାଦିନୁ ବଡ଼ ଅୟସରେ ବଢ଼ିଥିଲା ନୀରଦା । ତା’ର ଜୋତା, ଜାମା, ପ୍ୟାଣ୍ଟ୍‌, ଟୋପି, ଛତା ଆମମାନଙ୍କ ପାଇଁ ଥିଲା ସ୍ୱପ୍ନ ଦୁର୍ଲଭ । ନୀରଦା ଘରୁ ବାହାରିଆସି ମୋ ହାତଧରି ଝିଙ୍କିନେଲା, “ଆରେ ଭିତରକୁ ଆସୁନୁ, ସେଠି କ’ଣ ଛିଡ଼ା ହେଇଛୁ ?”

 

ମୁଁ ଘର ଭିତରକୁ ଯାଇ ଏଆଡ଼େ ସେଆଡ଼େ ଆଖି ପହଁରେଇଲି । ଅନ୍ଧାରିଆ ପରିବେଶ-। ଷାଠିଏ ୱାଟ୍‌ର ବଲ୍‌ବଟିଏ ଜଳୁଛି । ଘରର ଗୋଟାଏ କୋଣରେ କେତେଖଣ୍ଡ ବହି, ଭଙ୍ଗା ହାର୍ମୋନିୟମ୍‌ଟିଏ ଓ ଆଖଣ୍ଡଳମଣିଙ୍କ ଫଟୋ । ଆର କୋଣରେ ମୂଷାମାଟି ପରି ଥୋଡ଼ାଏ ବାଲି, ଆଠ ଦଶଖଣ୍ଡ ଇଟା ଓ ପୁରୁଣା ଲୁହାଛଡ଼ । ମଝି ଅରାଏ ଜାଗାରେ ଆମେ ବସିଥାଉ । ଦିଇଟା ଟିଣ ଚୌକି ଓ ଗୋଟାଏ ଭଙ୍ଗା ଟି-ପୟ । ଏମିତି ଏକ ପରିବେଶରେ ନୀରଦା ରହୁଥିବ ବୋଲି ମୁଁ କଦାପି ଚିନ୍ତା କରି ନ ଥିଲି । ମୁଁ ପଚାରିଲି, “ଖୁଡ଼ୀ ନାହାନ୍ତି କି, ତାଙ୍କୁ ଦେଖୁନି ଯେ !”

 

ନୀରଦା କହିଲା, “ସିଏ ଏଇଠିକି କେଉଁଠି ଯାଇଛି, ଆସିଯିବ । ତୁ ବସ୍‌, ମୁଁ ଦି’ କପ୍‌ ପାଇଁ କହିଆସେ ।”

 

ନୀରଦା ରାସ୍ତା ସେପଟ କ୍ୟାବିନ୍‌ରେ ଦୁଇ କପ୍‌ ଚା’ ପାଇଁ ଅର୍ଡ଼ର ଦେଇ ଆସିଲା ।

 

ମୁଁ କହିଲି, “ନୀରଦା, ଗୀତ ସଉକଟା ଏଯାଏ ତମେ ରଖିଛ ଦେଖୁଛି ।” ତା’ପରେ ସେହି ଭଙ୍ଗା ହାର୍ମୋନିୟମ୍‌ ଆଡ଼େ ମୁଁ ତା’ ଦୃଷ୍ଟି ଆଡ଼େଇ ନେଲି ।

 

ନୀରଦା ଉଦାସ କଣ୍ଠରେ କହିଲା, “ଗୀତ, ବାଜା ଆଉ ଶିଖିଲି କେତେବେଳେ ? ତବଲା ହଳକ ବିକିଦେଲି । ହାର୍ମୋନିୟମଟା ଭାଙ୍ଗିଯାଇଛି, କିଏ ଜଣେ ଜୁଟିଲେ ଦେଇଦିଅନ୍ତି । ସେସବୁ ସେଇମିତି ସ୍ୱପ୍ନ ହେଇକି ରହିଗଲା ।”

 

ମୁଁ ଏଥର ସିଧାସଳଖ ପଚାରିଲି, “ନୀରଦା, ତମ କ’ଣ ଭଲରେ ନାହଁ ?”

 

ନୀରଦା ବଡ଼ କଷ୍ଟରେ ହସ ଚେନାଏ ଉକୁଟେଇ କହିଲା, “ଭଲରେ ନ ଥିଲି । ଏବେ କିନ୍ତୁ ଭଲରେ ରହିବାର ବ୍ୟବସ୍ଥା କରିଛି । ତୁ ଆସିଲାବେଳେ ଲକ୍ଷ୍ୟ କରିଥିବୁ ଗୋଟାଏ ସାଇନ୍‌ବୋର୍ଡ଼ । ମୁଁ ଇଟା, ଚିପ୍‌ସ, ବାଲି ସପ୍ଲାଇ ବେପାର ଆରମ୍ଭ କରିଛି । ଦେଖୁନୁ, ଇଟା ସାମ୍ପୁଲ୍‌-।”

 

“ତମେ ପରା ଚାକିରି କରୁଥିଲ ?” ମୁଁ ପଚାରିଲି ।

 

–ହଁ, ଛାଡ଼ିଦେଲି । ସେ ଷ୍ଟେନୋ ଟାଇପିଷ୍ଟ୍‌ ଚାକିରିଠୁ ଏ ବେପାର ଭଲ । ଦେଖିବୁ ଛଅମାସ ପରେ କେମିତି ମାଲାମାଲ ହେଇଯିବି । ତୋର ଘରକାମ ହେଲେ ମୋତେ କହିବୁ ?

 

–ଖୁଡ଼ୀ ଫେରିଲେ ନାହିଁ ଯେ !

 

ନୀରଦା ଏଥର ଟିକିଏ ବ୍ୟଗ୍ର କଣ୍ଠରେ କହିଲା, “ଆସୁଥିବ । କିଏ ଜଣେ ରିଲେଟିଭ୍‌ ତା’ର ଆସିଥିଲେ । ତାଙ୍କରି ସାଙ୍ଗରେ ଯାଇଛି; ଆସୁଥିବ । ଭାରି ସ୍ନେହୀ ମଣିଷ । ତାରି ଯୋଗୁ ମୁଁ ଚଳିଯାଉଛି । କଷ୍ଟରେ ରହୁଛି ବିଚାରୀ ।”

 

ଏହାପରେ ଆମର ଏଆଡ଼ୁ ସେଆଡ଼ୁ ଗପ ଚାଲିଲା । କିଛି ସମୟ ପାଇଁ ମୁଁ ନୀରଦାର ଦୁଃସ୍ଥିତିକୁ ଭୁଲିଯାଇଥିଲି । ଯିଏ ଯେଉଁ ଅବସ୍ଥାରେ ଅଛି ସେଇ ଅବସ୍ଥାରେ ଥାଉ । କାହା ପ୍ରତି ଦୟା ଦେଖାଇବା ମଣିଷପଣିଆ ନୁହେଁ । ସେଇଟା ଗୋଟାଏ ଅହଙ୍କାର ନଇଲେ ହୀନମନ୍ୟତା ।

 

ରାତି ଆଠଟା ବେଳକୁ ମୁଁ ଫେରିଲି । ନୀରଦା ଖୁବ୍‌ ବ୍ୟସ୍ତ ହେଲା, “ତୁ ଆସିଲୁ–ତୋ ଖୁଡ଼ୀ ସାଙ୍ଗେ ଦେଖାହେଲା ନାହିଁ । ସେ ଦେଖିଥିଲେ ଖୁସି ହୋଇଥାନ୍ତା । ପକୁଡ଼ି ଛାଣି ଖୁଆଇଥାନ୍ତା । ଆଉ ଟିକିଏ ରହିଲୁ ନାହିଁ ।”

 

ମୁଁ କହିଲି, “ହଉ, ଆଉ କେତେବେଳେ ଆସିବି । ଘରଟା ତ ଦେଖିଗଲି–ଏଣିକି କିଛି ଅସୁବିଧା ହେବନାହିଁ ।”

 

ନୀରଦା ଘରୁ ଫେରିଆସିବା ପରେ ନୀଳିମା ଜିଦ୍‌ କଲା, “ଏଥର ମୁଁ ତମ ସାଙ୍ଗରେ ଯିବି । ଏତେ ସୁନ୍ଦର ଲୋକ ସେମାନେ, ପିଲାଦିନେ ତମକୁ କେତେ ସାହାଯ୍ୟ କରିଛନ୍ତି ! ମୁଁ ନିଶ୍ଚୟ ଯିବି । ଏଠି ଏକା ବସି ରହିବାକୁ ବିରକ୍ତ ଲାଗୁଛି ।”

 

ମୁଁ ପ୍ରସ୍ତାବ ଦେଲି, “ଯିବା ଯଦି ସେ ଦୁହିଁଙ୍କୁ ନିମନ୍ତ୍ରଣ କରିଆସିବା । ଆସନ୍ତା ରବିବାର ଆମ ଘରେ ସେମାନେ ଖାଇବେ ।”

 

ନୀଳିମା ରାଜିହେଲା ।

 

ନୀରଦା ଘରେ ପହଞ୍ଚିଲା ବେଳକୁ ଘର ସାମ୍ନାରେ ଛୋଟ ତାଲାଟିଏ ଝୁଲୁଛି । ରାସ୍ତା ଉପରର ସେ ସାଇନ୍‌ବୋର୍ଡ଼ଟା ବି ନାହିଁ । କିଛି ସମୟ ଅପେକ୍ଷା କଲୁ । କ୍ୟାବିନ୍‌ରୁ ଚା’ ପିଇଲୁ । କ୍ୟାବିନ୍‌ବାଲା ଅନେକ ସମୟ ପରେ ପଚାରିଲା, “ଆପଣ ନୀରବାବୁଙ୍କୁ ଅପେକ୍ଷା କରୁଛନ୍ତି କି ?”

 

ମୁଁ କହିଲି, “ହଁ, ତମେ କେମିତି ଜାଣିଲ ?”

 

କ୍ୟାବିନ୍‌ବାଲା ଉତ୍ତର ଦେଲା, “ଆପଣ ଗଲା ରବିବାର ଆସିଥିଲେ; ସେଥିପାଇଁ ପଚାରିଲି । କିନ୍ତୁ ନୀରବାବୁ ତ ଏ ଘର ଛାଡ଼ିଦେଲେଣି ।”

 

ଆଶ୍ଚର୍ଯ୍ୟ ହେଲି । “ସେମାନେ କିନ୍ତୁ କୁଆଡ଼େ ଗଲେ ?”

 

କ୍ୟାବିନ୍‌ବାଲାଟି ନିର୍ଲିପ୍ତ କଣ୍ଠରେ ଉତ୍ତର ଦେଲା, “ସେମାନେ ଆଉ ବା କିଏ ? ତାଙ୍କ ସ୍ତ୍ରୀ ତ କେଉଁଦିନରୁ ଗୋଟାଏ କଣ୍ଟ୍ରାକ୍ଟର ସାଙ୍ଗେ ପଳାଇ ଯାଇଥିଲା । ତାକୁ ଅପେକ୍ଷା କରି କରି ନୀରବାବୁ ଏଠି ଥିଲେ । କାଳେ ଫେରି ଆସିବ ବୋଲି ସବୁଦିନ ରାସ୍ତାକୁ ଚାହିଁ ରହୁଥିଲେ । ପୁରୁଣା ବହିପତ୍ର, ଖଟ ଆଲମାରି ସବୁ ବିକିଦେଲେ ସ୍ତ୍ରୀକୁ ଖୋଜିବା ପାଇଁ । ସେପରି ମାଇକିନା କ’ଣ ଘରକୁ ଫେରନ୍ତି ବାବୁ ? ଓଲେଈ ଗାଈ ସେମାନେ, ଚାରିଆଡ଼େ ବୁଲିବାରେ ତାଙ୍କର ମନ । ଗୋଟାଏ ଜାଗାରେ ବାନ୍ଧିହେବେ ନାହିଁ କଦାପି ସେମାନେ ।”

 

ମୋ ପାଖେ ନୀଳିମା ଛିଡ଼ା ହେଇଥିଲା । କ୍ୟାବିନ୍‌ବାଲାଟି ଜିଭ କାମୁଡ଼ି ଦେଇ କହିଲା, “ମା’ କିଛି ଖରାପ ଭାବିବେ ନାହିଁ । କିନ୍ତୁ ସେ ମାଇକିନା ନୀରବାବୁଙ୍କୁ କ’ଣ କମ୍‌ କନ୍ଦେଇଛି ? ରାତିଦିନ ଅଦଉତି କରେ–ଆଜି ଲୁଗା ଆଣ, କାଲି ସ୍ନୋ, ପାଉଡର ଆଣ, ପଅରଦିନ ସିନେମା ବୁଲେଇ ନିଅ–ଏଇମିତି ତା’ର ତ ଫରମାସୀ ଲିଥିବ; ଆଉ ତାଙ୍କରି ପାଇଁ ବାବୁ ବର୍ଷ ଦିଇଟାରେ ସର୍ବସ୍ୱାନ୍ତ ହେଇଗଲେ । ଗୋଟି ଗୋଟି ହେଇ ସବୁ ଜିନିଷ ବିକ୍ରିବଟା କରିଦେଲେ ନୀରବାବୁ ।”

 

ମୁଁ ଆଉ ସେଠି ଛିଡ଼ାରହି ଏସବୁ ଶୁଣିବାକୁ ହୁଁ ନ ଥିଲି । ମୋ ଭିତରେ କେଉଁଠି କ’ଣ ସବୁ ଭାଙ୍ଗିରୁଜି ଯାଉଥିଲା । ମୁଁ ନୀଳିମାକୁ “ଆସ” ବୋଲି କହି ଚାଲିବାକୁ ଆରମ୍ଭ କରିଦେଲି ।

 

ବାଟସାରା ମନେ ପଡ଼ୁଥିଲା ନୀରଦାର କଥା । ମୋତେ ଏପରି ମିଛ କହିବାର କାରଣ କ’ଣ ? କୁଆଡ଼େ ଗଲେ ତା’ର ସ୍ତ୍ରୀ ? କାହିଁକି ପଳେଇଗଲେ ? ଗତ ସପ୍ତାହରେ ତା’ହେଲେ କ’ଣ ମିଛଟାରେ ନୀରଦା ଅପେକ୍ଷା କରୁଥିଲା ଖୁଡ଼ୀଙ୍କୁ ? ଏପରି ଅଭିନୟର ପ୍ରୟୋଜନ କ’ଣ ଥିଲା ?

 

ମୁଁ ଭାବୁଥିଲି, ଏ ସବୁଠୁ ଭଲ ହେଇଥାନ୍ତା, ଯଦି ନୀରଦା ସାଙ୍ଗେ ଆଦୌ ଦେଖା ହେଇନଥାନ୍ତା । ସ୍ମୃତି ସାମ୍ରାଜ୍ୟରେ ଏକ ନାୟକ ହେଇ ଚିରକାଳ ରହିଥାନ୍ତା ନୀରଦା ।

 

ନୀଳିମା ଢେର୍‌ ଆଗରେ ହେଲାଣି, ଅଥଚ ମୋର ପାଦ ଦୁଇଟିରେ କିଏ ଯେପରି ଶିକୁଳି ପିନ୍ଧେଇ ଦେଇଛି ।

Image

 

ନିଜ ସହ ମୁହାଁମୁହିଁ

 

ବାପାଙ୍କର ଆସିବାରେ ଆଜି ଏତେ ଡେରି ହେଉଛି କାହିଁକି ? ଦୀର୍ଘ ପ୍ରତୀକ୍ଷା ଜନିତ କ୍ଳାନ୍ତି, ବିରକ୍ତି ଓ କୌତୂହଳକୁ ଏପରି ଗୋଟାଏ ବାକ୍ୟରେ ପ୍ରକାଶ କରିବାକୁ ଚାହୁଁଥିଲା କସ୍ତୁରୀ ।

 

ମିଠାମିଠି କିଣି ଫେରୁଥିବେ । ସେଇପାଇଁ ବୋଧହୁଏ ଡେରି ହଉଛି । ନହେଲେ ସାଙ୍ଗମାନଙ୍କ ସାଙ୍ଗରେ ଖୁସି ମନେଇବାକୁ କ୍ଳବ୍‌ଆଡ଼େ ଲିଯାଇଥିବେ । କ୍ଳବ୍‌ ଯିବାପାଇଁ ତ ଏହିପରି ବାହାନା ଗୋଟାଏ ଦରକାର ନା ? ଶ୍ରୀମତୀ ଚୌଧୁରୀ ଝିଅ ପ୍ରଶ୍ନର ଉତ୍ତର ଦେଲେ ।

 

ଡ୍ରଇଂରୁମ୍‌ର ସୋଫାରେ ବିଭିନ୍ନ ଭଙ୍ଗୀରେ ବସିଥାଆନ୍ତି ଶ୍ରୀମତୀ ଚୌଧୁରୀ, ଝିଅ କସ୍ତୁରୀ, ବଡ଼ପୁଅ ଲଳିତ, ପିଲାମାନଙ୍କର ମାମୁ ଶିବଙ୍କର ମହାପାତ୍ର ଓ ସାନଝିଅ କୁସୁମ । ସେମାନେ ସମସ୍ତେ ଆଜି ମିଳିତ ଭାବେ ବାପାଙ୍କୁ ଅପେକ୍ଷା କରିବାର ଏକ ବିଶେଷ କାରଣ ରହିଛି-। କାରଣଟା ଜାଣିବା ପାଇଁ ବାପାଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ । ତେବେ କାରଣ ଯାହା ହଉନା କାହିଁକି ସମସ୍ତେ କିନ୍ତୁ ବ୍ୟଗ୍ର ଓ ଉଦ୍‌ବିଗ୍ନ ।

 

ରାତି ଆଠଟା ବାଜିଲାଣି । ଗ୍ରାମ୍ୟଗୋଷ୍ଠୀ ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ଆର୍ତ୍ତବଲ୍ଲଭ ଚୌଧୁରୀ କିନ୍ତୁ ନିଜର ଅଫିସ୍‌ ରୁମ୍‌ ଭିତରେ ଏକାକୀ ବସି ରହିଛନ୍ତି । ଏହା ଭିତରେ ଷ୍ଟେନୋ, ଚପରାସୀ ସମସ୍ତେ ଅଫିସ୍‌ରୁ ଚାଲିଗଲେଣି । ସଚିବାଳୟ କରିଡ଼ରରେ ସ୍କୁଲ ଛୁଟି ପରର ନିର୍ଜନତା । ଚାବି ପକେଇବା ପାଇଁ କେଦାର ଥରେ ଦୁଇଥର ଆସି ବୁଲିଗଲାଣି । ଚଟି ଘୋଷରା ଶବ୍ଦରେ ସେ ତା’ ତରଫରୁ ଚୌଧୁରୀଙ୍କୁ ସମୟ-ମନସ୍କ କରାଇବାର ପ୍ରଯତ୍ନ କରି ସାରିଲାଣି । ପଙ୍ଖା ପବନରେ ଟେବୁଲ ଉପରର କାଗଜଗୁଡ଼ାକ ଉଡ଼ୁଛି । ଜଳା ସିଗାରେଟ୍‌ ଟୁକୁଡ଼ାରେ ଆସ୍‌-ଟ୍ରେ ପୂରିଗଲାଣି । ହାତରେ ଧରିଥିବା ସିଗାରେଟ୍‌ ଧୂଆଁର କୁଣ୍ଡଳୀ ଉଠୁଛି ଉପରକୁ । ଚୌଧୁରୀ ବସିଛନ୍ତି ।

 

କୌଣସି ଗୋଟାଏ ଜଟିଳ ସମସ୍ୟାରେ ପଡ଼ିଗଲେ ଏଇ ରକମର ହାବଭାବ ଦେଖା ଯାଇଥାଏ ଚୌଧୁରୀଙ୍କର । ନହେଲେ ସେ ଜଣେ ଖୁବ୍‌ ଖେଳୁଆଡ଼ ସ୍ୱଭାବର ମଣିଷ । ଏତେବେଳେ ସେ କ୍ଲବ୍‌ରେ ରହିବା କଥା, ନ ହେଲେ ଘରେ ପିଲାମାନଙ୍କ ଗହଣରେ । ଗୋଟାଏ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ନିଷ୍ପତ୍ତି କରିପାରୁ ନ ଥିବାରୁ ସେ ଏଯାଏଁ ଘରକୁ ଯାଇପାରୁ ନାହାନ୍ତି ।

 

ଘରେ ଶ୍ରୀମତୀ ଚୌଧୁରୀ କାନ୍ଥଘଣ୍ଟାକୁ ଆଉଥରେ ଚାହିଁଦେଇ ଲଳିତ ଉଦ୍ଦେଶ୍ୟରେ କହିଲେ, “ବାପା ନିଶ୍ଚୟ ତୋ ଆପଏଣ୍ଟ୍‌ମେଣ୍ଟ୍‌ ଲେଟରଟା ଇସ୍ୟୁ ହେବାର ବ୍ୟବସ୍ଥା କରିସାରି ଆସିବେ । ତୁ ବରଂ ଯା, ବାହାରୁ ବୁଲି ଆସିବୁ । ଏଠି ଅଧିକ ଟେନ୍‌ସନ୍‌ରେ ରହିବା କିଛି ଦରକାର ନାହିଁ । ମୁଁ ତାଙ୍କୁ ସକାଳେ ରାଣ-ନିୟମ ଦେଇ କହିଥିଲି ।”

 

ବଡ଼ଝିଅ କସ୍ତୁରୀ ବାପାଙ୍କ ଉପରେ ମାଆର ପ୍ରାଧାନ୍ୟ ଭଲକରି ଜାଣେ । ମାଆକୁ ଟିକିଏ ଖୁସି କରିବା ପାଇଁ କହିଲା, “ତୋର କେଉଁକଥାକୁ ବାପା ନରଖିଛନ୍ତି ଯେ ? ତୁ ମିଛଟାରେ ତାଙ୍କ ଉପରେ ବିରକ୍ତ ହଉନା... ?”

 

ପଞ୍ଚାବନ ବର୍ଷର ପ୍ରୌଢ଼ା ଶ୍ରୀମତୀ ଚୌଧୁରୀ ହସିଲେ ଏବେ ମଧ୍ୟ ସୁନ୍ଦରୀ ଦିଶନ୍ତି । ଝିଅ କଥାରେ ସେ ନ ହସି ରହିପାରିଲେ ନାହିଁ । ତା’ଛଡ଼ା ଏମିତି ପ୍ରଶଂସା ସବୁବେଳେ କ’ଣ ମିଳେ-?

 

ସେପଟେ ନିର୍ଜନ ଅଫିସ୍‌ରେ ଚୌଧୁରୀ କ’ଣ ଭାବିଚିନ୍ତି ଫୋନ୍‌ଟା ଉଠେଇଲେ । ଡାଏଲ୍‌ କଲେ ଗୋଟାଏ ଲୋକାଲ୍‌ ନମ୍ବର । ସେପଟୁ କେହି ଜଣେ ଫୋନ୍‌ ଧରିଲେ । ଚୌଧୁରୀ ପାଗଳାରେ ପଚାରିଲେ, “ସତରେ କ’ଣ ଆରପିଲାଟା ଖୁବ୍‌ ଭଲ କଲା ଇଣ୍ଟରଭ୍ୟୁରେ ?”

 

...

 

: ସବୁଯାକ ପ୍ରଶ୍ନ ଆଇ ମିନ୍‌–ସବୁ ପ୍ରଶ୍ନର ଉତ୍ତର ଦେଇପାରିଲା ପିଲାଟା ?

 

...

 

: କ’ଣ କରୁଛି ପିଲାଟା, ଜାଣନ୍ତି କି ?

 

...

 

: ବାପା ପ୍ରାଇମେରୀ ସ୍କୁଲ୍‌ ଟିଚର ?

 

...

 

: ଏଇଟା ତା’ର ବି ଲାଷ୍ଟ୍‌ ଚାନ୍‌ସ ?

 

...

 

: ଆଚ୍ଛା, ଆଚ୍ଛା, ଆପଣ ଆଉ କିଛି ସମୟ ଅପେକ୍ଷା କରନ୍ତୁ । ମୁଁ ଆପଣଙ୍କୁ ରିଙ୍ଗ୍‌ କରିବି ।

 

ରିସିଭର୍‌ଟିକୁ ଯଥାସ୍ଥାନରେ ରଖିଦେଲା ପରେ ଚୌଧୁରୀ ପୁଣିଥରେ ପୂର୍ବପରି ଚିନ୍ତାରେ ଡୁବିଗଲେ । ଲାଗ ଲାଗ ହେଇ ଦୁଇଟା ଭିନ୍ନ ଭିନ୍ନ ଦୃଶ୍ୟ ତାଙ୍କ ଆଖି ଆଗରେ ନାଚି ଯାଉଥିଲା । ସେ ଦୁଇଟି ଚିତ୍ର ଭିତରୁ କାହାକୁ ଆପଣେଇ ରଖିବେ ଏବଂ ଆଉ କାହାକୁ ଦୂରେଇ ଦେବେ ତା’ର କୌଣସି ଉତ୍ତର ଖୋଜି ପାଉ ନ ଥିଲେ ।

 

ତାଙ୍କ ଆଖି ଆଗରେ ନାଚି ଯାଉଥିବା ପ୍ରଥମ ଚିତ୍ରଟି ଏହିପରି ହୋଇପାରିଥାଏ । ଗୋଟାଏ ଡେଙ୍ଗା ଦୁର୍ବଳ ସ୍ୱାସ୍ଥ୍ୟର ଅଠେଇଶ ବର୍ଷ ବୟସ୍କ ଯୁବକ । କେଉଁ ଗୋଟାଏ କ୍ୟାରିଅର ମାଗାଜିନ୍‌ ଭିତରେ ଗୁଡ଼େଇ ଧରିଛି ଥୋଡ଼ାଏ ସାର୍ଟିଫିକେଟ୍‌, ମାଟ୍ରିକ୍‌ରୁ ନେଇ ଏମ୍‌.ଏ. ପର୍ଯ୍ୟନ୍ତ ସବୁଠି ସେ ରଖିଛି ଭଲ ନମ୍ବର, ଭଲ ଡିଭିଜନ୍‌ । ଅନେକ ଇଣ୍ଟରଭ୍ୟୁ ସାମ୍ନା କରିଛି ଗଲା ପାଞ୍ଚ ଛଅବର୍ଷ ଭିତରେ । ସବୁଠି ଭଲ କରିଛି, ଠିକ୍‌ ଠିକ୍‌ ଉତ୍ତର ଦେଇଛି ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନର । ଅଥଚ ସବୁଠି ନିରାଶ ହେଇ ଫେରିଛି । ବାପା ତା’ର ପ୍ରାଇମେରୀ ସ୍କୁଲ୍‌ର ଜଣେ ଶିକ୍ଷକ । ଘରେ ତାଙ୍କର ବଢ଼ିଲା ଝିଅ, ରୁଗ୍‌ଣା ସ୍ତ୍ରୀ । ଆଉ ଛଅମାସ ପରେ ସେ ଚାକିରିରୁ ଅବସର ନେବେ । ଅଥଚ ପୁଅଟି ଏଯାଏ କେଉଁଠି ଲାଗିଯାଇ ପାରିଲା ନାହିଁ । ଈଶ୍ୱରବିଶ୍ୱାସୀ ବାପାଟି ଅଗଣାରେ ପୂର୍ଣ୍ଣ କଳସ ବସେଇ, ତେତିଶ କୋଟି ଠାକୁର ଠାକୁରାଣୀଙ୍କୁ ମୁଣ୍ଡିଆ ମାରି ପୁଅକୁ ପଠେଇଥିବ ଇଣ୍ଟରଭ୍ୟୁକୁ । ଏଇଟା ପୁଅର ଶେଷ ସୁଯୋଗ । ଆର ସପ୍ତାହରୁ ପୁଅକୁ ପୂରିଯିବ ଅଠେଇଶ ବର୍ଷ ।

 

ବାପା ପରି ଅବଶ୍ୟ ଦୁର୍ବଳ ନୁହେଁ ପୁଅ । ଯେ ଜାଣିଛି ଅନ୍ୟାୟ ଯୁଦ୍ଧରେ କର୍ଣ୍ଣର ଭୂମିକା ତା’ର । ମିଥ୍‌ ଅଫ୍‌ ସିସିଫସ୍‌ର ସେ ହତଭାଗ୍ୟ ନାୟକ । ସେ ଭାଗ୍ୟକୁ ନିନ୍ଦୁନାହିଁ, ଆତ୍ମବିଶ୍ୱାସ ହରଉନାହିଁ । ଦୟା କରୁଛି ବରଂ ସମାଜ ବ୍ୟବସ୍ଥା ଉପରେ ।

 

ଇଣ୍ଟରଭ୍ୟୁ ବୋର୍ଡ଼ର ଅଭିଜ୍ଞ ପ୍ରଶ୍ନକର୍ତ୍ତାମାନଙ୍କ ସବୁଯାକ ପ୍ରଶ୍ନର ଉତ୍ତର ପିଲାଟି ଦେଉଛି-। ଆଉରି କଠିନ, ଆଉରି ଅସାଧ୍ୟ ପ୍ରଶ୍ନ ପଚରାଯାଉଛି ପିଲାଟିକୁ । ସେ କିନ୍ତୁ ହସି ହସି ଫେରେଇ ଦଉଚି ଉତ୍ତର, ନିର୍ବିକାର ଓ ନିର୍ଲିପ୍ତ ଭଙ୍ଗୀରେ ।

 

ଚୌଧୁରୀ ଆଖି ବୁଜିଦେଲେ ।

 

ଏଥରର ଯେଉଁ ଚିତ୍ରଟି ତାଙ୍କ ଆଖି ଆଗରେ କେହିଜଣେ ତୋଳି ଧରୁଥିଲା ସେ ଚିତ୍ରଟି ତାଙ୍କର ବେଶ୍‌ ଅନ୍ତରଙ୍ଗ । ନିଜ ପରିବାରର ଚିତ୍ର ସିଏ ।

 

ସେ ଜାଣନ୍ତି ଏଇ ମୁହୂର୍ତ୍ତରେ ତାଙ୍କୁ ଡ୍ରଇଂରୁମ୍‌ରେ ଅପେକ୍ଷା କରିଥିବ ଲଳିତ, ତାଙ୍କର ବଡ଼ପୁଅ । ଯିଏ ନିଜ ତରଫରୁ କୌଣସି ଯଥାର୍ଥ କାରଣ ନଥାଇ ବି ଏ ଚାକିରିଟା ପାଇଯିବା ସମ୍ପର୍କରେ ଥିବ ଶତ ପ୍ରତିଶତ ନିଶ୍ଚିତ ଏବଂ ତା’ ସାଙ୍ଗରେ ବସିଥିବେ ତା’ର ମାଆ, ଭଉଣୀ, ମାମୁ ଓ ଅନ୍ୟମାନେ । ତାଙ୍କ ଉପରେ ବରାଦ ଅଛି ଫେରିବା ବାଟରେ ମିଠା କିଣିନେବେ । ଏ ଚାକିରିଟା ଲଳିତର ଦରକାର । ଆସନ୍ତା ମାର୍ଚ୍ଚରେ ଚୌଧୁରୀ ନିଜେ ଚାକିରିରୁ ଅବସର ଗ୍ରହଣ କରିବେ । ପୁଅ ପାଇଁ ବାପା ଏତକ ନକଲେ ଆଉ କିଏ କରିବ ? ତା’ଛଡ଼ା ଯେଉଁ ଡିପାର୍ଟମେଣ୍ଟ୍‌ର ଚାକିରି, ସେଠାକାର ନିର୍ଦ୍ଦେଶକ ଚୌଧୁରୀଙ୍କର ଖାସ୍‌ ଅନୁଗତ । ଚୌଧୁରୀଙ୍କର ଫୋନ୍‌ କଲ୍‌କୁ ହିଁ ସେ ଅପେକ୍ଷା କରୁଛନ୍ତି ।

 

ଏପରି ସୁଯୋଗ ହାତଛଡ଼ା କରାଯାଏ ନାହିଁ । ମୂଲ୍ୟବୋଧ ଓ ଆଦର୍ଶକୁ ଜଗି ବସିଲେ ଲଳିତ ଜୀବନସାରା ବେକାର ରହିଯିବ ।

 

ସେ ମନକୁ ଦୃଢ଼କଲେ ଓ ଫୋନ୍‌ ପାଖକୁ ହାତ ବଢ଼େଇଲେ । ଆଜି ହିଁ ନିଷ୍ପତ୍ତି ନେବାକୁ ପଡ଼ିବ । ଆସନ୍ତାକାଲି ଇସ୍ୟୁ ହେବ ନିଯୁକ୍ତିପତ୍ର ।

 

ହଠାତ୍‌ ସେହି ଅପରିଚିତ ଯୁବକର ଚେହେରା ବନ୍ଦ କୋଠରି ଭିତରେ ପ୍ରମୂର୍ତ୍ତ ହେଇଉଠିଲା । ଚୌଧୁରୀ ଦେଖୁଛନ୍ତି ତାଙ୍କ ସାମ୍ନା ଚୌକି ଉପରେ ବସିଛି ସେ ଯୁବକ । ତାଙ୍କ ହାତ ଫୋନ୍‌ ପାଖରୁ ଫେରିଆସିଲା, କାରଣ ଠିକ୍‌ ଏହି ଯୁବକର ଚିତ୍ର ସେ କିଛି ସମୟ ଆଗରୁ ଦେଖିଥିଲେ ନିଜର କଳ୍ପନାରେ ।

 

ମନେପଡ଼ିଲା ନିଜ ବେକାର ବୟସର ଇଣ୍ଟର୍‌ଭ୍ୟୁ କଥା । କେହି ତାଙ୍କର ଚିହ୍ନା ପରିଚୟ ନଥିଲେ । ଅଥଚ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ସେ ପାଇଥିଲେ ଓ.ଏ.ଏସ୍‌. ଚାକିରି । ସେତେବେଳକୁ ତାଙ୍କ ଗାଆଁ କାହିଁକି, ସେ ଅଞ୍ଚଳରେ ମଧ୍ୟ କେହି ଓ.ଏ.ଏସ୍‌. ଚାକିରି ପାଇନଥିଲେ-। ମନେଅଛି ନିଯୁକ୍ତି ଖବର ପାଇବା ଦିନ ବାପା ବୋଉଙ୍କ ଆନନ୍ଦମୁଖର ଚେହେରା ।

 

ସେଦିନ ତାଙ୍କ ନିଯୁକ୍ତିପତ୍ରରେ ସ୍ୱାକ୍ଷର କରିଥିବା ଅଫିସର ଜଣକଙ୍କର କ’ଣ ପୁଅ, ଝିଅ ଅବା ସମ୍ପର୍କୀୟ କେହି ନ ଥିଲେ ? ଏମିତି ଏକ ପ୍ରଶ୍ନ ପଚାରୁଥିଲା ସେହି ଯୁବକଟି । ଚୌଧୁରୀ ଚଷମାଟିକୁ ଟେବୁଲ ଉପରୁ ଉଠେଇ ପିନ୍ଧିଥିଲେ ଓ ଚାହିଁଲେ ସାମ୍ନାକୁ । ନା ସାମ୍ନାରେ କେହି ନାହିଁ-। ଏପରି ପ୍ରଶ୍ନ ତା’ହେଲେ କିଏ ପଚାରୁଥିଲା ତାଙ୍କୁ ? ଚୌଧୁରୀ ଜାଣିଲେ, ଏସବୁ ତାଙ୍କରି ମାନସିକ ଭ୍ରମ ।

 

ମନେପଡ଼ିଲା ପୁଅ ଲଳିତର ମୁହଁ । ମନେ ମନେ ଲଳିତ ସ୍ଥିର ନିଶ୍ଚିତ ଯେ, ଏଇ ଚାକିରିଟା ତାକୁ ନିଶ୍ଚୟ ମିଳିବ । ପ୍ରକୃତପକ୍ଷେ ଯଦି ଏହି ଚାକିରିଟା ନ ପାଏ, ତା’ହେଲେ ଭୀଷଣ ପ୍ରତିକ୍ରିୟାଶୀଳ ହୋଇ ଉଠିବ ସେ । ରାଗିଯାଇ ଘରୁ ପଳେଇ ଯାଇପାରେ । ଶ୍ରୀମତୀ ଚୌଧୁରୀ କ୍ଷୁବ୍‍ଧ ହେବେ । ଲଳିତର ମାମୁ ତାଙ୍କ ସାଙ୍ଗ ଅଫିସର ମହଲରେ ପ୍ରଚାର କରିଦେବେ ଚୌଧୁରୀଙ୍କ ଅପାରଗ ପଣିଆ ।

 

ପିଲାଏ ତାଙ୍କୁ ମିଠା କିଣିନେଇ ଯିବାକୁ କହିଥିଲେ । ସେମାନେ ଅବଶ୍ୟ ଅପେକ୍ଷା କରୁଥିବେ ।

 

ଚୌଧୁରୀ ହସିଲେ । ନିଜ ଅସହାୟତା ଉପରେ ନିଜର ଦୟା ହେଲା । ପୁଣି ମନେ ହେଲା ତାଙ୍କ ଭିନ୍ନ ଆଉଜଣେ କିଏ ଯେମିତି ସେଇ ରୁମ୍‌ ଭିତରେ ଧୀରେ ଧୀରେ ଚାଲବୁଲ କରୁଛି-। କିଏ ସେ ? ସେଇ ଟୋକାଟା ଏଯାଏଁ ରୁମ୍‌ରୁ ଯାଇନି ବୋଧହୁଏ ।

 

ଚୌଧୁରୀ ପଢ଼ିଛନ୍ତି, ସବୁ ମଣିଷ ଜୀବନରେ ଏମିତି ପରୀକ୍ଷାର ମୁହୂର୍ତ୍ତ ଆସେ । ସେଇଠି ହୁଏ ତା’ର ଅସଲ ପରୀକ୍ଷା ।

 

ନିଜ ପିଲାମାନଙ୍କ ପାଇଁ ଊଣା ଖର୍ଚ୍ଚ କରିନାହାନ୍ତି ଚୌଧୁରୀ । ପିଲାଦିନୁ ଭଲ ଖୁଆଇ, ଭଲ ପିନ୍ଧାଇ ସେମାନଙ୍କୁ ମଣିଷ କରିଛନ୍ତି । ପବ୍ଲିକ୍‌ ସ୍କୁଲରେ ସେମାନେ ପଢ଼ିଛନ୍ତି, ଭଲ ଶିକ୍ଷକଙ୍କ ପାଖେ ଟିଉସନ୍‌ ହେଇଛନ୍ତି । ତାଙ୍କର ସବୁ ଛୋଟବଡ଼ ଚାହିଦାକୁ ମଧ୍ୟ ପୂରଣ କରିଛନ୍ତି ଚୌଧୁରୀ । ପିଲାମାନଙ୍କ ଲାଳନପାଳନରେ କେବେ କିଛି ଅବହେଳା କରିନାହାନ୍ତି । ଅଥଚ ତା’ ସତ୍ତ୍ୱେ ବଡ଼ପୁଅଟି କୌଣସି ପ୍ରକାରେ ଏମ୍‌.ଏ.ଟା ଭଲ ନମ୍ବର ରଖି ପାସ୍‌ କରିପାରିଲା ନାହିଁ ।

 

ଏମିତି ଦୁର୍ବଳ ପିଲାଟାକୁ କେହି ସାହାଯ୍ୟ ନକଲେ ସେ କ’ଣ ଏକା ଏକା କିଛି କରିପାରିବ ? କେବଳ ବାପା ନୁହେଁ, ଜଣେ ନାଗରିକ ଭାବେ ମଧ୍ୟ ତାଙ୍କର ଲଳିତ ପ୍ରତି କିଛିଟା ଦାୟିତ୍ୱ ନାହିଁ କି ?

 

ଚୌଧୁରୀ ଫୋନ୍‌ ଉଠେଇଲେ । ଡାଏଲ୍‌ କଲେ ପୁଣିଥରେ ସେହି ନମ୍ବର ଏବଂ ଅପରପକ୍ଷଙ୍କୁ କିଛି ଗୋଟାଏ ପ୍ରସ୍ତାବ ଦେଲେ । କାହାର ଠିକଣା ଟିପିରଖିଲେ ଟେବୁଲ ଉପର ଟିପା ଖାତାରେ ଓ ଚଟ୍‌କିନା ଫୋନ୍‌ ଥୋଇଦେଇ ନିଜ ଚୌକି ଉପରୁ ଉଠିପଡ଼ିଲେ ।

 

ମୁଣ୍ଡ ଝୁଙ୍କେଇ ଚୌଧୁରୀ ନିଜ ରୁମ୍‌ରୁ ବାହାରି ଆସିଲେ ଓ ଶିଡ଼ିଦେଇ ଓହ୍ଲେଇ ଆସିଲେ ପୋର୍ଟିକୋରେ ଥିବା କାର୍‌ ପାଖକୁ । ଖୋଲା ଆକାଶକୁ ହିଁ ଦୀର୍ଘଶ୍ୱାସଟିଏ ନେଲେ ଏବଂ ଚୁପ୍‌ଚାପ୍‌ ନିଜ ଗାଡ଼ିର ଷ୍ଟାର୍ଟ ଦେଲେ ।

 

ଦୁଇ କିଲୋ ସନ୍ଦେଶ ଦୁଇଟା ପ୍ୟାକେଟ୍‌ରେ ବାନ୍ଧି ଦିଅନ୍ତୁ–ଚୌଧୁରୀ ‘ସୁଇଟ୍‌ସ’ ଷ୍ଟଲ୍‌ କାଉଣ୍ଟରରେ ପହଞ୍ଚି ବରାଦ ଦେଲେ । ଏହାପରେ ତାଙ୍କର ଘରକୁ ଫେରିବାର କଥା । ମାତ୍ର ଚୌଧୁରୀଙ୍କ ଗାଡ଼ି ଘରକୁ ଫେରିବା ରାସ୍ତାରେ ଗଡ଼ୁ ନ ଥିଲା । ତାଙ୍କ କାର୍‌ ନଅ ନମ୍ବର ୟୁନିଟ୍‌ର କାଠଗୋଲା ଡେଇଁ ଆଗକୁ ଗଡ଼ୁଥିଲା ।

 

ଚୌଧୁରୀ ମନକୁ ମନ ଲଳିତ ଉଦ୍ଦେଶ୍ୟରେ କହି ହେଉଥିଲେ, ‘ତୋ ପାଇଁ ବହୁତ କିଛି କରାଯାଇଛି ଲଳିତ । ଓଡ଼ିଶାର ବହୁତ ପିଲା ଅଛନ୍ତି, ତୁ ପାଇଥିବା ସୁବିଧା ସୁଯୋଗର ଏକ ଦଶମାଂସ ପାଉନାହାନ୍ତି । ତେଣୁ ତୁ ନିଜ ଗୋଡ଼ରେ ନିଜେ ଛିଡ଼ା ହେବାପାଇଁ ଚେଷ୍ଟାକର । ଅନ୍ତତଃ ତୋଠାରୁ ସେତକ ଆଶା କରାଯାଏ ।’

 

ଗୋଟାଏ ନୁଆଁଣିଆ ଟାଇଲଘର ସାମ୍ନାରେ ଅଟକିଗଲା ଚୌଧୁରୀଙ୍କ ଗାଡ଼ି ।

 

ଘରଭିତରୁ ଆଖି ମଳିମଳି ବାହାରି ଆସୁଥିଲେ ଜଣେ ବୃଦ୍ଧ ଓ ପଛେ ପଛେ ଟ୍ରାଉଜର ପିନ୍ଧା ଯୁବକଟିଏ । ଗାଡ଼ିର ହେଡ୍‌ଲାଇଟ୍‌ ଆଲୁଅରେ ସେମାନଙ୍କର ଆଖି ବୁଜି ହେଇଯାଉଥିଲା । ଚୌଧୁରୀ ଚିହ୍ନିଲେ, ଠିକ୍‌ ଏଇପରି ଯୁବକଟିକୁ ସେ ଭେଟିଥିଲେ କିଛି ସମୟ ପୂର୍ବେ ନିଜ ରୁମ୍‌ ଭିତରେ, କଳ୍ପନାରେ ।

 

ସେ ପଚାରିଲେ, “ତମେ ମାନସ ଦାସ ନା ? ଆଜି ବୋଧହୁଏ ସେକ୍ରେଟାରୀଏଟ୍‌ ଯାଇଥିଲ । ତମେ କ’ଣ ଇଣ୍ଟରଭ୍ୟୁ ଦେଇଛ ସି.ଡ଼ି. ଡିପାର୍ଟମେଣ୍ଟ୍‌ରେ ?”

 

ଯୁବକଟି ଉତ୍ତର ଦେଲା, “ହଁ ସାର୍‌, ମୁଁ ସେଇ ମାନସ । କିନ୍ତୁ ଆଜି ତ ମୁଁ କୁଆଡ଼େ ଯାଇନାହିଁ ।”

 

ଚୌଧୁରୀ ଗୋଟାଏ ମିଠା ପ୍ୟାକେଟ୍‌ ଯୁବକ ହାତକୁ ବଢ଼େଇ ଦେଉ ଦେଉ କହୁଥିଲେ, “ଠିକ୍‌ ଅଛି, ଆଜି ନଯାଇ ଭଲ କରିଛ । ହୁଏତ ଶୀଘ୍ର ତମକୁ ଆପଏଣ୍ଟ୍‌ମେଣ୍ଟ୍‌ ଲେଟର ମିଳିବ । କଂଗ୍ରାଚୁଲେସନ୍‌ ।”

 

ମାନସ କିମ୍ବା ତା’ ବାପାଙ୍କର ପ୍ରତିକ୍ରିୟାକୁ ଅପେକ୍ଷା ନ କରି ଚୌଧୁରୀ ଗାଡ଼ି ଫେରଉଥିଲେ । ଆର ମିଠା ପ୍ୟାକେଟ୍‌ଟି ସିଟ୍‌ ଉପରେ ସେଇମିତି ଥୁଆଯାଇଛି । ସେ ଜାଣିଛନ୍ତି ଏବେ ସେ ଘର ନୁହେଁ, ବରଂ ଗୋଟାଏ ବ୍ୟୂହର ସାମ୍ନା କରିବାକୁ ଯାଉଛନ୍ତି ।

Image

 

ମିଷ୍ଟର ଡି କେ ଲକ୍ଷ୍ମଣ

 

ଫାଟକ ପାଖେ ପହଞ୍ଚିବାକ୍ଷଣି ଲୁନା ଆସି କହିଲା, “ବାପା, ବାପା ! ଜେଜେ ଆସିଛନ୍ତି । ବହୁତ ଖେଳଣା ଆଣିଛନ୍ତି, ଦେଖିବ ଆସ ।” ତା’ପରେ ସେ ଦଉଡ଼ି ଦଉଡ଼ି ଘର ଭିତରକୁ ଚାଲିଗଲା ।

 

ମୁଁ ବାପାଙ୍କର ହଠାତ୍‌ ଭୁବନେଶ୍ୱର ଆସିବାର କାରଣ ବୁଝିପାରିଲି ନାହିଁ । ସବୁବେଳେ ତ ସେ ଚିଠିଦେଇ ଆସିଥାଆନ୍ତି । ଏଥର ଏମିତି ଅଚାନକ ଆସି ପହଞ୍ଚିବାର ହେତୁ କ’ଣ ? ଲୁନା ପଛେ ପଛେ ମୁଁ ଘର ଭିତରକୁ ଗଲି ଓ ବାପାଙ୍କୁ ଯଥାବିଧି ପ୍ରଣାମ କରିସାରି ପଚାରିଲି, “ଘରେ ସମସ୍ତେ ଭଲ ଅଛନ୍ତି ତ ?”

 

“ହଁ, ସମସ୍ତେ ଭଲ ଅଛନ୍ତି ।”

 

ଲୁନା ପାଇଁ ତା’ ଜେଜେ ସବୁଠୁ ଭଲ ବନ୍ଧୁ; ତା’ର ସମସ୍ତ ଅଦଉତି ଅଳି ସବୁ ତାଙ୍କରି ପାଖରେ ବାହାରେ । ବାପା ଭୁବନେଶ୍ୱର ଆସିଲେ ତା’ର ଖୁସି କହିଲେ ନସରେ । ସବୁ ସମୟତକ ସେ ତାଙ୍କରି କୋଳରେ ଲସରପସର ହେଉଥାଏ । ତା’ର ନୂଆ ଖେଳଣା ଏବଂ ନିକଟରେ ଧରିଥିବା କଙ୍କି ପ୍ରଜାପତିର କାହାଣୀ ସବୁ କହି ଶୁଣାଏ ।

 

ମୋର ପରଦିନ ସକାଳୁ ବାହାରିଯିବାର ଥାଏ କେଉଁଝର । ବାପାଙ୍କ ଆସିବା କାରଣଟା ରାତିରେ ବୁଝିଗଲେ ସେ ବାବଦରେ ଯାହା କରିବାର କଥା ମୁଁ କରିପାରନ୍ତି । ତେଣୁ ମୁଁ ମେଲାଘରେ ବସି ରହିଲି ବାପାଙ୍କ କଥା ଶୁଣିବା ପାଇଁ ।

 

ବାପା କହିଲେ, “ଭାବିଥିଲି ତୋତେ ଚିଠି ଦେଇଥାନ୍ତି । କିନ୍ତୁ କାଳେ କଥାଟାକୁ ତୁ ସେତିକି ଗୁରୁତ୍ୱ ଦେବୁନାହିଁ, ସେଥିପାଇଁ ମୁଁ ନିଜେ ଚାଲିଆସିଲି । ସବୁ ରକମର ଚେଷ୍ଟା କରି ଫେଲ୍‌ ହେଲିଣି । ସେ ଟୋକା ତହସିଲଦାରଟା କିଛି ଶୁଣୁନାହିଁ । ଅନେକଥର ତା’ ଘରକୁ ମାଛ, ଅରୁଆ ଚାଉଳ, ଘିଅ, ଦୁଧ-ଛେନା ପଠାଇଲିଣି । ବେଳେବେଳେ ମୁକୁନ୍ଦ ଦେଇ ଆସୁଛି; ହେଲେ ତହସିଲଦାର ଯେଉଁଦିନ ଘରେ ରହୁଛି ସେଦିନ ସେ ସବୁ ଫେରେଇ ଦଉଛି । ନୂଆ ଟୋକା ଖଣ୍ଡକ ତ, ସେଥିପାଇଁ ମୋ କଥା ଶୁଣୁନାହିଁ । ତୁ ଟିକିଏ ଯଦି ଉପରୁ ପ୍ରେସର ପକେଇ ପାରନ୍ତୁ ସେ ଅବା ଶୁଣନ୍ତା । ତୁ ନିଜେ ଚାନ୍ଦବାଲି ଯାଇ ଟିକେ ଚେଷ୍ଟା କରନ୍ତୁ ନାହିଁ !”

 

ଏବେ ମୁଁ ବୁଝିଲି ବାପାଙ୍କର ଭୁବନେଶ୍ୱର ଆସିବାର କାରଣ । ଅନେକ ଦିନ ହେଲା ଗାଆଁର ଆମ ଜମି ପାଖକୁ ଲାଗିଥିବା ହରି ମହାଳିକର ଖଣ୍ଡେ ଜମି ଉପରେ ବାପାଙ୍କର ଆଖି । ଅକାଳେ, ସକାଳେ ପଚାଶ, ଶହେ କରି କିଛି ଟଙ୍କା ତାକୁ ଧାର ଉଧାର ଦେଇଥିଲେ ବାପା । ଏବେ ସେହି ଟଙ୍କାର ସୁଧ ମୂଳ ହିସାବ ଦେଖେଇ ସେ ଜମିଖଣ୍ଡକ ତା’ଠାରୁ ନେଇଆସିବା ପାଇଁ ଚେଷ୍ଟା କରୁଛନ୍ତି । ଚାରି ପାଞ୍ଚ ବର୍ଷ ହେଲା ଜମିଖଣ୍ଡକୁ ବାପା ଚାଷଦଖଲ କଲେଣି । କିନ୍ତୁ ସେଟଲମେଣ୍ଟ୍‌ରେ ଜାଗାଟା ତାଙ୍କ ନାଆଁକୁ ଆସିପାରୁନାହିଁ । ସହଜେ ହରି ମହାଳିକ ହରିଜନ । ହରିଜନ ଜମି କିଣିବା କଷ୍ଟକର ବ୍ୟାପାର । ତା’ଛଡ଼ା ଏବେ ହରି ମହାଳିକର ପୁଅ ଜମିଖଣ୍ଡକ ବିକିବା ପାଇଁ ପ୍ରସ୍ତୁତ ନୁହେଁ । ତା’ର କହିବା କଥା ହଉଛି, ବାବୁ ଆମକୁ ପଚାଶ ଶହେ କରି ଟଙ୍କା ସାତଶହ ଦେଇଛନ୍ତି । ମୁଁ ସେତକ ଟଙ୍କା ପାଇଁ ଗୁଣ୍ଠେ ଛଅ ଡେସିମିଲ ଜମି ଦେବି ସିନା, ପୂରା ମାଣିକିଆ ଜମିଖଣ୍ଡକ ଦେବିନାହିଁ । ବାପା କିନ୍ତୁ ଏତେ ସହଜରେ ମାନିବା ଲୋକ ନୁହନ୍ତି । ହରି ମହାଳିକର ଏ ଔଦ୍ଧତ୍ୟକୁ ତାଙ୍କର ସାଆନ୍ତିଆ ମନ ବରଦାସ୍ତ କରିପାରୁ ନାହିଁ । ସେଇଥିପାଇଁ ତହସିଲଦାରଙ୍କୁ ଛଅମାସ ହେବ ପଠା ଲିଛି ଭାରବେଭାର, ମାଛମାଉଁସ, କ୍ଷୀରଛେନା, ଘିଅ ଓ ବାସୁମତୀ ଅରୁଆ ଚାଉଳ ।

 

“ଆପଣ ତ ଏତେ ଚେଷ୍ଟା କଲେଣି, ମୁଁ ଆଉ ଅଧିକ କ’ଣ କରିପାରିବି ?” ମୁଁ ବାପାଙ୍କୁ ମୋ ଅସହାୟତା ସମ୍ପର୍କରେ କହିଲି ।

 

ଏ ପ୍ରକାର ଉତ୍ତର ବାପାଙ୍କୁ ସନ୍ତୁଷ୍ଟ କଲା ନାହିଁ । “ଥରଟିଏ ଚେଷ୍ଟା କର ତ ଯାଇ । ନହେଲେ ମୁଁ ଆର ବାଟ ଧରିବି ନାହିଁ ? ମହାଳିକକୁ ମୁଁ ନାକରେ ଦଉଡ଼ି ଲଗେଇ ଟାଣିବି, ତା’ପରେ ଯାଇ ଯଉଁକଥା । କଂଗ୍ରେସ ସରକାର ତ ଏଗୁଡ଼ାଙ୍କୁ ବଳ ଦେଇଛି । ନ ହେଲେ ଦାଣ୍ଡରେ ଛିଡ଼ା ହେବା ଲୋକ ମୁଣ୍ଡରେ ଚଢ଼ୁଥାନ୍ତେ ?” ବାପାଙ୍କର ଛାତି ଭିତରର କ୍ରୋଧ ନାକ ଉପରେ ଫୁଲି ଉଠୁଥାଏ ।

 

ମୁଁ ଜାଣିଲି, ବାପାଙ୍କର ଜମି ଦଖଲ ଆଗ୍ରହ ପାଖରେ ମୋର ଏ ପ୍ରକାର କୁଣ୍ଠା ଆଦୌ ପ୍ରତିବନ୍ଧକ ହେଇପାରିବ ନାହିଁ । ହେଉ ବା ନ ହେଉ, ଥରେ ଚାନ୍ଦବାଲି ଯାଇ ବୁଲି ଆସିଲେ ତାଙ୍କ ମନ ବୁଝିଯିବ । ରାତି ସେତେବେଳକୁ ଦଶଟା ହେଇଯାଇଥିଲା । ମୁଁ କହିଲି, “ହଉ, ଆପଣ ଯଦି କହୁଛନ୍ତି ତା’ହେଲେ ମୁଁ ଯାଇ ଥରେ ତହସିଲଦାରଙ୍କୁ ଦେଖା କରିବି । ଆର ସୋମବାର ମୁଁ ଚାନ୍ଦବାଲି ଯିବି ଓ ଫେରିବା ବାଟରେ ଘର ହେଇ ଆସିବି ।”

 

ବାପା ଆଶ୍ୱସ୍ତ ହେଲେ ।

 

ଚାନ୍ଦବାଲି ତହସିଲଦାରଙ୍କ ଅଫିସ୍‌ ସାମ୍ନାରେ ଅଧଘଣ୍ଟାଏ ହେବ ମୁଁ ଅପେକ୍ଷା କଲିଣି । ତହସିଲଦାର କ’ଣ ଗୋଟାଏ କେସ୍‌ର ଶୁଣାଣି କରୁଛନ୍ତି । ଚପରାସୀକୁ ସ୍ଲିପ୍‌ଟାଏ ବଢ଼େଇ କହିଲି, “ଟିକିଏ ଏ ସ୍ଲିପ୍‌ଟା ତହସିଲଦାରଙ୍କୁ ଦିଅ । ମୁଁ ଅନେକ ବେଳ ହେଲା ଅପେକ୍ଷା କଲିଣି । ଭୁବନେଶ୍ୱରରୁ ଆସିଛି ।”

 

କିନ୍ତୁ ମୋ କଥା ଶୁଣିବାକୁ ଚପରାସୀର ସମୟ ନ ଥିଲା । ତହସିଲଦାରଙ୍କଠୁ ବି ସେ ବେଶୀ ବ୍ୟସ୍ତ, ଏଇ କଥା ହିଁ ସେ ଜଣେଇ ଦେବାକୁ ହୁଁଥିଲା ତା’ ଭାବଭଙ୍ଗୀରେ ।

 

ତହସିଲଦାରଙ୍କ ଅଫିସ୍‌ ସାମ୍ନାରେ ଝୁଲୁଛି ତାଙ୍କର ନାମଫଳକ । ଡି.କେ. ଲକ୍ଷ୍ମଣ, ଓ.ଏ.ଏସ୍‌. ତହସିଲଦାର । ବାରଣ୍ଡାରେ ଝୁଲୁଚି ନାଲିଆ ମୋଟା ପରଦା । ସେଇ ପରଦା ଏପଟକୁ ଟୁଲ୍‌ଟେ ପକେଇ ବସିଛି ଚପରାସୀ, ଯିଏ ତହସିଲଦାରଙ୍କଠୁ ବି ବେଶୀ ବ୍ୟସ୍ତ ବୋଲି ଦେଖେଇ ହଉଛି । ମଝିରେ ମଝିରେ ଜଣେ ଅଧେ ତା’ ହାତରେ ଗୁଞ୍ଜିଦେଇ ଯାଉଛନ୍ତି ଟଙ୍କେ, ଦି’ ଟଙ୍କା । ସେ ସେସବୁକୁ ଗ୍ରହଣ କରୁଛି ଦୟା ଦେଖେଇଲା ପରି ।

 

ସମୟ ବାରଟା । ବଡ଼ ବିରକ୍ତିକର ଏମିତି କାହା ପାଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅପେକ୍ଷା କରିବା । ମୁଁ ବାଧ୍ୟ ହେଇ ଚପରାସୀକୁ ଅବଜ୍ଞା କଲା ପରି ପରଦା ଆଡ଼େଇ ଦେଖିଲି ଓ ତହସିଲଦାରଙ୍କ ଅଫିସ୍‌ ଭିତରେ ଆଉ କେତେଜଣ ଅଛନ୍ତି ଜାଣିବାକୁ ଚେଷ୍ଟା କଲି ।

 

ପରଦା ଆଡ଼େଇ ଚାହିଁବା ମାତ୍ରକେ, ପ୍ରଥମେ ମୋତେ ଯାହା ହତଚକିତ କରିଦେଲା ତାହା ଅଫିସ୍‌ ଭିତରର ଲୋକ ଭିଡ଼ ନୁହେଁ, ଖୋଦ୍‌ ତହସିଲଦାରଙ୍କ ମୁହଁ । ଚାବୁକ୍‌ ପାହାର ଖାଇଲା ପରି ବେଞ୍ଚ ଉପରକୁ ଫେରି ଆସିଲି ମୁଁ । ଏବେ ଆଉ ତହସିଲଦାରଙ୍କୁ ଭେଟିବା ଚିନ୍ତା ମୋତେ ବେଶୀ ବିବ୍ରତ କରୁ ନ ଥିଲା ।

 

ମନେ ପଡ଼ିଗଲା ଅନେକ ଦିନ ତଳର କେତୋଟି ଦୃଶ୍ୟ ।

 

ନୂଆ ନୂଆ ଘଟପୁର ହାଇସ୍କୁଲ୍‌ରେ ମୁଁ ନାଁ ଲେଖେଇଥାଏ । ଛୋଟ ସ୍କୁଲ୍‌, ଛୋଟ ହଷ୍ଟେଲ୍‌ । ଦୂରରୁ ଦିଶେ ଉନ୍ନତ ପ୍ରାଥମିକ ବିଦ୍ୟାଳୟଟେ ପରି । ପଛପଟେ ବିରାଟ ପୋଖରୀ । କାଚକେନ୍ଦୁ ପାଣି । ପୋଖରୀ ମଝିରେ ଦୀପଦଣ୍ଡ । ପୋଖରୀ ସେକଡ଼େ ଗାଆଁ ଲୋକଙ୍କ ପାଇଁ ଘାଟ, ଏପଟଟି ଖାସ୍‌ ସ୍କୁଲ୍‌ ପିଲାଙ୍କ ପାଇଁ ।

 

ନୂଆ ନୂଆ ଲାଗୁଥାଏ ସେ ପରିବେଶ । ସହର ନୁହେଁ ଯେ ସଞ୍ଜବୁଡ଼େ ଯେତେବେଳେ ଇଚ୍ଛା ସେତେବେଳେ ଘେରାଏ ଘୂରି ଆସିବାକୁ ମଉକା ଜୁଟିବ । ବଡ଼ ନିର୍ଜନ ପରିବେଶ ଘଟପୁରର-। ଗୋଟାଏ ଦିନ ଗୋଟାଏ ସପ୍ତାହ ପରି ଲାଗେ ।

 

ଡିସେମ୍ବରର ଏକ ଶୀତ ସକାଳ । ଆଠଟା ଆଗରୁ ବିଛଣାରୁ ଉଠିବା କଥା ତ ଚିନ୍ତା କରିପାରେ ନାହିଁ ମୁଁ । ସେଦିନ ପୁଣି ଥାଏ ରବିବାର । ସୁପରିଟେଣ୍ଡ୍‌ଙ୍କ ତାଗିଦକୁ ଡର ନାହିଁ । ହଠାତ୍‌ ଝରକାପଟେ ସାଙ୍ଗମାନଙ୍କର ପାଟିତୁଣ୍ଡ ଶୁଣି ନିଦ ଭାଙ୍ଗିଗଲା । ପୋଖରୀ କୂଳକୁ ଚାହିଁ ଦେଖିଲି, ସାତ ଆଠଜଣ ସାଙ୍ଗ ଏକାଠି ହେଇଛନ୍ତି । ସ୍ୱେଟର, ସାଲ୍‌, ମଫଲରରେ ଗୁଡ଼େଇ ତୁଡ଼େଇ ହେଇ ଏମିତିକା କୋହଲାପାଗରେ ପୋଖରୀ ତୁଠରେ ଛିଡ଼ା ହେବାର ସେମାନଙ୍କର ଉଦ୍ଦେଶ୍ୟ ମୁଁ ବୁଝିପାରିଲି ନାହିଁ । ସ୍ୱାଭାବିକ କୌତୂହଳ ଜନ୍ମିଲା । ନିଜେ ଗୋଟାଏ ମୋଟା ଦର ଘୋଡ଼େଇ ଥୁରୁ ଥୁରୁ ହୋଇ ମୁଁ ତୁଠ ପାଖକୁ ଗଲି । ସାଙ୍ଗମାନଙ୍କଠାରୁ ବୁଝିଲି ଯେ, ସେମାନେ ଗୋଟାଏ ବାଜି ଲଗେଇଛନ୍ତି ଲକ୍ଷ୍ମଣ ସାଙ୍ଗରେ । ଲକ୍ଷ୍ମଣକୁ ଚିହ୍ନେଇ ଦେଲା ବିକାଶ, ସିଏ ପୋଖରୀ ଭିତରେ ପଶି ପହଁରୁଥିଲା । ଏଇ ଥଣ୍ଡା କୋହଲା ପାଗରେ ଯିଏ ପୋଖରୀର ଏ ମୁଣ୍ଡରୁ ସେ ମୁଣ୍ଡ ପହଁରି ଯାଇ ଫେରିପାରିବ, ସିଏ ଜିତିବ ଦଶଟି ଟଙ୍କା–ଏହା ହିଁ ଥିଲା ବାଜିର ସର୍ତ୍ତ । ମୁଁ ପୋଖରୀ ମଝିକୁ ହିଁ ଦେଖିଲି, କଳା ମଚମଚ ପିଲାଟିଏ ଆକାଶକୁ ଅନେଇ ଦୁଇହାତ ପିଟି ଚିତି ପହଁରା ଦେଉଛି । ପୋଖରୀର ମଝାମଝିରେ ପହଞ୍ôଚ ଗଲାଣି ସିଏ । ତା’ର ଦୟନୀୟ ଅବସ୍ଥା ଦେଖି ମୁଁ ଆହୁରି ଶୀତେଇ ଉଠିଲି । ଚାଦରଟିକୁ ଆଉ ଟିକିଏ ଭିଡ଼ି ଧରିଲି ।

 

ସେଇଦିନ ପ୍ରଥମଥର ପାଇଁ ପରିଚୟ ହେଇଥିଲା ଲକ୍ଷ୍ମଣ ଦାସ ସାଙ୍ଗରେ । ତା’ର ସାହସକୁ ପ୍ରଶଂସା ନକରି ମୁଁ ରହିପାରି ନଥିଲି । ରାମପୁର ତାଙ୍କ ଘର । “ପୋଖରୀକୁ ଡରିବ ତମେମାନେ, ଆମର ଜନ୍ମରୁ ଲଢ଼େଇ ନଈ, ସମୁଦ୍ର ସାଙ୍ଗରେ”–ଲକ୍ଷ୍ମଣ ଦାସ କହିଥିଲା ସେଦିନ । ହରିଜନ ବୋଲି ହଷ୍ଟେଲ୍‌ର ବ୍ରାହ୍ମଣ ଓ ଉଚ୍ଚବର୍ଣ୍ଣ ପିଲାଙ୍କ ପାଖରୁ ସେ ବେଳେବେଳେ ଉପହସିତ ହେଉଥିଲା । ଅନେକ ବନ୍ଧୁ ନିଷ୍ଠୁର କୌତୁକ ଦେଖିବା ପାଇଁ ଶୀତ ସକାଳରେ ବଡ଼ ପୋଖରୀରେ ପହଁରେଇବା ଓ ଖରାଦିନ ଦ୍ୱିପ୍ରହରେ ନଡ଼ିଆ ଗଛରୁ ନଡ଼ିଆ ପାରିବା ପରି ଆୟାସସାଧ୍ୟ କାର୍ଯ୍ୟ ସବୁ କରାଉଥିଲେ ଲକ୍ଷ୍ମଣ ହାତରେ । ଲକ୍ଷ୍ମଣ ବିନା ପ୍ରତିବାଦରେ ଏସବୁ କରୁଥିଲା । ଦିନେ ପଚାରିଥିଲି, ସେ କାହିଁକି ସାଙ୍ଗମାନଙ୍କର ଏ ପ୍ରକାର ବ୍ୟବହାର ସହିଯାଉଛି ? ଉତ୍ତରରେ ଲକ୍ଷ୍ମଣ ନିରବ ରହିଥିଲା ।

 

ଲକ୍ଷ୍ମଣ ଦାସ ଥରେ ହଷ୍ଟେଲ୍‌ ପଛପଟେ ଲଗେଇଥିଲା ଦୁଇଟା ଶିମ୍ବଗଛ । ପ୍ରତିଦିନ କ୍ଲାସ୍‌ରୁ ଫେରି ଚାରିଟାବେଳେ ସେଥିରେ ପାଣି ଦେଉଥିଲା । ସକାଳୁ ସକାଳୁ ତା’ ମୂଳର ମାଟି ଖୋସଉଥିଲା । କିଛିଦିନ ପରେ ଶିମ୍ବଗଛ ଯୋଡ଼ିକରେ ବାଇଗଣି ଫୁଲ ସବୁ ଫୁଟିଥିଲା । ଲଟେଇ ଯାଇଥିଲା ଗଛଗୁଡ଼ାକ ହଷ୍ଟେଲ୍‌ ପାଚେରି ସାରା । ଲକ୍ଷ୍ମଣର ଇଚ୍ଛା ଥିଲା, ଏ ଶିମ୍ବ ସବୁ ତୋଳିନେଇ ‘ଏକ୍‌ସଟ୍ରା’ ତରକାରି କରିବ । ସମସ୍ତଙ୍କ ପାଇଁ ତା’ର ହେବ ଏଇଟା ଗୋଟାଏ ଅଧିକା ତରକାରି ।

 

‘ଏକ୍‌ସଟ୍ରା’ ତରକାରିର କଳ୍ପନାଟା ଲକ୍ଷ୍ମଣର ନିଜସ୍ୱ ନୁହେଁ । ପ୍ରଥମେ ସ୍ୱଚ୍ଛଳ ପରିବାରର ଦୁଇ ଚାରି ଜଣ ପିଲା ଆରମ୍ଭ କରିଥିଲେ ଏ ବ୍ୟବସ୍ଥା । ସେମାନେ ହଷ୍ଟେଲ୍‌ର ଭାତ ଡାଲମାରେ ସନ୍ତୁଷ୍ଟ ହେଇ ପାରନ୍ତି ନାହିଁ । ହାତରୁ ପଇସା ଖର୍ଚ୍ଚ କରି ମାଛ, ମାଉଁସ କରି ଖାଆନ୍ତି ସମସ୍ତଙ୍କ ଆଗରେ । ତାଙ୍କ ପାଇଁ ସେ ସବୁ ରାନ୍ଧିଦିଏ ହଷ୍ଟେଲ୍‌ ପୂଜାରୀ । ଲକ୍ଷ୍ମଣ ପରି ପିଲାଏ ସବୁ, ସେ ସବୁର ବାସ୍ନା ଶୁଙ୍ଘିପାରନ୍ତି, ମାତ୍ର ନିଜର କର୍ମ ଆଦରି ଭାତ ଡାଲମାରେ ସନ୍ତୁଷ୍ଟ ରହନ୍ତି । ତା’ପରେ ଲକ୍ଷ୍ମଣର ଆରମ୍ଭ ହେଉଥିଲା ବୃକ୍ଷରୋପଣ କାର୍ଯ୍ୟକ୍ରମ । ପ୍ରଥମ ଦଫାରେ ସେ ଲଗେଇଥିଲା ଦିଇଟା ଶିମ୍ବ ଗଛ । ପ୍ରଚୁର ଫୁଲ ଓ କଷି ଧରି ଆସିଥିବା ବେଳେ ହିଁ ଦିନେ କିଏ କାଟିଦେଲା ଗଛ ଦୁଇଟିକୁ ମୂଳରୁ । ସକାଳୁ ଉଠି ଲକ୍ଷ୍ମଣ ଯେତେବେଳେ ଏକଥା ଜାଣିଥିଲା, ମନ ଦୁଃଖରେ କବାଟ କିଳି ତା’ ରୁମ୍‌ରେ ବସିଥିଲା ଢେର୍‌ ସମୟ । ମୁଁ ବୁଝିପାରିଥିଲି ଏପରି କାମ କେଉଁମାନେ କରିଥିବେ !

 

ତା’ପରେ ଦିନେ ଶୁଣିଲି ଲକ୍ଷ୍ମଣ ସ୍କୁଲକୁ ଆସୁନାହିଁ ।

 

ଲକ୍ଷ୍ମଣର ଅନୁପସ୍ଥିତି ଦିନ ଗୋଟାଏ ଦୁଇଟା ପାଇଁ ଅନୁଭୂତ ହେଇ ପୁଣି ସ୍ୱାଭାବିକତା ଭିତରେ ହଜିଯାଇଥିଲା । ମୋର କିନ୍ତୁ ଲକ୍ଷ୍ମଣ କଥା ମନେ ରହିଥିଲା ଅନେକ ଦିନ ପର୍ଯ୍ୟନ୍ତ ।

 

ଥରେ ଲକ୍ଷ୍ମଣ କହୁ କହୁ ତା’ ପରିବାର ସମ୍ପର୍କରେ କହିଥିଲା । ତା’ ବାପା, ତାଙ୍କ ଗାଆଁର ଜଣେ ସବର୍ଣ୍ଣ ଧନୀ ଲୋକର ଘରେ ଭାଗଚାଷୀ ଭାବେ କାମ କରି ଆସୁଛନ୍ତି ଢେର୍‌ ଦିନ ହେଲା । ତିନିମାଣ ଜମିର ଭାଗ ବାବଦରେ ପ୍ରତିବର୍ଷ ତା’ ବାପା ଆଣନ୍ତି କେଇ ବସ୍ତା ଧାନ । ସେଇତକରେ ସେମାନେ ଚଳିବାକୁ ଚେଷ୍ଟା କରନ୍ତି ଗୋଟାଏ ବର୍ଷ । ମଝିରେ ମଝିରେ ତା’ ବାପା ଯାଆନ୍ତି କଲିକତା, ଇଟା ତିଆରି କାମରେ ଦାଦନ ଶ୍ରମିକ ହେଇ । ଲକ୍ଷ୍ମଣର ପରିବାରରେ ବାପା ବୋଉ ଓ ତାକୁ ଛାଡ଼ି ଆଉ ଦୁଇ ଭାଇ, ଦୁଇ ଭଉଣୀ ।

 

ଲକ୍ଷ୍ମଣ ଥରେ କହୁଥିଲା, “ବୁଝିଲୁ ସିଦ୍ଧାର୍ଥ ! ତୁ ସବୁବେଳେ ପଚାରି ଆସିଛୁ, ମୁଁ କାହିଁକି ବିଜୟ ପରି ପିଲାଙ୍କ ବିରୋଧରେ କିଛି କହେ ନାହିଁ ? କାହିଁକି ସେମାନଙ୍କର ଛୋଟବଡ଼ ଅନ୍ୟାୟକୁ ସବୁ ମଥାପାତି ସହିନିଏ ! ମୁଁ ଏଡ଼େ କଷ୍ଟରେ ଲଗେଇଥିବା ଶିମ୍ବଗଛଗୁଡ଼ାକୁ ସେମାନେ କାଟି ଉପାଡ଼ି ଦେଲେ । ଅଥଚ ସେମାନଙ୍କୁ ମୁଁ କିଛି କହିପାରିଲି ନାହିଁ । କାହିଁକି ଜାଣୁ... ?”

 

ମୁଁ ସେଦିନ ଲକ୍ଷ୍ମଣର କଣ୍ଠରେ ଫୁଟି ଉଠୁଥିବା ଅସହାୟତା ବେଶ୍‌ ବୁଝିପାରୁଥିଲି । ଅନର୍ଗଳ ଆବେଗରେ ସେ କହିଚାଲିଥିଲା, “ଆଜିକୁ ଦଶବର୍ଷ ହେଲା ମୋ ଗାଁରେ, ଆମରି ପରିବାର ଉପରେ ମୁଁ ଦେଖିଆସୁଛି ଏହାଠୁ ଆଉରି ନିର୍ଦ୍ଦୟ ଜୁଲୁମ । ମୋ ବାପା ଯାହାଙ୍କ ଜମି ଭାଗଚାଷ କରନ୍ତି ସିଏ ଆମ ଗାଆଁର ଜଣେ ମୁଖିଆ ଲୋକ । ସବୁବର୍ଷ ବାପା ଖରାବର୍ଷା ସହି, ବଢ଼ି, ମରୁଡ଼ି ସାଙ୍ଗରେ ଲଢ଼ି, ଲୁହ ନିଗାଡ଼ି, ରକ୍ତ ଅଜାଡ଼ି ତାଙ୍କ ଜମିଚାଷ କରନ୍ତି । ଅଥଚ ଭାଗ ପାଆନ୍ତି ନାହିଁ ଠିକ୍‌ ଠିକ୍‌ । ମୋ ବାପା ଏଇ ଅନ୍ୟାୟ ବିରୋଧରେ ବାରମ୍ବାର ଅଭିଯୋଗ କରିଛନ୍ତି, ବାରମ୍ବାର ହାତଗୋଡ଼ ଧରି ନେହୁରା ହୋଇଛନ୍ତି ଆଉ ଦୁଇ ପଉଟି କି ଚାରି ପଉଟି ଧାନ ପାଇଁ, ଅଥଚ ସେ ଲୋକଟା ସେସବୁ ଶୁଣେ ନାହିଁ । ଯେଉଁ ଭାଷାରେ ସିଏ ମୋ ବାପାଙ୍କୁ ଗାଳିଗୁଲଜ କରେ, ସେକଥା ତୁ କାନରେ ଶୁଣିପାରିବୁ ନାହିଁ । ବଡ଼ମାନଙ୍କର ସେ ଜୁଲୁମ ପାଖରେ ଏ ଜୁଲୁମ ତ କିଛି ନୁହେଁ । ଏମାନେ ଯେତେହେଲେ ବି ମୋ ସାଙ୍ଗ ।”

 

ବହୁ ବର୍ଷ ପରେ ଆଜି ହଠାତ୍‌ ଏକଦମ୍‌ ଅପ୍ରତ୍ୟାଶିତ ଭାବରେ ତା’ ସାଙ୍ଗରେ ଦେଖାହେବ ବୋଲି ମୁଁ ଆଦୌ କଳ୍ପନା କରି ନ ଥିଲି । ମୋ ଦେଖିବାରେ କିଛି ଭୁଲ୍‌ ହେଇନି ତ ? ଆଉଥରେ ଉଠି ତହସିଲଦାରଙ୍କ ରୁମ୍‌ ଆଡ଼େ ଯାଉଥିଲି, ଦେଖିଲି ରୁମ୍‌ଟାରେ କେହି ନାହାନ୍ତି । ଚପରାସୀଟା ବି ବସିନାହିଁ ତା’ ଟୁଲ୍‌ ଉପରେ ।

 

ଲଞ୍ଚ୍‌ ଆୱାର୍‌ ହେଇଛି ସମ୍ଭବତଃ ।

 

ବାହାରେ ସ୍ୱାଭାବିକ ଲୋକଗହଳି । ତହସିଲଦାରଙ୍କ ଅଫିସ୍‌ ସାମ୍‌ନା ପୃଥିବୀଟା ଗୋଟାଏ ଦେଣନେଣର ପୃଥିବୀ । ପାଖ ରୁମ୍‌ର କ୍ଲର୍କ କେବଳ ବସି କ’ଣ କାଗଜପତ୍ର ଦେଖୁଥିଲେ-। ମୁଁ ତାଙ୍କ ପାଖକୁ ଯାଇ ପଚାରିଲି, “ତହସିଲଦାର ନାହାନ୍ତି କି ?”

 

ସେ ସେଇମିତି ଖାତା ଉପରେ ଆଖିଯୋଡ଼ିକ ନିବଦ୍ଧ ରଖି ଉତ୍ତର ଦେଲେ, “ଲଞ୍ଚ୍‌କୁ ଯାଇଛନ୍ତି ।”

 

“ଆଚ୍ଛା, ଏ ତହସିଲଦାର କ’ଣ ଅଣ-ଓଡ଼ିଆ ?”

 

“ନା, ଓଡ଼ିଆ । ତାଙ୍କ ନାଁ ଲକ୍ଷ୍ମଣ ଦାସ । ପରେ ଆଫିଡ଼େଭିଟ୍‌ କରିଛନ୍ତି ।” –ସେ ଉତ୍ତର ଦେଲେ ।

 

ମୁଁ ଫେରିଆସିଲି ତାଙ୍କ ପାଖରୁ । ସେଇ ମୁହୂର୍ତ୍ତରେ ମୋର କ’ଣ କରିବା ଉଚିତ ହେବ–ତହସିଲଦାରଙ୍କୁ ଭେଟି ମୋ ବାପାଙ୍କର କାମଟି କରିଦେବାକୁ ଅନୁରୋଧ କରିବା ନା କେବଳ ଲୌକିକ ଆଚାରକୁ ରକ୍ଷାକରି ଭେଟିଦେଇ ପଳେଇଯିବା, ତାହା ମୁଁ ଚିନ୍ତା କରିପାରୁ ନ ଥିଲି । କେମିତି ଏକ ଅସହାୟତା ମୋତେ ଜଡ଼ କରିପକାଉଥିଲା ।

 

ସିନେମା ସ୍କ୍ରିନ୍‌ ଉପରର ଛବି ପରି ଲାଗ ଲାଗ ମୋ ଆଖିଆଗରେ ପହଁରି ଯାଉଥିଲା ମୋ ବାପାଙ୍କର ବ୍ୟସ୍ତ ଚେହେରା ଓ ଟିକିଏ ରହି ରହି ଲକ୍ଷ୍ମଣ ଓରଫ ଡି.କେ. ଲକ୍ଷ୍ମଣଙ୍କର ନିରୀହ ନିଷ୍କପଟତା ।

 

ହଠାତ୍‌ ବେଞ୍ଚ ଉପରୁ ଉଠିପଡ଼ିଲି ମୁଁ ଏବଂ କାହାକୁ କିଛି ନ କହି ସିଧା ଚାଲିଆସିଲି ବସ୍‌ଷ୍ଟାଣ୍ଡ୍‌ । ବସ୍‌ଷ୍ଟାଣ୍ଡ୍‌ରୁ ବସ୍‌ ଧରି ଫେରିଆସିଲି ଭୁବନେଶ୍ୱର ।

 

ପରଦିନ ବାପାଙ୍କୁ ଲେଖିଥିଲି ଚିଠିଟିଏ ଓ ସେ ଚିଠିରେ ବୁଝେଇବାକୁ ଚେଷ୍ଟା କରିଥିଲି ମୋର ଏ ଅସହାୟତା । ମୁଁ ଜାଣିଥିଲି ବାପା ମୋ ଚିଠି ପଢ଼ି ଖୁବ୍‌ ରାଗିଥିବେ । ମାତ୍ର ମୁଁ ଆଉ ଅଧିକ କିଛି କରିପାରି ନ ଥାନ୍ତି ।

Image

 

ବୁଢ଼ା ଲୋକଟି ଶୋଇଛି

 

ବୁଢ଼ା ଲୋକଟି ଶୋଇଛି । ଆଖି ଦୁଇଟା ବନ୍ଦ ଅଛି । ଶୋଇ ରହିଛି କି ହିଁ ରହିଛି ଜଣାପଡ଼ୁନାହିଁ ।

କି ଅଭିଲା ଲୋକ କେଜାଣି, ବିଛଣାରେ ପଡ଼ି ପଡ଼ି କଟେଇଦେଲାଣି ଦୁଇ ବରଷ ! ସକାଳୁ ସଞ୍ଜ ଯାଏ ସେଇ ଗୋଟାଏ ବିଛଣାରେ । ଆଗରୁ ନିଜେ ଘୁଷୁରି ଘୁଷୁରି ଚାଲିଯାଉଥିଲା ଗାଧୁଆଘରକୁ । ଝାଡ଼ା ପରିସ୍ରା ସେଇଠି କରୁଥିଲା, ନିଜ ହାତରେ ଶୌଚ ହେଉଥିଲା । ଏଇନେ ସେତକ ବି ବନ୍ଦ । ବୁଢ଼ୀ ବିଚାରୀ, ଗୁହ ମୂତରେ ଘାଣ୍ଟି ହେଇ ହେଇ ଆଖି ବୁଜିଲା ।

ଦିନସାରା ବୁଢ଼ୀ ବୁଢ଼ା ପାଖେ ପାଖେ ରହୁଥିଲା । ବୁଢ଼ାର ଖାଇବା ପିଇବା, ଔଷଧ ସବୁକଥା ବୁଝୁଥିଲା । ସକାଳୁ ଦାନ୍ତ ଘଷେଇ, ଚିରୁଣିରେ ମୁଣ୍ଡ କୁଣ୍ଡେଇ, ଲୁଗା ପାଲଟେଇ ଖୁଆଇ ଦଉଥିଲା । ଗିନା ଚାମୁଚରେ ଖୁଆଇ ଦଉଥିଲା ବାର୍ଲି କି ସିଝା ପରିବା ଟିକେ । ଦିନସାରା ସେଇ ଅନ୍ଧାରିଆ ଘର ଭିତରେ ବୁଢ଼ାବୁଢ଼ୀ ଦୁଇଜଣ ପଡ଼ି ରହିଥାନ୍ତି । ଜଣେ ଆରଜଣକୁ ହିଁ ସେଇମିତିକା କାଳକ ବିତେଇ ଦେଇଥାଆନ୍ତି ।

ବୁଢ଼ୀ କିନ୍ତୁ ଦେଢ଼ବର୍ଷ ତଳେ ଆଖି ବୁଜିଦେଲା । ଆଉ କାହା କଥା ସେ କହିପାରିବେନି, ବୁଢ଼ା କିନ୍ତୁ ସେଦିନୁ ସାତ ଦିନ ସାତ ରାତି ଆଖି ବୁଜି ନଥିଲା । ଦି’ହାତ ଯୋଡ଼ି ବୁଢ଼ୀର ଆତ୍ମା ଶାନ୍ତି ପାଇଁ ଠାକୁରଙ୍କୁ ଡାକୁଥିଲା । ଓଦା ଜଡ଼ସଡ଼ ଆଖିକୁ ହାତ ଚକିରେ ବାରମ୍ବାର ପୋଛି ଦଉଥିଲା । ଦେଉଳରେ ଶଙ୍ଖ ଘଣ୍ଟା ଶୁଭୁଥିଲା । ବୁଢ଼ା ଚୁପ୍‌ଚାପ୍‌ ବୁଢ଼ୀକୁ ମନେ ପକଉଥିଲା ।

ବୁଢ଼ାଟିର ମନେ ପଡ଼ୁଥିଲା ତା’ ହାତ ଧରି ବୁଢ଼ୀ ଘରକୁ ଆସିବାର ପ୍ରଥମ ଦିନ କଥା । ସେଇଦିନୁ ତିରିଶ ବର୍ଷକାଳ ବୁଢ଼ୀ ତା’ ପାଖେ ପାଖେ ଥିଲା ଛାଇପରି । ବୁଢ଼ାଟି ତା’ର ସବୁ ରାଗରୋଷ, ମାନଅଭିମାନ ବୁଢ଼ୀର ମୁଣ୍ଡଉପରେ ଅକାତରେ ନଦି ଦେଉଥିଲା । ବୁଢ଼ୀ ସେ ସବୁକୁ ମୁଣ୍ଡପାତି ସହି ନଉଥିଲା । ଉଁ କି ଚୁଁ କହୁନଥିଲା । ଅନ୍ଧାରୁଆ ଘରେ ସୀମିତ ଦୀପଶିଖାର ମହଳଣ ଆଲୁଅ ଭିତରେ ନିଃଶବ୍ଦରେ ଲୁହପୋଛି ପୋଛି ବୁଢ଼ାର ଛାତି ଉପରେ ଲୋଟି ଯାଉଥିଲା । ସେତିକିରେ ବୁଢ଼ାର ରାଗରୋଷ ସବୁ ପାଣିଫୋଟକା ପରି ମିଳେଇ ଯାଉଥିଲା ।

ସବୁକିଛି ଚାଲିଥିଲା ସ୍ୱାଭାବିକ ରୀତିରେ । କିଚିରିମିଚିରି ଶବ୍ଦରେ ସଞ୍ଜପହରର କଇଁଆ ଗଛ ଡାଳଟି କମ୍ପିଉଠିଲା ପରି ଦୁଇ ପୁଅ ଦୁଇ ଝିଅଙ୍କ ନାଚକୁଦରେ ବୁଢ଼ାଟିର ଘରଖଞ୍ଜା ଦିନରାତି ଶବ୍ଦାୟିତ ହେଉଥିଲା । ପିଲାଏ ବାପାଙ୍କୁ ସମିହ କରୁଥିଲେ; ବୋଉ ତାଙ୍କ ସବୁ ଅଳିଅର୍ଦ୍ଦଳି ବୁଝୁଥିଲା । ଅଭାବୀ ଘରର ସବୁ ନିପାରିଲାପଣକୁ ପଣତକାନି ଘୋଡ଼େଇ ବୁଢ଼ୀ ଚଳଉଥିଲେ ସଂସାର ।

ବୁଢ଼ା ଆଖି ବୁଜିଦେଇ ପଛକଥାଗୁଡ଼ାକୁ ମନେ ପକାଉଛି । ପୁରୁଣା ଦିନର ଆଲବମ୍‌ ପୃଷ୍ଠା ଲେଉଟାଇଲା ପରି କିଏ ଜଣେ ତା’ର ପିଛିଲା ଦିନର ଚିତ୍ରଗୁଡ଼ାକୁ ତା’ ଆଖିଆଗରେ ତୋଳି ଧରୁଛି ।

ମନେପଡ଼ୁଛି ବଡ଼ପୁଅର ପ୍ରଥମ ଇସ୍କୁଲଯିବା ଦିନ । ପୁଞ୍ଜାଏ ଅରୁଆ ଚାଉଳ, ନଡ଼ିଆଟିଏ ଡାଲାରେ ଧରି ମାଷ୍ଟରଙ୍କୁ ବନ୍ଦେଇବାର ସେଇ ସ୍ମରଣୀୟ ମୁହୂର୍ତ୍ତ । ଅତି ଖୁସିରେ ସେ ଯୋଡ଼ିଏ ଧୋତି ଦେଇଥିଲା ମାଷ୍ଟରଙ୍କୁ । ‘ପିଲାଟି ତମକୁ ଲାଗିଲା ହୋ ମାଷ୍ଟ୍ରେ, ତମେ ଏଣିକି ବୁଝିବ ତା’ ପାଠପଢ଼ା କଥା ।’

 

ବଡ଼ ପୁଅଟି ତାଙ୍କର ସୁନାଖଣ୍ଡେ । ମାଛିକି ମ ବୋଲି କହେ ନାହିଁ । ଗୁଲୁରୁ ଗୁଲୁରୁ ହୋଇ ଦିନସାରା ବୋଉର ପଣତକାନି ତଳେ ଲୋଟୁଥାଏ । ଛାଇକୁ ଦେଖି ଡରେ ସିନା, ଭଲ ପାଠପଢ଼େ । ଥରେ କହିଦେଲେ କଷ୍ଟ ମିଶାଣ ଫେଡ଼ାଣ ମୁହେଁ ମୁହେଁ କହିଦିଏ ।

 

ପଛକୁ ପଛ ଆସିଥିଲେ ଆଉରି ତିନିଟି ପିଲା । କାହାରି କିଛି ଊଣା ରଖି ନଥିଲା ବୁଢ଼ା । ବଡ଼ପୁଅର ଡାକ୍ତରୀପାଠ ପାଇଁ ଜମି ବିକିଛି । ବଡ଼ ଝିଅର ବାହାଘର ପାଇଁ ବୁଢ଼ୀର ଗହଣା ବନ୍ଧା ରଖିଛି । ସାନପିଲା ଦିଇଟିଙ୍କ ପାଇଁ ସମୟେ ଅସମୟେ କରଜ କରିଛି । ପିଲାମାନଙ୍କୁ ମଣିଷ କରିବା ପାଇଁ ଜମିବାଡ଼ି ବିକ୍ରି ହୋଇଗଲେ ବି ବୁଢ଼ା ଦବି ଯାଇନାହିଁ ।

 

ବଡ଼ ଧୁମ୍‌ଧାମ୍‌ରେ ବଡ଼ପୁଅର ବାହାଘର କରିଥିଲା । ହେଲା ଅବା ପୁଅ ତା’ର ନିଜ ମନଇଚ୍ଛାରେ ବୋହୂ ଖୋଜିଥିଲା, ସେଥିରେ ତାଙ୍କର ଆପତ୍ତି ନଥିଲା ଆଦୌ । ଯାହା ବି କରନ୍ତୁ ପିଲାଏ ଖୁସିରେ ରହନ୍ତୁ । ବୁଢ଼ୀ ମନଦୁଃଖ କରିଥିଲା । କାରଣ ପରିବାରରୁ ବୋହୂଟେ ଆଣିଥିଲେ ପିତୃପୁରୁଷ କଲ୍ୟାଣ କରିଥାନ୍ତେ ବୋଲି ଯୁକ୍ତି ବାଢ଼ିଥିଲା । ବୁଢ଼ା ଆକଟ କରିଥିଲା । ପିଲାଙ୍କର ଯାହା ଇଚ୍ଛା ସେମାନେ ସେଇଆ କରନ୍ତୁ । ପଛକୁ ବାପାମାଆଙ୍କୁ ଦୋଷ ଦେବେନାହିଁ । ‘ତୁ ପୁରୁଣା ଲୋକ କ’ଣ ଜାଣୁ ?’

 

ବଡ଼ପୁଅ ଡାକ୍ତର । ସହର ଜାଗାରେ ଚାକିରି । ଖାଇବାପିଇବାରେ ଜଞ୍ଜାଳ ହେଲା ବୋଲି ବୋହୂକୁ ପାଖକୁ ନେଇଗଲା । ରାଇଜସାରା ତ ଏକଥା ହଉଛି । ବୁଢ଼ୀ ମିଛଟାରେ ତିଳକୁ ତାଳ କରେ । ଅଯଥାରେ ପିଲାଙ୍କୁ ଦୋଷଦିଏ । ବାପ ସେମାନଙ୍କୁ ମୁଣ୍ଡ ଉପରେ ବସେଇଛି ବୋଲି ଅଭିଯୋଗ ବାଢ଼େ । ବୁଢ଼ା ସେସବୁ ଶୁଣେ ନାହିଁ ।

 

ପଛକୁ ପଛ ହେଇ ଝିଅ ଯୋଡ଼ିକ ବାହା ହେଇଗଲେ । ସେମାନେ ଆଉ ମାସକୁ ମାସ ଆସି ପାରିଲେନି ବାପ ଘରକୁ । ଝିଅ ଜନମ ତ ପର ଘରକୁ । ମାଆବାପାଙ୍କର କଲିଜା ଖଣ୍ଡ ଖଣ୍ଡ ହେଇଗଲେ ବି ସେମାନେ ଆଉ କ’ଣ କରିଥାନ୍ତେ ? ନିଜ ଭାଗ୍ୟ ନେଇ ସେମାନେ ରହିଲେ । ସାନପୁଅ ବାହା ହେଲା । ତା’ର କିରାଣି ଚାକିରି । ଅଳପ ଧନ, ବିକଳ ମନ । ସେ ଅବା ବୁଢ଼ା-ବୁଢ଼ୀଙ୍କ ଖବର ବୁଝନ୍ତା କିମିତି ?

 

କ୍ରମେ ଭିଡ଼ସବୁ ଭାଙ୍ଗିଗଲା ।

 

ବୁଢ଼ା ଚାକିରିରୁ ରିଟାୟାର କରିଗଲେ । ଗାଆଁରେ ଯାଇ ରହିଲେ । ଜମିଜମା ତ ବେଶୀ ନ ଥିଲା, ଗାଆଁର କିଛି ପିଲାଙ୍କୁ ଚାଟଶାଳୀଟେ କରି ପଢ଼େଇବାର ମସୁଧା କରୁଥିଲେ । ବଡ଼ପୁଅ ଡାକ୍ତର । ଚିଠି ଲେଖିଲା ତା’ ମାଆକୁ–ବାପା କ’ଣ ପାଗଳ ହେଇଗଲେ କି ? ଆମେ ସବୁ ଥାଉ ଥାଉ ଏ ବୟସରେ ସେ ଚାଟଶାଳୀ ବସେଇବେ, ଆମ ସମ୍ମାନ ରହିବ ତ ?

 

ବୁଢ଼ା ପିଲାଙ୍କ କଥାରେ ନିଜ ପ୍ରସ୍ତାବରୁ ଓହରି ଆସିଲା ।

 

ଦି’ ତିନି ବର୍ଷ ଯାଏ ପିଲାଏ କିଛି କିଛି ଟଙ୍କା ପଠଉଥିଲେ । ଝିଅ ଯୋଡ଼ିକ ଅକାଳେ ସକାଳେ ଆସି ବୋଉ କାନିରେ କିଛି ଟଙ୍କା ବାନ୍ଧି ଦେଇ ଯାଉଥିଲେ ।

 

ସେମାନଙ୍କର ସଂସାର ବଢ଼ିଲା । ଅଭାବୀ ଯୁଗରେ ସେମାନେ କ’ଣ ସବୁଦିନ ବାପମାଆଙ୍କ ଖବର ବୁଝି ପାରିଥାଆନ୍ତେ ?

 

ବୁଢ଼ା ପଡ଼ିଗଲା ବେମାର । ବୁଢ଼ୀ ପରହାତରେ ଚିଠି ଲେଖେଇ ପିଲାଙ୍କ ପାଖକୁ ପଠେଇଲା । ସମସ୍ତେ ଧାଇଁ ଆସିଲେ । ଔଷଧପତ୍ର ବ୍ୟବସ୍ଥା କରିଦେଲା ବଡ଼ପୁଅ । ବୁଢ଼ା ଟିକିଏ ଭଲ ହେଲାରୁ ସେମାନେ ନିଜ ନିଜ ଜାଗାକୁ ଫେରିଥିଲେ ।

 

ଦିନକୁ ଦିନ ବୁଢ଼ା ଦେହ ଖରାପ ହେଲା । ଏଣିକି ଚିଠି ପାଇଲା ମାତ୍ରେ ପିଲାଏ ଆସି ପାରିଲେ ନାହିଁ । ବଡ଼ ଭାବିଲା ସାନ ଯାଇଥିବ ଓ ସାନ ଭାବିଲା ବଡ଼ ଯାଇଥିବ । କେହି ପହଞ୍ଚିଲେ ନାହିଁ । ଝିଅମାନଙ୍କ କଥା କାହିଁକି ଉଠୁଛି ? ସେମାନେ ତ ପରାଧୀନ । ଶାଶୂ ଶ୍ୱଶୁର, ଦିଅର ନଣନ୍ଦ ଜଞ୍ଜାଳ ଛାଡ଼ି ସେମାନେ କେମିତି ଆସନ୍ତେ ?

 

ଦୁଇବର୍ଷ ତଳେ ବୁଢ଼ାର ଦେହ ଭୀଷଣ ବିଗିଡ଼ିଗଲା । ବୁଢ଼ା ତାର ପଠେଇଲେ । ବଡ଼ ପୁଅ ବୋଉ ଉପରେ ବିରକ୍ତି ହେଲା–ରାଗ, ମସଲା, ଲୁଣ, ଖଟା ବନ୍ଦ କରିଦେ । ପରିବା ଝୋଳ, ହର୍ଲିକ୍‌ସ, ରୁଟି ସନ୍ତୁଳା ଦେ । ନହେଲେ ଆମେ କିଛି କରି ପାରିବୁନି ।

 

ବୁଢ଼ୀ ବଡ଼ ଭରସା କରି ତୁନି ତୁନି କହିଲା, ‘ତୁ ତ ଡାକ୍ତର । ବାପାଙ୍କୁ ଟିକେ ନେଇ କଟକରେ ଦେଖାନ୍ତୁ ନାହିଁ ?’

 

ପୁଅ କିଛି କହିଲା ନାହିଁ । ବୋହୂ କହିଲା, ‘ତୁମେ ଜାଣିନ ବୋଉ । ସହରରେ ଅଧିକା କିଛି ସୁବିଧା ମିଳୁନି ଆଜିକାଲି । ଗାଆଁରେ ତମେ ଅଛ, ଦେଖାଶୁଣା କରୁଛ । ସହରରେ ଚଳିବାରେ ଭାରି ଅସୁବିଧା ହେବ ।’

 

କାହିଁକି କେଜାଣି ବୁଢ଼ୀର ମନ ଫିକା ପଡ଼ିଗଲା । ପୁଅମାନଙ୍କ ଉପରେ ଆଗ ଭରସା ରହିଲା ନାହିଁ ।

 

ସାନପୁଅ କହିଲା, ‘ମୋର ଦୁଇ ବଖୁରିଆ ଘର । ବଦଳି ଚାକିରି । ମୁଁ କ’ଣ କରିପାରିବି କହୁନୁ ?’

 

ଝିଅ ଦୁହିଁଙ୍କୁ ଦୋଷ ଦେଇପାରିଲେନି ବୁଢ଼ା ବୁଢ଼ୀ । ଦେଲା ନାରୀ ହେଲା ପାରି । ଝିଅ ଘରେ ବାପାମାଆ ପାଣିଛୁଇଁବା ମନା ।

 

ପୁଅମାନଙ୍କ କଥା ବୁଢ଼ୀ କହିଲା ବୁଢ଼ାକୁ । ଦୁହେଁ ଦୁହିଁଙ୍କ ମୁହଁକୁ ହିଁଲେ । ବୁଢ଼ୀ ତା’ ଆଖିର ଲୁହକୁ ଧରିରଖି ପାରିଲାନି । ଭେଁକିନି କାନ୍ଦି ପକେଇଲା । ବୁଢ଼ା ବୁଢ଼ୀର ହାତକୁ ଝିଙ୍କିଦେଇ କହିଲା, “ଥାଉ ଥାଉ, ପିଲାଏ ଶୁଣିବେ । ତାଙ୍କ ଦୁଃଖ ଅସୁବିଧା ତୁ ବୁଝୁନୁ କାହିଁକି ?”

 

ବୁଢ଼ୀ ଆଖି ପୋଛିଦେଲା ।

 

ଚିନ୍ତାରେ ଚିନ୍ତାରେ ସିଏ ବି କତରାଲାଗି ହୋଇପଡ଼ିଲା । ହୁଁ ହୁଁ ବୁଢ଼ୀର ସୁନାଖାଡ଼ି ପରି ଦେହ କଳା ପଡ଼ିଗଲା । ଦିନରାତି ଖାଲି ଗୋଟାଏ କଥା, “ୟାଙ୍କୁ ଭଲ କରିଦିଅ ମହାପୁରୁ । ଭଲ କରିଦିଅ ।”

 

ବିଛଣା ଉପରୁ ବୁଢ଼ା ଚାହିଁରହେ ବୁଢ଼ୀକୁ । ସାରାଜୀବନ କିରାଣୀଟେ ପରି ଖଟିଆସିଛି ବୁଢ଼ୀ । ପିଲାମାନଙ୍କୁ ବାଢ଼ିକୁଢ଼ି ଦେଇ ସାରିଲା ପରେ ହାଣ୍ଡି କୁଡ଼େଇ ପୋଛାପୋଛିରେ, ତେନ୍ତୁଳି ଲୁଣ ଲଗେଇ ଶୀତରାତିରେ ପଖାଳ ଭାତ ଖାଇଛି । ନିଜ ଦେହରୁ ଖଣ୍ଡିଏ ଖଣ୍ଡିଏ କରି ହାର, ବଟଫଳ ଗୋଡ଼ମୁଦି ପରି ଗହଣା ଓହ୍ଲେଇ ବଣିଆ ଦୋକାନକୁ ପଠେଇ ଦେଇଛି । ପିଲାମାନେ ତ ତାଙ୍କର ଗହଣା !

ସେଦିନ ଥିଲା ସୁଦଶାବ୍ରତ, ଗୁରୁବାର ଦଶମୀ । ସକାଳୁ ସକାଳୁ ବୁଢ଼ୀର ଜର ଆସିଲା । ତାର ପାଇ ପିଲାଏ ଆସିଲାବେଳକୁ ବୁଢ଼ୀ ବୁଢ଼ାକୁ ଠାକୁର ଜିମା କରିଦେଇ ସଞ୍ଜବୁଡ଼େ ଆଖି ବୁଜି ଦେଇଥିଲା ।

ସେତେବେଳେ ଦେଉଳରେ ଶଙ୍ଖ ଆଳତି ଉଠୁଥିଲା, ଘଣ୍ଟ ବାଇଦ ବାଜୁଥିଲା ।

ସାଇ ପଡ଼ିଶାଏ କହିଲେ ପୁଣ୍ୟବତୀ ନାରୀ ଥିଲା ବୁଢ଼ୀ । ଅହିସୁଲକ୍ଷଣୀ ହୋଇ ମୁଣ୍ଡରେ ସିନ୍ଦୂର, ହାତରେ ଶଙ୍ଖା ପିନ୍ଧି ସୁଦଶାବ୍ରତରେ ଆଖି ବୁଜିଲା ।

ବୁଢ଼ା ରହିଗଲା ଏକାକୀ । ଏକା ଏକା ବୁଢ଼ୀକୁ ମନେ ପକେଇ ଚୁପ୍‌ଚାପ୍‌ ଭିତରେ ଭିତରେ ଲୁହ ଝରେଇଲା । ପଦାକୁ ସେ ଲୁହ ଦିଶିଲା ନାହିଁ । ବୁଢ଼ା ମଣିଷ ଆଖିରେ ସ୍ତ୍ରୀ ପାଇଁ ଲୁହ ସାଜେ କି ?

ବୁଢ଼ୀ ମଲାପରେ ବଡ଼ପୁଅ ବାପାକୁ ସହରକୁ ନେଇ ଆସିଲା । ସାଙ୍ଗରେ ନେଇ ଆସି ନଥିଲେ ଗାଁ ଲୋକେ ବାରକଥା କହିଥାନ୍ତେ । ଡାକ୍ତରୀ ସାମ୍ପଲ୍‌ ଔଷଧ କେତେ ନା କେତେ ଘରକୁ ଆସୁଛି । ଡାକ୍ତର ପୁଅ ବାପାକୁ ଗ୍ୟାରେଜ ପାଖ ଘରେ ଦଉଡ଼ିଆ ଖଟଟେ ପକେଇ ଶୁଆଇଦେଲା-। ବାହାରେ ଭଲ ପବନ ହବ । ବୁଢ଼ା କହିଲା, “ମୋ ପାଇଁ ଏତେ କଷ୍ଟ କରନା ରେ, ମୁଁ ତ ପାଚିଲା ତାଳ । ତମେ କାହିଁକି ଏତେ କଷ୍ଟ ପାଇବ ମୋ ପାଇଁ ?”

ସାନପୁଅ ମଝିରେ ମଝିରେ ଆସି ଆଗେ ବୁଲି ଯାଉଥିଲା । ଏବେ ତାର ଢେଙ୍କାନାଳ ବଦଳି ହୋଇଯାଇଛି । ସେ ଆଉ ଆସିପାରୁ ନାହିଁ ।

ସଞ୍ଜବୁଡ଼େ ନାତୁଣୀ ଆସେ । ଜେଜେ ପାଖରେ ବସି ଗୀତଗପ କହେ । ବୁଢ଼ାର ପାକୁଆ ପାଟିରେ ହସ ବୋହି ପଡ଼େ । ଏଇ ଭଲ, ଏଇମିତି ଛୁଆଙ୍କ କଥା ଶୁଣୁ ଶୁଣୁ ମୋତେ ତମ ପାଖକୁ ନେଇଯାଆ ହେ ମହାପ୍ରଭୁ, ବୁଢ଼ା କହେ ।

ରବିବାରିଆ ଛୁଟିଦିନରେ ଥରେ ସାନପୁଅ ଆସିଥିଲା । ବୁଢ଼ା ଜାଣେନି, ବଡ଼ପୁଅ ତା’ ସାଙ୍ଗେ ସେଦିନ ସେପାଖ ଘରେ କଜିଆ କଲା । “ଆମେ କାହିଁକି ସବୁକଥା ବୁଝିବୁ ବୋଲି ବଡ଼ବୋହୂ ପଚାରୁଥିଲା । ବୁଢ଼ା ଆମ ପାଇଁ କ’ଣ ଅଧିକା କରିଛନ୍ତି ଯେ ! ଆମେ ତାଙ୍କୁ ନେଇ ସାରାଜୀବନ ଘାଣ୍ଟି ହଉଥିବୁ ?”

ସାନପୁଅ ଜବାବ ଦେଉଥିଲା ଆତ୍ମରକ୍ଷା ପାଇଁ, “ମୋର ଛୋଟ ଚାକିରି, ଢେଙ୍କାନାଳ କ୍ଲାଇମେଟ୍‌ ଭଲ ନୁହେଁ । ମୁଁ ନହେଲେ କ’ଣ ବାପାଙ୍କୁ କିଛିଦିନ ନେଇଯାଆନ୍ତି ନାହିଁ ?”

ଏବେ ବୁଢ଼ା ପାଖକୁ ପୁଅ ବୋହୂ ସବୁଦିନ ଆସନ୍ତି ନାହିଁ । କର ବାକର ଆଣି ଖାଇବାକୁ ଦେଇଯାଆନ୍ତି । ନାତୁଣୀ ଆସି ଔଷଧ ଦେଇଯାଏ । ମିଛଟାରେ ତା’ର ହାତଘଡ଼ିକୁ ଜେଜେର ଛାତି ଉପରେ ଚାପି ଧରି ଡାକ୍ତର ପରି ଦେହପା’ ଖବର ପଚାରେ । ବାପଠୁ ସେତକ ସେ ଶିଖିଛି । ବାପା ବୋଉ କାହିଁକି ତମକୁ ହସ୍‌ପିଟାଲ୍‌ ନେଉନାହାନ୍ତି ବୋଲି ଅଭିଯୋଗ ବାଢ଼େ ।

 

ବୁଢ଼ା କିଛି କହେ ନାହିଁ ।

 

ସବୁ ଦୋଷ ତା’ର । ହାତ ଗୋଡ଼ ଚଳିଲା ବୟସରେ ବୁଢ଼ୀ ପଛେ ପଛେ ସେ କାହିଁକି ଚାଲିଗଲା ନାହିଁ ବୋଲି ମନକୁ ମନ ଭାବେ । ଏଠି ବିଛଣାଟାରେ ଗୁହମୂତରେ ଘାଣ୍ଟି ହେବାକୁ, ନିଜ ସାଙ୍ଗରେ ପିଲାମାନଙ୍କୁ ଦହଗଞ୍ଜ ହେବାକୁ ତା’ର ମନ ହୁଏ ନାହିଁ । ରୋଗିଣା ମଣିଷଟିଏ । କୁଆଡ଼େ ଯିବ ? ଏଇମିତି ଆଉ କେଇଟା ଦିନ ଚାଲିଗଲେ ଯାଏ ।

 

ମାଷ୍ଟର ଚାକିରି ଦିନଗୁଡ଼ାକର କଥା ମନେ ପଡ଼ୁଥିଲା ବୁଢ଼ାର । କେତେ ଦୁଷ୍ଟ ପିଲାଙ୍କୁ ଭଲ ବାଟକୁ ଆଣିଥିଲା ସେ । କାହା ଉପରେ ରାଗି ବେତ ଛାଟ ଦେଇଥିଲା । କେତେ ପିଲା ତା ନାଆଁ ଟେକ ରଖୁଥିଲେ ଭଲ ନମ୍ବର ରଖି । ଇସ୍କୁଲରୁ ଇସ୍କୁଲ ବଦଳି ହେଇ ଆସିଲା ବେଳେ ପିଲାଏ ଦେଉଥିଲେ ହାତବାଡ଼ି, ଛତା, ଫାଉଣ୍ଟେନ୍‌ ପେନ୍‌ ବେକରେ ଫୁଲମାଳ ପିନ୍ଧି ହସି ହସି ସେ ଆର ଗାଆଁକୁ ଯାଉଥିଲା ।

 

ସେସବୁ ତା’ର ଗର୍ବ ।

 

ପିଛିଲା ଦିନର ସାଇତା ସମ୍ପତ୍ତି ।

 

ପୁଅମାନେ ଆଜିକାଲି କେବଳ ତାଆରି ଦୋଷ ଦେଉଛନ୍ତି । ବାପା ସମ୍ପତ୍ତିବାଡ଼ି ବିକ୍ରି କରି ଦେଇଛି । ଝିଅମାନଙ୍କୁ ସବୁ ସମ୍ପତ୍ତି ଦେଇ ଦେଇଛି । ଅଯଥା ବିନର୍ବ୍ୟୟ କରି ଦେଇଛି ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ ଟଙ୍କା । ଏବେ ଯାହା ଟଙ୍କା ଚାରିଶହ ପେନ୍‌ସନ୍‌ ମିଳୁଛି ସେତକ ତ ଔଷଧ ଖର୍ଚ୍ଚକୁ ନିଅଣ୍ଟ । ଏଠି ତାଙ୍କୁ ଦେଖାଶୁଣା କରିବା ପାଇଁ ଚାକରଟେ ଦରକାର । ଘର ଭିତର ବାହାର ଗୁହମୂତରେ ଗନ୍ଧ ହେଉଛି । ନର୍କଠୁ ବଳିଗଲାଣି ଏ ଘର ।

 

ବୁଢ଼ା ସବୁ ଶୁଣେ । ଚୁପ୍‌ଚାପ୍‌ ପଡ଼ି ରହେ ।

 

ସହରରେ ଦଶହରା ।

 

ଦେବୀ-ମଣ୍ଡପରୁ କେତେ ରକମର ବାଜା ଶୁଭୁଛି । ଭେରି, ଶଙ୍ଖ, କାହାଳୀ ଶବ୍ଦରେ କମ୍ପି ଉଠୁଛି ସହରର ରାସ୍ତାଘାଟ ।

 

ବୁଢ଼ାର ମନେ ପଡ଼ିଯାଉଛି ଏଇମିତି ଅଶିଣ ପାର୍ବଣମାନଙ୍କର କଥା । ଦୂର ଗାଆଁରେ ସ୍କୁଲ ଶିକ୍ଷକ ଥିଲା ସେ । ଦଶହରା ଛୁଟି ହେବା କ୍ଷଣି ଗାଆଁକୁ ଆସି ଯାଉଥିଲା । ଗାଁ ଫେରନ୍ତା ରାସ୍ତା ଦୁଇକଡ଼େ ସବୁଜ ଧାନ କ୍ଷେତ । ନଈପଠାରେ ବଗ ପର ପରି କାଶତଣ୍ଡୀ ଫୁଲର ଯାତ୍ରା । ଆକାଶ, ପୃଥିବୀ କାଚ ପରି ନିର୍ମଳ । ଚାରିଆଡ଼େ ମହମହ ବାସ୍ନା ।

 

ପିଲାମାନଙ୍କୁ ଧରି ବୁଢ଼ୀ ସାଙ୍ଗରେ ଯାଉଥିଲା ଦେବୀମଣ୍ଡପ । ହାତେ ଲମ୍ବର ଓଢ଼ଣା ତଳୁ ସୁନାଫୁଲ ଗୁନ୍ଥା ନାକ, କାନ, ପାନପିକ ବୋଳା ବୁଢ଼ୀର ମୁହଁଟି ଚିକ୍‌ ଚିକ୍‌ କରୁଥାଏ ଦେବୀମଣ୍ଡପ ଆଲୁଅରେ । କର୍ପୂର ଆଳତି ଆଲୁଅରେ ମୃଣ୍ମୟ ପ୍ରତିମାଙ୍କର ମୁହଁ ଦିଶୁଥାଏ ଦାଉ ଦାଉ ହୋଇ । ପିଲାମାନଙ୍କୁ କାନ୍ଧ ଉପରେ ବସେଇ ଜଣ ଜଣ କରି ଦେବୀ ଦେଖାଏ ବୁଢ଼ା ।

 

ଗଲା କେତେ ବର୍ଷ ହେଲା ସେ ଦେବୀ ଯାତରା ଦେଖି ଯାଇନାହିଁ । ଏମିତି ଏକ ବ୍ୟାଧି, ବାର୍ଦ୍ଧକ୍ୟର ଗନ୍ଧମୟ ଦୁନିଆଟାରେ ସେ ନଜରବନ୍ଦୀ ହେଇ ପଡ଼ି ରହିଛି ।

 

ପୂଜା ଛୁଟି ବୋଲି ସାନପୁଅ ଆସିଛି ବଡ଼ର ଘରକୁ । ବଡ଼ଝିଅ ବି କାଳେ ଆସିବ ତା’ ପିଲାପିଲିକୁ ନେଇ ଭସାଣି ଦେଖିବାକୁ । କ’ଣସବୁ ସବୁବେଳେ ଫୁସୁରଫାସର ହେଉଛନ୍ତି ପୁଅବୋହୂ ଦୁହେଁ । ବୁଢ଼ା ଶୁଣି ପାରେନାହିଁ, ନାତୁଣୀ ଆସି କହିଯାଏ ପଦେ, ଦି’ପଦରେ ।

 

ହଠାତ୍‌ କଣ ସବୁ ଭାଙ୍ଗିଯିବାର ଶବ୍ଦ ଶୁଣୁଛି ବୁଢ଼ାଟେ । ପ୍ରଥମେ କାଚ ଗିଲାସ ଭାଙ୍ଗିବାର ଝଣଝଣ ଶବ୍ଦ, ତା’ପରେ ବହିପତ୍ର ଫୋପଡ଼ା ହେବାର ଓ ତା’ପରେ ପରେ ବଡ଼ ବୋହୂର ଚିତ୍କାର । ‘ବୁଢ଼ାଟା ମରୁନାହିଁ କି ଶାନ୍ତିରେ ମରିବାକୁ ବି ଦଉନାହିଁ । ଆମେ ଏଇମିତି ହରଡ଼ଘଣାରେ ପେଶିହୋଇ ମରିବୁ । ବୁଢ଼ା ସେଇମିତି ଥିବ ।’

 

ବଡ଼ପୁଅ ଚିହିଙ୍କି ଆସୁଛି । ‘ଚୁପ୍‌ କର, ଚୁପ୍‌ କର କହିଦଉଛି ।’

 

ବଡ଼ବୋହୂ ସେଇପରି ପାଟି କରୁଛି । ଜିନିଷପତ୍ର ଫିଙ୍ଗାଫୋପଡ଼ା କରୁଛି । ନାତୁଣୀଟି ରାହା ଧରି କାନ୍ଦୁଛି ବାପା ବୋଉଙ୍କର ଏ ଅବସ୍ଥା ଦେଖି ।

 

ବୁଢ଼ାଟିର ଏଇ ଟିକକ ଆଗର ଆବେଶ ଭାଙ୍ଗିଗଲା । ହସିଲା ହସିଲା ଭାବ ଲୁଚିଗଲା ବଢ଼ି ପାଣି ତଳେ କଳା ଘୁମର ଧାନକ୍ଷେତ ଲୁଚିଗଲା ପରି । ବଡ଼ପୁଅ ଭଲପାଇ ବାହା ହେଇଥିଲା-। ସେମାନେ ଭଲରେ ରହିଥାନ୍ତେ ବି । ତାଆରି ଯୋଗୁ ଦି ପରାଣୀ ଏତେ କଷ୍ଟ ଭୋଗୁଛନ୍ତି ।

 

ବୁଢ଼ାର ଆଖିପତା ଓଦା ହେଇ ଯାଉଛି ।

 

ଆଖି ସାମ୍‌ନାରେ ବଡ଼ପୁଅର ପିଲାଦିନର ଚେହେରା ନାଚିଯାଉଛି । କଅଁଳା ବାଛୁରୀ ପରି ଦାଣ୍ଡରେ ଡିଆଁ ମାରିବାର ଦୃଶ୍ୟ ଦିଶିଯାଉଛି ।

 

ବାପ ହେଇ ଯେଉଁ କଷ୍ଟ କରିଥିଲା ତା’ ପ୍ରତିଦାନରେ ପୁଅଠୁ କିଛି ପାଇବାର ଆଶା ରଖିଥିଲା କି ସେ ମନରେ ? ପୁଅ ପାଇଁ ଟଙ୍କା ଖର୍ଚ୍ଚ କରିବା ବେପାରରେ ଟଙ୍କା ଲଗାଣ ପରି କଥା ନୁହେଁ କି ସେମିତିକା ଭାବିଥିଲା କି ସେ କେବେ ବି ସ୍ୱପ୍ନରେ ? ତା’ ନ ହେଇଥିଲେ ସେ କାହିଁକି ବଡ଼ପୁଅ ବେକରେ ବନ୍ଧା ହୋଇଛି ଏମିତି ଶିଳପଥର ପରି ?

 

ବୁଢ଼ା ମନକୁ ମନ କହେ, “ନାଇଁରେ, ମୁଁ ତୋ ଉପରେ ବୋଝ ହେଇ ରହିବାକୁ ଚାହେଁନି-। ମୁଁ ଚାଲିଯାଆନ୍ତି ଘୁଷୁରି ଘୁଷୁରି ଆଉ କେଉଁଠିକି । ତମେମାନେଇ ତ ବ୍ୟସ୍ତ ହେବ, ଖୋଜିବ-। ଗାଅଁ ସାହିରେ କହିବେ ପୁଅମାନେ ବାପ କଥା ବୁଝିଲେ ନାହିଁ । ତମର ନାଅଁ ପଡ଼ିବ-। ଘର ଗୁମରକୁ ଜଗି ତ ମୁଁ ପଡ଼ି ରହିଛି ଏ ଅନ୍ଧାରି କୋଣରେ । ନ ହେଲେ କ’ଣ ମୋ ପରି ମୁକୁଳା ଚଢ଼େଇଟେ ଏଠି ପଡ଼ି ରହିଥାନ୍ତା ?”

 

ବୁଢ଼ା ମନକୁ ମନ ବୁଝଉଛି ସିନା, ଭୁଲିପାରୁ ନାହିଁ ବଡ଼ବୋହୂ ତୁଣ୍ଡର ସେଇ ଅଲକ୍ଷଣା କଥା । କେମିତି କହିପାରିଲା ‘ବୁଢ଼ାଟା ମରୁନି କାହିଁକି’ ବୋଲି ? ଫେର୍‌ ମନେପଡ଼ିଲା ବୁଢ଼ୀକଥା, ଅକାଳେ ସକାଳେ ରାଗରେ ଅଭିମାନରେ ବୁଢ଼ା ଯଦି କଉଁଦିନ କହୁଥିଲା, ‘ମରିଯିବି’, ତାହାହେଲେ ବୁଢ଼ୀ ମୁଣ୍ଡ ବାଡ଼େଇ ଦଉଥିଲା । ମୁହଁରେ ହାତ ଚାପି ସେକଥା କୁହାଇ ଦେଉ ନ ଥିଲା ।

 

ଅନ୍ଧାର ରାସ୍ତାରେ ପଥରଟେ ଝୁଣ୍ଟି ପଡ଼ିଗଲେ ପିଲାଦିନେ ଯେମିତି ରାହା ଧରି ସେ କାନ୍ଦି ଉଠୁଥିଲା, ଠିକ୍‌ ସେମିତି କାନ୍ଦିବାକୁ ଇଚ୍ଛା ହଉଥିଲା ବୁଢ଼ାଟିର । ଲୁହ ଗଡ଼ି ଶୁଖିଯାଉଥିଲା ଟାଅଁସା ନୁଖୁରା ଗାଲ ଉପରେ । ଶବ୍ଦ ଶୁଭୁ ନ ଥିଲା କିନ୍ତୁ । ବୁଢ଼ା ନିଜେ ନିଜ ପାଟିରେ ପିଇଯାଉଥିଲା ଲୁହତକ ।

 

ଦେବୀ ମଣ୍ଡପରୁ ଲହରେଇ ଆସୁଛି ଯୋଡ଼ି ମହୁରୀ ଓ ବଡ଼ ନାଗରାର ଶବ୍ଦ । ସଞ୍ଜ ଆଳତି ଉଠୁଥିବ ଏତେବେଳେ । ଝୁଣା, ଅଗୁର, ଧୂପ, ଦୀପର ବାସନାରେ ମହକି ଉଠୁଥିବ ମଣ୍ଡପ-। ଲୋକ ମେଳରେ ପୂରି ଉଠିଥିବ ଦେବୀ ଦୁଆର ।

 

କେହି ଜଣେ ବୁଢ଼ାକୁ ଦୂରରୁ ହାତଠାରି ଡାକୁଛି । ଝଲସି ଯାଉଚି ଠାକୁରାଣୀଙ୍କ ମୁହଁ । ଠାକୁରାଣୀଙ୍କ କାନ୍ଧ ସେପଟେ ଦିଶୁଛି ବୁଢ଼ୀର ମୁହଁ, ଟିକିଏ ଦୂରକୁ ମାଆର ମୁହଁ ।

 

ସେ ଦୁହେଁ ଡାକୁଛନ୍ତି, ଆ, ଆସ, ଆସ, ଆ-ଆ ।

 

ବୁଢ଼ା ଆଖି ବୁଜିଦେଲା ।

 

* ଏ ଗପର ଶିରୋନାମା ଆଗରୁ ଥିଲା ‘ଇତିହାସଟିଏ ପଡ଼ିରହିଛି’ ।

Image

 

Unknown

ମିଷ୍ଟର ସାକ୍‌ସେନା ଓ ଜହ୍ନରାତି

 

ଅଶିଣ ଜହ୍ନରାତିର ଅଲଗା ଚମକ । ଚାରିଆଡ଼େ କଇଁଫୁଲିଆ ଜ୍ୟୋତ୍ସ୍ନା, ଶ୍ୟାମଳ ସବୁଜିମା । ନଈପଠାରେ କାଶତଣ୍ଡୀର ଅଳସ ଅଭିସାର । ଉପରେ ତାରାଞ୍ଚିତ ଆକାଶର ମୁକୁଳା ମହୋତ୍ସବ । ସବୁ ରାତି ଜହ୍ନରାତି ନୁହେଁ, ସବୁ ଜହ୍ନ ଅଶିଣର ଜହ୍ନ ନୁହେଁ । ଅଶିଣର ଜହ୍ନ ଅଲଗା, ରାତି ଅଲଗା ।

 

ମିଷ୍ଟର ସାକ୍‌ସେନା ଆଉ ଟିକିଏ ଉପରକୁ ଝିଙ୍କିନେଲେ ଟ୍ରେନ୍‌ ଝରକାର କାଚ । ଆଖି ଅପହଞ୍ଚ ସୀମାନ୍ତ ଯାଏ ଲମ୍ବିଯାଇଛି ସବୁଜ ଧାନକ୍ଷେତ । ଟ୍ରେନ୍‌ କମ୍ପାର୍ଟମେଣ୍ଟ୍‌ରୁ ବିଚ୍ଛୁରିତ ନାଲିଚିଆ ଆଲୁଅରେ ଆଲୋକିତ ହେଉଛି ପାଖଆଖ ଇଲାକା । ଛାଇଆଲୁଅର ରହସ୍ୟଘନ ଅନ୍ଧାର ଭିତରେ ଟ୍ରେନ୍‌ଟା ଚାଲୁଛି ଗୋଟାଏ ଆଦିମ ସରୀସୃପ ପରି । ସହଯାତ୍ରୀମାନଙ୍କ ଭିତରୁ ଅଧିକାଂଶ ଶୋଇପଡ଼ିଲେଣି ଅନେକବେଳୁ । ଏକାକୀ ମିଷ୍ଟର ସାକ୍‌ସେନା ଚେଇଁଛନ୍ତି । ହିଁରହିଛନ୍ତି ସ୍ୱପ୍ନବୋଳା ଦିଗନ୍ତ ଆଡ଼େ । ଧାନକ୍ଷେତ, ନଈପଠା ଓ ପାହାଡ଼ର ପିଠି ଡେଇଁ ଦୃଷ୍ଟି ପ୍ରସରି ଯାଉଛି ଦିଗ୍‌ବଳୟ ଯାଏ ।

 

ମିଷ୍ଟର ସାକ୍‌ସେନା ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ । ଚାଳିଶା ଚଷମା ବ୍ୟବହାର କରିବା ଏବେ ବି କିନ୍ତୁ ଆବଶ୍ୟକ ପଡ଼ିନାହିଁ । ଚେହେରାରେ ବାର୍ଦ୍ଧକ୍ୟର ଛାପ ପଡ଼ି ଆସିଥିଲେ ବି ଚେତନାରେ ତାହାକୁ ସ୍ୱୀକାର କରନ୍ତି ନାହିଁ ସେ । ଅବିବାହିତ, ଭୀଷଣ ଏକ୍‌ଜିଦିଆ । ବେଳେବେଳେ ମନକୁ ମନ ହସନ୍ତି । ପିଲାମାନଙ୍କୁ ଇଂରେଜୀ ପଢ଼ଉ ପଢ଼ଉ ଦର୍ଶନଶାସ୍ତ୍ରରେ ପହଞ୍ଚିଯାଆନ୍ତି । ପ୍ରଚୁର ସିଗ୍ରେଟ୍‌ ଟାଣନ୍ତି । କପ୍‌ ପରେ କପ୍‌ ଚା’ ପିଅନ୍ତି । ରାତି ଅଧଯାଏ ଗୀତ ଗାଆନ୍ତି ଗୁଣୁଗୁଣୁ ହେଇ । ଜହ୍ନରାତି ଆସିଲେ ପାଗଳ ପ୍ରାୟ ହୁଅନ୍ତି । ରାତିସାରା ଛାତ ଉପରେ ବିତାନ୍ତି । ଚନ୍ଦ୍ରୋଦୟ ଓ ଚନ୍ଦ୍ରାସ୍ତକୁ ଉପଭୋଗ କରନ୍ତି ଏକା ଏକା ।

 

କେହି ତାଙ୍କର ଏ ନିଃସଙ୍ଗତାକୁ ଇଙ୍ଗିତ କରି ଦୟା ଦେଖାଇବାର ଉପକ୍ରମ କରିବା ମାତ୍ରେ ସେ ନିଜପକ୍ଷ ସମର୍ଥନ ବଦଳରେ ପ୍ରତିପକ୍ଷର ଅସହାୟତା ସମ୍ପର୍କରେ ପ୍ରଗଳ୍‌ଭ ହେଇଉଠନ୍ତି । ସେ କହନ୍ତି, ସବୁ ମଣିଷ ଏକାବାଗରେ ଜିଇଁବେ, ଏକା ଢଙ୍ଗର ଆଚରଣ କରିବେ, ହସିବେ, କାନ୍ଦିବେ–ଇମିତିକା ଏକ ଶୃଙ୍ଖଳା ତାଙ୍କୁ ଅଣନିଃଶ୍ୱାସୀ କରିଦିଏ । ପୃଥିବୀର ହଜାର କୋଟି ମଣିଷଙ୍କ ଜୀବନ ଯେମିତି ଅଲଗା ଅଲଗା, କାହାରି ସହ କାହାର ସାମଞ୍ଜସ୍ୟ ନାହିଁ, ସେମିତି ତାଙ୍କର ଜୀବନ । ତା’ ସହ ଆଉ କାହାର ସାମଞ୍ଜସ୍ୟ ନ ରହିବା ଯେମିତି ସମ୍ଭବ, ବିରୋଧ ରହିବା ସେମିତି ସ୍ୱାଭାବିକ ।

 

ବେଳେବେଳେ ସମାଧାନ ହିଁ ସମସ୍ୟା ପାଲଟିଯାଏ । ମିଷ୍ଟର ସାକ୍‌ସେନାଙ୍କ ପାଇଁ ଉଭୟ ସମସ୍ୟା ଓ ସମାଧାନ ସେ ନିଜେ । ନିଜେ ପ୍ରଶ୍ନ କରନ୍ତି, ନିଜେ ଉତ୍ତର ଦିଅନ୍ତି । ପାଖଲୋକଟି ଦେଖଣାହାରି ପରି ଚାହିଁରହେ ।

 

ଜହ୍ନରାତି ପ୍ରତି ଅଦ୍ଭୁତ ଆକର୍ଷଣ ମିଷ୍ଟର ସାକ୍‌ସେନାଙ୍କର । ଆକାଶରେ ଜହ୍ନ ଉଠିଲେ ସେ ଶିଶୁ ପରି ପାଗଳ ହୋଇଯାଆନ୍ତି । ଜହ୍ନ ପୁଣି ଅସ୍ତ ନ ଗଲାଯାଏ ସେ ଛାତ ଉପରୁ ଓହ୍ଲାନ୍ତି ନାହିଁ । ପେଗ୍‌ ପରେ ପେଗ୍‌ ହ୍ୱିସ୍କି ଶେଷ ହୁଏ, ପ୍ୟାକେଟ୍‌ ପରେ ପ୍ୟାକେଟ୍‌ ସିଗାରେଟ୍‌ ନିଃଶେଷିତ ହୋଇଯାଏ, ମିଷ୍ଟର ସାକ୍‌ସେନାଙ୍କ ଆଖିରେ ପଲକ ପଡ଼େ ନାହିଁ । ଶୁକ୍ଳପକ୍ଷର ଜହ୍ନ ହେଉ କି କୃଷ୍ଣପକ୍ଷର, ମିଷ୍ଟର ସାକ୍‌ସେନା ଅପେକ୍ଷା କରନ୍ତି ଚନ୍ଦ୍ରୋଦୟକୁ ।

 

ସବୁଦିନ ପରି ଆଜି ସକାଳେ ମିଷ୍ଟର ସାକ୍‌ସେନା କଲୋନି ସେ ମୁଣ୍ଡର ମାର୍କେଟ୍‌କୁ ଯାଇଥିଲେ । ମାର୍କେଟ୍‌ର ଦୋକାନଗୁଡ଼ିକ ବନ୍ଦ ଥିଲା । ପ୍ରଥମେ ତାଙ୍କର ଧାରଣା ହୋଇଥିଲା ଯେ ସମ୍ଭବତଃ ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁ କର୍ଫ୍ୟୁ ଜାରି ହେଇଛି । ପରେ ମନେ ପଡ଼ିଥିଲା, ଆଜି ପୂର୍ଣ୍ଣିମା, ଆଶ୍ୱିନ ପୂର୍ଣ୍ଣିମା । ସବୁ ପୂର୍ଣ୍ଣିମାରେ ଏ ମାର୍କେଟ୍‌ ବନ୍ଦ ରହେ ।

 

ତା’ପରେ ସେ ଯୋଜନା ସ୍ଥିର କରିଥିଲେ ଆଜି ରାତିଟି ସେ ବିତେଇବେ ଟ୍ରେନ୍‌ ଯାତ୍ରାରେ । ଟ୍ରେନ୍‌ରେ ବସି ବସି ସେ ଚନ୍ଦ୍ରୋଦୟରୁ ଚନ୍ଦ୍ରାସ୍ତ ଯାଏ ନିରୀକ୍ଷଣ କରିବେ ଚନ୍ଦ୍ରିକାଚର୍ଚ୍ଚିତ ରାତ୍ରିର ଚେହେରା ।

 

ଖିଆଲର ଯୁକ୍ତି ନାହିଁ, କାରଣ ନାହିଁ । ମିଷ୍ଟର ସାକ୍‌ସେନାଙ୍କ ମୁଣ୍ଡରେ ଥରେ ଗୋଟାଏ କଥା ଢୁକିଗଲେ ଆଉ ସେଥିରୁ ଘୁଞ୍ଚିବାର ପ୍ରଶ୍ନ ନାହିଁ । ପ୍ରୌଢ଼ାବସ୍ଥା, ଅର୍ଥନୈତିକ ସମସ୍ୟା ବା ଆଉ କିଛି ସମସ୍ୟା ତାଙ୍କୁ ଏତେ ବେଶୀ ପ୍ରଭାବିତ କରିପାରେ ନାହିଁ ।

 

ସେକେଣ୍ଡ୍‌କ୍ଲାସ୍‌ ଟିକେଟ୍‌ଟେ କାଟି ସେ ସନ୍ଧ୍ୟା ଛଅଟାରେ ପୁରୀ ଛାଡ଼ୁଥିବା ଟ୍ରେନ୍‌ରେ ବସିଛନ୍ତି, ଝରକା ପାଖ ସିଟ୍‌ଟେ ଦଖଲ କରି । ହାୱଡ଼ା ଯାଏ କାଟିଛନ୍ତି ଟିକେଟ୍‌ । ୟା ଭିତରେ ଜହ୍ନ ଉଠି ଆସିଛି ଢେର୍‌ ଉପରକୁ । ସନ୍ଧ୍ୟାବେଳର କୋଳାହଳ କମ୍ପାର୍ଟମେଣ୍ଟ୍‌ରେ ନାହିଁ । ରାତି ନଅଟାରୁ ବେଶୀ ହବ । ଲୋକାଲ୍‌ ପାସେଞ୍ଜରମାନେ ଏହା ଭିତରେ ଓହ୍ଲେଇ ପଡ଼ିଛନ୍ତି । ଆଉ କେହି ଆସୁନାହିଁ, କେହି ଯାଉନାହିଁ । ସହଯାତ୍ରୀମାନେ ସମସ୍ତେ ବୋଧହୁଏ ହାୱଡ଼ା ପର୍ଯ୍ୟନ୍ତ ଯିବେ ।

 

ମିଷ୍ଟର ସାକ୍‌ସେନା ଗୋଟାଏ ପରେ ଗୋଟାଏ ସିଗାରେଟ୍‌ ଟାଣୁଛନ୍ତି । ଗୁଣୁଗୁଣୁ ହେଇ ଗୀତ ଗାଉଛନ୍ତି । ପୂର୍ଣ୍ଣିମାର ଜହ୍ନ, ଅଶିଣର ରାତିକୁ ଅଭିନନ୍ଦନ ଜଣେଇ ଗାଉଛନ୍ତି ଗୀତ ।

 

“ଆଜ୍ଞା, ଝରକାଟା ଟିକିଏ ବନ୍ଦ କରିଦିଅନ୍ତୁ । ପବନ ଆସୁଛି ।”

 

ମିଷ୍ଟର ସାକ୍‌ସେନା ନିଜର ଡାହାଣ ପାଖକୁ ଚାହିଁଲେ । ଶାବନା ହେଇ ଡେଙ୍ଗା, ପତଳା ଟୋକାଟା । ଜିନ୍‌ ପ୍ୟାଣ୍ଟ, ଢିଲା ସାର୍ଟ ପିନ୍ଧିଛି । ଝାପ୍‌ସା ଆଲୁଅରେ ତା’ର ମୁହଁଟା ଠିକ୍‌ ବାରି ହେଉନାହିଁ ।

 

“ଇଏ ପୂର୍ଣ୍ଣମୀର ଜହ୍ନରାତି । ତୁମେ ଯୁବକ ଲୋକ । ତମପାଇଁ ତ ଏହା ଅତ୍ୟନ୍ତ ଉପଭୋଗ୍ୟ । ତମକୁ ତ ଶୀତ ଲାଗିବା କଥା ନୁହେଁ । ଦେଖୁନ, ଛାଇ ଆଲୁଅ ଭିତରେ କେମିତି ସୁନ୍ଦର ଦିଶୁଛି ପୃଥିବୀ, ମାଟିରୁ ଆକାଶ ଯାଏଁ ।”

 

: ବୁଢ଼ାଟାର ମୁଣ୍ଡ ଖରାପ–ସ୍ୱଗତୋକ୍ତି କଲା ପରି ଟୋକାଟି କହିଲା ।

 

–କ’ଣ କହିଲ ?

 

–ନାଇଁ, ମୁଁ ପଚାରୁଥିଲି, ଆପଣ କେଉଁଯାଏ ଯିବେ ?

 

ମିଷ୍ଟର ସାକ୍‌ସେନା ଉତ୍ତର ଦେଲେ, “ହେଇପାରେ ହାୱଡ଼ା କି ଖଡ଼ଗପୁର, ନ ହେଲେ ବାଲେଶ୍ୱର । ଇମିତି ତ ହୋଇପାରେ, ମୁଁ ଭଦ୍ରକରେ ଓହ୍ଲେଇଯିବି ।”

 

–ତା’ ମାନେ, କେଉଁଠିକି ଯିବେ ଠିକ୍‌ କରିନାହାନ୍ତି ?

 

–କିଏ କହିଲା ଠିକ୍‌ କରିନାହିଁ ? ଏ ଟ୍ରେନ୍‌ଟି ଯେ ହାୱଡ଼ାରେ ନିଶ୍ଚୟ ପହଞ୍ଚିବ ତା’ର କିଛି ଗ୍ୟାରେଣ୍ଟି ତମେ ଦେଇପାରିବ କି ?

 

ଏଣିକି ଯୁବକଟି ନିଶ୍ଚିନ୍ତ ହେଇଗଲା ଯେ, ଲୋକଟା ପାଗଳ । ୟା ସାଙ୍ଗରେ ବେଶୀ ବକର ବକର ନ ହେଇ ନିଜ କାମରେ ମନଦେବା ଭଲ ।

 

–ତୁମେ କେଉଁଠିକି ଯିବ ବାବୁ ? ପଚାରିଲେ ମିଷ୍ଟର ସାକ୍‌ସେନା ।

 

–ମୁଁ... ମୁଁ ଖଡ଼ଗପୁର ଯିବି ।

 

–ଭଲ ହେଲା, କିଛି ସମୟ ଆମେ ପରସ୍ପର ସହ କଥାବାର୍ତ୍ତା ହେଇ ଯାଇପାରିବା । ଆସନ୍ତା କିଛି ସମୟ ପାଇଁ ଅନ୍ତତଃ ଆମେ ପରସ୍ପରର ବନ୍ଧୁ, ସହଯାତ୍ରୀ ।

 

ଉଲ୍ଲେଖ ନିଷ୍ପ୍ରୟୋଜନ, ମିଷ୍ଟର ସାକ୍‌ସେନାଙ୍କର ଏ ପ୍ରକାର ପ୍ରସ୍ତାବ ଯୁବକଟିକୁ ଆଦୌ ଖୁସି କଲାନାହିଁ । ଢଙ୍ଗରଙ୍ଗରେ ସେ ଜଣେଇବାକୁ ହୁଁଥିଲା ଯେ, “ନାଇଁ ବାବୁ, ତମେ ତମର ନିଜ ସାଙ୍ଗେ କଥାଭାଷା ହୁଅ । ତମପରି ପାଗଳଙ୍କ ସାଙ୍ଗରେ ମିଶିଲେ ଭଲ ମଣିଷ ବି ପାଗଳ ହେଇଯିବ ।”

 

ଅବଶିଷ୍ଟ ସମୟତକ ମିଷ୍ଟର ସାକ୍‌ସେନା ଓ ସେହି ଅପରିଚିତ ଯୁବକ ଉଭୟେ ନିଜ ନିଜ ଢଙ୍ଗରେ ବିତେଇଥିଲେ ମଧ୍ୟ ଉଭୟେ ଉନ୍ନିଦ୍ର ରହିଥିଲେ । ମିଷ୍ଟର ସାକ୍‌ସେନା ଚାହିଁରହନ୍ତି ଆକାଶକୁ, ମେଲାଣି ମାଗୁଥିବା ଚନ୍ଦ୍ରମାକୁ, କଳାଧଳା ବଉଦକୁ, ନକ୍ଷତ୍ରପୁଞ୍ଜଙ୍କୁ, ଧାନକ୍ଷେତକୁ, ପ୍ଲାଟ୍‌ଫର୍ମଗୁଡ଼ିକର ସାମୟିକ କୋଳାହଳକୁ ଓ ଯୁବକଟି ଚାହିଁରହେ କମ୍ପାର୍ଟମେଣ୍ଟ୍‌ ଭିତରର ସହଯାତ୍ରୀମାନଙ୍କର ନିଦ୍ରିତ ଅବସ୍ଥାକୁ, ସେମାନଙ୍କର ଜୋତା, ଛତା ଓ ବ୍ୟାଗ୍‌ଗୁଡ଼ିକୁ, ନିଜର ହାତଘଣ୍ଟାକୁ ଓ ମିଷ୍ଟର ସାକ୍‌ସେନାଙ୍କୁ ।

 

ଜୀବନଟା ଏଇମିତି ଗୋଟାଏ ଦୀର୍ଘ ରେଳଯାତ୍ରା । କେତେବେଳେ କେଉଁଠି, କାହାସାଙ୍ଗେ ଓ କେମିତି ପରିଚୟ ହୋଇଯିବ ଆଗରୁ କହିବା ମୁସ୍କିଲ, ନୁହେଁ ? ମିଷ୍ଟର ସାକ୍‌ସେନା ସେଇମିତି ଆକାଶକୁ ହିଁ ହିଁ ପ୍ରଶ୍ନ କରୁଥିଲେ ଯୁବକଟିକୁ ।

 

ଏ ପ୍ରକାର ଅର୍ଥ ଓ ଉଦ୍ଦେଶ୍ୟହୀନ ଏକ ପ୍ରଶ୍ନର ଉତ୍ତରକୁ ସମ୍ପୂର୍ଣ୍ଣ ଭାବେ ଏଡ଼ିଯିବାକୁ ଚାହୁଁଥିବା ନିଃସ୍ପୃହ ଯୁବକଟି ପ୍ରତିକ୍ରିୟା ପ୍ରକାଶ କଲା, “ହଁ, ସେଇଆ ନୁହେଁ ଆଉ କ’ଣ ?”

 

ଆଉ ଗୋଟାଏ ସିଗାରେଟ୍‌ରେ ନିଆଁ ଧରେଇଲେ ମିଷ୍ଟର ସାକ୍‌ସେନା । ଟ୍ରେନ୍‌ ଅଟକିଥିଲା କେଉଁ ଗୋଟାଏ ଷ୍ଟେସନ୍‌ରେ । କୁହୁଡ଼ି ଘେର ଭିତରୁ ପଢ଼ି ହେଉନାହିଁ ପ୍ଲାଟ୍‌ଫର୍ମର ନାଆଁ । ଇଚ୍ଛା ବି ନାହିଁ ଜାଣିବାକୁ ମିଷ୍ଟର ସାକ୍‌ସେନାଙ୍କର ।

 

ଆକାଶର ଜହ୍ନ ମେଲାଣି ମାଗୁଛି । ଯେଉଁମାନେ ଚନ୍ଦ୍ରାସ୍ତର ଏଇ ସୁନ୍ଦର ଚେହେରାଟି କେବେ ବି ଦେଖିନାହାନ୍ତି ସେମାନଙ୍କ ପ୍ରତି ଦୟା ହେଉଥିଲା ମିଷ୍ଟର ସାକ୍‌ସେନାଙ୍କର । ଟ୍ରେନ୍‌ଟି ପୁଣିଥରେ ଚାଲିବାକୁ ଆରମ୍ଭ କରିଥିଲା । ସେଇ ଆଦିମ ସରୀସୃପର ଗତି, ଛୁକ୍‌ଛୁକ୍‌ ଶବ୍ଦ ଓ ହ୍ୱିସିଲ୍‌ କୁହାଟରେ ନିରବ ଅନ୍ଧକାରକୁ ନିହତ କରି ଟ୍ରେନ୍‌ ଚାଲିଥିଲା ।

 

ମିଷ୍ଟର ସାକ୍‌ସେନା ପିଠି ଆଉଜେଇ ବସିଲେ ଏବଂ ଧ୍ୟାନସ୍ଥ ହେଇଗଲେ ।

 

ଅନେକ ବର୍ଷ ତଳକୁ ସେ ଫେରିଯାଉଥିଲେ ଭିତରେ ଭିତରେ । ପଚାଶ ବର୍ଷ ତଳର ନଙ୍ଗଳା ନିଷ୍ପାପ ଶୈଶବ, କଇଁଫୁଲ ଓ ଜହ୍ନରାତିର ଶୈଶବକୁ । ସେମାନେ ସବୁ ଆଜି କାହାନ୍ତି, ସ୍ମୃତିତୀର୍ଥର ସତୀର୍ଥମାନେ କିଏ କେଉଁଠି ସାକ୍‌ସେନା ଖବର ରଖିନାହାନ୍ତି । ଜୀବନସାରା ସେ ରହିଆସିଛନ୍ତି ଅନ୍ୟମନସ୍କ, ଇଚ୍ଛାକୃତ ଭାବେ । ଆଜି କିନ୍ତୁ ବିଦାୟୀ ଚନ୍ଦ୍ରର ଏହି ଶୋକାଚ୍ଛନ୍ନ ପ୍ରସ୍ଥାନ ତାଙ୍କୁ ଅନ୍ୟମନସ୍କରୁ ଅତିମନସ୍କ କରିଦେଉଛି । କ୍ରିୟା, ପ୍ରତିକ୍ରିୟା, କାରଣ ଓ ପରିଣାମର ଦେହଳି ଭିତରେ ଛନ୍ଦି ହେଇ ପଡ଼ୁଛନ୍ତି ସେ । ଜୀବନଟା ମନେହେଉଚି ଯେମିତି ଗୋଟାଏ ଅନଭ୍ୟସ୍ତ ଅଭିନେତାର ଖାପଛଡ଼ା ଅଭିନୟ ।

 

ଯୁବକଟି ଆଡ଼େ ଚାହିଁଲେ ମିଷ୍ଟର ସାକ୍‌ସେନା । ପାଖ ସିଟ୍‌ରେ ନାହିଁ ସେ । ଉଠିଯାଇ ଦୁଆର ପାଖରେ ଛିଡ଼ା ହେଇଛି । ବାରମ୍ବାର ଯୁବକଟିକୁ ଏମିତି ଉଠିଯାଇ ଦୁଆର ପାଖେ ଛିଡ଼ା ହେବାର ଦେଖୁଛନ୍ତି ମିଷ୍ଟର ସାକ୍‌ସେନା । ବଡ଼ ଅସ୍ଥିର ଓ ଅସହାୟ ମନେହଉଚି ତା’ର ମାସନିକ ସ୍ଥିତି । ପାଖ ଷ୍ଟେସନ୍‌ରେ ଓହ୍ଲେଇଯିବାକୁ ଚାହୁଁଛି କି ? କହୁଥିଲା, ଖଡ଼ଗପୁର ଯିବ ।

 

ଟ୍ରେନ୍‌ ରହିଲା ଆଉଥରେ । ଛୋଟ ଷ୍ଟେସନ୍‌ । ଜହ୍ନ ଅସ୍ତ ହେଇସାରିଲାଣି । ପାହାନ୍ତି ଉତ୍ତୀର୍ଣ୍ଣ । ଯୁବକଟି ଓହ୍ଲେଇ ଯାଉଥିଲା ।

 

ମିଷ୍ଟର ସାକ୍‌ସେନା ନିଜ ସିଟ୍‌ରୁ ଉଠି ଯାଇ ଯୁବକଟିର କାନ୍ଧ ଉପରେ ହାତ ରଖିଲେ । ଯୁବକଟି ବୁଲିପଡ଼ି ମିଷ୍ଟର ସାକ୍‌ସେନାଙ୍କୁ ଚାହିଁଲା ।

 

–ଖଡ଼ଗପୁର ଯିବ ବୋଲି କହୁଥିଲ ପରା ?

 

–ହଁ...ନା, ମୁଁ ଏଇଠି ଓହ୍ଲେଇଯିବି । ଯୁବକଟି ଅପ୍ରସ୍ତୁତ ଭାବେ ଉତ୍ତର ଦେଲା ।

 

–ମୁଁ ସେଇଆ କହୁ ନ ଥିଲି ରାତିରେ । କିଏ କେଉଁଠି, କେତେବେଳେ ଓ କାହିଁକି ଓହ୍ଲେଇବ କେହି ଜାଣେନି । ବହୁତ ଧନ୍ୟବାଦ । ଅନେକ ସମୟ ତମେ ତମର ସାନ୍ନିଧ୍ୟ ଦେଇଛ । ପୁଣି ଦେଖାହେବ–ସୁପ୍ରଭାତ ।

 

ଯୁବକଟି ବ୍ୟସ୍ତ ଗତିରେ ପ୍ଲାଟ୍‌ଫର୍ମ ଉପରେ ଚାଲିବାକୁ ଆରମ୍ଭ କରିଦେଇଥିଲା । ମିଷ୍ଟର ସାକ୍‌ସେନା ଏଥର ଟ୍ରେନ୍‌ରୁ ଓହ୍ଲାଇଯାଇ ପୁଣିଥରେ ଯୁବକଟିକୁ ଡାକିଲେ । ଏଥର ଯୁବକଟି ଆଖିରେ ବିରକ୍ତି ଓ କ୍ରୋଧ । ସେ ବୁଲିପଡ଼ି ଉତ୍‌କ୍ଷିପ୍ତ ସ୍ୱରରେ କହିଲା,

 

–କ’ଣ ହେଲା ? ପୁଣି କାହିଁକି ଡାକୁଛନ୍ତି ?

 

ମିଷ୍ଟର ସାକ୍‌ସେନା ନମ୍ର ଓ ଧୀର କଣ୍ଠରେ କହିଲେ, ‘ମୁଁ ଜାଣିଛି, ତମେ କାଲି ରାତିରେ ମୋ ପକେଟ୍‌ର ପର୍ସଟାକୁ ଚୋରେଇ ନେଇଛ । ନା, ନା, ବ୍ୟସ୍ତ ହୁଅନାହିଁ; ସେଥିରେ ମାତ୍ର ଷାଠିଏ ସତୁରି ଟଙ୍କା ଥିବ । ମୋର ବିଶ୍ୱାସ, ସେତିକିରେ ତମର ଆଜି ଦିନଟି ଚଳିଯାଇପାରିବ । ମୁଁ ତମ ପ୍ରତି ଯଥେଷ୍ଟ କୃତଜ୍ଞ । କାରଣ ତମେ ମୋ ସାଙ୍ଗେ କଥାବାର୍ତ୍ତା ହେଉଥିଲ ବୋଲି ରାତିରେ ଆଉ କାହାର କିଛି ନେଇପାରିନାହଁ । ଆବଶ୍ୟକଠାରୁ ବେଶୀ କିଛି ନେବା ଅନୁଚିତ ନୁହେଁ କି ?’

 

ଟ୍ରେନ୍‌ ଛାଡ଼ିବାର ଘଣ୍ଟା ବାଜିସାରିଥିଲା ।

 

ମିଷ୍ଟର ସାକ୍‌ସେନା ତରତର ହେଇ ଟ୍ରେନ୍‌ ଉପରକୁ ଉଠି ଯାଉ ଯାଉ ଅପରିଚିତ ପକେଟ୍‌ମାର ଉଦ୍ଦେଶ୍ୟରେ କହୁଥିଲେ, “ସୁ-ପ୍ରଭାତ । ପୁଣି ଦେଖାହେବ । ବେଷ୍ଟ୍‌ ଅଫ୍‌ ଲକ୍‌ ।”

 

ରାତି ପାହି ସାରିଥିଲା ।

 

ମିଷ୍ଟର ସାକ୍‌ସେନା ସମ୍ଭବତଃ ଆଗ ଷ୍ଟେସନ୍‌ରେ ଓହ୍ଲେଇବେ ।

Image

 

ରଥ ଆଉ ଯାତ

 

ସତ କହିବାକୁ ଗଲେ ଫି ବର୍ଷ ରଥଯାତ୍ରା ଦେଖିବା ଏବଂ ନାହିଁ ନଥିବା ନିର୍ଦ୍ଦୟ ଲୋକଭିଡ଼ ଭିତରେ ପ୍ରାଣ ବଞ୍ଚେଇ ରଥ ଦଉଡ଼ି ଟାଣିବା ପାଇଁ ମୋର ବିଶେଷ ଆଗ୍ରହ ନଥାଏ । ରଥ ଉପରେ ତିନିଦିଅଁଙ୍କୁ ଦେଖି ସେମାନଙ୍କର ପତିତପାବନ ରୂପ ଦର୍ଶନ ପାଇଁ ସ୍ୱାଭାବିକ କୌତୂହଳ ଯଦିଓ ମୋର ରହିଛି, ରଥ ଟାଣିବା ନାଆଁରେ କୌଣସିମତେ ନିଜର ଗୋଟାଏ ହାତକୁ ଆଗକୁ ଟିକିଏ ଠେଲିନେଇ ଦଉଡ଼ିକୁ ଟିକିଏ ଛୁଇଁଦେଲେ ଯେ ଯମ ଦଉଡ଼ିର ଆଶଙ୍କା ତୁଟିଯିବ, ଏମିତି ଏକ ଅନୁଚିତ ବିଶ୍ୱାସ ମୋର ନାହିଁ । ତଥାପି ଲକ୍ଷ ଲକ୍ଷ ପୁଣ୍ୟ-କାଙ୍ଗାଳ, ଜଗନ୍ନାଥପ୍ରେମୀ ମଣିଷଙ୍କ ଭିତରେ ନିଜକୁ ମିଶେଇ ଦେବାର ଏକ ଦୁର୍ବାର ବାସନା ମୋତେ କେବେ କେବେ ଟାଣିନିଏ ବଡ଼ଦାଣ୍ଡକୁ । ପ୍ରତିଥର ଜାମା ଗଞ୍ଜି ଚିରି, କେବେ ପର୍ସ ଓ କେବେ ପେନ୍‌ ବା ରୁମାଲ ହଜେଇ, ଭିଡ଼ ବସ୍‌ ଭିତରେ ବାଦୁଡ଼ି ପରି ଓହଳି ଓହଳି ପୁରୀ ଫେରନ୍ତା ରାସ୍ତାରେ ମନକୁ ମନ ପ୍ରତିଜ୍ଞା କରେ–ନା, ବହୁତ ହେଇଗଲା । ନ ହେଉ ପଛେ ମୋର ପୁଣ୍ୟ କି ଧରମ, ଆଉ କେବେ ଆସିବିନି ରଥଯାତ୍ରାକୁ ।

 

ମାତ୍ର କେଜାଣି କାହିଁକି ରଥଯାତ୍ରା-ଫେରନ୍ତା ଏ ପ୍ରତିଜ୍ଞା ଓ ମନର ଟାଣପଣ ଆରବର୍ଷ ଆଷାଢ଼ ଯାଏ ରହିପାରେ ନାହିଁ । ରଥଯାତ୍ରା ଆଗଦିନ ମନକୁ ବୁଝାଇଦିଏ ସ୍ୱାଭାବିକ ଭାବରେ, ଭୁବନେଶ୍ୱରରେ ଥାଇ ଯଦି ତୁ ପୁରୀର ରଥଯାତ୍ରା ଦେଖିପାରିବୁନି, ତା’ହେଲେ ଭାବ୍‌ ତୁ କେଡ଼େବଡ଼ ପାପୀ । କାହିଁ ଇଂଲଣ୍ଡ, ଆମେରିକାରୁ ବିଦେଶୀ ଲୋକଙ୍କୁ ରଥ ଦଉଡ଼ି ଟାଣିଆଣୁଛି । ଲକ୍ଷ ଲକ୍ଷ ନରନାରୀ, ଆବାଳ ବୃଦ୍ଧ ଛୁଟୁଛନ୍ତି ଏକମୁହାଁ ହୋଇ । ତୁ କେମିତି ଯିବୁନାହିଁ ?

 

ଇଏ ବି ସତକଥା ।

 

ମନକୁ ମନ ଉତ୍ତର ଦିଏ ଏବଂ ରଥଯାତ୍ରାକୁ ବାହାରି ପଡ଼େ ପୁଣି ।

 

ଏବର୍ଷ ରଥଯାତ୍ରା ପୂର୍ବଦିନ ସକାଳୁ ସକାଳୁ ମିଡ଼ିଆ ହାଉସ୍‌ର ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ଙ୍କର ଫୋନ୍‌ ପାଇଲି । ଶ୍ରୀଯୁକ୍ତ ତିୱାରୀ ଫୋନ୍‌ କରିଛନ୍ତି । କଥା ହେଲି । ସେ କାଲି ରଥଯାତ୍ରା ଦେଖି ବାହାରିଛନ୍ତି ପୁରୀ । ମୁଁ ଚାହିଁଲେ ତାଙ୍କ ସାଙ୍ଗେ ଗାଡ଼ିରେ ଯାଇପାରିବି ଓ ତାହା ତାଙ୍କ ପାଇଁ ଏକ ଆନନ୍ଦଦାୟକ ଘଟଣା ହେବ ବୋଲି ସେ ପ୍ରସ୍ତାବ ଦେଇଥିଲେ ।

 

ଇଏତ ସୁବର୍ଣ୍ଣ ସୁଯୋଗ, ମୁଁ ସାଙ୍ଗେ ସାଙ୍ଗେ ‘ହଁ’ ଭରିଦେଲି ।

 

ସକାଳ ସାତଟାରେ ବାହାରିପଡ଼ିଲୁ ଆମେ ଭୁବନେଶ୍ୱରରୁ ।

 

ଶ୍ରୀଯୁକ୍ତ ତିୱାରୀ ଓସ୍ତାଦ୍‌ ଡ୍ରାଇଭର । ନାଲିରଙ୍ଗର ମାରୁତିଟି ତାଙ୍କର ଷାଠିଏ, ସତୁରି ସ୍ପିଡ଼୍‍ରେ ଚାଲିଥାଏ । ଏଥର ଆଉ ବସ୍‌ ଭିତରେ ବାଦୁଡ଼ି ପରି ଝୁଲି ଯିବାର ସ୍ୱେଦାକ୍ତ ଯନ୍ତ୍ରଣା ନାହିଁ-। ଭିଡ଼ ଭିତରେ ପକେଟ୍‌ମାର ହେଇଯିବାର ଆଶଙ୍କା ବି ନାହିଁ । ସକାଳର ସୁଲୁସୁଲିଆ ପବନରେ ନିଦ ଲାଗି ଆସୁଥାଏ । ଶ୍ରୀଯୁକ୍ତ ତିୱାରୀ ନାନାରକମର ଗପର ଖିଅ ଯୋଡ଼ୁଥାନ୍ତି ।

 

ପୁରୀରେ ତାଙ୍କ ପାଇଁ ସର୍କିଟ୍‌ ହାଉସ୍‌ରେ ସଂରକ୍ଷିତ ଥିଲା ଗୋଟାଏ ସୁଟ୍‌ । ସେଠି ଆମ ପାଇଁ ବ୍ରେକ୍‌ଫାଷ୍ଟ୍‌ର ଆୟୋଜନ ମଧ୍ୟ କରାଯାଇଥିଲା । ଶ୍ରୀଯୁକ୍ତ ତିୱାରୀ କେବଳ ମିଡ଼ିଆ ହାଉସ୍‌ର ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ନୁହଁନ୍ତି; ଅବସର ନେବା ପୂର୍ବରୁ ସେ ଥିଲେ ସଂସ୍କୃତି ବିଭାଗର କମିଶନର । ଜଣେ ଅବସରପ୍ରାପ୍ତ ଆଇ.ଏ.ଏସ୍‌. ଅଫିସର ହିସାବରେ ସେ ବେଶ୍‌ ଜଣାଶୁଣା । ତାଙ୍କର ସାନଭାଇ କେନ୍ଦ୍ରାଞ୍ଚଳ ଡିଆଇଜି । ପୁଲିସ ବିଭାଗର ଉଚ୍ଚ କର୍ମକର୍ତ୍ତାଙ୍କର ବଡ଼ଭାଇ ହିସାବରେ ଶ୍ରୀଯୁକ୍ତ ତିୱାରୀଙ୍କର ମଧ୍ୟ ପୁଲିସ ଅଫିସର ମହଲରେ ଥିଲା ସ୍ୱାଭାବିକ ଖାତିର ।

 

ବ୍ରେକ୍‌ଫାଷ୍ଟ୍‌ ପରେ ପରେ ସର୍କିଟ୍‌ ହାଉସ୍‌ କ୍ୟାମ୍ପସ୍‌ ଭିତରେ ମାରୁତିଟିକୁ ରଖିଦେଇ ଆମେମାନେ ବସିଲୁ ପୋଲିସ୍‌ ଗାଡ଼ିରେ । ଆମର ନିରାପତ୍ତା ପାଇଁ ଦୁଇଜଣ କନେଷ୍ଟବଳ ଆଗ ସିଟ୍‌ରେ ବସିଥାନ୍ତି । ଭିଡ଼ ଭିତରେ କେଉଁଠି କେମିତି ଗାଡ଼ି ଅଟକି ଯାଉଥିଲେ ସେମାନେ ଓହ୍ଲାଇପଡ଼ି ଚିଲେଇ ଉଠୁଥାନ୍ତି: ହଟୋ, ହଟୋ । ଆମ ଗାଡ଼ି ଆଗକୁ ଗଡ଼ିଯାଉଥାଏ ପୁଣି ।

 

ଆମେ ସେଇଠି ପହଞ୍ଚି ଗାଡ଼ିରୁ ଓହ୍ଲାଇ ପଡ଼ିବା ମାତ୍ରେ ହିଁ ଜଣେ ହାବିଲଦାର ଶ୍ରୀଯୁକ୍ତ ତିୱାରୀଙ୍କୁ ଗୋଟାଏ ଜବରଦସ୍ତ ସଲାମ ଠୁଙ୍କିଲେ ଏବଂ ପକେଟ୍‌ରୁ ବାହାର କରି ଦୁଇଟି କର୍ଡ଼ନ ପାଶ୍‌ ଏବଂ ଏମାର ମଠ ଉପରେ ବସି ରଥଟଣା ଦେଖିବାର ପାଶ୍‌ ତାଙ୍କ ହାତକୁ ବଢ଼େଇଦେଲେ । ଶ୍ରୀଯୁକ୍ତ ତିୱାରୀ ‘ସୋ କାଇଣ୍ଡ୍‌ ଅଫ୍‌ ୟୁ, ଥ୍ୟାଙ୍କ୍‌ ୟୁ ଭେରି ମଚ୍‌’ ପରି କୃତଜ୍ଞତାର ଶବ୍ଦସବୁ ଉପହାର ଦେଇଥିଲେ ହାବିଲଦାରଙ୍କୁ ।

 

ଏମାର ମଠ ଉପର ମହଲାକୁ ଯିବା ମୋ ପାଇଁ ପ୍ରଥମ ନଥିଲା ଅବଶ୍ୟ । କିନ୍ତୁ ରଥଯାତ୍ରାର ଏ ଭିଡ଼ ଭିତରେ ଏଇ ଛାତ ଉପରୁ ବସି ରଥଟଣା ଦେଖିବାକୁ ସୌଭାଗ୍ୟ କଦାଚିତ୍‌ ଜୁଟି ନଥିଲା ଭାଗ୍ୟରେ । ଏତେ ଦୂର ଆସିବା ତ ଭାଗ୍ୟର କଥା, କୌଣସି ଦିନ ରଥର ପାଖାପାଖି ଇଲାକାକୁ ବି ମୁଁ ଆସିପାରି ନଥିଲି । ମୁଁ ଏପାଖ ସେପାଖ ଚାହିଁ ଦେଖିଲି, ଆମେ ବସିଥିବା ଧାଡ଼ିରେ ବସିଛନ୍ତି ଦୁଇଜଣ କ୍ୟାବିନେଟ ପାହ୍ୟା ମନ୍ତ୍ରୀ, ସପରିବାର ଛଅଜଣ କମିଶନର, ହାଇକୋର୍ଟ ଜଜ୍‌ ଓ ରାଜ୍ୟପାଳଙ୍କ ସଚିବ ପ୍ରମୁଖ । ଏତେ ଗୁରୁତ୍ୱପୂର୍ଣ୍ଣ ମଣିଷମାନଙ୍କ ଗହଳି ଭିତରେ ମୋର ନିଜର ଅବସ୍ଥିତି କାହିଁକି କେଜାଣି ବଡ଼ ଅସ୍ୱସ୍ତିକର ଲାଗୁଥାଏ ।

 

–ଆଜ୍ଞା କୋଲ୍‌ଡ ଡ୍ରିଙ୍କ୍‌ !

 

ମୁଁ ପଛକୁ ଫେରି ଚାହିଁଲି ।

 

ଜଣେ କନେଷ୍ଟବଳ ଦୁଇ ହାତରେ ଦୁଇଟା ଲିମ୍‌କା ବୋତଲର ବେକ ଧରି ଛିଡ଼ା ହେଇଛନ୍ତି । ମୁଁ ହାତ ବଢ଼େଇ ସେଗୁଡ଼ିକ ତାଙ୍କ ହାତରୁ ନେଇଗଲି ।

 

ସେତେବେଳକୁ ପୁରୀର ବଡ଼ଦାଣ୍ଡ ଲୋକଗହଳିରେ ପୂରି ଉଠିଲାଣି । ଭିଡ଼ ତଥାପି ବଢ଼ୁଥାଏ । ଲକ୍ଷ ଲକ୍ଷ ମଣିଷ । ନାନା ବୟସର, ନାନା ଜାତିର । କିଏ ଆସିଛି ପଶ୍ଚିମରୁ, କିଏ ପୂର୍ବରୁ । ପୁଣି କେତେକ ଆସିଛନ୍ତି ଦରିଆପାରି ବିଦେଶରୁ ରଥଟଣା ଦେଖିବା ପାଇଁ । ସେମାନଙ୍କର ଭିଡ଼ ଦେଖିଲେ ମନେ ହଉଛି, କଳାଧୂମର ଲହଡ଼ି ଯେପରି ମାଡ଼ିଆସୁଛି ଦରିଆ କୋଳରୁ ବେଳାଭୂଇଁ ଛୁଇଁବା ପାଇଁ ।

 

ଶ୍ରୀଯୁକ୍ତ ତିୱାରୀ ଲଗାତାର ଭାବେ ନିଜ ଆଖି ସାମ୍ନାରେ ଧରି ରଖିଥାନ୍ତି ଶକ୍ତିଶାଳୀ ବାଇନାକୁଲାର । ମୋତେ କାହିଁକି ସେଇ ଯନ୍ତ୍ରଟି ବଡ଼ ଅନାବଶ୍ୟକ ମନେ ହେଉଥାଏ ସେ ପରିବେଶରେ । ଆମଠୁ ତ ମାତ୍ର ଦଶହାତ ଦୂରରେ ରଥ । ରଥ ଉପରେ ନଡ଼ିଆଟିଏ ବି କେହି ଥୋଇଲେ ତାହା ଆମକୁ ଭଲ ଭାବେ ଦେଖାଯାଉଥିଲା । ଅଥଚ ଏ ବାଇନାକୁଲାରର ପୁଣି କି ପ୍ରୟୋଜନ !

 

ଅଭ୍ୟାସ ସହଜରେ ଛାଡ଼େ ନାହିଁ ମଣିଷକୁ ।

 

ମଣିଷ ବି କେଉଁ ଛାଡ଼େ କି ଏମିତି ସୁକୁମାରିଆ ଅଭ୍ୟାସ ସବୁକୁ ? ପ୍ରତି ଅଧଘଣ୍ଟା ଅନ୍ତରରେ ଆମ ପାଇଁ ଆସୁଥାଏ ଜଳଖିଆ, କୋଲ୍‌ଡଡ୍ରିଙ୍କ୍‌ ଓ ପଇଡ଼ । ମୁଣ୍ଡ ଉପରେ ଫ୍ୟାନ୍‌, ଆଖି ଆଗରେ ବାଇନାକୁଲାର, କାନ ପାଖରେ ଟ୍ରାଞ୍ଜିଷ୍ଟର ସେଟ୍‌ର ଧାରାବିବରଣୀ ଓ ସବୁଯାକ ହୁକୁମ ତାଲିମ କରିବା ପାଇଁ ଆଜ୍ଞାଧୀନ ଅର୍ଦ୍ଦଳି । ହଠାତ୍‌ କେଉଁଠୁ ଗୋଟାଏ ଗଣ୍ଡଗୋଳ ହେଲାପରି ଅସ୍ୱାଭାବିକ କୋଳାହଳ ଶୁଣାଗଲା । ଆମ ଚାରିପାଖେ ବ୍ୟସ୍ତତାର ଗୁଞ୍ଜରଣ । କ’ଣ ହେଲା ବୋଲି ଜାଣିବାକୁ ସମସ୍ତେ ଇଚ୍ଛୁକ, ଅଥଚ କେହି ନିଜର ଚଉକି ଛାଡ଼ି ଉଠିଯାଇ ଘଟଣାଟା ବୁଝିବାକୁ ପ୍ରସ୍ତୁତ ନୁହନ୍ତି ।

 

ଘଟଣାର ଅଧଘଣ୍ଟାଏ ପରେ କାନରୁ କାନ ହେଇ ମୋ କାନରେ ଆସି ପହଞ୍ଚିଲା ସେଇ ଦୁର୍ଘଟଣାର କାରଣ । ସାମ୍ନାର ଗୋଟେ ପୁରୁଣା କୋଠାଘରର ଛାତ ଉପରେ ଯେଉଁ ଶହେ ସରିକି ଲୋକ ବସିଥିଲେ, ତାଙ୍କରି ଭିତରୁ ଦୁଇଜଣ ଖସିପଡ଼ିଛନ୍ତି । ଛାତ ଧସିବାରୁ ହିଁ ଏ ଦୁର୍ଘଟଣା ।

 

ମୋତେ ବଡ଼ ବ୍ୟସ୍ତ ଲାଗିଲା ।

 

ଶ୍ରୀଯୁକ୍ତ ତିୱାରୀ ତାଙ୍କର ସହଧର୍ମୀମାନଙ୍କ ସହ ଗପି ଚାଲିଥାନ୍ତି । ପହଣ୍ଡିବିଜେର କୋଳାହଳରେ ମୂର୍ଚ୍ଛିତ ହୋଇ ଉଠୁଥାଏ ବଡ଼ଦାଣ୍ଡ । ତିନି ଦିଅଁଯାକ ବିଜେ ହେଇ ସାରିଲେଣି ରଥ ଉପରେ । ଖବର ଯାଇଛି ଗଜପତି ମହାରାଜଙ୍କ ପାଖକୁ । ତାଙ୍କ ଆସିବାକୁ ପ୍ରତୀକ୍ଷା ।

 

ବଡ଼ଦାଣ୍ଡର ଲୋକଭିଡ଼ ଫୁଲି ଫୁଲି ଉଠୁଥାଏ । ଏଇ ଯେମିତି ଶେଷ ଅବସ୍ଥା, ଆଉ ଗୋଟିଏ ବି ଅଧିକ ଲୋକ ଧରିବ ନାହିଁ ଏହି ଦାଣ୍ଡରେ ।

 

ରଥଟଣା ଆରମ୍ଭ ହେବା ପୂର୍ବରୁ ହିଁ ଆମକୁ ନିମନ୍ତ୍ରଣ ଆସିଲା । କର୍ଡ଼ନ ପାଶ୍‌ର ସଦୁପଯୋଗ କରି ଆମେ ରଥଦଉଡ଼ି ଛୁଇଁ ଫେରିଆସିଲୁ ଏଥର ସର୍କିଟ୍‌ ହାଉସ୍‌କୁ ।

 

ଶ୍ରୀଯୁକ୍ତ ତିୱାରୀ ପ୍ରସ୍ତାବ ଦେଲେ, “ଏଇନା ଖୁବ୍‌ ଭିଡ଼ ହେବ । ଏଠି ଆଉ କିଏ ରହେ-? ଚାଲନ୍ତୁ, ଏଥର ଭୁବନେଶ୍ୱର ଫେରିଯିବା ।”

 

ମୋର ଗତ୍ୟନ୍ତର ନ ଥିଲା ।

 

ଭୁବନେଶ୍ୱର ଫେରିବା ବାଟରେ ଧଉଳି ପାଖାପାଖି ଶ୍ରୀଯୁକ୍ତ ତିୱାରୀ ମୋତେ ଔପଚାରିକ ଭାବେ କହିଲେ, ‘ଏଥର ବେଶ୍‌ ଭଲରେ ରଥ ଦେଖା ହେଇଗଲା, ନା କ’ଣ କହୁଛନ୍ତି-?’

 

ମୁଁ ହଠାତ୍‌ କିଛି କହିପାରିଲି ନାହିଁ ।

 

ସେ ଭାବିଲେ, ବୋଧହୁଏ ମୁଁ ତାଙ୍କ ପ୍ରଶ୍ନ ଶୁଣିପାରୁ ନାହିଁ । ଠିକ୍‌ କଥା ତ, ଶୁଣିଥିଲେ ଉତ୍ତର ଦେବା ପାଇଁ ବିଳମ୍ବ ହୁଅନ୍ତା କାହିଁକି ?

 

ମୁଁ ଖାଲି ସଂକ୍ଷେପରେ କହିଲି, ‘ହଁ ରଥ ଦେଖିଲି ଯେ, ଯାତ ଆଉ ଦେଖିଲି କେଉଁଠି ?’

 

ଶ୍ରୀଯୁକ୍ତ ତିୱାରୀ କ’ଣ ବୁଝିଲେ କେଜାଣି ଟିକିଏ ହସିଲେ ।

 

ସେଇଦିନ ଘରକୁ ଫେରି ମୁଁ ବୁଝିଥିଲି ଏଥର ରଥଯାତରେ ମୁଁ କ’ଣ ସବୁ ହଜେଇ ଆସିଛି । ପୁଲିସି ଆଦବକାଇଦାର ଚର୍ଚ୍ଚା, ବିଳାସୀ ଦେଖଣାହାରିର ଏତେସବୁ ଘଟାଟୋପ ଭିତରେ ଫି ବର୍ଷ ମୁଁ ଯେପରି ଅଣନିଃଶ୍ୱାସୀ ହେଇ ପର୍ସ, କଲମ, ପାନିଆଁ, ଚଟି ହଜେଇ ଶ୍ରାନ୍ତ କ୍ଳାନ୍ତ ହେଇ ଫେରେ ଏଥର ସେମିତି କିଛି ହଜେଇ ଫେରିନି ସିନା, ଏଥର କିନ୍ତୁ ଯାହା ହଜେଇଛି ତାହା ସତରେ ଆଉ ପାଇ ପାରିବିନି ।

Image

 

ଅପରାଧୀ

 

ଶନିବାରିଆ ଅଫିସ୍‌ । ଦପ୍ତରରେ ବିଶେଷ ଭିଡ଼ ନ ଥାଏ, ଆମେ ଚାରି ପାଞ୍ଚଜଣ ଆମର ବଡ଼ବାବୁଙ୍କୁ ଘେରି ବସିଥାଉ । ବଡ଼ବାବୁ କହିଚାଲିଥାନ୍ତି–

 

ଖୁବ୍‌ କଡ଼ା ମିଜାଜର ମଣିଷ ଅରବିନ୍ଦ ଚତୁର୍ବେଦୀ । ଦାପ୍ତରିକ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ତ ମଣିଷ ତାଙ୍କଠାରୁ ଶିଖିବା କଥା । କାମରେ କେଉଁଠି ଖୁଣିବାକୁ କିଛି ରଖନ୍ତି ନାହିଁ । ମୁହଁରେ ସବୁବେଳେ ଲାଗି ରହିଥାଏ ସରୁ ଧାରେ ହସ । ଠୋ-ଠୋ କଥାବାର୍ତ୍ତା, ହୋ-ହୋ ହସ, ଫଟ୍‌ଫାଟ୍‌ ଚାଲି, ଅନ୍‌ ଦି ସ୍ପଟ୍‌ ଡିସିସନ୍‌ ନେବାରେ ଏକ୍‌ସପର୍ଟ ।

 

ଯେଉଁଦିନ ପୁରୁଣା ହାକିମ ବିଦା ହୋଇଗଲେ ଓ ତାଙ୍କ ବଦଳରେ ଆସିଲେ ଏଇ ସାହେବୀ ମିଜାଜ୍‌ର ଅରବିନ୍ଦ ଚତୁର୍ବେଦୀ, ସେଦିନ ଆମ ଅଫିସ୍‌ର ବଡ଼ବାବୁଙ୍କ ଠାରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ, ଡ୍ରାଇଭର, ମାଳୀ, ଦରୱାନ ସମେତ ସମସ୍ତେ ଟିକିଏ ଶଙ୍କି ଯାଇଥିଲେ । ପୁରୁଣା ହାକିମ ଏଠି ତିନିବର୍ଷ ରହିଥିଲେ । ସଂସାରୀ ମଣିଷ, ତାଙ୍କ ନିଜ ଚିନ୍ତାରେ ସିଏ ସବୁବେଳେ ବ୍ୟସ୍ତ ଥାଆନ୍ତି-। ଦରକାର ବେଳେ ଗାଡ଼ି, ଡ୍ରାଇଭର, ମାଳୀ, ଦରୱାନ ନ ମିଳିଲେ ସିଏ ବିଗିଡ଼ି ଯାଆନ୍ତି ଅବଶ୍ୟ; କିନ୍ତୁ ଆମ ଦପ୍ତରର ପାରଙ୍ଗମ ବଡ଼ବାବୁ ଅକ୍ଳେଶରେ ତାଙ୍କୁ ବୁଝେଇଦେଇ ପାରନ୍ତି । ତେଣିକି ହାକିମ ତାଙ୍କ ରାସ୍ତାରେ, ଆମ ଅଫିସ୍‌ବାଲାଏ ଆମ ରାସ୍ତାରେ । କିନ୍ତୁ ଏ ଅରବିନ୍ଦ ଚତୁର୍ବେଦୀ ଲୋକଟା ସହଜ ଜନ୍ତୁ ଜଣାପଡ଼ୁ ନ ଥିଲା । ଦିନେ ସଞ୍ଜରେ ଅଫିସ୍‌ ସାମ୍ନା ଚା’ ଦୋକାନରେ ବସି ଗପସପ କରୁକରୁ ବଡ଼ବାବୁ ହରେକୃଷ୍ଣ ପଟ୍ଟନାୟକ ଟିପ୍‌ପଣୀ କରିଥିଲେ, “ଆଜ୍ଞା ଏଇମିତି କେତେ ଅଫିସର ଗଲେଣି ନା, ଇଏ କଉଁ ସ୍ୱର୍ଗରୁ ଗଳିଲେ କି ଆଉ !” ସପ୍ତାହକୁ ସର୍ବାଧିକ ତିନିଦିନ ଆସୁଥିବା କନିଷ୍ଠ କିରାଣି ଜଣକ ପରିବେଶକୁ ଯଥାସମ୍ଭବ ଲଘୁ କରିବା ପାଇଁ ଉତ୍ତର ଦେଇଥିଲା, “ଆପଣ ଦେଖିବେ ନାହିଁ ଦିନ ତିନିଟାରେ କେମିତି ତାକୁ ଠିକ୍‌ ବାଟକୁ ନେଇ ଆସିବି-।”

 

: ହଉ, ଦେଖିବା । ତମେ ସବୁ ଟୋକାଟାକଳା ଲୋକ, କିଛି ବୁଝୁନାହଁ । ହାକିମ ହାତରେ କଲମ ଅଛି । ଯଦି ରାଗିମାଗି ସି.ସି.ଆର୍‌.ରେ ଦୁଇପଦ ଲେଖିଦିଏ, ମୁଁ ଏ ବୁଢ଼ାକାଳେ ହଇରାଣ ହେବି ସିନା, ତାଙ୍କର କିଛି କରିପାରିବି ନାହିଁ । ତମେମାନେ କିଛିଦିନ ଅନ୍ତତଃ ଜଗିରଖି କାମ କର । ସେଇଟା ଭଲ ହବ ସମସ୍ତଙ୍କ ପାଇଁ ।’ –ସି.ସି.ଆର୍‌ ସର୍ବସ୍ୱ ବଡ଼ବାବୁ ବିକଳରେ ଉତ୍ତର ଦେଇଥିଲେ ।

 

ଅଧସ୍ତନ କର୍ମଚାରୀମାନେ ଅରବିନ୍ଦ ଚତୁର୍ବେଦୀଙ୍କ ଉପସ୍ଥିତି ନେଇ ଏଇ ଯେ ନାନାରକମର କଳ୍ପନା ଜଳ୍ପନା କରୁଥିଲେ, ସେସବୁ ଅବଶ୍ୟ ଅବାନ୍ତର ନ ଥିଲା । କାମରେ କୌଣସି ପ୍ରକାର ବିଶୃଙ୍ଖଳା, ଢିଲାପଣ ସେ ବରଦାସ୍ତ କରନ୍ତି ନାହିଁ । ଏ କଥାଟା ସେ ଜଏନ୍‌ କରିବାର ମାସ ଗୋଟାକରେ ଜଣାପଡ଼ିଥିଲା । ତାଙ୍କ ଆଗରୁ ଏ ଅଫିସ୍‌ ଥିଲା ଗୋଟାଏ ଭୂତଖାନା । ଯେତେବେଳେ ଯେଉଁ ସେକ୍‌ସନ୍‌କୁ ଯିବେ, ଫ୍ୟାନ୍‌, ଲାଇଟ୍‌ ଭିନ୍ନ ମଣିଷ କେହି ଦୃଷ୍ଟିଗୋଚର ହେବେନାହିଁ । ଚପଲ ହଳକ ଟେବୁଲ୍‌ ତଳେ ଥିବ, ଛତାଟି ଝୁଲୁଥବ ଚୌକି ଡେଣା ଉପରେ । ଚଷମା ଖୋଳଟା ବି ଥିବ ଟେବୁଲ ଉପରେ, କିନ୍ତୁ ବାବୁ ନଥିବେ ।

 

ଅରବିନ୍ଦ ଚତୁର୍ବେଦୀ କିନ୍ତୁ ଥିଲେ ଅଲଗା ପ୍ରକାର ମଣିଷ । କୌଣସି ପ୍ରକାର ଖାମଖିଆଲି ନୀତିକୁ ଘୋର ନାପସନ୍ଦ । ତୋଷାମଦିକୁ ପ୍ରୋତ୍ସାହିତ କରିବା ଗୋଟାଏ ସମାଜ ବିରୋଧୀ କାମ ବୋଲି ତାଙ୍କର ଧାରଣା । ପିଲାପିଲି ତାଙ୍କର ଗାଆଁରେ ରହନ୍ତି । ଏଠି ସହରରେ ସେ ଆଉ ତାଙ୍କ ସହ ଜଣେ ରୋଷେୟା ପିଲା । ଟୁର୍‌ ଫୁର୍‌ରେ ଯାଆନ୍ତି ନାହିଁ ପ୍ରାୟ । ଏମିତିକା ଅବସ୍ଥାରେ ଆମ ଅଫିସ୍‌ କର୍ମଚାରୀଙ୍କ ଦୁର୍ଦ୍ଦଶା ସହଜେ ଅନୁମେୟ । ହଁ, ଆଉ ଗୋଟାଏ ଅସୁବିଧା ଥିଲା ଛୁଟି ସାଙ୍କ୍‌ସନ୍‌ ନେଇ । ଚତୁର୍ବେଦୀ ସାହାବ ଛୁଟି ନାଁ ପଡ଼ିଲେ ଚିହିଁକି ଉଠନ୍ତି । ଏଥିରେ ଅବା ମଣିଷ କ’ଣ କରିବ କୁହ ? ସରକାରୀ ଚାକିରିଆମାନଙ୍କୁ ଈଶ୍ୱର ଆଉ ଯାହା ଦିଅନ୍ତୁ ନ ଦିଅନ୍ତୁ, ଗୋଟାଏ ଅଜବ ଘ୍ରାଣେନ୍ଦ୍ରିୟ ଦେଇଛନ୍ତି, ଯାହା ବଳରେ ସେମାନେ ଶୁଙ୍ଘି ଶୁଙ୍ଘି ସେମାନଙ୍କ ବଡ଼ ଅଫିସରଙ୍କ ଦୁର୍ବଳ ଜାଗାଟିକୁ ଖପ୍‌କିନା ଧରିପକାନ୍ତି । ଅରବିନ୍ଦ ଚତୁର୍ବେଦୀଙ୍କର ଦୁର୍ବଳତା ଟିକକ ଖୋଜିବା କାମରେ ସେତେବେଳେ ଆମ ଦପ୍ତରର ପାଞ୍ଚ ଦଶ କିରାଣି ଅଭିଯାନ ଆରମ୍ଭ କରିଦେଇଥିଲେ । ନେତୃତ୍ୱ ନେଇଥିଲା ସେହି କୁହାଳିଆ କନିଷ୍ଠ କିରାଣି ଟୋକାଟା ।

 

କେହି କେହି କହିଥିଲେ, ଲୋକଟା ଗୋଟାଏ ୱାର୍କହଲିକ । ଭଲ କାମ କଲେ ବଳେ ବଳେ ଲୋକଟା ଆଦର କରିବ । କିନ୍ତୁ ଏଇ ‘ଭଲ’ର ପରିଭାଷାଟା ସବୁଠୁ କଠିନ କାର୍ଯ୍ୟ । ବଡ଼ବାବୁ କହିଲେ, ଲୋକଟାର ତ ପିଲାପିଲି ଏଠି ନାହାନ୍ତି, ନ ହେଲେ ଘର ସୋର୍ସରୁ କିଛି ଜାଣିହୁଅନ୍ତା । ତେବେ ଟିକିଏ ଜାଗତିଆର ରହିଥାଅ । ଚେଷ୍ଟାକଲେ କିଛି ଜଣାପଡ଼ିବ ।

 

ସବୁଠୁ ମୁସ୍କିଲରେ ପଡ଼ିଥିଲା କୁହାଳିଆ ଟୋକାଖଣ୍ଡକ । ସପ୍ତାହରେ ତିନିଦିନ ଆସିବାଟା ତା’ର ଏମିତି ଅଭ୍ୟାସରେ ପଡ଼ିଯାଇଥିଲା ଯେ ସପ୍ତାହକୁ ଛଅଦିନ ଆସିବାରୁ ସେ ବେମାରରେ ପଡ଼ିଯାଉଥିଲା । ଛୁଟି ସବୁ ତା’ର ବର୍ଷ ଆରମ୍ଭରୁ ସରିଯାଇଥାଏ । ଦସ୍ତଖତ ପକେଇ ଅନୁପସ୍ଥିତ ରହିବାଟା ଗୋଟାଏ ଅଭ୍ୟାସରେ ପଡ଼ିଯାଇଥିଲା । ମାତ୍ର ଚତୁର୍ବେଦୀ ସାହେବଙ୍କୁ ଡରି ସେ ଅନୁପସ୍ଥିତ ରହୁ ନ ଥିଲା । କିଏ ଜାଣେ, ଆସିଲାବେଳକୁ ଚାକିରିଟା ଗୋଲ ହେଇଯାଇଥିବ ।

 

ଦିନେ ସଞ୍ଜରେ କ୍ୟାଣ୍ଟିନ୍‌ରେ ସମସ୍ତେ ବସିଥାନ୍ତି । କେହି କେହି ସାହେବର ଠାଣିବାଣୀକି କ୍ୟାରିକେଚର କରୁଥାଆନ୍ତି । ବଡ଼ବାବୁ ସେଇ କୁହାଳିଆ କିରାଣି ଟୋକାକୁ ଦେଖେଇ କହିଲେ, ‘କିହୋ, ତମେ ପରା ମାସ ଗୋଟାକରେ ସାହାବଙ୍କୁ ପାଣି ପିଆଇ ଦେଉଥିଲ, ଏବେ ତ ତିନିମାସ ପୂରିବାକୁ ବସିଲାଣି । କାହିଁ, ତମର ତ କିଛି ଔଷଧ କାମ କରୁ ନାହିଁ ?’

 

ଟୋକାଟା ଗରମ ପକୁଡ଼ି ସାଙ୍ଗରେ ଚା’ ପିଉଥାଏ । ମୁହଁ ତା’ର ଲାଜରେ ରଙ୍ଗା ପଡ଼ିଗଲା । କ’ଣ କରିବ ସେ ? ସବୁ ରକମର ଚେଷ୍ଟା କରି ସାରିଲାଣି । ହେଲେ ଏ ସାହାବ ତମ୍ପସାପ । ପାଖକୁ ଗଲା ମାତ୍ରେ ଫଁ ଫଁ ହଉଛି ।

 

ତା’ପରେ ସମସ୍ତେ ଯେ ଯାହା ବାଟରେ ଚାଲିଗଲେ ।

 

ଅରବିନ୍ଦ ଚତୁର୍ବେଦୀ ଅଫିସ୍‌ରେ ସିନା ବହୁତ କଡ଼ା ମଣିଷ, କିନ୍ତୁ ଘରେ ସମ୍ପୂର୍ଣ୍ଣ ଭିନ୍ନେ ମଣିଷ । ଆମେ ବେଳେବେଳେ ତାଙ୍କ ରୋଷେୟା ଟୋକାକୁ ପଚାରି ବୁଝୁ । ‘ସାହାବଙ୍କ ଘରୁ ଯେ ବେଳଅବେଳେ ସିତାର୍‌ର ସୁର ଶୁଭେ, ସେଇଟା ସାହେବ ବଜାନ୍ତି ନା ଘରେ ଆଉ କେହି ବଜାନ୍ତି-?’

 

ରୋଷେୟା ଟୋକାଟା ଇଆଡ଼େ ସିଆଡ଼େ ଗୋବିନ୍ଦ ମୂଷା ପରି ହିଁ ଉତ୍ତର ଦିଏ, ‘ଘର କଥା କେଉଁଠି କିଛି କହିବାକୁ ସାହାବ ମନା କରିଛନ୍ତି । ମୁଁ ତ ଆଜ୍ଞା ମୂର୍ଖ ଲୋକ । ମୋତେ କି ସେ ଯନ୍ତ୍ରଫନ୍ତ୍ର ବଜେଇବା ଜଣା ! ଲୋକ ବୋଲି ତ ଆମେ ଦି’ ଜଣ ରହୁଛୁ ସେ ଘରେ । ଏଇଥିରୁ ଆପଣ ଯାହା ବୁଝିବେ ।’

 

ସେଦିନ ସନ୍ଧ୍ୟାରେ ଚତୁର୍ବେଦୀ ସାହେବ ଦପ୍ତରରୁ ଫେରି ନିଜ କ୍ୱାର୍ଟର୍ସର ଡ୍ରଇଂରୁମ୍‌ରେ ବସି ଚା’ ପିଉଥାନ୍ତି । ରୋଷେୟା ପିଲାଟି ଘର ସାମ୍ନା ବଗିଚାରେ ପାଣି ଦେଉଥାଏ । ସାହାବଙ୍କ ପୋଷା କୁକୁରଟା ଘଷିନେସି ହେଉଥାଏ ହାବଙ୍କ ଗୋଡ଼ପାଖରେ । ଅଫିସ୍‌ ସମୟ ପରର ସମୟ ଚତୁର୍ବେଦୀ ସାହେବ ନିଜ ଇଚ୍ଛାରେ ବିତାନ୍ତି । ଇଚ୍ଛା ହେଲେ କ୍ଳବ୍‌ ପଳାନ୍ତି ନ ହେଲେ ଘର ଭିତରେ ବସି ସିତାର ବଜାନ୍ତି । ଯାହା କହନ୍ତୁ ପଛକେ, ଅଫିସ୍‌ କାମ କରନ୍ତି ନାହିଁ ସେ ଘରେ । ଅଫିସ୍‌ରୁ କେହି ଆସିଲେ ହଁ ନାହିଁ କହି ବିଦା କରିଦିଅନ୍ତି ।

 

ପାଗଟା ବେଶ୍‌ ଭଲ ଥିଲା । ଅଦିନିଆ ବର୍ଷା ଘୋଟି ଆସିଥିଲା ଚାରିପଟୁ । ଧୂମାଳ ପବନରେ ବାଡ଼େଇ ହେଲା ଝରକା ଦୁଆର କବାଟ । ଅରବିନ୍ଦ ଚତୁର୍ବେଦୀ ନିଜେ ଉଠିଯାଇ ଡ୍ରଇଂରୁମ୍‌ର କବାଟ ବନ୍ଦ କରିଦେଲେ । ରୋଷେୟା ପିଲାଟା ଆସି କୁକୁରକୁ ନେଇ ବାନ୍ଧିଦେଲା ତା’ ଜଞ୍ଜିରରେ । ବେଶ୍‌ ଅସରାଏ ବର୍ଷା ଅଜାଡ଼ି ପଡ଼ିଲା ପାଣି ଢାଳିଲା ପରି । ଚତୁର୍ବେଦୀ ସାହେବ ଚୌକିଟାକୁ ଦୁଆରବନ୍ଧ ଆଡ଼କୁ ଘୁଞ୍ଚେଇ ଆଣି ବର୍ଷାର ଦୃଶ୍ୟ ନିରୀକ୍ଷଣ କରିବସିଲେ । ଏମିତିକା ବର୍ଷଣମୁଖର ନିର୍ଜନତା ତାଙ୍କୁ ଭଲ ଲାଗେ ।

 

ରାତି ଆଠଟା ପାଖାପାଖି ହେବ । କିଏ ଜଣେ କଲିଂବେଲ୍‌ ଟିପିଲା ବାରମ୍ବାର । ରୋଷେୟା ପିଲାଟି ବୋଧହୁଏ କେଉଁଠି ଘୁମେଇପଡ଼ିଛି । ଅନ୍ୟମନସ୍କ ଚତୁର୍ବେଦୀ ସାହେବ ଚିନ୍ତା ଭିତରେ ଏମିତି ବୁଡ଼ିଯାଇଥିଲେ ଯେ ସେ ପର୍ଯ୍ୟନ୍ତ ଶୁଣିପାରି ନ ଥିଲେ କଲିଂବେଲ୍‌ର ଶବ୍ଦ । ଶୁଣିଲାରୁ ଉଠିପଡ଼ି ନିଜେ ଯାଇ କବାଟ ଖୋଲିଦେଲେ । ବର୍ଷାରେ ଗୋଟାପଣେ ଓଦା ହେଇ ଛିଡ଼ା ହେଇଛି ତାଙ୍କରି ଅଫିସ୍‌ର ସେହି କୁହାଳିଆ କନିଷ୍ଠ କିରାଣି ଟୋକା । ଦେହରୁ ପାଣି ନିଗିଡ଼ି ଡ୍ରଇଂରୁମ୍‌ର କାର୍ପେଟ୍‌ ଓଦା ହେଇଯାଉଥାଏ । ଚତୁର୍ବେଦୀ ସାହେବ ରୋଷେୟା ପିଲାଟିକୁ ଡାକିଲେ ଟାୱେଲ୍‌ ପାଇଁ ।

 

: ସାର୍‌, ଏଇ ସଞ୍ଜରେ ଟେଲିଗ୍ରାମ୍‌ ପାଇଛି ଘରୁ । ମୋ ସ୍ତ୍ରୀର ଡେଲିଭରି ହେବାର ଅଛି-। ମୋର ଛୁଟି ସବୁ ସରିଯାଇଛି ସାର୍‌ । ବଡ଼ ବାବୁଙ୍କ ପାଖକୁ ଯାଇଥିଲି । ସେ ଆପଣଙ୍କୁ ଦରଖାସ୍ତଟା ଦେବା ପାଇଁ କହିଲେ । ନିଜେ ରଖିବାକୁ ମନା କରିଦେଲେ । –ବଡ଼ ବିକଳରେ ଟୋକାଟା ତା’ର ଦୁଃଖ ଜଣାଇଲା ଚତୁର୍ବେଦୀ ସାହେବଙ୍କୁ ।

 

ଅରବିନ୍ଦ ଚତୁର୍ବେଦୀ ଏମିତି କଥା ଶୁଣିଲା ବେଳେ ନିଜ ଭିତରେ କେମିତି କେଉଁଠି ଗୋଟାଏ ବ୍ୟସ୍ତତା ଅନୁଭବ କଲାପରି ଦିଶୁଥିଲେ । ସେ ଏଇ ଟୋକାଟାକୁ ଜାଣନ୍ତି । ସବୁଠୁ ଶୃଙ୍ଖଳାହୀନ, ଦାୟିତ୍ୱହୀନ ଯୁବକ । ଅନେକଥର ତାକୁ ସେ ଧମକ ଦେଇଛନ୍ତି, ଠିକ୍‌ ଭାବେ କାମ ନକଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଚେତାବନୀ ମଧ୍ୟ ଶୁଣାଇଛନ୍ତି । ଅଥଚ ଆଜି, ଏମିତି ଏକ ବର୍ଷା ରାତିରେ ସେଇ ଟୋକାଟା ତାଙ୍କର ସାହାଯ୍ୟ ପାଇଁ ଧାଇଁ ଆସିଛି ? ଛୁଟି ନେବା ଲାଗି ଇଏ ତା’ର ଆଉ ଏକ ଚାଲ୍‌ ନୁହେଁ ତ ?

 

ସେ ପଚାରିଲେ, “ତମ ଘର କେଉଁଠି କିହୋ ? କେମିତି ଯିବ ?”

 

–“ସାର୍‌, ଭଦ୍ରକ ତଳକୁ ଆମ ଗାଁ । ବସ୍‌ରେ ଚାଲିଯିବି ସାର୍‌ । ଆପଣ ଖାଲି ଛୁଟିଟା ସାଙ୍କ୍‌ସନ୍‌ କରିଦିଅନ୍ତୁ ସାର୍‌ । ଉଇଦାଉଟ୍‌ ପେ ହେଇଯିବ ସାର୍‌ । ଏଇ ଦରଖାସ୍ତଟି ଆଣିଛି ସାର୍‌-।”

 

: ଠିକ୍‌ ଅଛି, ତମେ ଯାଅ ।–ସାହେବ କହିଲେ ।

 

ଟୋକାଟା ଗେଟ୍‌ ଖୋଲି ଯେମିତି ଆସିଥିଲା ସେମିତି ଚାଲିଯାଉଥିଲା ପାଦ ଟିପିଟିପି । ହଠାତ୍‌ ସାହେବ ପଛପଟୁ ଡାକିଲେ ବେଶ୍‌ ବଡ଼ ପାଟିରେ ।

 

: ରୁହ ରୁହ, ପାଞ୍ଚ ମିନିଟ୍‌ ଅପେକ୍ଷା କର, ମୁଁ ଆସୁଛି ।

 

ନିଜ ଦପ୍ତରର ସବୁଠୁ କଠୋର ମଣିଷ, ଚତୁର୍ବେଦୀ ସାହେବ ଯେତେବେଳେ ନିଜେ ବର୍ଷାରାତିରେ ଗାଡ଼ି ବାହାର କରି ତାକୁ ବସେଇ ବସ୍‌ଷ୍ଟାଣ୍ଡ୍‌ ଆଡ଼କୁ ଚଳଉଥିଲେ, ସେତିକିବେଳେ କୃତଜ୍ଞତାରେ ଗୋଟାପଣେ ତରଳି ଯାଇଥିଲା ଟୋକାଟା । ମାତ୍ର ବସ୍‌ଷ୍ଟାଣ୍ଡ୍‌ ଓ.ଏମ୍‌.ପି. ଛକ ଡେଇଁ ଗାଡ଼ି ଆଉରି ଆଗକୁ ମାଡ଼ିଯାଉଥିବା ଦେଖି ଟୋକାଟା କେବଳ କୃତଜ୍ଞତାରେ ନୁହେଁ ବିସ୍ମୟରେ ଅଭିଭୂତ ହେଇପଡ଼ିଥିଲା । ଇଏ ସେଇ ଚତୁର୍ବେଦୀ ସାହେବ ତ, ଯିଏ ବାଘ-ଭାଲୁ ପରି ଭୟଙ୍କର ଜଣାପଡ଼ନ୍ତି ଦପ୍ତରରେ ! ଟୋକାଟା ଥା-ଥା-ମା-ମା ହେଇ ପଡ଼ିଲାରୁ ଚତୁର୍ବେଦୀ କହିଲେ, “ଶୁଣିବ ବାବୁ, କାହିଁକି ତମପାଇଁ ମୁଁ ନିଜେ ଗାଡ଼ି ଚଳେଇ ଭଦ୍ରକ ବାହାରିଛି ! ସେତକ ଜାଣିବା ପାଇଁ ତମେ କୌତୂହଳୀ ହେଇପଡ଼ୁଛ ଭିତରେ ଭିତରେ । ଶୁଣ ତା’ହେଲେ–

 

“ଆଜକୁ ଅନେକ ବର୍ଷ ତଳର କଥା । ନୂଆ ନୂଆ ଗୋଟାଏ ଘରୋଇ ସଂସ୍ଥାରେ ଚାକିରି କରୁଥିଲି ମୁଁ କଲିକତାରେ । ମୋ ସ୍ତ୍ରୀ, ମୋ ବାପା ମାଆଙ୍କ ସାଙ୍ଗରେ ଗାଆଁରେ ରହୁଥାନ୍ତି । ମୁଁ ଯେତିକି ଉପାର୍ଜନ କରୁଥିଲି ସେତିକିରେ ନିଜେ ଚଳିବା ମୁସ୍କିଲ ହେଇ ପଡ଼ୁଥିଲା । ଦିନେ ଖବର ପାଇଲି, ମୋର ପ୍ରଥମ ସନ୍ତାନ ଜନ୍ମହେବ । ପୂର୍ବଦିନ ରାତିରୁ ମୋ ସ୍ତ୍ରୀ ଲେବର ପେନ୍‌ ଭୋଗୁଥିଲା-। ଅଫିସ୍‌କୁ ଟେଲିଫୋନ୍‌ ଆସିଥିଲା । ମୁଁ ଖବର ପାଇଲାବେଳକୁ ଅଫିସ୍‌ କ୍ୟାସ୍‌ କାଉଣ୍ଟର ବନ୍ଦ ହେଇ ସାରିଲାଣି । ମୋ ପାଖରେ ଗୋଟାଏ ବି ଟଙ୍କା ନ ଥାଏ । କ’ଣ କରିବି ? ବିଶ୍ୱାସ କରିବନି, ତିରିଶି ଟଙ୍କା ଯୋଗାଡ଼ କରିବାକୁ ମୋତେ ଲାଗିଲା ତିନିଘଣ୍ଟା ।

 

“ତୁମେ ଆଜି ଯେମିତିକା ବ୍ୟସ୍ତ ବିବ୍ରତ ହେଇପଡ଼ିଛ ତା’ଠାରୁ ଅଧିକ ବିବ୍ରତ ମୁଁ ହେଇପଡ଼ିଥିଲି ସେଦିନ । ଦଉଡ଼ିଥିଲି ଷ୍ଟେସନ୍‌ । ପରଦିନ ସକାଳ ଏଗାରଟାରେ କଲିକତାଠୁ ତିନିଶହ ମାଇଲ ଦୂର ମୋ ଗାଆଁରେ ଯାଇ ପହଞ୍ଚିଲାବେଳକୁ ମୁଁ କ’ଣ ଦେଖିଲି ଜାଣ ?”

 

–“ସାର୍‌ !”

 

–“ମୋ ପ୍ରଥମ ସନ୍ତାନ, ଯିଏ ମୋ ପରି ଦିଶୁଥିଲା ବୋଲି ତା’ ଆଈ କହୁଥିଲା, ସିଏ ମରିଯାଇଥିଲା । ଗାଁ ଲୋକମାନେ ମୋତେ ଅପେକ୍ଷା କରି କରି ତାକୁ ସେଇଦିନ ସକାଳୁ ହିଁ ପୋତି ଦେଇଥିଲେ ଗାଁ ମଶାଣିରେ ।”

 

–“ସାର୍‌ !” ହଠାତ୍‌ କେଉଁଠି ପାଖରେ ବଜ୍ରଟାଏ ପଡ଼ିଲା ପରି ଟୋକାଟା ଅନୁଭବ କଲା-

 

–“ଆଜି ଅନେକ ସମୟରେ ମୋତେ ସେଇ ଗୋଟାଏ ଦୁଃଖ ମୋର ସମଗ୍ର ସତ୍ତାକୁ ଦୋହଲେଇ ଦିଏ । ଗୋଟାଏ ଅବସୋସ ମୋର ସବୁ ପ୍ରାପ୍ତି ଓ ସଫଳତାକୁ ଢାଙ୍କିପକାଏ ଖଣ୍ଡିଏ କଳାମେଘ ପରି । ଅନ୍ତତଃ ଥରୁଟାଏ, ଖାଲି ଥରୁଟାଏ ହେଲେ ମୁଁ ଦେଖିପାରିଥାନ୍ତି କି ମୋର ସେଇ ପ୍ରଥମ ସନ୍ତାନର ଚେହେରା, ତା’ର ଗୁଲୁଗୁଲିଆ କଅଁଳ ନିଷ୍ପାପ ମୁହଁ । ଆଜି ମୋ ପାଖରେ ବହୁତ ପଇସା ଅଛି । ଗାଡ଼ି, ମଟର ସବୁ ଅଛି । କିନ୍ତୁ ଏ ସବୁକିଛି ବିନିମୟରେ କେହି ମୋତେ ଦେଖାଇ ଦେଇପାରିବ କି ମୋର ସେଇ ଅପହୃତ ସମ୍ପତ୍ତି ! ଅନ୍ତତଃ ଟିକିଏ ଦେଖେଇ ପାରିବ ତା’ର ନିର୍ଜୀବ ଛବି ଖଣ୍ଡେ ! ଖାଲି ମୁଁ ଦେଖିବି ଥରୁଟିଏ, ଦେଖିବି ମୋର ପ୍ରଥମ ସନ୍ତାନ କେମିତି ଦିଶୁଥିଲା–ତା’ ମାଆ ପରି ନା ମୋ ପରି ?”

 

–“ସାର୍‌ !”

 

–“ସେଇଥିପାଇଁ, ମୁଁ ତମକୁ ବସ୍‌ରେ ଆସିବାର ରିସ୍କ୍‌ ନେବାକୁ ଦେଲି ନାହିଁ । ଯେଉଁ ଅସହାୟତା ଓ ଅବହେଳା ପାଇଁ ଆଜିଯାଏଁ ମୋ ଭିତରର ପିତୃତ୍ୱ ମୋତେ କ୍ଷମା କରିପାରୁ ନାହିଁ, ସେମିତି ଏକ ଅସହାୟତାରେ କୌଣସି ବାପ ନ ପଡ଼ୁ, ଈଶ୍ୱରଙ୍କ ପାଖରେ ମୁଁ ଏଇ ପ୍ରାର୍ଥନା କରିଥାଏ ।”

 

କିଟିକିଟି ଅନ୍ଧାର ଭିତରେ ବି କିରାଣି ଟୋକାଟା ଦେଖିପାରୁଥାଏ ପ୍ରୌଢ଼ ଅରବିନ୍ଦ ଚତୁର୍ବେଦୀଙ୍କ ଆଖିରେ ଚିକ୍‌ଚିକ୍‌ କରୁଥିବା ଲୁହ ।

 

ଚତୁର୍ବେଦୀ ଭଦ୍ରକରେ ପହଞ୍ଚିଲାବେଳକୁ ରାତି ଦଶଟା । କଚେରି ବଜାରରେ ଟୋକାକୁ ପହଞ୍ଚେଇ ଦେଇ ନିଜ ପର୍ସରୁ ବାହାର କରି ସେ ବଢ଼େଇ ଦେଇଥିଲେ ପାଞ୍ଚଶହ ଟଙ୍କା । କହିଥିଲେ, “ନିଅ ବାବୁ, ଏଇଟା ମୋ ତରଫରୁ ତମର କୁନି ପିଲାଟି ପାଇଁ ଉପହାର । ତମେ ଛୁଟି ପାଇଁ ଚିନ୍ତା କରିବ ନାହିଁ । ମୁଁ ବଡ଼ବାବୁଙ୍କୁ କହିଦେଇଥିବି ।”

 

ବଡ଼ବାବୁ କଥାଟାକୁ ଏଇଠି ରଖି ନିଜ ଚଷମା କାଚକୁ ରୁମାଲରେ ପୋଛିଲେ । ସେତେବେଳକୁ ସେ କେମିତି ଆବେଗ ଜଡ଼ସଡ଼ ହୋଇପଡ଼ିଥାନ୍ତି । ଏକରକମ କାନ୍ଦ କାନ୍ଦ ହୋଇ ସାରିଥିଲେ କହିଲେ ଭୁଲ୍‌ ହେବ ନାହିଁ । ଆମ ସେକ୍‌ସନ୍‌ର ବରିଷ୍ଠ ଓ କନିଷ୍ଠ କିରାଣିମାନେ କେହି ବଡ଼ବାବୁଙ୍କୁ ଏମିତି ଭାବବିହ୍ୱଳ ଅବସ୍ଥାରେ ଆଗରୁ କେବେ ଦେଖି ନ ଥିଲୁ ।

 

ସନ୍ଧ୍ୟା ସାତଟା ହେଲାଣି । ଆମେ ସବୁ ବଡ଼ବାବୁଙ୍କ ଗପ ନହସରେ ଏକଦମ୍‌ ମଜ୍ଜି ଯାଇଥିଲୁ । କଥାଟାକୁ ମଝିରେ ଅଟକେଇବାର ଦେଖି ଆମ ଭିତରୁ ଜଣେ ପଚାରିଲା,

 

–“ତା’ପରେ କ’ଣ ହେଲା ବଡ଼ବାବୁ ?”

 

–“ତା’ପରେ ଆଉ ହେବ କ’ଣ ? ସେହି କୁହାଳିଆ ଟୋକାଟା ସେଦିନ ମିଛ କହିଥିଲା-। ସୁଦୁ ମିଛ । ଅଫିସ୍‌ରେ ବାଜି ରଖିଥିଲା ଯେ ସିଏ ଯେମିତି ହେଲେ କଳେ ବଳେ କୌଶଳେ ହାକିମଙ୍କୁ ଫସେଇ ସାତଦିନ ଛୁଟି ସାଙ୍କ୍‌ସନ୍‌ କରି ନେବ । ସେଇଥିପାଇଁ ସେଦିନ ସେ ଇମିତି ଏକ ବାହାନା କରିଥିଲା ।”

 

–“ବାଜି ଜିତିଗଲା ଯା’ହେଉ ଟୋକାଟା !”

 

–“ହଁ ବାଜି ସିନା ସେଦିନ ଜିତିଥିଲା; କିନ୍ତୁ ଯାହାଟା ସେ ସେଦିନ ହାରିଯାଇଥିଲା ତାହା ଆଉ ଜୀବନରେ ଫେରି ପାଇଲା ନାହିଁ । ସାହାବଙ୍କୁ ସେଇ କଚେରି ବଜାର ଉପରେ ବିଦା କରିଦେଇ ଟୋକାଟା ଗାଆଁକୁ ପଳେଇଥିଲା । ଗାଆଁରୁ ଫେରି ସୁଦ୍ଧା କାହାକୁ କହି ପାରିନଥିଲା ଏକଥା । ବାଜି ଜିତି ବି ହାରିଯାଇଥିଲା ବିଚରା ।”

 

ରୁଦ୍ର ପଚାରିଲା, “ଏବେ ସେ ଚତୁର୍ବେଦୀ ସାହେବ କେଉଁଠି ଅଛନ୍ତି ? ତାଙ୍କର କିଛି ଖବର ଆପଣ ଜାଣିଛନ୍ତି କି ?”

 

–“ହଁ, ସାହେବ ଅନେକ ଦିନ ହେଲା ରିଟାୟାର୍ଡ଼ କରିଗଲେଣି । ଏବେ ସେ କଲିକତାର ସଲ୍‌ଟଲେକ୍‌ରେ ରହୁଛନ୍ତି । ବେଳେ ବେଳେ ଓଡ଼ିଶା ଆସନ୍ତି ।” ବଡ଼ବାବୁ କହିଲେ ।

 

: ଆଉ ସେହି କୁହାଳିଆ ଟୋକାଟା–ରୁଦ୍ର କୌତୂହଳ ଦମନ କରି ନପାରି ବଡ଼ବାବୁଙ୍କୁ ପଚାରିଲା ।

 

ହଠାତ୍‌ ବଡ଼ବାବୁ ଗମ୍ଭୀର ହୋଇଗଲେ । ଚୌକି ଉପରୁ ଉଠି ଟେବୁଲକୁ ଭରାଦେଇ ଅଣ୍ଟା ସଳଖି ଛିଡ଼ା ହେଲେ ଓ ଉତ୍ତର ଦେଲେ, “ସେଇ କୁହାଳିଆ ଟୋକାଟା ଏବେ ଏଇଠି ତମରି ଆଗରେ ଛିଡ଼ାହେଇ ଏ ଗପ କହୁଛି ।”

 

–“ଆପଣ ତା’ହେଲେ... ?” ସମସ୍ତଙ୍କର ଆଖି ଏଡ଼େ ଏଡ଼େ ହେଇ ସାରିଥାଏ ।

 

: ହଁ, ମୁଁ ହିଁ ସେଦିନର ସେଇ କୁହାଳିଆ କିରାଣି । ଆଜି ପର୍ଯ୍ୟନ୍ତ ହଜେଇଦେଇଥିବା ମଣିଷପଣିଆକୁ ଆଉଥରେ ଖୋଜିବାର ଚେଷ୍ଟା କରୁଛି ।

 

ଏକଥା କହିବାବେଳେ ବଡ଼ବାବୁ ଦିଶୁଥିଲେ ଅପରାଧୀଟେ ପରି ।

Image

 

ଅଭିନୟର ରଙ୍ଗ

 

ପ୍ରେକ୍ଷାଳୟରେ ସେଦିନ ରାଜୁତି କରୁଥାଏ କାରୁଣ୍ୟର ଶୀତ ଲହରୀ । ଆଗଧାଡ଼ିର ବିଶେଷ ନିମନ୍ତ୍ରିତ ଅତିଥିଙ୍କଠାରୁ ଆରମ୍ଭ କରି ସବା ଶେଷଧାଡ଼ିର କଲେଜ ଯୁବକଙ୍କ ଯାଏ ସମସ୍ତେ ଉଦ୍‍ବିଗ୍ନ ସେମାନଙ୍କର ପ୍ରିୟ କଳାକାର, ନାଟ୍ୟକାର ସିଦ୍ଧାର୍ଥ ଚୌଧୁରୀଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ କିଛି ଖବର ଜାଣିବା ପାଇଁ । ଆଜିର ଏହି ଚ୍ୟାରିଟି ‘ସୋ’, ସେଇ ନାଟ୍ୟକାରଙ୍କ ଚିକିତ୍ସା ପାଇଁ ଲୋଡ଼ା ପାଣ୍ଠି ସଂଗ୍ରହ ନିମନ୍ତେ ଉଦ୍ଦିଷ୍ଟ । ସେଇଆ ଲେଖାଯାଇଛି ମଞ୍ଚ ଉପର ବ୍ୟାନରରେ, ପ୍ରତିଟି ଟିକେଟ୍‍ ଉପରେ ଏବଂ ପ୍ରାଚୀରପତ୍ର, ପୋଷ୍ଟର ଦେହରେ । ଉଦ୍ୟୋକ୍ତାମାନେ ବିଭିନ୍ନ ଖବରକାଗଜ ମାଧ୍ୟମରେ ବିଜ୍ଞାପନ ପ୍ରକାଶ କରିଥିଲେ–‘ଆପଣଙ୍କର ପ୍ରିୟ କଳାକାର, ଓଡ଼ିଶାର ଗର୍ବ ଓ ଗୌରବ ସିଦ୍ଧାର୍ଥ ଚୌଧୁରୀ ଦୁରାରୋଗ୍ୟ କର୍କଟ ରୋଗରେ ପୀଡ଼ିତ ହୋଇ ଏବେ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁ ସହିତ ପ୍ରତିମୁହୂର୍ତ୍ତରେ ଜାରି ରହିଛି ତାଙ୍କର ସଂଗ୍ରାମ । ତାଙ୍କ ପାଖେ ଏତେ ସମ୍ବଳ ନାହିଁ, ଯାହା ବଳରେ ସେ ଆଧୁନିକ ଚିକିତ୍ସା ପାଇଁ ବାହାରକୁ ଯାଇପାରିବେ । ଆପଣମାନେ ହିଁ ତାଙ୍କର ଆଶା ଓ ଆଶ୍ରୟ । ଅତଏବ ଦୁଃସ୍ଥ କଳାକାରଙ୍କ ସାହାଯ୍ୟ ପାଇଁ ଆପଣମାନେ ଚ୍ୟାରିଟି ସୋ’ ର ଟିକେଟ୍‍ ଖଣ୍ଡିଏ କିଣନ୍ତୁ । କଳାକାରଙ୍କୁ ସାହାଯ୍ୟ କରନ୍ତୁ ।’

 

ସିଦ୍ଧାର୍ଥ ଚୌଧୁରୀ ତିରିଶ ବର୍ଷର ଯୁବକ । ସାତ ଆଠବର୍ଷ ହେଲା ସେ ବେଶ୍‍ ଚହଳ ପକେଇଛନ୍ତି ଓଡ଼ିଆ ନାଟକ କ୍ଷେତ୍ରରେ । ତାଙ୍କ ପୂର୍ବରୁ କ୍ୱଚିତ୍‍ ନାଟ୍ୟକାର ଏପରି ଲୋକପ୍ରିୟତା ଅର୍ଜନ କରିଥିଲେ, ଏତେ କମ୍‍ ବୟସରେ । ସେଇଥିପାଇଁ ବୟସ୍କଙ୍କ ଠାରୁ ଆରମ୍ଭ କରି କିଶୋର କିଶୋରୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସକ ଓ ତାଙ୍କର ସମର୍ଥକ ।

 

ସିଦ୍ଧାର୍ଥ ଚୌଧୁରୀ ମଞ୍ଚ ପ୍ରଦୀପର ଆଲୋକ ଅନ୍ତରାଳରେ ଏକ ନିଃସଙ୍ଗ ବ୍ୟକ୍ତିତ୍ୱ । ମଞ୍ଚ ହିଁ ତାଙ୍କର ଜୀବନ, ଅଭିନୟ ହିଁ ତାଙ୍କର ଜୀବିକା । ରଙ୍ଗ ତାଙ୍କ ଉଭୟ ମୁଖ ଆଉ ମୁଖା ।

 

ମଞ୍ଚରୁ ଆଲୁଅ ଲିଭିଗଲା ପରେ ଦେଖଣାହାରିଏ ଚାଲିଯାଆନ୍ତି । ନଇଁଆସେ ଝିଲିମିଲି ପରଦା । ଚାଲିଯାଆନ୍ତି ଅଭିନେତା ଅଭିନେତ୍ରୀ । ନିରବ ହୁଏ ଯନ୍ତ୍ରସଙ୍ଗୀତର ମୁର୍ଚ୍ଛନା । ତା’ପରେ ନିର୍ଜନ ଓ ନିଃସଙ୍ଗ ଅନ୍ଧକାର ଭିତରେ ସିଦ୍ଧାର୍ଥ ଚୌଧୁରୀ ଓ ତାଙ୍କର ନିଃସଙ୍ଗତା । ନିଃସଙ୍ଗତା ଓ ସିଦ୍ଧାର୍ଥ ଚୌଧୁରୀ ।

 

ଅପବାଦ ଓ ପ୍ରଚୁର ଗୁଜବକୁ ନେଇ ସିଦ୍ଧାର୍ଥ ଚୌଧୁରୀ ବଞ୍ଚନ୍ତି । ସେହି ସିଦ୍ଧାର୍ଥ ଚୌଧୁରୀ ଏବେ କର୍କଟ ପୀଡ଼ିତ । ଅନାହାର ଓ ମାନସିକ ନିର୍ଯ୍ୟାତନା ସାଙ୍ଗକୁ ଭୟଙ୍କର ଅନ୍ଧାରି ନିଃସଙ୍ଗତା ସବୁ ମିଶି ଏବେ କର୍କଟର ଜୀବାଣୁ ପାଲଟି ଯାଇଛନ୍ତି ତାଙ୍କ ଦେହରେ । ସେଇମାନେ ଏବେ ସିଦ୍ଧାର୍ଥ ଚୌଧୁରୀଙ୍କ ଦେହଟାକୁ ହିଁ ପରିଣତ କରିଦେଇଛନ୍ତି ଅକାଳ ବାର୍ଦ୍ଧକ୍ୟ ଓ ଅସହାୟ ବ୍ୟାଧିର କୋଳାହଳମୟ ରଙ୍ଗମଞ୍ଚ ।

 

କରତାଳିରେ ପୂରିଉଠିଲା ପ୍ରୋକ୍ଷାଳୟ । ଉଦ୍ୟୋକ୍ତା ଭିତରୁ କେହିଜଣେ ତୋଳି ଧରିଥିଲା ସିଦ୍ଧାର୍ଥ ଚୌଧୁରୀଙ୍କ ପୂର୍ଣ୍ଣାବୟବ ଚିତ୍ର ପରଦା ସମ୍ମୁଖରେ । ରହସ୍ୟମୟ ହସ, ଅଯତ୍ନବର୍ଦ୍ଧିତ ଶ୍ମଶ୍ରୁ ଭିତରୁ ବଡ଼ ନିସ୍ପୃହ ଦିଶୁଥିଲା ନାଟ୍ୟକାର ସିଦ୍ଧାର୍ଥଙ୍କ ଚେହେରା । ଉଦ୍ୟୋକ୍ତା ଜଣକ ଘୋଷଣା କରୁଥିଲେ–ବନ୍ଧୁଗଣ, ଆଜି ଆମ ପାଇଁ ଉଭୟ ସୁଖ ଓ ଦୁଃଖର ଦିନ । ଦୁଃଖର ଦିନ ଏଇଥିପାଇଁ ଯେ, ଆଜି ଏଇ ମୁହୂର୍ତ୍ତରେ ଆମେ ସମସ୍ତେ କଳାବିକାଶ କେନ୍ଦ୍ରର ଏହି ପ୍ରେକ୍ଷାଳୟ ଭିତରେ ଯାହାଙ୍କର ନାଟକ ଦେଖିବାକୁ ଉପସ୍ଥିତ ହେଇଛେ, ସେଇ ମହାନ କଳାକାର ଏଇ ମୁହୂର୍ତ୍ତରେ ମୃତ୍ୟୁ ସହ ସଂଗ୍ରାମ କରି ଚାଲିଛନ୍ତି ହସ୍‍ପିଟାଲ୍‍ର ବିଛଣା ଉପରେ । ଆମେ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବା । ସୁଖର ଦିନ ଏଇଥିପାଇଁ ଯେ, ବିଳମ୍ବରେ ହେଲେ ମଧ୍ୟ ଆପଣମାନେ ସମସ୍ତେ ନାଟ୍ୟକାର ସିଦ୍ଧାର୍ଥ ଚୌଧୁରୀଙ୍କୁ ସ୍ୱୀକୃତି ଜଣାଇଛନ୍ତି । ସମବେଦନା ଜଣାଇଛନ୍ତି ଏଇଠି ସମବେତ ହେଇ । ଆମେ ଘୋଷଣା କରୁଛୁ ଯେ, ଆଜି ଏଇ ଚ୍ୟାରିଟି ସୋ’ ରୁ ଯେଉଁ ଅର୍ଥ ମିଳିଛି ସେସବୁକୁ ସିଦ୍ଧାର୍ଥ ଚୌଧୁରୀ କଲ୍ୟାଣ ପାଣ୍ଠିକୁ ଦାନ କରାଯିବ । ଆମେ ଆଶା କରୁଛୁ, ପୁଣିଥରେ ସିଦ୍ଧାର୍ଥ ଚୌଧୁରୀ ଆପଣଙ୍କ ସମ୍ମୁଖକୁ ଆସି ପାରିବେ । ପୁଣିଥରେ ସେ ସୁସ୍ଥ ହେଇ ଉଠିବେ । ଆଜିର ଯେଉଁ ନାଟକ ମଞ୍ଚସ୍ଥ ହେଉଛି, ତା’ର କାହାଣୀ ଲେଖିଛନ୍ତି ରାଜ୍ୟ ପୋଲିସ୍‍ ବିଭାଗର ପଦସ୍ଥ ଅଫିସର ଶ୍ରୀ ରାମଚନ୍ଦ୍ର ପଟ୍ଟନାୟକ ଓ ତା’ର ନିର୍ଦ୍ଦେଶନା ଦେଇଛନ୍ତି ଆପଣଙ୍କର ପ୍ରିୟ ନାଟ୍ୟକାର ସିଦ୍ଧାର୍ଥ ଚୌଧୁରୀ । ଆଉ ଏହି ଚ୍ୟାରିଟି ସୋ’ ର ପରିକଳ୍ପନା ଏବଂ ପରିଚାଳନାରେ ଯିଏ ସବୁଠୁ ବେଶୀ ସାହାଯ୍ୟ କରିଛନ୍ତି ସିଏ ଆମର ସ୍ଥାନୀୟ ଜନନେତା ଶ୍ରୀ ମାନବେନ୍ଦ୍ର ଦାସଚୌଧୁରୀ । ଆଜିର ଏ ସବୁଯାକ ଆୟୋଜନ କେବଳ ତାଙ୍କରି ଯୋଗୁ ହିଁ ସମ୍ଭବ ହେଉଛି । ଆମେ ନାଟ୍ୟକାରଙ୍କ ପକ୍ଷରୁ, ଆପଣମାନଙ୍କ ପକ୍ଷରୁ ଶ୍ରୀ ଦାସଚୌଧୁରୀଙ୍କୁ କୃତଜ୍ଞତା ଜଣାଉଛୁ ।

 

ମାନବେନ୍ଦ୍ର ଦାସଚୌଧୁରୀ ସ୍ଥାନୀୟ ବିରୋଧୀ ଦଳର ପ୍ରତିନିଧି । ଆଗରୁ ଥରେ ଦୁଇଥର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେଇଛନ୍ତି ସତ, କିନ୍ତୁ ନିର୍ବାଚନ ଜିଣି ପାରି ନାହାନ୍ତି । ଏଥର ସେ ପାର୍ଟି ଟିକେଟ୍‍ ପାଇବା ସୁନିଶ୍ଚିତ । ତା’ ପୂର୍ବରୁ ସ୍ଥାନୀୟ ଯୁବ ସଙ୍ଗଠନ, ବୁଦ୍ଧିଜୀବୀ ଏବଂ କଳାକାରମାନଙ୍କର ସମର୍ଥନ ଲୋଡ଼ିବା ପାଇଁ ସେ ଅଣ୍ଟା ଭିଡ଼ିଛନ୍ତି ।

 

କିଛିଦିନ ପୂର୍ବରୁ ପୁଲିସ ଅଫିସର ରାମଚନ୍ଦ୍ର ପଟ୍ଟନାୟକ ତାଙ୍କୁ ଦେଇଥିଲେ ଏଇ ପ୍ରସ୍ତାବ । ସିଦ୍ଧାର୍ଥ ଚୌଧୁରୀ ଜଣେ ପ୍ରତିଶ୍ରୁତି ସମ୍ପନ୍ନ ନାଟ୍ୟକାର । ମୁଁ ତ କେତେଥର ତାଙ୍କୁ ଟଙ୍କା ଦେଇ ତାଙ୍କଠୁ ପାଣ୍ଡୁଲିପି କିଣିଛି । କଟକର ଧନାଢ଼୍ୟ ମହଲରେ କି ବୁଦ୍ଧିଜୀବୀ ମହଲରେ ଟୋକାଟାର ବେଶ୍‍ କାଟ୍‍ତି ଅଛି । ଏବେ ସେ କ୍ୟାନ୍‍ସରରେ ପଡ଼ିଛି । ଏତିକିବେଳେ ଆପଣ ଯଦି ଚାହାନ୍ତି, ଗୋଟାଏ ଚ୍ୟାରିଟି ସୋ’ର ଆୟୋଜନ କରାଯାଇ ପାରନ୍ତା । ସେଥିରେ ତା’ର ବି ଲାଭ ହୁଅନ୍ତା ଆଉ ଆପଣଙ୍କୁ ମଧ୍ୟ ବେଶ୍‍ କିଛି ସମର୍ଥନ ମିଳନ୍ତା ଏଇ ଭଲ କାମ ପାଇଁ ।

 

ମାନବେନ୍ଦ୍ର ଚୌଧୁରୀ ଅଭିଜ୍ଞ ରାଜନୀତିଜ୍ଞ । ଏପରି ଏକ ପ୍ରସ୍ତାବକୁ ସାଙ୍ଗେ ସାଙ୍ଗେ ସମର୍ଥନ ନ କରିଥିଲେ ବି ପଚାରି ବୁଝି ପରେ ରାଜି ହୋଇଥିଲେ । ଏଭଳି ଗୋଟାଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସହଜରେ ମିଳିବା ଅସମ୍ଭବ, ଯାହାକୁ ନେଇ ଜନ-ସମର୍ଥନ ମିଳିପାରିବ । ତା’ଛଡ଼ା ପ୍ରତିଭା ପୂଜା ପରମ୍ପରାକୁ ପ୍ରୋତ୍ସାହନ ମିଳିବା ନିହାତି ଜରୁରୀ ।

 

ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ୍‍ କଲେଜର କ୍ୟାନ୍‍ସର ୱାର୍ଡ଼ରେ ବେଡ଼୍‍ସିଟଟାଏ ଘୋଡ଼ିହୋଇ ସେ କୋଣକୁ ଶୋଇଛି ଯେଉଁ ଅକାଳବୃଦ୍ଧ ଯୁବକଟିଏ, ଯାହା ପାଖରେ ଦେଖାଶୁଣା କରିବାକୁ କେହି ନାହିଁ, ସେଇ ଯୁବକ ହିଁ ଆମ କାହାଣୀର ନାୟକ ନାଟ୍ୟକାର ସିଦ୍ଧାର୍ଥ ଚୌଧୁରୀ ।

 

ପ୍ରଥମେ କଡ଼ ଲେଉଟେଇ ଯନ୍ତ୍ରଣାରେ ଶିହରି ଉଠିଲେ ସିଦ୍ଧାର୍ଥ । ପ୍ରଚୁର କଷ୍ଟ ହେଉଛି କାଲି ରାତିରୁ । ଧଳା ମଇଳା ଚାଦରଟା ରକ୍ତଛିଟାରେ ଦିଶୁଛି ବିବର୍ଣ୍ଣ ବିଚିତ୍ର । କୋଟରଗତ ଚକ୍ଷୁ ଭିତରେ ଦୁଇବୁନ୍ଦା ଲୁହ ମୃତ୍ୟୁ ପାଇଁ ନା ଜୀବନ ପାଇଁ, ଜାଣି ହୁଏ ନାହିଁ ।

 

ଜୀବନ ଓ ଆଶାବାଦର ଉପାସକ ସିଦ୍ଧାର୍ଥ ଚୌଧୁରୀ ହୁଏତ ଜାଣନ୍ତି ନାହିଁ, ଆଜି ତାଙ୍କ ପାଇଁ ତାଙ୍କର ବିଦ୍‍ଗଧ ଦର୍ଶକମାନେ ଆୟୋଜନ କରିଛନ୍ତି ଗୋଟାଏ ଚ୍ୟାରିଟି ସୋ’ । କେହି ତାଙ୍କୁ ଜଣେଇ ନାହିଁ ଏ କଥା । ଦୀର୍ଘଶ୍ୱାସ ନେଲେ ସିଦ୍ଧାର୍ଥ । ଜୀବନରେ ଗୋଟାଏ ଝୁଙ୍କ୍‍ ଥିଲା, ସେ ନାଟ୍ୟକାର ହେବେ, ଆଉଥରେ ନବନାଟ୍ୟ ଆନ୍ଦୋଳନର ଭିତ୍ତିଭୂମି ତିଆରିବେ । ଦୁଃସ୍ଥ କଳାକାରମାନଙ୍କୁ ଅବଶିଷ୍ଟ ଜୀବନ ସ୍ୱାଭିମାନର ସହ ଜୀଇଁବା ପାଇଁ ସାହସ ଯୋଗାଇଥାନ୍ତା ତାଙ୍କର ସଂସ୍ଥା ।

 

ଏବେ ଖାଲି ଅବସୋସ ଆଉ ଅବସୋସ । କିଛି ତ ହେଲାନାହିଁ, ହେଇପାରିଲା ନାହିଁ । ସ୍ୱପ୍ନ ସରିବା ପୂର୍ବରୁ ରାତି ସରିଗଲା, ନାଟକ ଆରମ୍ଭ ହେବା ପୂର୍ବରୁ ପରଦା ପଡ଼ିଗଲା । ଯୋଡ଼ାଏ ହାତ ଓ ଦୁଇଟା ଗୋଡ଼କୁ ସମ୍ବଳ କରି କପର୍ଦ୍ଦକଶୂନ୍ୟ ଭାବେ ଜିଉଁଥିବା ସିଦ୍ଧାର୍ଥ ଚୌଧୁରୀ ଅଧିକ କ’ଣ ବା କରିପାରିଥାନ୍ତେ ଏଠି ?

 

ସେଦିନର ସେହି ସଞ୍ଜ ପ୍ରହରର ସ୍ମୃତି ଏଯାଏଁ ସତେଜ ଅଛି ସିଦ୍ଧାର୍ଥଙ୍କ ସ୍ମୃତିରେ । ବାରମ୍ବାର ଏ ପିଣ୍ଡାରୁ ସେ ପିଣ୍ଡା, ଏ ଫାଟକରୁ ସେ ଫାଟକ ହେଇ କ୍ଳାନ୍ତ ହେଇ ପଡ଼ିଥିଲେ ସେ । ନିଜ ପାଖରେ କିଛି ଟଙ୍କା ନ ହେବା ଯାଏ କୌଣସି ଗୋଟାଏ ନାଟକ ବି ସେ ମଞ୍ଚସ୍ଥ କରିପାରିବେ ନାହିଁ କେଉଁଠି । ସବୁ ନାଟକୀୟ ସଂଳାପ ରହିଯିବ ପାଣ୍ଡୁଲିପିର ପୋଥି ଭିତରେ, ତା’ ଭିତରେ ମୋଡ଼ି ମକଚି ହେଇ ନାଟ୍ୟକାର ସିଦ୍ଧାର୍ଥ ଚୌଧୁରୀର ସାମରିକ ଅସ୍ତିତ୍ୱ ।

 

ଗୋଟାଏ ପାଗଳାମିରେ ହିଁ ସେ ସାତ ଆଠଟି ପାଣ୍ଡୁଲିପିକୁ ସେଦିନ ଟୁକୁଡ଼ା ଟୁକୁଡ଼ା କରି ଚିରି ପକେଇଥିଲେ ଷ୍ଟେସନ୍‍ କଡ଼ରେ । ସେଗୁଡ଼ିକ ବାରମ୍ବାର ପ୍ରତ୍ୟାଖ୍ୟାତ ହୋଇଥିଲା ପ୍ରକାଶକଙ୍କ ପାଖରୁ ଓ ନାଟକର ବଡ଼ପଣ୍ଡାମାନଙ୍କ ପାଖରୁ । ବୋଝାଏ ଆତ୍ମଗ୍ଳାନି ଓ ଅପମାନ ଭିତରେ ସିଦ୍ଧାର୍ଥ ସିଗାରେଟ୍‍ଟା ଲଗାଇ ସାରିବାପରେ ସେ ଜଳନ୍ତା ଦିଆସିଲି କାଠି ପିଙ୍ଗି ଦେଇଥିଲେ ପାଣ୍ଡୁଲିପିର ଟୁକୁଡ଼ା ଉପରେ । ଶୀତାର୍ଭ ସନ୍ଧ୍ୟା ତାଙ୍କୁ ସେତେବେଳେ ବେଶ୍‍ ଉଷ୍ମ ଲାଗୁଥିଲା।

 

ସେତିକିବେଳେ ହିଁ ଘଟିଥିଲା ସବୁଠୁ ହାସ୍ୟୋଦ୍ଦୀପକ ଦୃଶ୍ୟ । ଏତେ ଦୁଃଖ ଓ ଯନ୍ତ୍ରଣା ଭିତରେ ବି ସିଦ୍ଧାର୍ଥଙ୍କର ହସିବାର ଇଚ୍ଛା ହେଉଥିଲା । ଗୋଟାଏ ଥନ୍ଥଲପେଟିଆ ହାବିଲଦାର ଧାଇଁଆସି ତାଙ୍କ ସାର୍ଟର କଲରକୁ ପଛପଟୁ ଭିଡ଼ି ଧରିଥିଲା । ଅପରାଧ–ପ୍ଲାଟ୍‍ଫର୍ମ ଭିତରେ କିଏ ତୁମକୁ ଅନୁମତି ଦେଲା ନିଆଁ ଜାଳିବାକୁ ? ତାଙ୍କର ଅଯତ୍ନବର୍ଦ୍ଧିତ ଦାଢ଼ି ଓ ଲମ୍ବା ଚୁଟି ସାଙ୍ଗକୁ କୋଚଟ ମଇଳା ପୋଷାକ, ପାଣ୍ଡୁଲିପି ଓଜନରେ ଭାରାକ୍ରାନ୍ତ ଝୁଲାମୁଣାଟା ହିଁ ହାବିଲଦାର ସନ୍ଦେହକୁ ଦ୍ୱିଗୁଣିତ କରିବା ପାଇଁ ଥିଲା ଯଥେଷ୍ଟ । ସେଇଠୁ ସିଧା ସେ ଧରାହେଇ ଯାଇଥିଲା ରେଲୱେ ପୋଲିସ ଷ୍ଟେସନକୁ । ପରିଚୟ ହେଇଥିଲା ପୁଲିସ ଅଫିସର ରାମଚନ୍ଦ୍ର ପଟ୍ଟନାୟକଙ୍କ ସହ ।

 

ରାମଚନ୍ଦ୍ର ପଟ୍ଟନାୟକଙ୍କୁ କେବେ ବି ଦୋଷ ଦେଇପାରନ୍ତି ନାହିଁ ସିଦ୍ଧାର୍ଥ । ସମସ୍ତଙ୍କ ପରି ସାହିତ୍ୟିକ ପାଲଟିବା ପାଇଁ ତାଙ୍କର ଇଚ୍ଛା ଅଛି । ଯାହା ପାଖରେ ଟଙ୍କା, ପଇସା, କୋଠାବାଡ଼ି ସବୁକିଛି ହୋଇସାରିଲାଣି, ତା’ ପାଖରେ ସାହିତ୍ୟିକ ପ୍ରତିଭା ପହଞ୍ଚିବା ଉଚିତ ନୁହେଁ କି !

 

ମାସକୁ ମାସ ସେ ଖଣ୍ଡିଏ ଖଣ୍ଡିଏ ନାଟକର ପାଣ୍ଡୁଲିପି ବଢ଼େଇ ଦେଇଛନ୍ତି ରାମଚନ୍ଦ୍ର ପଟ୍ଟନାୟକଙ୍କ ହାତକୁ । ଦୟାର୍ଦ୍ର ରାମଚନ୍ଦ୍ର ପ୍ରତି ପାଣ୍ଡୁଲିପି ପାଇଁ ପାଞ୍ଚଶହ ଟଙ୍କା ଦେଇଛନ୍ତି ସିଦ୍ଧାର୍ଥଙ୍କୁ । ପ୍ରଥମେ ପ୍ରଥମେ ସିଦ୍ଧାର୍ଥଙ୍କୁ କଷ୍ଟ ହେଉଥିଲା । କଂସ ହାତକୁ ଦେବକୀର ଶିଶୁ ସନ୍ତାନମାନଙ୍କୁ ବଢ଼େଇ ଦେବାର ଅପରାଧବୋଧ ତାଙ୍କୁ ଆଚ୍ଛନ୍ନ କରି ରଖୁଥିଲା । ପରେ କିନ୍ତୁ ସେସବୁ ସ୍ୱାଭାବିକ ହୋଇଯାଇଥିଲା । ହେବାକୁ ବାଧ୍ୟ ଥିଲା ।

 

ଆଉଥରେ ନୈରାଶ୍ୟର ଟାଙ୍ଗରା ଭୂଇଁରେ ଆଶାର ଅଙ୍କୁରୋଦ୍‍ଗମ୍‍ ହେଇ ଆସୁଥିଲା । କିନ୍ତୁ ସେସବୁ ଦେଲାନାହିଁ ଦୁରାରୋଗ୍ୟ କ୍ୟାନ୍‍ସର । ରାମଚନ୍ଦ୍ର ପଟ୍ଟନାୟକଙ୍କ ସମେତ ଚିହ୍ନା ପରିଚିତ ସମସ୍ତେ ଏମିତି ଆଡ଼ ଆଡ଼ ଦେଇ ଚଳିଲେ ସେମିତି ସିଦ୍ଧାର୍ଥଙ୍କର ଛାଇ ପଡ଼ିଲେ ହିଁ ସେମାନଙ୍କ ଦେହକୁ କର୍କଟ ସଂକ୍ରମି ଯିବ । ନିଜ ପ୍ରତି ନିଜର ଘୃଣା ଜମାଟ ବାନ୍ଧି ଆସୁଥିଲା ସିଦ୍ଧାର୍ଥଙ୍କ ମନରେ ।

 

ପୁଣିଥରେ ଆଶାର ଚେନାଏ ଚମକ ଝଲସି ଉଠୁଥିଲା ଦୁଇ ଆଖି କୋଣରେ । କେହି ଜଣେ କେଉଁଠି ଯେପରି କହୁଥିଲା, ଅପେକ୍ଷା କର ସିଦ୍ଧାର୍ଥ ଚୌଧୁରୀ, ଆଉ ମାତ୍ର କିଛି ମୁହୂର୍ତ୍ତ । ତା’ପରେ ତମର କିଛି ଅଭାବ ରହିବ ନାହିଁ । ଚିକିତ୍ସା ନିମନ୍ତେ ସବୁ ବ୍ୟବସ୍ଥା ହୋଇଯିବ । ତୁମେ ପୁଣି ସୁସ୍ଥ ହୋଇଉଠିବ, ପୁଣି ନାଟକ ଲେଖିବ, ପୁଣି ସ୍ୱପ୍ନ ଦେଖିବ, ପୁଣି ସଜାଡ଼ି ହେଇଯିବ ତମର ଉଜୁଡ଼ି ଯାଇଥିବା ଆଶା ଓ ବିଶ୍ୱାସ । ଅନ୍ତତଃ ଦୁଇଟା ମାସ ! ହଁ ଦୁଇଟା ମାସ ବଞ୍ଚିଥିଲେ ସେ ହୁଏତ ସମ୍ପୂର୍ଣ୍ଣ କରିପାରନ୍ତେ ତାଙ୍କର ସେଇ ଅଧୁରା କାର୍ଯ୍ୟକ୍ରମ । ଶେଷ କରିପାରନ୍ତେ ତାଙ୍କର ସର୍ବଶ୍ରେଷ୍ଠ ନାଟକ । ମଞ୍ଚସ୍ଥ ହେଉ କି ନହେଉ, ଆଗାମୀ କଳାକାରଙ୍କ ହାତରେ ସେ ବଢ଼େଇ ଦେଇ ଯାଆନ୍ତେ ସେଇ ନାଟକଟିକୁ–ଯେଉଁଥିରେ ସେ ତାଙ୍କ ନିରବତାର ଉଚ୍ଚାରଣକୁ ସଂଳାପର ରୂପ ଦେଇଛନ୍ତି । ଲେଖିଦେଇ ଯାଆନ୍ତେ: ହେ ମୋର ଆସନ୍ତାକାଲିର କଳାକାର, ତମେ ହିଁ ବୁଝିବ ସଂଳାପ ଓ ସ୍ୱଗତୋକ୍ତିର ପରିଭାଷା, ଚିହ୍ନିବାକୁ ଚେଷ୍ଟା କରିବ ମୁଖ ଓ ମୁହଁର ବ୍ୟବଧାନ ଭିତରେ ମୋତେ ଦେଖିବାକୁ ଚେଷ୍ଟା କରିବ ।

 

ସେପଟେ କଳାବିକାଶ କେନ୍ଦ୍ରରେ ନାଟକ ଶେଷ ହୋଇଥିଲା । ସମବେତ କରତାଳିରେ ଆଉଥରେ ପୂରି ଉଠୁଥିଲା ପ୍ରେକ୍ଷାଳୟ । ଗତ ଦଶବର୍ଷ ଭିତରେ ଏପରି ନାଟକ ଅନ୍ତତଃ କଟକ ସହରରେ ମଞ୍ଚସ୍ଥ ହୋଇ ନ ଥିଲା । ପ୍ରଶଂସାର ନଈବଢ଼ି କୂଳ ଲଙ୍ଘୁଥିଲା ।

 

ସାମ୍ବାଦିକମାନଙ୍କର ଆଗରେ ମାନବେନ୍ଦ୍ର ଦାସଚୌଧୁରୀ, ପ୍ରତିଭାପୂଜାର ପୃଷ୍ଠପୋଷକ-। ସେ ବେଶ୍‍ ଗମ୍ଭୀର ଦିଶୁଥିଲେ । ଦୁଇ ଆଖିରେ ହସ ଓ କାନ୍ଦ । ଅତି ଉଦାର ଓ ବିନୟୀ ମୁଦ୍ରାରେ ସେ କୌତୂହଳୀ ଜନତାଙ୍କୁ କେବଳ ସୂଚନା ଦେଉଥାନ୍ତି । ସରକାରୀ ଦଳର ଉଦାସୀନତା ଓ ସଂସ୍କୃତି ବିଭାଗର ଦାୟିତ୍ୱହୀନତା ସମ୍ପର୍କରେ କିଛି କିଛି ବକ୍ତବ୍ୟ ଦେଉଥାନ୍ତି ସେ ।

 

କ୍ରମେ ନିରବି ଆସିଲା ପ୍ରେକ୍ଷାଳୟ । ଗାଡ଼ିଘୋଡ଼ା, ମଟର ସାଇକେଲ୍‍, ରିକ୍‍ସାର ଭିଡ଼ ଭାଙ୍ଗିଯାଇଥିଲା ଧୀରେ ଧୀରେ । ଚ୍ୟାରିଟି ସୋ-ଲବ୍‍ଧ ଟଙ୍କା ପଇସା ଓ ପ୍ରଶଂସାର ଫୁଲତୋଡ଼ାମାନଙ୍କୁ ସାଙ୍ଗରେ ଧରି ଧଳା କାର୍‍ଟିଏ ମଧ୍ୟ ଚାଲିଗଲାଣି କିଛି କାଳ ପୂର୍ବରୁ । ମାନବେନ୍ଦ୍ର ଦାସଚୌଧୁରୀ, ରାମଚନ୍ଦ୍ର ପଟ୍ଟନାୟକ ଓ ଉଦ୍ୟୋକ୍ତା ବନ୍ଧୁମାନଙ୍କୁ ଧରି ,ଏକ ବିଖ୍ୟାତ ହୋଟେଲ୍‍କୁ ଯାଇଥିଲା ସେଇ କାର୍‍ ।

 

ଏ ଘଟଣାର ପ୍ରାୟ ଦେଢ଼ମାସ ପରେ ନବଗଠିତ ପ୍ରତିଭା ପୂଜା ସଙ୍ଗଠନ ପକ୍ଷରୁ ଆଉ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା ବିଭିନ୍ନ ପତ୍ରପତ୍ରିକାରେ । ଓଡ଼ିଶାର ଗର୍ବ ଓ ଗୌରବ ଉଦୀୟମାନ ତରୁଣ ନାଟ୍ୟକାର ସିଦ୍ଧାର୍ଥ ଚୌଧୁରୀଙ୍କ ଅକାଳ ବିୟୋଗରେ ଅଜସ୍ର ଲୁହ ଓ କୋହ ବଢ଼ାଯାଇଥିଲା ବିଜ୍ଞାପନର ଶବ୍ଦମାନଙ୍କରେ । ନାଟ୍ୟକାରଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ନବଗଠିତ ସଙ୍ଗଠନକୁ ସାହାଯ୍ୟ କରିବା ନିମନ୍ତେ ମୁକ୍ତହସ୍ତରେ ସଂସ୍କୃତିପ୍ରେମୀ ଜନସାଧାରଣ ଆଗେଇ ଆସିବା ନିମନ୍ତେ ନିବେଦନ କରାଯାଇଥିଲା ଓ ନିବେଦକ ଶବ୍ଦ ତଳକୁ ନାଟ୍ୟକାର ରାମଚନ୍ଦ୍ର ପଟ୍ଟନାୟକ, ଜନନେତା ମାନବେନ୍ଦ୍ର ଦାସଚୌଧୁରୀଙ୍କ ସମେତ ଆଉରି ପାଞ୍ଚ ସାତଜଣ ବୃତ୍ତିଗତ ବୁଦ୍ଧିଜୀବୀଙ୍କ ନାମ ଉଲ୍ଲେଖ ରହିଥିଲା ।

 

ମାତ୍ର କୌଣସିଠାରେ ଉଲ୍ଲେଖ ନ ଥିଲା ଯେ ମାସକ ତଳେ ଗୋଟାଏ ଶୀତାର୍ତ୍ତ ସକାଳେ ସିଦ୍ଧାର୍ଥ ଚୌଧୁରୀଙ୍କ ଅପମୃତ୍ୟୁ ଘଟିବା ପାଇଁ କେଉଁମାନେ ଦାୟୀ ଥିଲେ । କେଉଁମାନଙ୍କ ସ୍ୱାର୍ଥ ପାଇଁ ଗୋଟାଏ ତରୁଣ ନାଟ୍ୟକାରକୁ ଦୁସ୍ଥ ଓ ଅସହାୟର ବିଶେଷଣ ଦିଆଯାଇ ବିଜ୍ଞାପନ ପ୍ରକାଶ ପାଇଥିଲା ? ବହୁଚର୍ଚ୍ଚିତ ଚ୍ୟାରିଟି ସୋ’ରୁ ଆଦାୟ ଅର୍ଥର ନଗଣ୍ୟ ଭଗ୍ନାଂଶ ସିଦ୍ଧାର୍ଥ ଚୌଧୁରୀଙ୍କ ପାଖରେ ପହଞ୍ଚିଥିଲା କି ନାହିଁ ? ସିଦ୍ଧାର୍ଥଙ୍କ ଶବକୁ ହସ୍‍ପିଟାଲ୍‍ ମେହେନ୍ତରଙ୍କ କବଳରୁ ଉଦ୍ଧାର କଲାବେଳେ ସ୍ୱର୍ଗତ ନାଟ୍ୟକାରଙ୍କ ବିଧବା ମାଆ ଭିନ୍ନ ଏହି ପ୍ରତିଭାପୂଜା ସଙ୍ଗଠନର କୌଣସି ସଭ୍ୟ ଉପସ୍ଥିତ ଥିଲେ କି ନାହିଁ ? ନା, ଏସବୁ କିଛି ହିଁ ଉଲ୍ଲେଖ ନ ଥିଲା ।

 

ତେବେ ସିଦ୍ଧାର୍ଥ ଚୌଧୁରୀଙ୍କ ମୃତ୍ୟୁ ପରର ଚାରିମାସ ପର୍ଯ୍ୟନ୍ତ ବିଭିନ୍ନ ଖବରକାଗଜର କ୍ରୋଡ଼ପୃଷ୍ଠାମାନଙ୍କରେ ବିଶିଷ୍ଟ ବ୍ୟକ୍ତିଙ୍କର ଶୋକବାର୍ତ୍ତା ନିୟମିତ ବ୍ୟବଧାନରେ ପ୍ରକାଶ ପାଇ ଚାଲିଥିଲା ।

Image

 

ଧୂଳିଘର, ଲୁନା ଓ ଗଜଲ୍‌

 

ଲୁନା ଅନେକବେଳ ହେଲା ଶୋଇପଡ଼ିଲାଣି । ବେଶ୍‌ କିଛି ସମୟ ପାଇଁ ରାହାଧରି କାନ୍ଦୁଥିଲା । ଆଖିକୁ ନିଦ ଆସିବା ପରେ ଶୋଇପଡ଼ିଛି । ତକିଆର କିଛି ଅଂଶ ତା’ର ଲୁହ ଆଉ ଲାଳରେ ଓଦା ହୋଇଯାଇଛି । ମୁହଁମାଡ଼ି ଶୋଇଥିବାରୁ ତା’ର କଅଁଳ ଚମ ଉପରେ ସମ୍ବିତଙ୍କର ଆଙ୍ଗୁଳି ଦାଗ ଦିଶିଯାଉଛି । ବେଶ୍‌ ଟାଣ ଚାପୁଡ଼ାଟାଏ ବସିଥିଲା ଲୁନା ପିଠିରେ ।

ଲୁନା ଭାରି ଏକ୍‌ଜିଦିଆ । ଯାହା ବୁଝିଥିବ ସେଇଆ । ବାପାବୋଉଙ୍କର ଆକଟ ସେ ବୁଝେନା । ତା’ର ଯାହା ଆବଶ୍ୟକ, ସେଇଟା ତତ୍‌କ୍ଷଣାତ୍‌ ମିଳିବା ଦରକାର ।

ଲୁନାର ଅଭ୍ୟାସ ସେ ସବୁବେଳେ ମେଲା ଘରଟାରେ ହିଁ ଖେଳିବ, ନ ହେଲେ ଗେଟ୍‌ ପାଖରେ । ତା’ର ଯାବତୀୟ ଖେଳଣା–ଶଢ଼େଇ, ଦିଆସିଲି ଖୋଳ, ଖେଳଣା ଟ୍ରକ୍‌, କାର୍‌, ବନ୍ଧୁକ, ବସ୍‌ର ଭଗ୍ନାବଶେଷ, ଫାଙ୍କା ଟୁଥ୍‌ପେଷ୍ଟ୍‌ ଟ୍ୟୁବ୍‌, ଶିଶି, ପାଉଡ଼ର ଡବା, ଚିପ୍‌ସ ମେଞ୍ଚାଏ, ପୁରୁଣା ତାସ୍‌ କେଇପଟ, ବାଲି ଦି’ ମୁଠା, ଗୋଟାଏ ଶଢ଼େଇରେ ପାଣି ମୁନ୍ଦାଏ, ପୁରୁଣା ସିଗାରେଟ୍‌ ଖୋଳ, ପ୍ଲାଷ୍ଟିକ୍‌ ଡବା, ଗୋଟାଏ ବଡ଼ ଢାବଲ–ଏମିତି ଶହେ ରକମର ଜିନିଷ ଧରି ଗୋଡ଼ ମେଲାଇ ସେ ବାଟରେ ବସିଥିବ । ସଞ୍ଜ ହୋଇଗଲେ ଖେଳଣାମାନଙ୍କୁ ସେଇମିତି ଖେଳ ଜାଗାରେ ଛାଡ଼ିଦେଇ ଭିତରକୁ ଚାଲିଆସିବ ।

ଅନେକଥର ଘରକୁ ଆସୁଥିବା ଅତିଥିମାନେ ତା’ର ଖେଳଣା ଝୁଣ୍ଟୁଥିଲେ । ଥରେ ଦୁଇଥର ସ୍କୁଟର ପଙ୍କ୍‌ଚର ହେଲା, କ୍ଷୀରବାଲାର ଗୋଡ଼ ଖସିଲା । ସମ୍ବିତ ବିରକ୍ତ ହେଲେ । ତଥାପି ଲୁନା ଅଭ୍ୟାସରେ କିଛି ପରିବର୍ତ୍ତନ ନାହିଁ । ସେ ସେଇ ଜାଗାରେ ଖେଳିବ ।

 

ଲୁନାକୁ ଏବେ ଚାରି ବର୍ଷ ପୂରିବ । ଖେଳିବାବେଳେ ଭାରି ମନଯୋଗ ସହକାରେ ଖେଳେ । ବାଲିରେ ଭାତ ତରକାରି ରାନ୍ଧେ, ସେସବୁ ଅଦୃଶ୍ୟ ଅତିଥିଙ୍କ ଉଦ୍ଦେଶ୍ୟରେ ବାଢ଼ିଦିଏ । ପୁଣି ହାଣ୍ଡିକୁଡ଼େଇ ଗୋଟେଇ ରଖିଦିଏ । ତା’ର ରୋଷେଇ ସରଞ୍ଜାମ ସବୁ କେହିଜଣେ ବନ୍ଧୁ ତା’ ଜନ୍ମଦିନରେ ଉପହାର ଦେଇଥିଲେ । ସେତିକି ତା’ର ପ୍ରିୟ ସମ୍ପତ୍ତି ।

 

ଲୁନା ବିରୋଧରେ ଆଉ ଏକ ଗୁରୁତର ଅଭିଯୋଗ ବାପା ସମ୍ବିତଙ୍କର । ସେ କ୍ରମେ ମନେ ରଖିଥିବା ନର୍ସରୀ ରାଇମ୍‌ଗୁଡ଼ାକର ଶବ୍ଦ ଭୁଲିଯାଉଛି । ଇଂରାଜୀ ଆଲ୍‌ଫାବେଟ୍‌ସ ଗୁଡ଼ାକ ଠିକ୍‌ କରି ଲେଖିପାରୁ ନାହିଁ । ଝିଅ ଏବେଠୁ ପାଠରେ ସିନା ସମସ୍ତଙ୍କୁ ଟପିଯାଆନ୍ତା, ବାପାର ନାମ ଉଜ୍ଜ୍ୱଳ କରନ୍ତା !

 

ସମ୍ବିତଙ୍କର ଦୋଷ ନାହିଁ । ବାପାମାନେ ଏଇଆ ଚାହିଥାନ୍ତି ।

 

ପତ୍ନୀ ସୁଲତା କିଛି ପ୍ରତିବାଦ କରିପାରନ୍ତି ନାହିଁ । ଝିଅ ଉପରେ ଗାଳିମାଡ଼ ହେଉଥିବାବେଳେ ସେ ସ୍ୱାମୀଙ୍କୁ ମୁହଁଖୋଲି କହିପାରନ୍ତି ନାହିଁ ସିନା, ଭିତରେ ଭିତରେ କିନ୍ତୁ କୋରି ହୋଇଯାଆନ୍ତି । ଏଡ଼େ ଟିକିଏ ଛୁଆ । ତା’ର କାଗଜ ପରି ପତଳା ଚମ । ଏତେ ଟାଣହାତ ମାଡ଼ କେମିତି ସହିବ–ଚିନ୍ତାକରି ମନଦୁଃଖ କରନ୍ତି । ବେଳେ ବେଳେ ଅଭିମାନ କରି ରାତିରେ ଉପବାସରେ ଶୋଇପଡ଼ନ୍ତି ।

 

ସମ୍ବିତ କିନ୍ତୁ ଏପରି ଭାବପ୍ରବଣତାକୁ ବରଦାସ୍ତ କରନ୍ତି ନାହିଁ । ‘ଲାଳୟେତ ପଞ୍ଚବର୍ଷାଣି’–ଚାଣକ୍ୟଙ୍କ ଏ ଶ୍ଳୋକ ପରିବର୍ତ୍ତନ ଆବଶ୍ୟକ କରୁଛି ବୋଲି ଯୁକ୍ତି କରନ୍ତି । ଚାରିବର୍ଷରୁ କଡ଼ା ଶାସନ ଦରକାର । ତା’ ନହେଲେ ପିଲାଏ ଅମଣିଷ ହୋଇଯିବେ । ପଛକୁ ପସ୍ତେଇବା ଖାଲି ସାର ହେବ ସିନା, ଆଉ କିଛି କରିବାର ନ ଥିବ ।

 

ସୁଲତା ସ୍ୱାମୀଙ୍କର ସମସ୍ୟା କିଛି କିଛି ବୁଝିପାରନ୍ତି । ଦରିଦ୍ର ପରିବାରରୁ ଆସିଛନ୍ତି ତାଙ୍କର ସ୍ୱାମୀ । ଜୀବନର ଅର୍ଦ୍ଧାଧିକ କାଳ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରିଛନ୍ତି । ଟିଉସନ୍‌ କରି ରାତି କଲେଜରେ ପାଠ ପଢ଼ିଛନ୍ତି । ରାତି ରାତି ଅନିଦ୍ରା ହୋଇ ଘୋଷାବଳଦଙ୍କ ପରି ପଢ଼ାବହି ମୁଖସ୍ଥ କରିଛନ୍ତି । ବଡ଼ କଷ୍ଟରେ ପାଇଛନ୍ତି ଘରୋଇ ସଂସ୍ଥାରେ ଚାକିରିଟିଏ । ସେଠି ପୁଣି ଯିବା-ଆସିବାର ଠିକଣା ସମୟ ନାହିଁ । ଛୁଟି ନାହିଁ କି ଅନ୍ୟ ସୁବିଧା କିଛି ନାହିଁ । ଗୁମାସ୍ତା କାମ ପରି କାମ । ସବୁଦିନ ନିରାପତ୍ତାଶୂନ୍ୟତାର ହୀନମଣ୍ୟତା ।

 

ଅନେକ କଷ୍ଟ କରି ଏବେ ଭୁବନେଶ୍ୱରଠାରୁ ଦଶ କିଲୋମିଟର ଦୂରରେ ପ୍ଲଟ୍‌ଟିଏ କିଣିଛନ୍ତି ସମ୍ବିତ । ଦି’ ବଖରା ଘର କେବଳ ହେବ । ଇଟା ସିମେଣ୍ଟ ପାଇଁ ପାଖରେ ସମ୍ବଳ ନାହିଁ । କାହା ପାଖେ ହାତ ପତେଇବାର ଆଗ୍ରହ କି ଉପୁରି ଦି’ ପଇସା ଅର୍ଜିବାର ଦୁଃସାହସ ବି ନାହିଁ ତାଙ୍କର ।

 

ସୁଲତା ଜାଣିଛନ୍ତି, ତାଙ୍କ ସ୍ୱାମୀଙ୍କର କୈଶୋର କଷ୍ଟରେ ବିତିଛି । ସେଇପାଇଁ ସେ ପିଲାମାନଙ୍କୁ ଠିକ୍‌ଭାବେ ବୁଝିପାରନ୍ତି ନାହିଁ । ପିଲାଦିନେ ତାଙ୍କର ମାଆ ତାଙ୍କୁ ଛୋଟ ଛୋଟ କଥାରେ ବାଡ଼ଉଥିଲେ । ସେଥିପାଇଁ ସମ୍ବିତଙ୍କ ମନରେ ଏବେ ବି ତାଙ୍କ ବୋଉ ବିରୋଧରେ ଆକ୍ରୋଶ ଓ ଅଭିମାନ ।

 

କିନ୍ତୁ ସୁଲତା ଧନୀ ଘରର ଝିଅ । ସେ ବଡ଼ ଆଦର ସୋହାଗରେ ବିତେଇଛନ୍ତି ପିଲାଦିନ । ହଷ୍ଟେଲ୍‌ର ସ୍ୱାଧୀନ ଓ ଅବାଧ ପରିବେଶ ଭିତରେ ବିତିଛି କୈଶୋର ଓ ଯୌବନ । ଏକ ଦୁର୍ବଳ ମୁହୂର୍ତ୍ତରେ ସେ ଭଲପାଇବସିଥିଲେ ସମ୍ବିତଙ୍କୁ । ତା’ ନ ହେଲେ ଆଜି ଏମିତି ସବୁ ଛୋଟ ଛୋଟ କଥାରେ ତାଙ୍କୁ ମନକଷ୍ଟ କରିବାକୁ ପଡ଼ନ୍ତା ନାହିଁ ।

 

ଅକାବ୍ୟିକ ବସ୍ତୁବାଦୀ ମଣିଷ ସମ୍ବିତ କେମିତି କେଜାଣି ପ୍ରେମଚିଠି ଲେଖୁଥିଲେ ତାହା ଭାବି ବସିଲେ ସୁଲତା ବେଳେ ବେଳେ ଆଶ୍ଚର୍ଯ୍ୟ ହୁଅନ୍ତି । ଥରେ ମନେଅଛି, ବାହାଘର ଆଗରୁ ଅଭିମାନ କରି ସମ୍ବିତ ଲେଖିଥିଲେ ଚିଠି–‘ମୁଁ ମଲାପରେ ତମେ ସପ୍ତଫଣୀର ଛାଇରେ ତମ ହାତର ନାଲି ପାଣିକାଚରୁ ପଟେ ଭାଙ୍ଗିଦେବ ସୁଲତା । କାରଣ ସବୁରି ସମ୍ମୁଖରେ ସେତକ କରିବାର ଅନୁମତି ଦେବନାହିଁ ଏ ସମାଜ । ଗୁଳ୍ମଛାୟାର ସେଇ କଣ୍ଟକିତ ପରିବେଷ୍ଟନୀ ଭିତରେ ପବନ ଶୁଣିପାରୁ ନଥିବା ସ୍ୱରରେ ଥରୁଟିଏ ଉଚ୍ଚାରଣ କରିବ ନାଆଁ ମୋର । ଯେଉଁଠି ଯେତେ ଦୂରରେ–ଭୌତିକ କି ଆଧିଭୌତିକ ସ୍ତରରେ ଥିଲେ ବି ମୁଁ ତମର କଣ୍ଠସ୍ୱର ଶୁଣି ପାରିବି ଓ ମୋକ୍ଷ ପାଇଯିବି ।’

 

ଆଜି ସଞ୍ଜବେଳେ ଅଫିସ୍‌ରୁ ବିରକ୍ତ ହୋଇ ଫେରିଥିଲେ ସମ୍ବିତ । ବାଟରେ ବସି ଲୁନା ଖେଳୁଥିଲା । ଝୁଣ୍ଟି ପଡ଼ିଲେ ସମ୍ବିତ । ସାମ୍ନାରେ ଲୁନା ଅପରାଧୀ ମୁଦ୍ରାରେ ମୁହଁ ପୋତି ଛିଡ଼ା ହୋଇଥାଏ । ସମ୍ବିତ ଲୁନାର ପିଠିରେ ବସେଇଦେଲେ ଶକ୍ତ ଚାପୁଡ଼ାଟାଏ । ବାସ୍‌ ସେତିକିବେଳୁ ଘରେ ଅଖଣ୍ଡ ନିରବତା ।

 

ଜୁନ୍‌ ମାସର ଘର୍ମାକ୍ତ ରାତ୍ରି । ଲୁନା ଶୋଇପଡ଼ିଲାଣି । ସମ୍ବିତ ଚୁପ୍‌ଚାପ୍‌ ଛାତକୁ ଅନାଇ ବିଛଣାରେ ପଡ଼ି ରହିଛନ୍ତି । ସୁଲତାଙ୍କୁ ଏ ରକମ ପରିବେଶ ବିରକ୍ତ ଲାଗେ । ଭୀଷଣ ରାଗ ଆସେ ତାଙ୍କର । ଏଇଟା କ’ଣ ଗୋଟାଏ ଘର ? ଇଟା ସିମେଣ୍ଟର ଚାରିଟା କାନ୍ଥ ଓ ତା’ ଉପରେ ଗୋଟାଏ ଛାତ ମିଶି ଯଦି ଘର ହୋଇଯାଆନ୍ତା–ତା’ହେଲେ ମଣିଷର ଦୁଃଖ ଆଉ ରହନ୍ତା କାହିଁକି-? ସେ ବେଶ୍‌ ସହଜ ହୋଇଗଲେ ଏବଂ ସମ୍ବିତକୁ ଚିଡ଼େଇବା ତଥା ତା’ର ପ୍ରତିକ୍ରିୟା ସବୁକୁ ସାମ୍ନା କରିବା ପାଇଁ ନିଜକୁ ପ୍ରସ୍ତୁତ କରିନେଲେ । ଚୁପ୍‌ଚାପ୍‌ ଯାଇ କ୍ୟାସେଟ୍‌ ଥାକରୁ ଜଗଜ୍ଜିତ ସିଂ-ଚିତ୍ରା ଗଜଲ କ୍ୟାସେଟ୍‌ଟା ବାହାର କଲେ । ଟେପ୍‌ରେକର୍ଡ଼ର ସ୍ୱିଚ୍‌ ଅନ୍‌ କଲେ ଓ କ୍ୟାସେଟ୍‌କୁ କିଛି ସମୟ ପାଇଁ ଆଗପଛ କଲେ । ତା’ପରେ ଭଲ୍ୟୁମ୍‌ ଟିକେ ବଢ଼େଇ ଦେଇ ବହିଥାକରୁ ଖଣ୍ଡେ ମାଗାଜିନ୍‌ ଉଠେଇ ନେଇ ବିଛଣାକୁ ଫେରିଗଲେ ।

 

ଚିତ୍ରା ସିଂଙ୍କ ସୁଲଳିତ କଣ୍ଠରେ ସୁନ୍ଦର ଗଜଲ୍‌ଟିଏ, ଯେଉଁଟା ବରାବର ଶୁଣିବା ପାଇଁ ଭଲ ଲାଗେ ସୁଲତାଙ୍କୁ ସେଇଟା ହିଁ ବାଜୁଥିଲା ଟେପ୍‌ରେକର୍ଡ଼ରେ ।

 

ଏ ଦୌଲତ୍‌ ଭି ଲେ ଲୋ,

ଏ ସୌହରତ୍‌ ଭି ଲେ ଲୋ,

ଭଲେ ମୁଝସେ ଛିନ୍‌ ଲୋ ମେରି ଯବାନୀ,

ମଗର ମୁଝେ ଲୋଟା ଦୋ ବଚପନ୍‌ କି ୟାଦେଁ,

ୱ କାଗଜ କି କସ୍ତି

ୱ ବାରିଷ୍‌ କି ପାନୀ...

 

ପିଲାଦିନର ସ୍ମୃତି ଓ ବର୍ଷାଧୁଆ ଅପରାହ୍‌ଣରେ କାଗଜଡ଼ଙ୍ଗା ଭସେଇବାର ରୋମାଞ୍ଚକର ଅନୁଭୂତି ସବୁ ମେଞ୍ଚା ମେଞ୍ଚା ପଶିଆସୁଥିଲା ସୁଲତାଙ୍କର ମନର ଅଳିନ୍ଦ ନିଳୟକୁ । ଗଜଲ୍‌ଟି ଶୁଣୁଶୁଣୁ ସେ ଆଖି ମୁଦି ଦେଉଥିଲେ ।

 

ବେଶ୍‌ କିଛି ସମୟ ବିତିଯାଇଥିଲା ଇତିମଧ୍ୟରେ ।

 

ନିରବତାର ପର୍ବ ଯେତିକି ଯେତିକି ଦୀର୍ଘ ହେଉଥିଲା ପରିଣତି ସମ୍ପର୍କରେ ସୁଲତା ସେତିକି ସେତିକି ଉଦ୍‌ବିଗ୍ନ ହୋଇପଡ଼ୁଥିଲେ ।

 

ନା, ସମ୍ବିତ ଶୋଇପଡ଼ି ନାହାନ୍ତି ।

 

ସୁଲତା ଶେଷ ହୋଇଯାଇଥିବା କ୍ୟାସେଟ୍‌ଟିକୁ ଟେପ୍‌ରେକର୍ଡ଼ରୁ ବାହାର କରିଦେଲେ । ମଶାରି କଡ଼ଗୁଡ଼ିକ ଭଲକରି ବିଛଣା ଚାରିପାଖରେ ଖୋଷିଦେଲାବେଳେ ନଜର ପଡ଼ିଲା ସମ୍ବିତଙ୍କ ମୁହଁ ଉପରେ ।

 

ସମ୍ବିତଙ୍କ ଆଖିରେ ଚକ୍‌ଚକ୍‌ କରୁଥିଲା ଲୁହ ।

 

ସମ୍ବିତ ଧୀରେ ଧୀରେ ଆଙ୍ଗୁଳି ବୁଲଉଥିଲେ ନିଦ୍ରିତା ଲୁନାର ଫୁଙ୍ଗୁଳା ପିଠି ଉପରେ, ଯେଉଁଠି ସଞ୍ଜବୁଡ଼େ ତାଙ୍କରି ହାତ ଆଙ୍ଗୁଠି ଛକ ବସେଇ ଦେଇଥିଲା ।

 

ସୁଲତାକୁ ଶୁଣେଇ ଶୁଣେଇ କହିଲେ, “ଝିଅ ଉପରକୁ ମୁଁ ଆଉ କଦାପି ହାତ ଉଠେଇବି ନାହିଁ । ସେ ତା’ର ଯାହା କରିବାର କରୁ, ପଢ଼ିଲେ ପଢ଼ୁ କି ନ ପଢ଼ିଲେ ନ ପଢ଼ୁ ।”

 

ସୁଲତା ଆବେଗ ଜଡ଼ିତ କଣ୍ଠରେ କହିଲେ, “ତମେ ଚିତ୍ରା ସିଂଙ୍କ ଏ ଗଜଲଟା ଶୁଣୁଥିଲ ନା ସମ୍ବିତ ? ତମର ମନ ହୁଏ ନାହିଁ ପଛକୁ ଫେରିଯିବା ପାଇଁ, ନଈକୂଳ ପଠାରେ ସୂତା ଛିଡ଼ିଥିବା ଗୁଡ଼ି ପଛରେ ଧାଇଁ ଦଉଡ଼ିବା ପାଇଁ ? ତମର ବି କ’ଣ ମନେପଡ଼େ ନାହିଁ ବାହାଘର ପୂର୍ବ ଦିନଗୁଡ଼ାକର କଥା ? କେତେ ସୁନ୍ଦର ସୁନ୍ଦର ଚିଠି ଲେଖୁଥିଲ ତମେ !

 

“ସମ୍ବିତ, ତମ ପାଇଁ ଏ ସହରରେ ଇଟା, ସିମେଣ୍ଟର ଘର ଦି’ ବଖରା ତିଆରି କରିବାର ସ୍ୱପ୍ନ ଯେମିତି ଗୁରୁତ୍ୱପୂର୍ଣ୍ଣ, ଲୁନା ପାଇଁ କାଠି, କୁଟା ଓ ବାଲି ଦି’ ମୁଠାରେ ଧୂଳିଘରଟେ ତିଆରି ଯୋଜନା ସେମିତି ଗୁରୁତ୍ୱପୂର୍ଣ୍ଣ । ଆଜି ସକାଳେ ପଢ଼ୁ ନ ଥିଲ କି ‘ଟେଲିଗ୍ରାଫ୍‌’ରେ କଲିକତାର ସେଇ ଯେଉଁ ମଲ୍‌ଟିଷ୍ଟୋରିଡ୍‌ କୋଠାଟା ଭୁଶୁଡ଼ି ଯିବାର ଖବର । ସେ ଲୋକମାନେ ବି ଅନେକ ଦିନ ଧରି ଯୋଜନା କରିଥିଲେ ଘର ଦି’ ବଖରା ପାଇଁ; ଅଥଚ କେଇଟା ମୁହୂର୍ତ୍ତରେ ଧୂଳିସାତ୍‌ ହେଇଗଲା ସେମାନଙ୍କର ସବୁଯାକ ଯୋଜନା । ଯଦି ଲୁନାର ଏ ବାଲିଘର କି ଧୂଳିଘରର କିଛି ଅର୍ଥ ନାହିଁ, ତା’ହେଲେ ସେଇସବୁ ଆକାଶଛୁଆଁ କୋଠାବାଡ଼ିର ବି କିଛି ଅର୍ଥ ନାହିଁ । ଧୂଳିଘରର ସ୍ମୃତି ମଣିଷକୁ ବଡ଼ କରିବାର ଅଭିଜ୍ଞତା ଦିଏ, ପ୍ରେରଣା ଦିଏ; କିନ୍ତୁ କୋଠାଘର ତିଆରିର ଯୋଜନା ମଣିଷକୁ ଛୋଟ କରିଦିଏ । ଲୁନାର ଏ ଧୂଳିଘରକୁ ଅସ୍ୱୀକାର କରିବାର ଅର୍ଥ ତମେ ନିଜର ଶୈଶବକୁ ଅସ୍ୱୀକାର କରୁଛ, ଜୀବନକୁ ଅସ୍ୱୀକାର କରୁଛ ।”

 

ଜିରୋ ପାୱାର ବଲ୍‌ବର ସୀମିତ ଆଲୁଅ ଭିତରେ ସମ୍ବିତ ବାରମ୍ବାର ନିରୀକ୍ଷଣ କରୁଥିଲେ ସୁଲତାଙ୍କୁ । ଅବିର ମେଞ୍ଚାଏ ବୋଳି ହେଇଯାଇଛି କି ସୁଲତାଙ୍କ ମୁହଁରେ ! ସୁଲତା ଏବେ କେଉଁ ଭୂମିକାରେ ଛିଡ଼ାହୋଇ ଏସବୁ କହୁଥିଲେ–ଲୁନାର ମାଆ, ଘରୋଇ ସଂସ୍ଥାର କର୍ମଚାରୀ ସମ୍ବିତ ଦାସର ସ୍ତ୍ରୀ ନା ବିଗତ ଦିନର କିଶୋରୀ ପ୍ରେମିକା ?

 

 

ସମ୍ବିତ କ୍ରମେ ଭିତରେ ଭିତରେ ପଛକୁ ଫେରି ଫେରି ଯାଉଥିଲେ । ଅପନ୍ତରା କଣ୍ଟକିତ ମରୁଭୂଇଁରେ କେଉଁଠି ଗୋଟାଏ ନାଲି କ୍ୟାକ୍‌ଟସ ଗଛରେ ଫୁଲ ଧରି ଆସୁଛି । ନାଁ ଅଜଣା ଚଢ଼େଇଟାଏ ସେହି କଣ୍ଟାଗଛ ଚାରିପଟେ ଉଡ଼ୁଛି । କେଉଁଠି ଗୋଟାଏ ଝରଣାର ଚାପା କୁଳୁକୁଳୁ ଧ୍ୱନି ସେ ଶୁଣିପାରୁଛନ୍ତି ଭିତରେ । କ୍ରମେ ସେ ଫେରିଯାଉଛନ୍ତି ଲୁନା ବୟସକୁ, ଧୂଳିଘରର ଚୌହଦି ଭିତରକୁ ।

 

ସମ୍ବିତ ଫେରି ଆସିଲେ ନିଜର ଦୁଇ ବଖରା ବସାଘରର ପରିବେଶ ଭିତରକୁ ଏବଂ ଅନୁରୋଧ କଲେ, “ଲୁନାକୁ ଆଜି ମୁଁ ମାରିଥିବା କଥା ଆଉ କାହା ଆଗେ କହିବନି ସୁଲତା । ଏମିତିକି ଲୁନାକୁ ମଧ୍ୟ ନୁହେଁ ।”

 

ସୁଲତା ଓ ସମ୍ବିତ ଉଭୟଙ୍କ ଓଠ ନଇଁ ଆସୁଥିଲା ଦୂରରୁ ନିକଟକୁ ଏବଂ ଏକ ହୋଇଯାଇଥିଲା ଠିକ୍‌ ସେଇ ଜାଗାରେ, ଯେଉଁଠି ବାପାଙ୍କ ଚାପୁଡ଼ାରେ ନାଲିଚିହ୍ନ ବସିଯାଇଥିଲା ଝିଅ ଲୁନାର ଫୁଙ୍ଗୁଳା ପିଠି ଉପରେ ।

Image

 

ଘଟଣା ସବୁ ଦୁର୍ଘଟଣା ପାଲଟୁଥିବାର ମୁହୂର୍ତ୍ତ

 

ସହରର ଶେଷମୁଣ୍ଡ ପାର୍କ ପାଖ ସେଇ ଯେଉଁ ବିରାଟ ଦୋ-ତାଲା ଘରଟା ଦିଶେ ଏୟାରପୋର୍ଟ ପାଖରୁ ଖଣ୍ଡିଏ ବିଦେଶୀ କୋଠା ପରି, ସେଇଠି ହିଁ ରହନ୍ତି ଶ୍ରୀମତୀ ବନ୍ଦନା ଚୌଧୁରୀ । ବୟସ ତାଙ୍କର ପଚାଶ ଚାଲିଲା ଗତ ଜୁନ୍‌ ମାସ ପାଞ୍ଚ ତାରିଖରୁ । ଏ ବୟସରେ ବି ଭଦ୍ରମହିଳା ବେଶ୍‌ ସ୍ୱାସ୍ଥ୍ୟ ଓ ପରିଚର୍ଯ୍ୟା ସଚେତନ । ତାଙ୍କୁ ଦେଖିଲେ ଜାଣି ହେଇଯାଏ, ଯୌବନରେ ସେ ଥିବେ ପ୍ରଚୁର ସୁନ୍ଦରୀ ।

 

ଶ୍ରୀମତୀ ବନ୍ଦନା ଚୌଧୁରୀଙ୍କର ସ୍ୱାମୀ ମନଜିତ୍‌ ଚୌଧୁରୀ ସହରର ନାମୀ ବ୍ୟବସାୟୀ-। ଗତବର୍ଷ ତାଙ୍କର ଶିଳ୍ପ ପ୍ରତିଷ୍ଠାନର ବାଲାନ୍‌ସ ସିଟ୍‌ ଦେଖେଇଛି ବାର୍ଷିକ କାରବାର ଶହେ ପଚାଶ କୋଟି ଟଙ୍କା । କଲିକତା, ବମ୍ବେ ଓ ଦିଲ୍ଲୀରେ ନିଜର ଫ୍ଲାଟ୍‌ ଅଛି । ଭୁବନେଶ୍ୱର ଏଇ କୋଠାଟାର ଦାମ୍‌ ସତୁରି ଲକ୍ଷ ଟଙ୍କା । ବମ୍ବେରୁ ଆର୍କିଟେକ୍ଟ ଅଣେଇ ତିଆରି କରିଥିଲେ । ଏହାର ଝୁଲନ୍ତା ଶିଡ଼ି, ମାର୍ବଲ ଚଟାଣ କି ପଥର କାମ ସହରର ଆଉ କୌଣସି ଅଟ୍ଟାଳିକାରେ ଦେଖାଯାଏ ନାହିଁ-। ସେଇଟା ମନ୍‌ଜିତ ଚୌଧୁରୀଙ୍କ ପୌରୁଷର ନ୍ୟାଯ୍ୟ ଅହଙ୍କାର । ଶ୍ରୀମତୀ ଓ ଶ୍ରୀ ମନ୍‌ଜିତ ଚୌଧୁରୀଙ୍କର ଗୋଟିଏ ପୁଅ ଆକାଶ ଓ ଗୋଟିଏ ଝିଅ ବର୍ଷା । ଆକାଶ ଏବେ ବମ୍ବେରେ ବ୍ୟବସାୟ ସମ୍ଭାଳୁଛି । ସେ ବିବାହିତ । ବର୍ଷା କାନାଡ଼ାରେ, ପଢ଼ା ଶେଷ ପରେ ରିସର୍ଚ୍ଚ କରୁଛି-। ଦି’ ବର୍ଷ ହେଲା ଗଲାଣି । ଆସନ୍ତା ମାସରେ ଫେରିପାରେ ।

 

ଏଠି ଚୌଧୁରୀ ପରିବାରର କର୍ତ୍ତା ଓ କର୍ତ୍ତ୍ରୀଙ୍କୁ ବାଦ୍‌ଦେଲେ ଯେଉଁମାନେ ରହନ୍ତି, ସେମାନେ ସମସ୍ତେ ଭୃତ୍ୟ ଓ ସହକାରୀ । ମାଳୀ, ଦରୱାନ, ଚାକର, ପୂଜାରୀ, ଡ୍ରାଇଭର, ଟାଇପିଷ୍ଟ୍‌ ଓ ମ୍ୟାନେଜର । ଶ୍ରୀମତୀ ଚୌଧୁରୀଙ୍କୁ କିଛି କହିବାକୁ ପଡ଼େ ନାହିଁ, କରିବାକୁ ପଡ଼େ ନାହିଁ ମଧ୍ୟ । ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ପରି ଚୌଧୁରୀ କୋଠିର ସବୁଯାକ କାମ ରୁଟିନ୍‌ବନ୍ଧା ଶୃଙ୍ଖଳା ଭିତରେ ଚାଲିଥାଏ ।

 

ତଥାପି ଶ୍ରୀମତୀ ବନ୍ଦନା ଚୌଧୁରୀ ହସିପାରନ୍ତି ନାହିଁ । ଏକଥା ସମସ୍ତେ ଜାଣନ୍ତି; ଯଦିଓ କାରଣଟା ସମ୍ପର୍କରେ ବିଶେଷ କେହି କିଛି ଜାଣନ୍ତି ନାହିଁ । ବନ୍ଦନାଙ୍କର ଗୋଟାଏ ଗୋପନ ଦୁଃଖ ଯାହା ସେ ଆଜିଯାଏ କାହାକୁ କହିପାରି ନାହାନ୍ତି ସେଇଟା ହିଁ ତାଙ୍କ ବିଷାଦର କାରଣ ।

 

ବନ୍ଦନା ତାଙ୍କ ଘରର ଦକ୍ଷିଣ ଦରଜା ଓ ଦକ୍ଷିଣ ଦିଗର ଝରକା ଗୁଡ଼ିକୁ କୌଣସି ଦିନ ଖୋଲିପାରନ୍ତି ନାହିଁ । ସେଗୁଡ଼ିକ କାହିଁକି କେଜାଣି ଦିନରାତି ସବୁବେଳେ ବନ୍ଦ ରହିଥାଏ, ଯେମିତି ସେଇଠି କିଏ ଗୋଟାଏ ନିବୁଜ ପାଚିରି ଗଢ଼ିଦେଇଛି ।

 

ଏଇଟା କ’ଣ ହେଇପାରେ ଗୋଟାଏ ଦୁଃଖ ? ଯାହାହେଲେ ବି ଶ୍ରୀମତୀ ଚୌଧୁରୀ ଏ ଘରର ମାଲିକାଣୀ । ସେ ଚାହିଁଲେ ଝରକା, ଦୁଆର ଖୋଲିବେ, ଚାହିଁଲେ ବନ୍ଦ କରିଦେବେ । ତାଙ୍କୁ କ’ଣ କିଏ ବାଧା ଦେଇପାରିବ ?

 

ହଁ, କେହିଜଣେ ଦକ୍ଷିଣପଟ ଝରକା ଖୋଲିବା ପାଇଁ ତାଙ୍କୁ ବାଧା ଦିଏ । କିଏ ସେ ?

 

ସେ ମାନସ ଦାସନାୟକ, ବିଶ୍ୱବିଦ୍ୟାଳୟ ପ୍ରଫେସର । ଅନେକ ବର୍ଷ ଦେଶ ବାହାରେ ଥିଲେ । ଏବେ କିଛି ବର୍ଷ ହେଲା ଫେରିଛନ୍ତି ଓଡ଼ିଶାକୁ । ଅର୍ଥନୀତିର ଅଧ୍ୟାପକ ମାନସ । ବ୍ରିଲିଆଣ୍ଟ୍‌ କ୍ୟାରିଅର । ଭାରତବର୍ଷ ଓ ବିଦେଶର ବହୁ ନାମୀ ବିଶ୍ୱବିଦ୍ୟାଳୟରେ ସେ ବକ୍ତୃତା ଦେଇଛନ୍ତି, ସବୁଠି ଉଚ୍ଚ ପ୍ରଶଂସିତ ହୋଇଛି ତାଙ୍କର ବିଦ୍‌ବତ୍ତା, ମୌଳିକ ଦୃଷ୍ଟିଭଙ୍ଗୀ ।

 

ଓଡ଼ିଶାକୁ ଫେରିବା ପରେ ସିଏ ଘର ଖଣ୍ଡେ କରିଛନ୍ତି ଏଇ ଫରେଷ୍ଟ୍‌ ପାର୍କ ଏରିଆରେ । ଛୋଟ ଘର, କାରଣ ମାନସଙ୍କର ଛୋଟ ସଂସାର । ପ୍ରଫେସର ଦାସନାୟକ ଅବିବାହିତ । ଘରେ କେବଳ ତାଙ୍କର ସମ୍ପର୍କୀୟ ଜଣେ ପ୍ରୌଢ଼ ରହନ୍ତି । ସେଇ ହିଁ ଘରର ଦେଖାଶୁଣା କରନ୍ତି । ରହନ୍ତି ତଳ ମହଲାରେ ।

 

ପ୍ରଫେସରଙ୍କର ପଢ଼ାଘର ଉପର ମହଲାରେ, ଉତ୍ତର ପଟର ଝରକା ପାଖେ ସେ ସବୁବେଳେ ବସିଥାନ୍ତି ।

 

ଦିନରାତି ଖୋଲା ଥାଏ ସେଇପଟର ଝରକା ଓ କବାଟ । ପ୍ରଫେସର ପଢ଼ୁ ପଢ଼ୁ ବିଛଣା ଉପରେ ଗଡ଼ିପଡ଼ନ୍ତି । ଆଖିର ଚଷମା ଝୁଲି ରହିଥାଏ ନାକ ତଳକୁ । ଟେବୁଲ ଉପରର କ୍ଷୀର ଗିଲାସ ପଙ୍ଖା ପବନରେ ଥଣ୍ଡା ହଉଥାଏ । ପ୍ରଫେସର ଶୋଇପଡ଼ିଥାନ୍ତି ।

 

ପ୍ରଫେସରଙ୍କର ଗୋଟାଏ ଦୁଃଖ, ସେ କାହାରି ସାଙ୍ଗେ ମିଶିପାରନ୍ତି ନାହିଁ । ସେଇ ଦି’ ଜଣଙ୍କୁ ବାଦ୍‌ ଦେଲେ କୌଣସି ତୃତୀୟ ମଣିଷର ସ୍ୱରଶବ୍ଦ କେବେ ବି ଶୁଣାଯାଏ ନାହିଁ ତାଙ୍କ ଘର ଭିତରୁ । ଯାହା କିଛି ଶୁଣାଯାଏ ସେସବୁ ସାମୟିକ; ଖବରକାଗଜ ହକର, କ୍ଷୀରବାଲା କିମ୍ବା ପୋଷ୍ଟମ୍ୟାନ୍‌ର କଣ୍ଠସ୍ୱର ।

 

ଏବେ ଚରିତ୍ରମାନଙ୍କୁ ପଚରା ଯାଇପାରେ କି ସେମାନଙ୍କର ବ୍ୟକ୍ତିଗତ ଦୁଃଖ ସମ୍ବନ୍ଧରେ କିଛି ପ୍ରଶ୍ନ । କାହିଁକି ଶ୍ରୀମତୀ ବନ୍ଦନା ଚୌଧୁରୀ ତାଙ୍କ ଘରର ଦକ୍ଷିଣ ଝରକା ଓ କବାଟ ଦିନରାତି ବନ୍ଦ ରଖିଥାନ୍ତି ? କାହିଁକି ପ୍ରଫେସର ମାନସ ଦାସନାୟକ ଏମିତି ନିଃସଙ୍ଗ ଜୀବନ ବିତଉଥାନ୍ତି ଗୋଟାଏ ନିରବ କୋଠରି ଭିତରେ ? ଉତ୍ତରପଟ ଝରକା ଖୋଲି କାହାକୁ ସେ ଅପେକ୍ଷା କରନ୍ତି ଜୀବନର ଏ ପରିଣତ ବୟସରେ ? ମନ୍‌ଜିତ କାହିଁକି ଏବେ ଆଜିକାଲି ଅନେକ ବିଳମ୍ବରେ ଘରକୁ ଫେରନ୍ତି ? ପ୍ରଚୁର ଡ୍ରିଙ୍କ୍‌ସ ନିଅନ୍ତି ଏକା ଏକା ଗଭୀର ରାତିରେ ? ସେମାନଙ୍କର ଦୁଃଖ କ’ଣ ?

 

ଶ୍ରୀମତୀ ବନ୍ଦନା ଚୌଧୁରୀ: ବନ୍ଦ କୋଠରି, ମୁକୁଳା ମନ

 

ବହୁତ ବର୍ଷ ତଳକୁ ଫେରିଯାଆନ୍ତି ବନ୍ଦନା ।

 

ପ୍ରତି ସପ୍ତାହରେ ଖଣ୍ଡିଏ କରି ଚିଠି ପାଉଥିଲେ ସେ । ପ୍ରେମ ଚିଠି । କଲେଜକୁ ଗଲେ ପ୍ରଥମ କାମ ତ ତାଙ୍କର ଥିଲା ଚିଠିଟାକୁ ପଢ଼ି ସାଙ୍ଗମାନଙ୍କୁ ଶୁଣେଇବା । ହାତରୁ ଦି’ ହାତ ହେଇ ଚିଠିଟି କମନ୍‌ରୁମ୍‌ର ସାଙ୍ଗମାନଙ୍କ ପାଖରେ ଦର୍ଶନୀୟ ବସ୍ତୁଟିରେ ପରିଣତ ହେଉଥାଏ ସେଠି । ସମସ୍ତେ ବନ୍ଦନାକୁ ଈର୍ଷା କରୁଥିଲେ–ତୋରି ତ ଭାଗ୍ୟ, ସମସ୍ତେ ତୋତେ ଚିଠି ଲେଖୁଛନ୍ତି ।

 

ବନ୍ଦନା ବଡ଼ ଘରର ଝିଅ । ସୁନ୍ଦରୀ ଓ ବୁଦ୍ଧିମତୀ । ସମସ୍ତେ ଭଲପାଆନ୍ତୁ ତାକୁ, ଚିଠି ଲେଖନ୍ତୁ, ତା’ର ସେଥିରେ ଯାଏ ଆସେ କେତେ ? ସେଇଥିପାଇଁ ସେ ଏପରି ଚିଠିଗୁଡ଼ାକୁ ନେଇ ଗମ୍ଭୀର ହେଇପାରେ ନାହିଁ ।

 

ବେଳେବେଳେ ଖେଳରେ ଜିଣିଥିବା ଦଳ ହାରିଯାଏ କି ? ହେଇଥିବ । ବନ୍ଦନା ବି ଶେଷ ପର୍ଯ୍ୟନ୍ତ ଜିଣିପାରିଲା ନାହିଁ ଏ ଖେଳରେ । ସେକଥା ଆଗରୁ ସେ ଉପଲବ୍‌ଧି କରିପାରି ନ ଥିଲା କାହିଁକି କେଜାଣି ?

 

ଅତୀତର ଭୁଲ୍‌ ଠିକ୍‌ର ସମାଧାନ ଆଜି ଆଉ ଦରକାର ପଡ଼େନାହିଁ । ଏକଦା ନଖରେ ଛିଣ୍ଡୁଥିବା ଅଙ୍କଟିଏ ଆଜି ଅନେକ ଗଳଦ୍‌ଘର୍ମ କସରତ ପରେ ବି ସମାଧିତ ହୋଇପାରେ ନାହିଁ । ସେଇଟା ହିଁ ବନ୍ଦନା ଚୌଧୁରୀଙ୍କର ଦୁର୍ଭାଗ୍ୟ ।

 

ସେ ଦକ୍ଷିଣ ଦୁଆର ଖୋଲିପାରନ୍ତି ନାହିଁ, ଝରକା ବି ।

 

ସେପଟର ଦକ୍ଷିଣ ମଳୟ, ବର୍ଷାଧୁଆ ଶୀତ, ପୂର୍ଣ୍ଣମୀର ଜ୍ୟୋତ୍ସ୍ନା ଆସନ୍ତି ନାହିଁ ବନ୍ଦନାଙ୍କର ଘର ଭିତରକୁ । ସେମାନଙ୍କୁ ନିଜେ ମନାକରି ସେଇଠୁ ଫେରେଇ ଦିଅନ୍ତି ବନ୍ଦନା । କବାଟ କିଳି ଦିଅନ୍ତି, ଝରକା ଆଉଜେଇ ଦିଅନ୍ତି ଆପେ ଆପେ ।

 

ମାନସ ଲେଖୁଥିଲା ଚିଠି ପ୍ରତି ସପ୍ତାହରେ । ଉତ୍ତରକୁ ଅପେକ୍ଷା କରୁ ନ ଥିଲା ସେ କୌଣସି ଦିନ । ଆଜି ବୁଝନ୍ତି ବନ୍ଦନା, ଅନେକ ଗମ୍ଭୀର ଥିଲା ମାନସ । ପ୍ରେମରେ ଆଉ ପଢ଼ାରେ ବି । ବନ୍ଦନା ଅବଶ୍ୟ ଚିଠିସବୁକୁ ଉପହାସ କରି ପ୍ରଦର୍ଶନୀର ବସ୍ତୁ ପରି ମେଲେଇ ଧରେ ସାଙ୍ଗସାଥୀଙ୍କ ଆଗରେ । ବେଳେବେଳେ କିନ୍ତୁ ଗଭୀର ନିଶାର୍ଦ୍ଧରେ ସେସବୁ ପଢ଼ିଲାବେଳେ ଢିଲା ଗାଉନ୍‌ ତଳର ତା’ର ପତଳା ଦେହଟି ରୋମାଞ୍ଚିତ ହୋଇପଡ଼େ । ଝାଳେଇଯାଏ ପାଦ ଓ ହାତ ପାପୁଲି । କୃଷ୍ଣଚୂଡ଼ାର ଲାଲିମାରେ ଲାଜେଇ ଉଠେ ସାରା ମୁହଁ । ନିଷିଦ୍ଧ ଓ ଗୋପନ ଇଚ୍ଛାମାନେ ଭିତରେ କେଉଁଠି ଖପ୍‌ଖାପ୍‌ ଡେଇଁ ଥାଆନ୍ତି ।

 

ବନ୍ଦନା ସେମାନଙ୍କୁ ଚୁପ୍‌ କରିଦିଏ ।

 

ମୁହଁ ଉପରେ ଝୁଲାଇ ରଖେ ପାଷାଣ ପ୍ରତିମାର ଆବରଣ ।

 

ରାତ୍ରିର ସ୍ୱପ୍ନାତୁରତାକୁ ପ୍ରକାଶ କରିପାରେ ନାହିଁ ସକାଳର ସ୍ୱାଭାବିକତା । କେହି କିଛି ମାନସ ସମ୍ପର୍କରେ ମନ୍ତବ୍ୟ ଦେବା ଆଗରୁ ହିଁ ବନ୍ଦନା ସେଥିରେ ଶବ୍ଦ ସବୁ ଗୁନ୍ଥିଦିଏ–ଲୋଫର, ଛତରା ।

 

ପବନରେ ଶବ୍ଦଗୁଡ଼ାକ ଉଡ଼ିଯାଆନ୍ତି ପଶ୍ଚିମ ଛାତ୍ରାବାସର ପନ୍ଦର ନମ୍ବର ରୁମ୍‌କୁ । କିଛି ସମୟ ଗୁମ୍‌ ଗୁମ୍‌ ହୋଇଯାଏ ଆକାଶ । ଯମୁନାର ନୀଳପାଣି ସ୍ଥିର ହୋଇଯାଏ କିଛିକ୍ଷଣ । ଝରିପଡ଼େ କଦମ୍ବର ସ୍ତବକ ପଥର ପିଠିରେ । ପୁଣି ସବୁ ପୂର୍ବ ଅବସ୍ଥାକୁ ଫେରିଯାଆନ୍ତି ।

 

ପୋଷ୍ଟମ୍ୟାନ୍‌ ଆସି ଛିଡ଼ାହୁଏ ବନ୍ଦନା ରହୁଥିବା ହଷ୍ଟେଲ୍‌ ଗେଟ୍‌ ସାମ୍ନାରେ । ଚିଠି । ପ୍ରେମଚିଠି । ପୂରା ପ୍ରେମଚିଠି ।

 

ମାନସର ଚିଠି ।

 

ସାଙ୍ଘାତିକ ଭାବେ ବିରକ୍ତ ହୋଇଯାଏ ବେଳେ ବେଳେ । ଅଥଚ ଚିଠିଟିକୁ ହାତ ବଢ଼େଇ ଗ୍ରହଣ କରେ ପୋଷ୍ଟମ୍ୟାନ୍‌ ହାତରୁ, ଖୋଲି ପଢ଼ିବସେ ସେଇ ମୁହୂର୍ତ୍ତରେ ।

 

ଅନ୍ଧାର ହେଇ ଆସୁଥିଲା । ଶ୍ରୀମତୀ ବନ୍ଦନା ଚୌଧୁରୀ ଚୌକି ଉପରୁ ଉଠି ଯାଉଥିଲେ ସ୍ୱିଚ୍‌ଟା ଅନ୍‌ କରିଦେବା ପାଇଁ । ତାଙ୍କ ହାତ ସ୍ୱିଚ୍‌ ପାଖେ ପହଞ୍ଚିବା ଆଗରୁ ଆଉ ଜଣେ ସ୍ୱିଚ୍‌ ଅନ୍‌ କରିଦେଇ ଯାଇଥିଲା । ରାମୁ ତାଙ୍କର ଭୃତ୍ୟ । ବିରକ୍ତ ହେଇଗଲେ ଶ୍ରୀମତୀ ଚୌଧୁରୀ । ଏଠି କିଛି ଗୋଟାଏ କାମ ମଧ୍ୟ ତାଙ୍କୁ କରିବାକୁ ଦିଆଯାଏ ନାହିଁ ।

 

ବନ୍ଦ ଦରଜା ଓ କଦମ୍ବ ଝରକା ପାଖେ ଏକଲା ମଣିଷ ।

 

ସବୁ ରାସ୍ତା କ’ଣ ମୁହେଁଇ ଥାଆନ୍ତି ଚନ୍ଦନ ବଣକୁ ନତୁବା ଯମୁନା କୂଳକୁ ? କଦମ୍ବ ଡାଳରେ ଏକାକୀ ପକ୍ଷୀର କାକଳି କିନ୍ତୁ ତଥାପି ମୂର୍ଚ୍ଛିତ କରୁଥାଏ, ନଈକୂଳ ଓ ଜନପଦର ଦେହ ଓ ଦେହଳି । ବନ୍ଦ କରିବାକୁ ଚାହିଁ ଚାହିଁ ସିଗାରେଟ୍‌ର ସ୍ତୂପ ଭିତରେ କୁହୁଳୁଥାଏ ପ୍ରଫେସର ମାନସ ଦାସନାୟକଙ୍କ ଅତୀତ ଓ ବର୍ତ୍ତମାନ ।

 

ସବୁ ସ୍ୱପ୍ନର ତ ଯୁକ୍ତି ନ ଥାଏ, ଯୁକ୍ତି ନ ଥାଏ ଗୋଲାପ ପାଖେ କଣ୍ଟାସବୁ ବିଛେଇ ରହିବାର । ନିରବ ଆଖିର ନିଃଶବ୍ଦ କୈଫୟତ ପ୍ରଫେସର ଦାସନାୟକଙ୍କର ଅବଶିଷ୍ଟ ପୃଥିବୀ ସାମ୍ନାରେ । ବୁଝିଲେ ବୁଝନ୍ତୁ ସେମାନେ, ନ ବୁଝି ପାରିଲେ ସେ କିନ୍ତୁ ଅସହାୟ ।

 

ଆଜି ଆଉ ପଛକୁ ଫେରିବାର ରାସ୍ତା ବନ୍ଦ । ଆଗକୁ ଯିବାର ମୋହ ନାହିଁ, ଇଚ୍ଛା ବି । ଏବେ ବି ଲାଗୁଛି ଜୀବନର ସେଇ ଏକମାତ୍ର ସ୍ୱପ୍ନଟି ତଥାପି ରହିଗଲା ଅପହଞ୍ଚ, ଯିମିତି ଜୀବନର ସୁରୁଆତ୍‌ରେ ଥିଲା ଦୂରବର୍ତ୍ତୀ । ଥାଉ ସେମିତି ସେ ସ୍ୱପ୍ନ, ସ୍ୱପ୍ନମାନେ ଅପହଞ୍ଚ ବୋଲି ଏଡ଼ିକି ସୁନ୍ଦର, ଏଡ଼ିକି ମୋହମୟ ।

 

ସମଗ୍ର ଭାରତବର୍ଷର ଭୂଗୋଳକୁ ପ୍ରଦକ୍ଷିଣ କରି ଆସିଥିବା ପ୍ରଫେସର ମାନସ ଦାସନାୟକ ଏବେ କିନ୍ତୁ ନିଜକୁ ଜାଣି ଜାଣି ଗୋଟାଏ ନିରବ କୋଠରି ଭିତରେ ବନ୍ଦ କରିଦେଇଛନ୍ତି । ବନ୍ଦ କୋଠରିର ଖୋଲା ଝରକା ପାଖେ ବସିରହି ସେ କେବଳ ସମୟମାନଙ୍କୁ ଉଡ଼େଇ ଦେଉଛନ୍ତି ଖୋଲା ପଞ୍ଜୁରୀର ଚଢ଼େଇମାନଙ୍କ ପରି । ଗ୍ଳାନି ନାହିଁ, ଦୁଃଖ ନାହିଁ କି ଅବସୋସ ବି ।

 

ଗତବର୍ଷ ଶ୍ରୀମତୀ ବନ୍ଦନା ଚୌଧୁରୀ ତାଙ୍କ ଜୀବନର ଏକମାତ୍ର ଦୁର୍ବଳତା ଓ ଏବର ପ୍ରତିବେଶୀଙ୍କ ଘରକୁ ସେ ଅନାହୂତ ଭାବେ ଯାଇଥିଲେ । ଶ୍ରୀମତୀ ଚୌଧୁରୀଙ୍କ ପୁଅ ଆକାଶର ବାହାଘର ଉତ୍ସବ ଥିଲା ସେଇଟା । କାହିଁକି କେଜାଣି ସହରର ଏକ ଚତୁର୍ଥାଂଶ ଲୋକଙ୍କୁ ନିମନ୍ତ୍ରଣ କରିଥିବା ଶ୍ରୀମତୀ ଓ ଶ୍ରୀ ଚୌଧୁରୀ ଏହି ପ୍ରତିବେଶୀ ପ୍ରଫେସରଟିକୁ ପଠେଇ ନ ଥିଲେ ଖଣ୍ଡିଏ ନିମନ୍ତ୍ରଣ ପତ୍ର ସେ କଥା କେବେ ଚିନ୍ତା କରି ନ ଥିଲେ ମାନସ । ସଞ୍ଜବୁଡ଼େ ସେ ଉପହାର ପ୍ୟାକେଟ୍‌ଟିକୁ ନିଜ ହାତରେ ସଯତ୍ନରେ ଗୁଡ଼େଇ ବାହାରି ପଡ଼ିଥିଲେ ଚୌଧୁରୀ କୋଠିକୁ ।

 

କାହାକୁ ଅପମାନ ଦେବାର ଉଦ୍ଦେଶ୍ୟ ତ ନ ଥିଲା ତାଙ୍କର । ଅପମାନିତ ହେବାର ସାମାନ୍ୟ ସାହସ ବି ନ ଥିଲା ।

 

ସେଇ ଯେ ଅନେକ ବର୍ଷ ପରେ ପାଖାପାଖି ଦୂରତ୍ୱକୁ ସେ ଦେଖିଥିଲେ ବନ୍ଦନା ଚୌଧୁରୀଙ୍କୁ–କେତେ ଶହ ବର୍ଷ ପରେ ? ପ୍ରଫେସରଙ୍କୁ ଘେରିଯାଇଥିଲେ ଏକଦା ତାଙ୍କର ଛାତ୍ର ଓ ସତୀର୍ଥ । ସେ କିନ୍ତୁ ଯଥାସମ୍ଭବ ଭିଡ଼ ଭିତରୁ ନିଜକୁ ମୁକୁଳେଇ ନେଇ ସେ ଉପହାର ପ୍ୟାକେଟ୍‌ଟିକୁ ବଢ଼ାଇ ଦେଇଥିଲେ ଶ୍ରୀମତୀ ଚୌଧୁରୀଙ୍କ ହାତକୁ ।

 

‘ନାଇସ୍‌ ଟୁ ସି ୟୁ’–ଶ୍ରୀଯୁକ୍ତ ମନଜିତ୍‌ ଚୌଧୁରୀଙ୍କ କଣ୍ଠରେ ପ୍ରତିକ୍ରିୟାଶୂନ୍ୟ ଶୀତଳ ସମ୍ଭାଷଣ ।

 

ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଜାଣେ, ଆପଣ ପୁଅ ବାହାଘର କାମରେ ପ୍ରଚୁର ବ୍ୟସ୍ତ ଥିବା ଯୋଗୁ ହିଁ ମୋତେ ପଠେଇ ପାରି ନାହାନ୍ତି ନିମନ୍ତ୍ରଣ କାର୍ଡ ଖଣ୍ଡେ । ଯେତେହେଲେ ବି ପ୍ରତିବେଶୀ ତ ! ମୁଁ କ’ଣ ବାହାର ମଣିଷଙ୍କ ପରି ଔପଚାରିକତାକୁ ଅପେକ୍ଷା କରିଥାଆନ୍ତି ? ସେଇଟା ମୋ ପକ୍ଷେ ଆଦୌ ଉଚିତ ହୋଇ ନ ଥାନ୍ତା । ଆକାଶ ମୋର ମଧ୍ୟ ପୁଅ ପରି ।

 

ପ୍ରଫେସର ଲକ୍ଷ୍ୟ କରିଥିଲେ ସେଇ ଭିଡ଼ ଭିତରୁ ଶ୍ରୀମତୀ ଚୌଧୁରୀଙ୍କର ଅସ୍ତବ୍ୟସ୍ତ ଭାବ । ଏଯାଏ ବି ସେହି କିଶୋରୀ ସୁଲଭ ଚଞ୍ଚଳ ଭାବ ଯାଇନି ତ ବନ୍ଦନା ମୁହଁରୁ ? ସେ ବେଶୀ ସମୟ ରହି ନ ଥିଲେ । ଯେମିତି ଅନିମନ୍ତ୍ରିତ ଭାବେ ଯାଇଥିଲେ ଚୌଧୁରୀ କୋଠିକୁ, ସେମିତି ଅପ୍ରତ୍ୟାଶିତ ଭାବେ ଫେରି ଆସିଥିଲେ ।

 

ଆଉ ଖଣ୍ଡିଏ ସିଗ୍ରେଟ୍‌ ମୁହଁ ପାଖେ ତୋଳି ଧରିଲେ ମାନସ ।

 

ଏଠି ଘର ତୋଳି ରହିବାର ଏହି ପାଞ୍ଚ ବର୍ଷ ଭିତରେ ଏକାଧିକ ବାର ସେ ମନଜିତ୍‌ ଚୌଧୁରୀ ଓ ତାଙ୍କ ଲୋକମାନଙ୍କ ଠାରୁ ଗୋଟାଏ ପ୍ରସ୍ତାବ ଶୁଣିବାକୁ ପାଇଛନ୍ତି । ଥରେ ନିଜେ ମନଜିତ୍‌ ଚୌଧୁରୀ ମଧ୍ୟ ତାଙ୍କୁ କହିଥିଲେ:

 

ଘରଟା ତୋଳିଲାବେଳେ ଦକ୍ଷିଣ ପଟ ଜାଗାଟା ନ ନେଇ ମୁଁ ଭୁଲ୍‌ କରିଛି । ବନ୍ଦନାଙ୍କର ଏକା ଜିଦ୍‌, ଏପଟ ଘରଟା ପୂରା ବନ୍ଦ ହେଇଯାଉଛି ଆପଣଙ୍କ କୋଠା ପାଇଁ । ମୁଁ ଆପଣଙ୍କୁ ସହରର ଯେଉଁ ଜାଗାରେ ଚାହିଁବେ ପ୍ଲଟ୍‌ଟେ କିଣେଇ ଦେବି, ମୋ ଲୋକମାନେ ଘର ବି ତୋଳିଦେବେ ଆପଣଙ୍କ ପାଇଁ । ପ୍ଲିଜ୍‌, ଆପଣ ଏ ଘରଟା ଆମକୁ ଦେଇଦିଅନ୍ତୁ ।

 

ମାନସ ସେଇ ଏକା ଉତ୍ତରର ପୁନରାବୃତ୍ତି କରନ୍ତି–ଦେଖନ୍ତୁ ଶ୍ରୀଯୁକ୍ତ ଚୌଧୁରୀ, ସବୁକିଛି ଜିନିଷ ଅଦଳବଦଳ କରି ହୁଏ ନାହିଁ । ଏ ଘର ମୋର ସେଇପରି ଏକ ମହାର୍ଘସ୍ୱପ୍ନ–ଯାହା ମୁଁ ନା ହସ୍ତାନ୍ତର କରିପାରିବି ଆଉ କାହାକୁ ନା ବିକ୍ରି କରି ଦେଇପାରିବି କୌଣସି ମୂଲ୍ୟ ବିନିମୟରେ । ମୁଁ ଶ୍ରୀମତୀ ଚୌଧୁରୀଙ୍କ ସମସ୍ୟା ବୁଝୁଛି । ସେପାଇଁ ବହୁତ ଦୁଃଖିତ ମୁଁ ।

 

ବେତ୍ରାହତ ମିଷ୍ଟର ଚୌଧୁରୀ ସେଇ ଯେ ଚାଲିଯାଇଥିଲେ ଉତ୍‌କ୍ଷିପ୍ତ ଝଡ଼ଟେ ପରି, ଆଉ କୌଣସି ଦିନ ବାଟରେ କି ଘାଟରେ ମୁହଁଟେକି ମଧ୍ୟ ଚାହିଁ ନ ଥିଲେ ପ୍ରଫେସରଙ୍କୁ ।

 

ବେଳେ ବେଳେ ଅକାରଣଟାରେ ମନ ଭାରୀ କରି ବସନ୍ତି ପ୍ରଫେସର । କ’ଣ ବା ଲାଭ ଏମିତି ଏକ ଜିଦ୍‌କୁ ନେଇ ବଞ୍ଚିବାରେ ? ସାରା ଜୀବନଟା ବିତିଗଲା ଗୋଟାଏ ଜିଦ୍‌ ପାଇଁ । ଏ ଘରଟା ଛାଡ଼ିଦେଇ ଅନ୍ୟଆଡ଼େ ଚାଲିଗଲେ କ୍ଷତି କ’ଣ ହୁଅନ୍ତା ?

 

ପର ମୁହୂର୍ତ୍ତରେ କେଉଁ ଗୋଟାଏ ଦୁର୍ବଳତା ତାଙ୍କ ସମଗ୍ର ଅସ୍ତିତ୍ୱକୁ ଆବେଗାପ୍ଳୁତ କରିଦିଏ । ଆଖି ଯୋଡ଼ିକ ଓଦାହେଇ ଆସେ । ମନକୁ ମନ କହନ୍ତି, ନା ସେ ଏଇଠି ହିଁ ରହିବେ । ସକାଳେ ସଞ୍ଜେ ନିଜର ପ୍ରେମ ଓ ପ୍ରିୟତମାକୁ ଦେଖୁଥିବେ ନିରବରେ । ଯୋଉଦିନ ଜୀବନ ସଳିତା ଜଳି ଜଳି ଆପେ ଲିଭିଯିବ, ସେଇଦିନ ହିଁ ସରିଯିବ ପ୍ରଲମ୍ବିତ ଏ ପ୍ରତୀକ୍ଷାର ପର୍ବ । ତା’ପରେ ଏ ଘର, ଏ ଜାଗା ଯିଏ ଇଚ୍ଛା ସିଏ ନେଉ, କିଛି ଆପତ୍ତି ନାହିଁ ।

 

ଅର୍ଥନୀତି ବିଶାରଦ ପ୍ରଫେସର ମାନସ ଏଇ ଜିଦ୍‌ ପଛର ଯୁକ୍ତି ଖୋଜି ପାଆନ୍ତି ନାହିଁ । ଅର୍ଦ୍ଧରାତ୍ରିରେ ବିଛଣାରୁ ଉଠିପଡ଼ି ସେ ଆଲୁଅ ନିଭାନ୍ତି । ଶୀତଳ ହୋଇଯାଇଥିବା କ୍ଷୀରତକ ପିଇଦେଇ ଚଷମା ଖୋଲି ରଖନ୍ତି ଟେବୁଲ ଉପରେ । ମନକୁ ମନ ଗୁଣୁଗୁଣାଉଥାନ୍ତି–ଯେଉଁଠି ଥାଅ, ସୁଖୀ ଥାଅ ବନ୍ଦନା, ସୁଖୀ ଥାଅ ।

 

ଇଚ୍ଛାମାନଙ୍କୁ ଗୁଡ଼ି କରି ଉଡ଼ଉଥିବା ପକ୍ଷୀଟିର ଅବସୋସ ।

 

ଆଜି ବି ମନେଅଛି, ସେ ବର୍ଷ ଖରାଛୁଟିରେ ଘରକୁ ଆସି ବନ୍ଦନା ପ୍ରଥମେ ଜାଣିବାକୁ ପାଇଥିଲା ଯେ, ତା’ ବାହାଘରର ପ୍ରାରମ୍ଭିକ ପ୍ରସ୍ତୁତି ଇତିମଧ୍ୟରେ ସମ୍ପୂର୍ଣ୍ଣ ହୋଇଯାଇଛି ମନଜିତ୍‌ଙ୍କ ସାଙ୍ଗରେ । ମନଜିତ୍‌ ଶିଳ୍ପପତି ପିତାଙ୍କର ଏକମାତ୍ର ସନ୍ତାନ । ଉଚ୍ଚଶିକ୍ଷିତ, ରୂପବାନ୍‌ । ବନ୍ଦନାର ଅରାଜି ହେବାରେ କିଛି ନ ଥିଲା । ଧନାଢ଼୍ୟ ଗୃହିଣୀର ଲୋଭନୀୟ ନକ୍‌ସାକୁ ସେ ଝୁଲାଇ ଧରିଥିଲା ଆଖି ସାମ୍ନାରେ ।

 

କିଛି ମୁହୂର୍ତ୍ତ ପାଇଁ ଗୋଟାଏ ଶାବନା, ଡେଙ୍ଗା, ଚଷମା ପିନ୍ଧା ଯୁବକର ଚେହେରା କେହି ଜଣେ ତୋଳି ଧରୁଥିଲା ବନ୍ଦନାଙ୍କ ସାମ୍ନାରେ । ବନ୍ଦନା ସେଇଟିକୁ ଆଡ଼େଇ ଦେଇଥିଲେ ।

 

ବାହାଘର ନିମନ୍ତ୍ରଣ କାର୍ଡ ପଠେଇବା ଦିନ ଗୋଟାଏ ନିଷ୍ଠୁର କୌତୁକରେ ମାନସ ଠିକଣାରେ ବି ସେ ପଠେଇ ଦେଇଥିଲେ ଖଣ୍ଡିଏ କାର୍ଡ଼ । ମାନସ ଉତ୍ତରରେ ଲେଖିଥିଲେ ଦୁଇଟି ବାକ୍ୟ:

 

“ପୃଥିବୀରେ ଥିବାଯାଏଁ ମୁଁ ତମ ପାଖେ ପାଖେ ଥିବି ବନ୍ଦନା, ତମ ଘରର ଦକ୍ଷିଣ ଦରଜା ପାଖେ ତମକୁ ଅପେକ୍ଷା କରୁଥିବି ଚିରକାଳ ।” ତାହା ହିଁ ଥିଲା ମାନସ ପାଖରୁ ତାଙ୍କ ପାଇଁ ଶେଷ ଚିଠି ।

 

ସେଦିନ ଏମିତି ଏକ ଭାବପ୍ରବଣତା ବନ୍ଦନାଙ୍କୁ ମନେ ହେଉଥିଲା ଅଜବ ପାଗଳାମି । ଯୌବନର ଗୋଟାଏ ସମ୍ପର୍କକୁ ନେଇ ଏମିତି କ’ଣ କେହି ବାଜି ଲଗେଇ ଦେଇପାରେ ସମୁଦାୟ ଜୀବନ ?

 

ବଡ଼ ଅସହାୟ ଲାଗେ ନିଜକୁ ଆଜିକାଲି । ଆଖିରେ ବାରମ୍ବାର ଧୂଳି ପଡ଼ିଯାଏ ବନ୍ଦନାଙ୍କର, ରୁମାଲ ହେଉ କି ଲୁଗାକାନି ସେ ଧୂଳିକୁ କାଢ଼ିପାରନ୍ତି ନାହିଁ ।

 

ଗତବର୍ଷ ତାଙ୍କ ପୁଅ ବାହାଘରକୁ ସେ ଖୋଜି ଖୋଜି ପ୍ରସ୍ତୁତ କରିଥିଲେ ଅତିଥିମାନଙ୍କ ତାଲିକା, ନିଜେ ଟିକିନିଖି କରି ବୁଝିଥିଲେ ସମସ୍ତଙ୍କୁ କାର୍ଡ ପଠେଇବାର ଖବର । ଜାଣି ଜାଣି କିନ୍ତୁ ସେ କାର୍ଡ ପଠେଇ ନ ଥିଲେ ଏକା ମାନସଙ୍କୁ ଛାଡ଼ି । କାହିଁକି ପଠେଇଥାନ୍ତେ ଯେ ? ମାନସ ତାଙ୍କର କିଏ କି ? କେହି ଜଣେ ଜୋର୍‌ ଜବରଦସ୍ତ ଲଦିଦେଇ ପାରେନା ନିଜର ପରିଚୟ ଅନ୍ୟ କାହା ଉପରେ ।

 

ଅଥଚ, ତାକୁ ଅପମାନିତ କରିବାର ସୁଯୋଗ କେମିତି ସେ ନିଜେ ନିଜେ ବତେଇ ଦେଇଥିଲା ଦେଖ ତ ? ମାନସ ଆସିଥିଲେ ଓ ଏତେ ଲୋକଙ୍କ ଆଗରେ ଉପହାର ପ୍ୟାକେଟ୍‌ଟା ବଢ଼େଇ ଦେଉ ଦେଉ କହିଥିଲେ, ‘ମୁଁ ଜାଣିଛି, ଆପଣ ବ୍ୟସ୍ତରେ ଖବର ପଠେଇ ପାରି ନ ଥିବେ । ହେଲେ ଆକାଶ କ’ଣ ମୋ ପୁଅ ପରି ନୁହେଁ ?’

 

ଇସ୍‌, ଆକାଶ ପୁଣି ମାନସର ପୁଅ ! ଏମିତି ଏକ ଉଦ୍ଭଟ ଚିନ୍ତାରେ ବନ୍ଦନା ବ୍ୟସ୍ତ ହେଇ ପଡ଼ିଥିଲେ ।

 

ହାର୍‌ଜିତ୍‌ର ହିସାବ କରିବାକୁ ଏବେ ବନ୍ଦନାଙ୍କର ମନ ଅକାଳେ ସକାଳେ ହାଇଁପାଇଁ ହୁଏ । କିଏ ଜିଣିଛି–ବନ୍ଦନା ନା ମାନସ ? ଅନେକ ଥର ବନ୍ଦନା ନିଜେ କହିଛନ୍ତି ସ୍ୱାମୀଙ୍କୁ–ଯାହା ଖର୍ଚ୍ଚ ହଉ ପଛକେ ସେଇ ଘରଟା କିଣି ରଖ । ବହୁତ ଚେଷ୍ଟା ବି କରିଛନ୍ତି ମନଜିତ୍‌ ।

 

ଏବେ ସେ ଜାଣି ଜାଣି ବନ୍ଦ ରଖନ୍ତି ଦକ୍ଷିଣପଟର ସବୁଯାକ ଦରଜା ଓ ଝରକା । ସେ ଭୁଲିଯିବାକୁ ଚାହାନ୍ତି ନିଜର ପରାଜୟକୁ, ଦୁର୍ବଳତାକୁ ଏଡ଼ିଯିବାକୁ ଚାହାନ୍ତି ।

 

ଝରକା କବାଟ ବନ୍ଦ ହେଇଯାଏ । ପରମୁହୂର୍ତ୍ତରେ କିନ୍ତୁ ଖୋଲିଯାଏ ମନ ଭିତରର ସବୁଯାକ ଗୋପନ ଦରଜା । ଶ୍ରୀମତୀ ବନ୍ଦନା ଚୌଧୁରୀ ବ୍ୟସ୍ତ ବିବ୍ରତ ହେଇପଡ଼ନ୍ତି ।

 

ମନଜିତ୍‌ ଆଜିକାଲି ଠିକ୍‌ ସମୟରେ ଘରକୁ ଫେରୁ ନାହାନ୍ତି । ପ୍ରଚୁର ଡ୍ରିଙ୍କ୍‌ କରୁଛନ୍ତି ଅଧରାତିରେ । ନିଜକୁ ଦୋଷୀ ଦୋଷୀ ମଣନ୍ତି ବନ୍ଦନା ।

 

ବନ୍ଦନା ନିଜେ ସହଜ ହେଇପାରନ୍ତି ନାହିଁ । ମନଜିତ୍‌ଙ୍କୁ ସେ ସହଜ ହେବାକୁ କହିପାରୁଛନ୍ତି ବା କେଉଁଠୁ । ଏବେ ଉଭୟେ ଉଭୟଙ୍କୁ ଚାହିଁଲେ ଦୀର୍ଘଶ୍ୱାସ ନିଅନ୍ତି । ଯଥାସମ୍ଭବ ପରସ୍ପରଠୁ ଦୂରେଇ ରହନ୍ତି ।

 

ଆକାଶ ବାହା ହେବାର ଦୁଇବର୍ଷ ପରେ ବମ୍ବେରୁ ଫେରିବା ପରେ ହିଁ ମନଜିତ୍‌ଙ୍କର ହେଲା ପ୍ରଥମ ଷ୍ଟ୍ରୋକ୍‌ । ଚୌଧୁରୀ ପରିବାରର ଜାହାଜ ପ୍ରଥମ ଅଥଚ ପ୍ରଚଣ୍ଡ ଧକ୍‌କାଟେ ଖାଇଲା ସମୁଦ୍ର ଭିତରେ ଲୁଚି ରହିଥିବା ପାହାଡ଼ ଦେହରେ ।

 

ଶ୍ରୀମତୀ ଚୌଧୁରୀଙ୍କ ଆଖି ଆଗର ରଙ୍ଗିନ ପୃଥିବୀଟା ପାଲଟିଗଲା ଅରାଏ ପୋଡ଼ାଭୂଇଁ । ଭୀଷଣ ଅସହାୟ ଲାଗିଲା ନିଜକୁ । କେବୁଲ୍‌ ପଠେଇଲେ କାନାଡ଼ା–‘ବର୍ଷା, ଶୀଘ୍ର ଚାଲିଆ ।’

 

ଶୋଇବା ଘରର ବିଛଣା ଉପରେ ଚିତ୍‌ ହେଇ ପଡ଼ିରହିଥିଲେ ମନଜିତ୍‌ । ପାଖରେ ଡାକ୍ତର ବର୍ମା । ବନ୍ଦନା ତ ରାତିସାରା ଉନ୍ନିଦ୍ର ବସି ରହିଥିଲେ ମନଜିତ୍‌ଙ୍କର ବିଛଣା ପାଖରେ । ଚୌଧୁରୀ କୋଠିର ଆଉ ସମସ୍ତେ ବି ଥିଲେ ସେଇଠି ।

 

ଘରଟାର ଝରକା କବାଟ ଖୋଲି ଦିଅନ୍ତୁ ମିସେସ୍‌ ଚୌଧୁରୀ । ବଡ଼ ସଫୋକେଟେଡ୍‌ ଲାଗୁନି କି ଏ ଘରଟା ?

 

ଶ୍ରୀମତୀ ଚୌଧୁରୀ ଡାକ୍ତରଙ୍କୁ କି ବା ଜବାବ୍‌ ଦିଅନ୍ତେ ? ଯେଉଁ ଜବାବ୍‌ଟିକୁ ସେ ଆଜିଯାଏଁ ନିଜେ ନିଜକୁ ଶୁଣାଇ ଆସିଛନ୍ତି ତାହା ଯେ ଏକ ଖିଆଲ, ପିଲାଳିଆମି–ସେ କଥା ଶୁଣି ଡାକ୍ତର ହସି ଉଠିବେ ନାହିଁ କି ? ଏମିତି ଏକ ପରିବେଶରେ ସେସବୁ ସେ କହିପାରିବେ କେମିତି-?

 

ଡାକ୍ତର ବର୍ମା ଘରଟା ଭିତରେ ପଦଚାରଣ କରୁ କରୁ ନିଜେ ଯାଇ ଏହା ଭିତରେ ଖୋଲି ଦେଇଥିଲେ ଘରଟାର ଦକ୍ଷିଣ ଝରକା । ପ୍ରଶସ୍ତ ଝରକାଟା ଖୋଲିଗଲା ପରେ ଘର ଭିତରକୁ ବହିଆସୁଥିଲା ପ୍ରଚୁର ପବନ ।

 

କେଉଁଠୁ ବହିଆସୁଥିଲା ଏତେ ଶୀତଳ ଓ ସୁଗନ୍ଧିତ ମଳୟ, ଚନ୍ଦନ ବଣରୁ ନା ଲବଙ୍ଗ ଦ୍ୱୀପରୁ ?

 

ଶ୍ରୀମତୀ ଚୌଧୁରୀ ଧାଇଁଆସି ଝରକାଟା ବନ୍ଦ କରିଦେବାକୁ ଯାଉଥିଲେ, ନଜର ପଡ଼ିଲା ପାଖ ଘରର ଝରକା ଉପରେ । ଅହୋରାତ୍ର ଉନ୍ମୁକ୍ତ ପାଖ ଘରର ଝରକାଟା ଅପ୍ରତ୍ୟାଶିତ ଭାବେ ବନ୍ଦ ରହିବାର ଦୃଶ୍ୟ ତାଙ୍କୁ କୌତୂହଳଜନକ ମନେ ହେଉଥିଲା । ଟିକିଏ ଆଶ୍ୱସ୍ତ ବି ମନେ କରିଥିଲେ ନିଜକୁ, ଆଖିରେ ପଡ଼ିଥିବା ଧୂଳିଟେ ବାହାରିଗଲେ କି ପାଦରେ ପଶିଥିବା କଣ୍ଟାଟେ ବାହାରିଗଲେ ଯେପରି ମଣିଷ ଆଶ୍ୱସ୍ତ ହୁଏ ।

 

କିଛି ଅସୁବିଧା ନାହିଁ । ଦରକାର ହେଲେ ମୋତେ ରିଙ୍ଗ୍‌ କରିବେ । ଡାକ୍ତର ବର୍ମା ପ୍ରେସ୍‌କ୍ରିପ୍‌ସନ୍‌ ଲେଖି ଚାଲିଗଲେ ।

 

ଜୁଲାଇର ବର୍ଷଣମୁଖର ଅପରାହ୍‌ଣ । ବନ୍ଦନା ଦକ୍ଷିଣ ଦୁଆର ପଟେ ଛିଡ଼ା ହୋଇଥିଲେ-। ଅନେକ ଦିନ ହେଲା ପାଖ ଘରଟା ଖାଲି ପଡ଼ିଛି–କୁଆଡ଼େ କେଜାଣି ଗଲେ ସେ ଘରର ଦିଇଟି ମଣିଷ ? ହଠାତ୍‌ ମନଜିତ୍‌ଙ୍କ ଛାତିର ଯନ୍ତ୍ରଣା ବଢ଼ିଗଲା । ବନ୍ଦନା ଧାଇଁଆସି ଔଷଧ ଦେଲେ-। ଫୋନ୍‌ କରାଗଲା ଡାକ୍ତର ବର୍ମାଙ୍କୁ । ସାଙ୍ଗେ ସାଙ୍ଗେ ସେମାନେ ମନଜିତ୍‌ଙ୍କୁ ସିଫ୍‌ଟ କରିଦେଲେ ନର୍ସିଂହୋମ୍‌ର ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌କୁ । ଡାକ୍ତରମାନଙ୍କର ସବୁ ରକମର ଉଦ୍ୟମ, ବନ୍ଦନାଙ୍କର ଆକୁଳ ପ୍ରାର୍ଥନା ସତ୍ତ୍ୱେ ମନଜିତ୍‌ ଆଉ ଉଠିପାରିଲେ ନାହିଁ ଦ୍ୱିତୀୟ ଆଘାତରୁ-। ରାତି ସାଢ଼େ ଦଶଟାରେ ସେ ଆଖି ବୁଜିଦେଲେ ।

 

ମନଜିତ୍‌ଙ୍କ ମୃତ୍ୟୁର ମାସେ ପରର ଘଟଣା । ରେଜିଷ୍ଟାର୍ଡ ଡାକରେ ପ୍ୟାକେଟ୍‌ଟିଏ ଆସିଥିଲା ବନ୍ଦନାଙ୍କ ନାଆଁରେ । ଭିତରେ ଛୋଟିଆ ଚିଠି ଓ ଗୋଟାଏ ଇଚ୍ଛାପତ୍ର । ମାନସ ତାଙ୍କର ଏ ସହରର ଏକମାତ୍ର କୋଠାଟିକୁ ହସ୍ତାନ୍ତର କରି ଦେଇଛନ୍ତି ଶ୍ରୀମତୀ ଚୌଧୁରୀଙ୍କୁ ଏବଂ ପରେ ପରେ ଆତ୍ମନିର୍ବାସନ ନେଇ ଯାଇଛନ୍ତି ଏ ସହରରୁ । ଚିଠିରେ ଦୁଇଟି ଧାଡ଼ି: ସବୁ ଜିଦ୍‌ ପଛରେ ଯୁକ୍ତି ନଥାଏ । ତମର ଭଲ ଦିନଗୁଡ଼ିକୁ ହସ ହସ ମୁହୂର୍ତ୍ତମାନଙ୍କୁ ମୁଁ ଦେଖିଛି ପାଖରୁ ଥାଇ । ସେ ଆଖିରେ ଲୁହ ହୁଏତ ମୁଁ ଦେଖିପାରି ନ ଥାନ୍ତି । ଏବେ ସେ ଘରଟା ତମର । ତମେ ଇଚ୍ଛା କଲେ ରଖିପାର, ଭାଙ୍ଗିପାର, ବିକିପାର–ଅଥବା ଦାନ କରିଦେଇପାର–ଯାହାକୁ ଇଚ୍ଛା । ଶ୍ରୀମତୀ ଚୌଧୁରୀ ମାନସଙ୍କର ଠିକଣାଟା ପଢ଼ିବାକୁ ଚେଷ୍ଟା କରୁଥିଲେ । ନା, ମାନସ ନୁହେଁ, ମାନସ ତରଫରୁ ଆଉ ଜଣେ କିଏ ଓକିଲ ଏସବୁ ପଠେଇଥିଲେ ତାଙ୍କ ପାଖକୁ ।

 

ଜୀବନରେ ଏତେ ପ୍ରଚଣ୍ଡ ଭାବରେ କୌଣସି ପ୍ରତିଯୋଗିତାରେ ହାରିଥିଲେ କି ଶ୍ରୀମତୀ ଚୌଧୁରୀ ? ଘରଟା ଯଦି ହସ୍ତାନ୍ତର କରିବାର ଥିଲା, ମନଜିତ୍‌ ଥିବାବେଳେ ସେଇକଥା ତ କରିପାରିଥାନ୍ତେ ମାନସ ? ଅଥଚ ଆଜି ସବୁ ସରିଗଲା ପରେ, ଏଇଟିର ପ୍ରୟୋଜନ କ’ଣ ? ଶ୍ରୀମତୀ ଚୌଧୁରୀ ଜୀବନରେ ପ୍ରଥମ ଥର ଲେଖିଲେ ଚିଠି–ମାନସ, ଦେବତା ନୁହେଁ, ରକ୍ତମାଂସର ମଣିଷଟେ ହେବାକୁ ଚେଷ୍ଟା କରିବା ତମର ପ୍ରୟୋଜନ ଥିଲା । ତମେ ସାରା ଜୀବନ ଅବିବାହିତ ରହିଛ, ତମର ଏକମାତ୍ର ବ୍ୟକ୍ତିଗତ ସ୍ୱାର୍ଥଟିକକୁ ଦେଇ ଦେଇଛ ଅନ୍ୟମାନଙ୍କୁ ଅକାତରରେ, ମୋ ଘରର ଦକ୍ଷିଣ ଝରକା ପାଖେ ଚିରକାଳ ଅପେକ୍ଷା କରିଛ, ମୁଁ ଜାଣେ–ଏସବୁ ତ ମଣିଷ ନୁହେଁ, ଦେବତାର ସାଧନା । ତମେ ତ ଝିଙ୍କି ନେଇପାରି ନ ଥାନ୍ତ ମୋତେ, ଜୋର୍‌ ଜବରଦସ୍ତ କେଉଁ ମନ୍ଦିରରେ ବାହା ବି ହେଇପାରି ନ ଥାନ୍ତ । ପାରିଥାନ୍ତ କି ? ତମର ଏଇ ଯେ ଇଚ୍ଛାପତ୍ର, ସେଇଟା ମୋ ସ୍ୱାମୀଙ୍କ ପ୍ରତି ଚରମ ଅପମାନ ମାନସ, ଚରମ ଅପମାନ । ସେଇଟିକୁ ମୁଁ ଗ୍ରହଣ କରିପାରୁ ନାହିଁ । ମୋର ତମ ପାଇଁ ଯେତିକି ଦୁଃଖ ଓ ଯେତିକି କଷ୍ଟ; ତାଙ୍କ ପାଇଁ ମଧ୍ୟ ସେତିକି ଦୁଃଖ । ମୁଁ ଜାଣିଛି, ତମକୁ ପ୍ରଚୁର କଷ୍ଟ ଦେଇଛି । ନିରବ ରହିବା ଠାରୁ ମୁଁ ତମ ପ୍ରସ୍ତାବ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ହଁ କିମ୍ବା ନାହିଁ ଜଣେଇଦେବା ଦରକାର ଥିଲା । କିନ୍ତୁ ତମେ ବି ମୋତେ କମ୍‌ କଷ୍ଟ ଦେଇନାହଁ, କମ୍‌ ଜଳେଇ ପୋଡ଼ିନାହଁ ଜୀବନସାରା । ଏମିତି ଏକ ଦୟନୀୟ ପରାଜୟ ମୁଁ ତ କେବେ ଚାହିଁ ନ ଥିଲି ମାନସ !

 

ଶ୍ରୀମତୀ ବନ୍ଦନା ଚୌଧୁରୀଙ୍କର ଏ ଥିଲା ପ୍ରଥମ ଚିଠି ମାନସଙ୍କୁ, ଯାହା ସେ ଲେଖିଥିଲେ ଆବଶ୍ୟକଠୁ ବହୁତ ବିଳମ୍ବରେ । ଏସବୁ ଘଟଣା ଜାଣିଥିବା ଲୋକେ ସେଇଥିପାଇଁ କୁହାକୁହି ହୁଅନ୍ତି, ଏ ଚିଠିଟି ସେ ଲେଖିପାରିଥାନ୍ତେ କି ସେଇ କଲେଜପଢ଼ା ବୟସରେ, ତା’ହେଲେ ଘଟଣାଗୁଡ଼ିକ ଏମିତି ଦୁର୍ଘଟଣା ପାଲଟି ନଥାନ୍ତେ ।

 

ମାତ୍ର ସର୍ବଶେଷ ଦୁର୍ଘଟଣାଟି ତଥାପି ଘଟି ନଥିଲା ଯେମିତି । ପ୍ରାପକଙ୍କ ଦୀର୍ଘ ଅନୁପସ୍ଥିତି ଯୋଗୁଁ ଶ୍ରୀମତୀ ଚୌଧୁରୀ ପଠେଇଥିବା ଚିଠିଟି ଦୁଇ ସପ୍ତାହ ପରେ ପୁଣି ଫେରିଆସିଥିଲା ତାଙ୍କରି ପାଖକୁ ।

Image

 

ଗୋଟିଏ କଥାକୁହା କଣ୍ଢେଇର ବିୟୋଗରେ

 

“ତମେମାନେ କ’ଣ ଜାଣିନ ଖରାବେଳେ ମଶାଣି ପଡ଼ିଆକୁ ଯିବାଲାଗି ତାକୁ ଡରମାଡ଼େ । ପିଲାଦିନେ ତା’ ମାଆ ତାକୁ ସେମିତି ଡରେଇ ଦେଇଥିଲା ଯେ ଥରେ, ଦି’ଥର, ବଡ଼ହବାଯାକେ ମନରୁ ସେ ଭୟଟା ତୁଟି ନାହିଁ । ଥରେ ସାଙ୍ଗମାନଙ୍କ ସାଙ୍ଗରେ ବୋହୂବୋହୂକା ଖେଳ ଖେଳୁ ଖେଳୁ ଚାଲିଯାଇଥିଲା ବଣିଆ ସାହି ପଦାଯାଏ । କିଏ କୁଆଡ଼େ ପଳେଇଲେଣି, ଏକୁଟିଆ ଛିଡ଼ା ହେଇଛି ସିଏ, ଡରରେ ମୁଣ୍ଡ ଚକାଭଉଁରି ଘୂରିଗଲା । କମ୍‌ ବୁଝେଇଛି ସେଦିନ । ମାଆଲୋ, ଭୂତଫୂତ ସବୁ ଦୁର୍ବଳ ମନର ବିଭ୍ରାନ୍ତି । ମଣିଷର ଅସଲ ଶତ୍ରୁ ସେଇ ମଣିଷ । ସେଇ ମଣିଷ ଭିତରେ ପଶୁ, ରାକ୍ଷସ, ପୁଣି ସେଇ ମଣିଷ ଭିତରେ ଦିଅଁ, ଦେବତା । ବଡ଼ ହେବାଯାକେ ସେ ଡରଟା କିନ୍ତୁ ତା’ ମନରୁ ଯାଇନଥିଲା । ପିଲାଦିନର ଭୂତକୁ ମନ ଭିତରୁ ବାହାର କରିବା ସହଜ ନୁହେଁ ।

 

“ତମେମାନେ ତାକୁ ଏକଲା ସେଆଡ଼େ ନବ ନାହିଁ, କହୁଚି । ବୁଝି ଖବରଦାର, ମୋ ଝିଅ ଡରିବ । କାନ୍ଦିବ । ଭାରି ଏକଜିଦିଆ ସିଏ । ତାକୁ ବୁଝେଇବା ସହଜ ନୁହେଁ ।

 

“କ’ଣ କହିବି ତା’ ଜିଦ୍‌ କଥା । ତୃତୀୟ ଶ୍ରେଣୀରେ ପଢ଼ୁଥିଲା । ଗୁଡ଼ି ଉଡ଼େଇବାରେ ଭାରି ସଉକ । ଆମର ସେ ପୁରୁଣା ଘରର ଶିଉଳିଲଗା ଛାତ । ପାରାପେଟ୍‌ ତିଆରି ହେଇ ପାରି ନ ଥିଲା ଯେ ତା’ ବାହାଘର ବେଳକୁ ଯାଇ ସେତକ କରିଥିଲି । ନ ହେଲେ ଛାତ ଫାଟି ଆଁ ହେଇ ନ ଥାନ୍ତା କି ? ହଁ କ’ଣ କହୁଥିଲିଟି, ଝିଅର ଭାରି ସଉକ ଥିଲା ଗୁଡ଼ି ଉଡ଼େଇବା ଲାଗି । ଉପରଓଳି ସ୍କୁଲ୍‌ରୁ ଫେରି ଚମ୍ପାଗଛ ଡାଳରେ ଲାଗିଥିବା ଗୁଡ଼ିଟାକୁ ଡାଙ୍ଗ ଖଣ୍ଡକରେ ବାହାର କରୁଥିଲା । ଆଉ ଟିକକରେ ତ ମୋ ଛୁଆ ଛାତ ଉପରୁ ଖସି ପଡ଼ିଥାନ୍ତା, ମୁଁ ଯାଇ ପଛରୁ ଧରି ପକେଇଲି ବୋଲି ନା, ନହେଲେ ସେଇଦିନ ତ ମୋ ଝୁଅ ଡାକ୍ତରଖାନା ଯାଇଥାନ୍ତା ।

 

ତା’ ମାଆ ଓଲଟି ମୋ ଉପରେ ଦୋଷ ଦେଲା । ମୁଁ କୁଆଡ଼େ ତାକୁ କିଛି କହୁନି ବୋଲି ସିଏ ଏମିତି ଅଣ୍ଡିରାଚଣ୍ଡୀ ହେଇଛି । ଗୁଡ଼ି ଉଡ଼େଇବାଟା କ’ଣ ଖାଲି ପୁଅଙ୍କର ଖେଳ ? ଝିଅ ପୁଅ ନେଇ ସବୁବେଳେ ଏତେ ପାତରଅନ୍ତର କାହିଁକି ? ମୁଁ ସେସବୁ ମାନୁ ନ ଥିଲି ।

 

“ଆରେ, ଆରେ, ଖରାବେଳଟାରେ କିଆଁ ତାକୁ ଏମିତି ଅଣନିଃଶ୍ୱାସିଆ କରି ଘୋଡ଼େଇ ଦେଇଛ ? ବାହାର କରିଦିଅ ଦରଟା । ତା’ ମୁଣ୍ଡରୁ ଗମ୍‌ଗମ୍‌ ହୋଇ ଝାଳ ବହୁଥିବ । ଭାରି ଜଣେ ସେ, ପଙ୍ଖା ନହେଲେ ଶୋଇବ କି ? ଆଣ, ଆଣ–ମୋ ଘରୁ ସେଇ ଟେବୁଲପଙ୍ଖାଟା ଟିକିଏ ନେଇଆସ । ନ ହେଲେ ମୋତେ ବିଞ୍ଚଣାଟାଏ ଦେଲ, ମୁଁ ଟିକେ ବିଞ୍ଚିଦିଏ । ହାତପଙ୍ଖାଟା ମିଳୁନି କି-? ସେଇଠି କୋଉଠି ଖଟତଳେ ପଡ଼ିଥିବ ବା !

 

“କ’ଣ କହୁଛ ? ଡାକ୍ତରଖାନା ନେଇଥିଲ । କ’ଣ ହେଇଥିଲା କି ମୋ ମାଆର ? ମୋତେ ଟିକେ ଖବର ଦେଲନାହିଁ ? ମୁଁ ତା’ର ନାଡ଼ି ଚିପି କହିଦେଇଥାଆନ୍ତି ବେମାର । ନାଳଝାଡ଼ା ପାଇଁ ଦେଶୀ ପିଆଜ ଭିତରେ ଚୂନ ଟିକେ ପୋଡ଼ି ଖାଇବାକୁ ଦେଇଥାଆନ୍ତି, ଅଧକପାଳି ପାଇଁ ଚନ୍ଦନ ଲଗେଇ ଦେଇଥାଆନ୍ତା ତା’ ମାଆ, ଦେହ ହାତ ବିନ୍ଧୁଥିଲେ ମୁଁ ନିଜେ ଘଷିମୋଡ଼ି ଦେଇଥାଆନ୍ତି ମୋ ମାଆକୁ ବା ! ତମେମାନେ ଆଜିକାଲିକା ପିଲା, ଟିକିଏ ଟିକିଏ କଥାରେ ଡାକ୍ତରଖାନା, ହାସପାତାଳ ଧାଇଁ ଯାଉଛ । ଆମେମାନେ ପୁଣି ଏଇ ତୁଟୁକା ମୁଟୁକାରେ କାଳକ କାଟି ଆସିଲୁ ନା ନାହିଁ ? ପିଲାଦିନେ ତାକୁ ଆମେ ଗୋଡ଼େ ଗୋଡ଼େ ଜଗି ରହୁଥିଲୁ । ବର୍ଷାରେ ତିନ୍ତେ, ଜ୍ୱରରେ ପଡ଼େ–ଆମେ ଦି’ ପରାଣୀ ମଝିରେ ହନ୍ତସନ୍ତ ହଉ । ଟିକିଏ ମହୁ ତୁଳସୀରସ ଚଟେଇ ଦେଲେ ଜ୍ୱର ଛାଡ଼ିଯାଏ ।

 

“ଶରତ କୁଆଡ଼େ ଗଲା ? ମୋ ଉପରେ ଅଭିମାନ କରି ଆସିନାହିଁ କି ? ତାକୁ ତ କାହିଁ ଦେଖୁନି ? ଆଁ...ଥାନାକୁ ଯାଇଛି । ମୋତେ ଆଗରୁ ସବୁକଥା କହୁନ କାହିଁକି ? ଆମଘର ଉପରେ ରାଗିଥିଲା ? କାହିଁକି, ତାକୁ ତ ସବୁ ଜିନିଷ ତା’ର ଦେଇଥିଲି । ତା’ କହିବାମତେ ରଙ୍ଗିନ ଟି.ଭି, ଗଡ଼ରେଜ୍‌ ଆଲମୀରା, ଫ୍ରିଜ୍‌, ଗ୍ରାଇଣ୍ଡର ସବୁ ତ ଦେଇଥିଲି । ବାପକୁ ତା’ର ଲୁଚେଇ ଟଙ୍କା ତିରିଶି ହଜାର ବି ଦେଇଥିଲି । ଡ୍ରେସ୍‌ ମନକୁ ପାଇଲା ନାହିଁ କି ? ମୁଁ କ’ଣ ଜାଣେ, ଆଜିକା ଫେସନ ? ସେଇପାଇଁ ତାକୁ ଅଲଗା ଚାରି ହଜାର ଟଙ୍କା ଦେଇଥିଲି । ତା’ ମନ ଖୁସିରେ ଯାହା ପୋଷାକ କରିବ କରୁ । ଆଉ କ’ଣ ଅସୁବିଧା ହେଲା କି ?

 

“ହଁ ମନେପଡ଼ିଲା, ସ୍କୁଟରଟା ସେ ନେଇନାହିଁ । ଲାଇନ ତ ଲଗା ଯାଇଛି । ଆଉ ଦିନ ବାରଟା ପରେ ଦୋକାନୀ ଗାଡ଼ି ଦେବ । ସେଇ କମ୍ପାନିର ସ୍କୁଟର ପାଇଁ ତ ସବୁରି ଜିଦ୍‌, ନ ହେଲେ କ’ଣ ପୂରା ଟଙ୍କା ଦେଇ ଛଅ ଛଅ ମାସ ଲାଗନ୍ତା ଗାଡ଼ି ଆଣିବାକୁ ? ହଠାତ୍‌ ବାହାଘର ଠିକ୍‌ ହେଇଗଲା, ନଇଲେ ଏତେ ଜିନିଷ ଦେଲି, ସ୍କୁଟରଟା ବି ସାଙ୍ଗରେ ଦେଇ ଦେଇ ନ ଥାନ୍ତି ! ଯାହା ନିଅନ୍ତୁ, ସେମାନେ ସୁଖରେ ରହନ୍ତୁ ।

 

“ମାମାର ଶାଶୂଟି ଭଲଲୋକ । ବାହାଘର ବିଦାବିଦି ବେଳେ ସମୁଦୁଣୀ କହିଥିଲେ, ତମ ଝିଅ ଆମ ଘରେ ବୋହୂ ହେଇ ନୁହେଁ, ଝିଅ ହେଇ ରହିବ । ଦେଖିବ ସମୁଦୀ, କେବେହେଲେ ବି ଥରକ ପାଇଁ ମାମା କିଛି ଓଜର ଆପତ୍ତି କରିବ ନାହିଁ ।

 

“ମୋ ଆଖି ସେଦିନ ଛଳଛଳ ହେଇଯାଇଥିଲା । ମୁଁ ସମୁଦୀ ସମୁଦୁଣୀଙ୍କ ହାତ ଧରି ପକେଇଥିଲି । ଝିଅବିଦା ହେଇ ଯାଉନି ଯେ ମୋ ପ୍ରାଣପକ୍ଷୀ ମୋଠୁଁ ଅଲଗା ହେଇଯାଉଛି । ବାଇଶି ବର୍ଷକାଳ ମୋ ଝିଅ ମୋ ପାଖେ ପାଖେ ଥିଲା । ଗୋଟାଏ ଦିନ ତାକୁ ନ ଦେଖିଲେ ମୁଁ ଅନ୍ଧ ହେଇଯାଏ । ତା’ କଥା ତମକୁ ଲାଗିଲା । ଭାରି ଏକଜିଦିଆ ପିଲା, ରୁଷିଗଲେ ବୁଝେଇ ଦେବ-। ନଇଲେ ସାତଦିନ ସାତରାତି ସେଇମିତି ଗୋଟାଏ ଜାଗାରେ ମୋ ଝିଅ ବସିଥିବ ପଛେ, ନକହିଲେ ନିଜେ ଯାଇ ପାଣି ଦି’ ଟୋପା ଛୁଇଁବ ନାହିଁ ।

 

“ତମେମାନେ ଏତେ ଭିଡ଼ କାହିଁକି କରୁଛ ? ଗଲ ଗଲ–ଏଠି କ’ଣ ମେଳା ନା ମଉଛୁକ ହେଉଛି ? ମୋ ଝିଅ ଆସିଛି ଛଅ ମାସ ପରେ, ଟିକିଏ ଆଖି ପୂରେଇ ମୁଁ ଆଗ ଦେଖିସାରେ । କଳା ପଡ଼ିଯାଇଥିବ ତ ମାମା–ମୁଁ ଜାଣେ ପରା । ନୂଆ ଜାଗା, ନୂଆ ପାଣି ତା’ ଦେହରେ ଯିବ ନାହିଁ-। ମୋଠୁଁ କ’ଣ କିଏ ତାକୁ ଅଧିକା ଚିହ୍ନିଛି ! ମୋ ଝିଅଟି ସିଏ ?

 

“ବାହାଘର ବାସିଦିନ କଥା । ମାମାର ଶାଶୂଘର ଗାଁର ଡାକ ପିଅନ ସାଙ୍ଗେ ଦେଖା ହେଇଥିଲା । ସତ କି ମିଛ–ସେଇ କହିଲାରୁ ଜାଣିଲି । ଶରତ କୁଆଡ଼େ ବ୍ୟାଙ୍କ୍‌ର ଅଫିସର ନୁହେଁ, କିରାଣି । କିରାଣି ହେଲା ତ କ’ଣ ହେଇଗଲା ? କିରାଣି କ’ଣ ମଣିଷ ନୁହେଁ ! ମୁଁ ତ କିରାଣି ଚାକିରି କରି ରିଟାୟାର କଲି । କଥା ସେଠି ନାହିଁ, କଥା ହଉଛି ବିଶ୍ୱାସ ଭିତରେ ଏମିତି ଛଳନା ଠିକ୍‌ ହେଲା ନାହିଁ । ମାମା ମୋର ଏମ୍‌.ଏ, ବି.ଏଲ୍‌.ଏଲ୍‌.ବି. ବ୍ୟାଙ୍କ ଅଫିସର । ବର କିରାଣି ହେଲା ବୋଲି ସିଏ ଖରାପ ଭାବିନଥିବ ସିନା, ଶରତ ଟିକେ ସାଙ୍କୁଡ଼ି ଯାଇ ନ ଥିବ ? ଯେତେହେଲେ ପୁରୁଷ ପିଲା ସେ । ସବୁବେଳେ ଚାହିଁବ ସ୍ତ୍ରୀଠୁ ଦୁଇପାଦ ଆଗରେ ରହିବ । ଡାକ ପିଅନର କଥାଟା ଶୁଣି ମନ ଟିକିଏ ଦବିଯାଇଥିଲା । ଘରକୁ ଫେରି ଚୁପ୍‌ଚାପ୍‌ ବସିଯାଇଥିଲି । ମାମାର ମାଆକୁ କିନ୍ତୁ କଥାଟା କହିଲି ନାହିଁ । ମାଇପି ଲୋକ–ତା’ ପେଟରେ ଏକଥା ରହି ନଥାନ୍ତା-। ମୋତେ ତ ଯାହା ଗାଳିଦେଇ ଥାଆନ୍ତା, ପାଟି କରି ଗାଆଁସାରା ଉଠେଇ ପକେଇ ଥାଆନ୍ତା-

 

“ଶରତ ମୋ ଝିଅକୁ ବାଡ଼ଉଥିଲା ? କିଏ କହିଲା, କିଏ କହିଲା ଏତେ ବଡ଼ କଥା ? ତା’ ଜିଭ ଟାଣି ଆଣିବି । ଆଁ, ମୋର ଚଢ଼େଇ ଛୁଆ ପରି ଛୁଆଟାକୁ ବାଡ଼େଇବା ପାଇଁ କାହା ହାତ ଯିବ ଆଗେ କହିଲ ? ମୁଁ ବାପ ହେଇ ଦିନେ ତା’ ଉପରକୁ ହାତ ଉଠେଇ ନାହିଁ ? ଟାଣପଣେ କଥା ପଦେ କହିଦେଲେ ସେ କାନ୍ଦି କାନ୍ଦି ଆକ୍ତାମାକ୍ତା ହେଇପଡ଼େ । ସେଇ ଟୋପାଏ ଲୁହଧାର ଆଖିରୁ ଗଡ଼ିବ, ଆଉ ଶୁଖିବ ନାହିଁ । ତା’ ଆଖି ଦୁଇଟାକୁ ଚାହିଁଲେ କଂସେଇ ହାତରୁ ଛୁରୀ ଖସିପଡ଼ିବ । କାହାକୁ ଟାଣ କରି ସେ କେବେ କଥା ପଦେ କହିଛି ? ନା, ନା–ଉଡ଼ା ଖବର ହେଇଥିବ । ଆଜିକାଲିକା ଲୋକେ ତ ସଜ ମାଉଁସରେ ପୋକ ପକେଇଦେବେ । କାହା ଘରେ ଯଦି ସମସ୍ତେ ସୁଖରେ ରହିଲେ କି ଶାନ୍ତିରେ ରହିଲେ ପଡ଼ିଶା ଲୋକଙ୍କ ଦେହ ସହିବ ନାହିଁ ।

 

“ଆରେ ଆରେ–ରୁହ, ରୁହ । କୁଆଡ଼େ ନେଇ ଯାଉଛ ମୋ ମାଆଟାକୁ ? ମୁଁ ପରା ତା’ ସାଙ୍ଗେ କଥାବାର୍ତ୍ତା ହେଇନାହିଁ । ଖାଇଛି କି ନାହିଁ କେହି ବୁଝିଲେଣି ? ତା’ ମାଆ ବି କୁଆଡ଼େ ଗଲା-? ଏତେବେଳକୁ ତ ସେ ଖଞ୍ଜା କମ୍ପେଇ ସାରନ୍ତାଣି । କାନ୍ଦୁଛି ! କାହିଁକି ବା, ଝିଅ ଜନମ ତ ପର ଘରକୁ । ସିଏ ତା’ ବାପଭାଇ ଘର ଛାଡ଼ି ଏଠିକି ଆସି ନ ଥିଲା କି ? ପଛରେ ଯିଏ ସବୁ କାନ୍ଦୁଥିଲେ ସେମାନଙ୍କ କଥା କ’ଣ ସେ ଶୁଣୁଥିଲା ? ମୋ ଝିଅ ସେମିତି ଶାଶୂଘର ଯାଇଛି, ଘରକରଣା କରିବ-। ଆମ ନାଆଁ ରଖିବ । ହଉ ହଉ ଆଗେ ଖବର ନିଅ–କେତେବେଳେ ଆଉ ଦାଣ୍ଡ ଦୁଆରଟାରେ ଝିଅ ଛିଡ଼ା ହେଇ ରହିଥିବ ?

 

“ଅଁ, ସାଙ୍ଗେ ସାଙ୍ଗେ ନେଇଯିବ ? କାହିଁକି ବା ? କୁଅଁରପୂନେଇଁ ଆଗରୁ ମୋ ଝିଅ ଯିବନାହିଁ କହୁଛି । ପୁରୀ ଯିବ ବୋଲି କହୁଥିଲା । ତା’ ସାଙ୍ଗ ସଙ୍ଗାତ ଘରକୁ ବୁଲିଯିବ ଚିଠି ଦେଇଥିଲା, ମାସେ ଦି’ ମାସ ନ ରହିଲେ ତା’ ମାଆର ମନ ବୁଝିବ ? ଦିନଟେ ନ ଦେଖିଲେ ଆମେ ଦି’ ପରାଣୀ ଅନ୍ଧ ହେଇଯାଉ । ସ୍କୁଲକୁ ଯାଇ ଫେରିବା ଭିତରେ ଛଅଥର ମାମା, ମାମା ହେଇ ମାଆ ତା’ର ବାଉଳି ହଉଥାଏ, ଛଅମାସ ହେଲା ଛୁଆଟା ଆମଠାରୁ ଗଲାଣି । କ’ଣ ଖାଉଛି, କ’ଣ ପିନ୍ଧୁଛି, ତା’ ଖବରଅନ୍ତର କେହି ବୁଝୁଛି ନା ନାହିଁ, କାହାକୁ ସେ ମନଖୋଲି କିଛି କହିଛି ନା ନାହିଁ–ତା’ଠୁ ସେସବୁ କିଏ ବୁଝିବ ?

 

“ମୁଁ ତ ବୁଢ଼ା ଲୋକ । ମୋର ଆଉ ବେଶୀ କ’ଣ ଲୋଡ଼ା ? ପିଲାଏ ଭଲରେ ରହନ୍ତୁ, ସୁଖଶାନ୍ତିରେ ଘରକରଣା କରନ୍ତୁ, ସେତିକି ଆମର ଲୋଡ଼ା । ମାମାର ପିଲାପିଲି ଆମ ବୁଢ଼ାବୁଢ଼ୀ ଦିଇଟାଙ୍କ ଉପରେ ହାତୀ ଘୋଡ଼ା ହେବେ, ତାଙ୍କରି ଅଳି ଅଦଉତି ଭିତରେ ଆମ କାଳକ କଟିଯିବ-। ଆଉ କେତେଦିନ କି ଏ ନିଆଁଲଗା ଜୀବନ ?

 

“ଇରେ ମୁଁ ଏତେଥର କହିଲିଣି, ତା’ ମୁହଁଟା ଉପରୁ ଚାଦରଟା ବାହାର କରିଦିଅ, କେହି ଶୁଣୁନ କାହିଁକି ? ରହ ରହ ମୁଁ ଯାଉଛି, ଇରେ ମୋ ମାଆର ମୁହଁ ଇମିତି କଳା ପଡ଼ିଯାଇଛି କାହିଁକି ବା ? ଆଁ, ନିଆଁ ଲଗେଇ ଦେଇଥିଲେ ? ଆରେ କିଏ କେଉଁଠି ଅଛ, ଦଉଡ଼ି ଆସରେ । ମୋ ଝୁଅକୁ ପୋଡ଼ିଦେଲେରେ, ମାରି ପକେଇଲେରେ, ମୁଁ କଅଣ କରିବି, କୁଆଡ଼େ ଯିବି ? ମୋ ଧନରେ, ମୋ ସୁନାଟାରେ–ମୋ ବାଇଆମଣିରେ, ତୁ କୁଆଡ଼େ ଗଲୁ ଲୋ ମାଆ, ମୋ ଧନରେ...-। ମୋତେ ଛାଡ଼ି ତୁ କୁଆଡ଼େ ଗଲୁରେ...

 

“କିଏ ଅଛି କି ପାଖରେ, ମୋ ମୁଣ୍ଡଟା ଘୂରିଯାଉଛି । ମୋ ପାଦ ଦିଇଟା ମାଟିତଳକୁ ଧସି ଯାଉଛି । ମୋ ତଣ୍ଟି ଶୁଖିଯାଉଛି, ମୋ ଦେହ ହାତ ଝାଳ ସରସର ହୋଇଯାଉଛି–ମୋତେ ଟିକିଏ ଧର । ମୋ ଖଟ ପର୍ଯ୍ୟନ୍ତ ଟିକେ ନେଇଯିବ କି କେହି ? ମୁଁ କ’ଣ କରିବି ଯେ, ମୋ ଆଖି ଦୁଇଟାକୁ କିଛି ଇ ଦୁଶୁନାହିଁ ।

 

“ଆରେ, ଆରେ ତମେମାନେ ତାକୁ ଏମିତି ଟାଣି ଘୋଷାରି ନେଇ ଯାଅନିରେ । ମୋ ଝୁଅକୁ କଷ୍ଟ ହେଉଥିବ । ରହ ରହ, ମୁଁ ନିଜେ ତାକୁ ନେଇଯିବି । ତା’ ଡେଣା ଖସିପଡ଼ିବ ଏମିତି ଝିଙ୍କିନେଲେ ।

 

“ମୋ ଝିଅ ସତରେ ଆଉ ଆଖି ଖୋଲିବନି ?

 

“ମୋ କଥାକୁହା କଣ୍ଢେଇ ମାଆଟା ଆଉ ତା’ର ଏ ଅପାଠୁଆ ବାପକୁ ଗୀତ ଗାଇ ଶୁଣେଇବନି ? ଆଉଥରେ ଡେଇଁ ଡେଇଁ ମୋ ଝିଅ ବୁଲିବନି ଫୁଲ ବଗିଚାରେ । ତା’ କଅଁଳ ପାଦର ଦାଗ ତ ଏଯାଏଁ ନିଭିନି ଓଦା ମାଟି ଉପରୁ, ତମେ ତାକୁ ନିଆଁ ଶେଯରେ ଶୁଆଇବାକୁ ନେଇଯାଉଛ ?

 

“ମାଆଲୋ, ତୁ ଥରୁଟେ ପାଇଁ କାହାହାତେ ଖଣ୍ଡେ ଚିଠି ପଠେଇଥାଆନ୍ତୁ କି ? ମୁଁ ଜମିବାଡ଼ି ବିକି ସର୍ବସ୍ୱାନ୍ତ ହେଇ ସେମାନଙ୍କ କଥା ପୂରା କରିଥାନ୍ତି । କାହିଁକି କିଛି କହିଲୁନି ମୋତେ-? ଏଇଆ ଦେଖିବା ପାଇଁ କ’ଣ ମୁଁ ବଞ୍ଚିରହିଥିଲି ? ବାହାଘର ମାସ ଛଅଟା ପରେ ତୋର ମୁର୍ଦ୍ଦାର ଦେଖିବି ବୋଲି ମୋତେ ଠାକୁର ବଞ୍ଚେଇ ରଖିଥିଲେ କି ? କେଉଁ ଦୋଷ ପାଇଁ ଏମିତି ଶାସ୍ତି ଦେଇଗଲୁଲୋ ମାଆ ମୋର !

 

“ଆରେ ତା’ଉପରେ ଏମିତି ଏଡ଼େ ବଡ଼ ବଡ଼ କାଠଗଡ଼ଗୁଡ଼ାକ କେମିତି ନଦି ପକଉଛରେ ? ତା’ ହାତଗୋଡ଼ ରହିବଟି ? ସବୁତ ଚୂନା ଚୂନା ହେଇ ଯାଇଥିବ । ପାରାଡ଼େଣା ପରି କଅଁଳ ହାତଗୋଡ଼ ତା’ର, ତମର ଟିକିଏ ଦୟା ହଉନାହିଁ ।

 

“ଆରେ, ଆରେ ତା’ ଦେହରେ ନିଆଁ ଲଗେଇ ଦଉଛ କାହିଁକି ? ମୋ କଥା ଟିକିଏ ଶୁଣ ଭଲା ! ଅନ୍ତୁଡ଼ିଶାଳର ନିଆଁ ଏଯାଏ ପାସୋର ହେଇନି ମନରୁ, ଚିତା ନିଆଁ ଜଳଉଛ ମୋ ଆଗରେ-। ସେ ତ ଅଗ୍ନି କନିଆଁ, ବାରମ୍ବାର ଜଳିଛି ନିଆଁରେ, ଛଅମାସ ଧରି ସିଝିଛି, ନିର୍ଯାତନାରେ, ଅପମାନରେ । ତାକୁ ଆଉ କିଛି କଷ୍ଟ ହବନି, ତା’ ଆଖିରେ ଆଉ ଲୁହ ଥିବ ଯେ ବୋହିବାକୁ, ବୋହିବ । ଯାହା ଇଚ୍ଛା ତମର କର, ଯାହା ଇଚ୍ଛା ।

 

ସେ ଆଉ କିଛି କହିବନି ।

 

ମୋ କଣ୍ଢେଇ କିଛି ଆଉ କହିବନି ।”

Image

 

ଖଜୁରୀ ଗଛ

 

ସାରସ୍ୱତ ଉତ୍ସବକୁ ବିଜେ ହେବାର ସମସ୍ତ ପ୍ରସ୍ତୁତି ଶେଷ ପ୍ରାୟ ।

 

ମନ୍ତ୍ରୀ ମହୋଦୟ ଆଉଥରେ ନିଜର ଇସ୍ତ୍ରୀକରା ଖଦଡ଼ ପଞ୍ଜାବୀ, ଧୋବ ଚକ୍‌ଚକ୍‌ ଧୋତି, ମୁହଁ ଦିଶିଯାଉଥିବା ପରି ଚିକ୍କଣ ପାଲିସ ଚପଲ ଏବଂ ସର୍ବୋପରି ତ୍ରିରଙ୍ଗୀ ପତାକା ପରି ପ୍ରତୀୟମାନ ଉତ୍ତରୀୟ ଉପରେ ନଜର ବୁଲେଇ ଆଣିଲେ । ବ୍ୟକ୍ତିଗତ ସଚିବ, ଗାଡ଼ିଳକ, ଘରୋଇ ସହାୟକ ସମସ୍ତେ ପ୍ରସ୍ତୁତ । ଆଗପଛ ହୋଇ ଛଅ ସାତଜଣ ଦୃଢ଼ ସମର୍ଥକ ବେଶ୍‌ ବଶମ୍ବଦ ମୁଦ୍ରାରେ ଛିଡ଼ା ହୋଇଥାନ୍ତି । ଧ’ କହିଲେ ବାନ୍ଧି ଆଣିବେ ସେମାନେ । ରାଜସଭାରେ ଭାଟ ନ ଥିଲେ ଯେପରି ସଭା ଶୋଭା ପାଏନାହିଁ, ମନ୍ତ୍ରୀଙ୍କ ଶୋଭାଯାତ୍ରାରେ ସମର୍ଥକ ନ ଥିଲେ ସେପରି ଯାତ୍ରା ଶୋଭା ପାଏନାହିଁ ।

 

ଠିକ୍‌ ଏତିକିବେଳେ ହିଁ ଘରୋଇ ସହାୟକ ଯଥାସମ୍ଭବ ବ୍ୟବଧାନ ରକ୍ଷା କରି ମୁହଁଟିକୁ ମନ୍ତ୍ରୀ ମହୋଦୟଙ୍କ କାନପାଖକୁ ଲଗେଇ ଆଣିଲେ ନହକା ବାଉଁଶ ନଇଁ ଆସିଲା ପରି ଓ କହିଲେ, “ସାର୍‌, ଭେଟି ସାଙ୍ଗରେ ନେଇଯିବା କଥା ଆପଣ କହୁଥିଲେ ।”

 

ମନ୍ତ୍ରୀଙ୍କ ମୁହଁଟି ପ୍ରସନ୍ନ ଦିଶିଲା । ସେ ମୁହଁରେ ଥିଲା ଘରୋଇ ସହାୟକଙ୍କ ଉପସ୍ଥିତି ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ତାରିଫ୍‌ ।

 

ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ମନ୍ତ୍ରୀ ମହୋଦୟ ସେ ସନ୍ଧ୍ୟାରେ ଯେଉଁ ସାରସ୍ୱତ ଉତ୍ସବକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ ତାହା ଥିଲା ସେ ରାଜ୍ୟର ପ୍ରମୁଖ ବେସରକାରୀ ସଂସ୍ଥାର ସାରସ୍ୱତ ଉତ୍ସବ । ସେ ସାରସ୍ୱତ ମଣ୍ଡଳୀର ସାନ୍ନିଧ୍ୟ ଲାଭ, ତା’ର ମୁଖପତ୍ରରେ ନିଜ କୃତିର ପ୍ରକାଶନ ସବୁ ସାହିତ୍ୟିକଙ୍କ ପାଇଁ ମହାର୍ଘ ଅନୁଭୂତି । ଏ ମନ୍ତ୍ରୀ ମହୋଦୟଙ୍କର ଏ ବିଳମ୍ବିତ ବୟସରେ ଯେଉଁ ସାହିତ୍ୟ, ସଂସ୍କୃତି ପ୍ରୀତିର ଅଙ୍କୁରୋଦ୍‌ଗମ ସମ୍ଭବ ହେଇଛି ତାହା ସେ ଅନୁଷ୍ଠାନର ସାନ୍ନିଧ୍ୟ, ସ୍ୱୀକୃତିରେ ହିଁ ଶ୍ରୀସମ୍ପନ୍ନ ହୋଇପାରିବ ବୋଲି ଏବେ ତାଙ୍କର ହୃଦ୍‌ବୋଧ ହୋଇଛି ।

 

କାହିଁକି କେଜାଣି ଇତିହାସର ବିଭିନ୍ନ ଗଳି, ମୋଡ଼ ଓ ଛକରେ ବିଭିନ୍ନ ପରାକ୍ରମୀ ରାଜା, ମହାରାଜା କେବେ କେବେ ସାହିତ୍ୟକୁ ଏପରି ଅହେତୁକ ଭଲପାଇ ବସିଛନ୍ତି । କ୍ଷମତା, ସମ୍ପତ୍ତିର ଲାଲକିଲ୍ଲା ଅଧିକାର ପରେ ମଧ୍ୟ ସେମାନଙ୍କର ଆଶା ଆକାଙ୍‌କ୍ଷା ତୃପ୍ତ ହୁଏ ନାହିଁ । କବି, ସାହିତ୍ୟିକ ଭାବରେ ନିଜର ନାଆଁଟିକୁ ଉତ୍କୀର୍ଣ୍ଣ କରିଯିବା ପାଇଁ ସେମାନେ ପାଗଳପ୍ରାୟ ହୋଇ ପଡ଼ନ୍ତି । ନିଜର ବହୁମୂଲ୍ୟ ରତ୍ନଖଚିତ ମୁକୁଟରେ ସାହିତ୍ୟର ଏହି ମଣି ଖଣ୍ଡକ ଯୋଡ଼ିବା ପାଇଁ ବିଭିନ୍ନ ପ୍ରକାର କଳ, କଉଶଳର ପ୍ରୟୋଗ ପାଇଁ କୁଣ୍ଠିତ ହୁଅନ୍ତି ନାହିଁ ।

 

ମନ୍ତ୍ରୀ ମହୋଦୟ ଘରୋଇ ସହାୟକଙ୍କୁ ଚାହିଁ କିଛି ଇସାରା ଦେଲେ ଓ ପୁନଶ୍ଚ ପ୍ରସନ୍ନ ଚିତ୍ତରେ ନିଜ ସମ୍ମୁଖରେ ସମବେତ ସମର୍ଥକଙ୍କ ଆଡ଼େ ହିଁ ରହିଲେ । ସେ ଏଥର ଦିଶୁଥିଲେ ପୂର୍ବାପେକ୍ଷା ପ୍ରସନ୍ନ ।

 

ଘରୋଇ ସହାୟକ ସମୀପବର୍ତ୍ତୀ ପ୍ରକୋଷ୍ଠକୁ ଚାଲିଯାଇ ଦୂରଭାଷ ଯନ୍ତ୍ର ସାହାଯ୍ୟରେ ଯେଉଁ ସମ୍ବାଦ ପ୍ରେରଣ କରୁଥିଲେ ତାହା ଅବିଳମ୍ବେ ସହରର ସୁପରିଟେଣ୍ଡିଂ ଇଞ୍ଜିନିୟର, ସୁପରିଣ୍ଟେଣ୍ଡେଣ୍ଟ୍‌ ଇଞ୍ଜିନିୟରଙ୍କ ଠାରୁ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର, ତାଙ୍କଠାରୁ ସେ ରାଜ୍ୟର ମାନ୍ୟଗଣ୍ୟ କଣ୍ଟ୍ରାକ୍ଟରଙ୍କ ପାଖେ ଯାଇ ପହଞ୍ଚିଗଲା । ସାହିତ୍ୟ ସଭାକୁ ଯିବା ପୂର୍ବରୁ ସଭାସ୍ଥଳରେ ଭେଟି ଦେବାପାଇଁ ଉପଢ଼ୌକନ ସ୍ୱରୂପ ମନ୍ତ୍ରୀ ମହୋଦୟ ଚାହିଁଛନ୍ତି ପଞ୍ଚବିଂଶତି ସହସ୍ର ମୁଦ୍ରା । ଏକଥା ଠିକାଦାରଙ୍କୁ ସ୍ପଷ୍ଟ ଭାବେ ବୁଝାଇଦେଲେ ନିର୍ବାହୀ ଯନ୍ତ୍ରୀ ମହୋଦୟ ।

 

ଚିରଦିନ ଏ ବାବଦରେ ଅନୁଗତ ଓ ବିଶ୍ୱସ୍ତ ବୋଲି ପ୍ରମାଣ ଦେଇ ଆସିଥିବା ଠିକାଦାର ଜଣକ ତତ୍‌କ୍ଷଣାତ୍‌ ବଢ଼ାଇଦେଲେ ସେଇ ପରିମାଣର ନୋଟ୍‌ ବିଡ଼ା କେତୋଟି ଏକ ସୁଦୃଶ୍ୟ କାଗଜ ଖୋଳ ଭିତରେ ନିର୍ବାହୀ ଯନ୍ତ୍ରୀଙ୍କୁ ।

 

ଅନେକ ଦିନ ହେଲା, ସାନପୁଅଟି ଆବଶ୍ୟକ କରୁଛି ଏକ ମୋପେଡ୍‌, ତା’ର ସ୍କୁଲ୍‌ ଯିବା-ଆସିବା ପରି ନୈମିତ୍ତିକ କାର୍ଯ୍ୟ ସମ୍ପାଦନ ସକାଶେ–ନିର୍ବାହୀ ଯନ୍ତ୍ରୀ ଟଙ୍କା ପୁଡ଼ିଆଟି ଧରିବା କ୍ଷଣି ତାଙ୍କ ମନ ଭିତରକୁ ଏ କଥାଟି ଆସିଲା । ତାଙ୍କ ପରିବାରରେ ଫିଆଟ୍‌ କାର୍‌, ମଟର ସାଇକେଲ୍‌ ଓ ସ୍କୁଟର ହୋଇ ତିନିଟି ଗାଡ଼ି ରହିଥିଲେ ମଧ୍ୟ ସବା ସାନପୁଅର ଏହି ଦାବିଟିକୁ ସେ ଆଦୌ ଏଡ଼ିଯିବାକୁ ଚାହୁଁ ନଥିଲେ । କକ୍ଷରୁ ଠିକାଦାର ଜଣକ ନିଷ୍କ୍ରାନ୍ତ ହେବାକ୍ଷଣି ଯନ୍ତ୍ରୀ ସେହି ବିଡ଼ା ଭିତରୁ ବାହାର କରିଆଣିଲେ ମାତ୍ର ପାଞ୍ଚହଜାର ଟଙ୍କା ଓ ଅବଶିଷ୍ଟ ବିଡ଼ାଟିକୁ ପଠାଇଦେଲେ ଅଧିକ୍ଷଣ ଯନ୍ତ୍ରୀଙ୍କ ଖାସ୍‌ ଦପ୍ତରକୁ ସ୍ୱତନ୍ତ୍ର ବାହକଙ୍କ ମାଧ୍ୟମରେ ।

 

ନିର୍ବାହୀ ଯନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୂତଙ୍କୁ ଅପେକ୍ଷା କରୁଥିବା ଅବସରରେ ଅଧୀକ୍ଷଣ ଯନ୍ତ୍ରୀ ତାଙ୍କ ବାତାନୁକୂଳିତ କକ୍ଷ ଭିତରେ ଚିନ୍ତା କରୁଥିଲେ ଗୋଟାଏ ବ୍ୟକ୍ତିଗତ ସମସ୍ୟା । କିଛିଦିନ ହେବ ଘରେ ଉଦ୍‌ବୃତ୍ତ ହେଉଥିବା ମଠାଶାଢ଼ି ଓ ସ୍ୱର୍ଣ୍ଣାଳଙ୍କାର ଗୁଡ଼ିକ ରଖିବା ପାଇଁ ଆବଶ୍ୟକ ପଡ଼ୁଛି ଏକ ବୃହଦାକାୟ ଆଲମୀରା । ଯେହେତୁ ଅଧୀକ୍ଷଣ ଯନ୍ତ୍ରୀ ନିଜ ଉପାର୍ଜନରୁ ସାମାନ୍ୟ କିଛି ଅପବ୍ୟୟ କରିବାକୁ ଆଗ୍ରହ କରନ୍ତି ନାହିଁ, ସେଇହେତୁ ଏଇ ମାମୁଲି ବସ୍ତୁଟିର ଅଭାବ ଏଯାବତ୍‌ ପୂରଣ ହୋଇପାରି ନଥିଲା । ତାଙ୍କ ପରିବାରରେ ସୁତରାଂ ଅଧୀକ୍ଷଣ ଯନ୍ତ୍ରୀ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ଅର୍ଥରୁ ମାତ୍ର ପାଞ୍ଚ ହଜାର ଟଙ୍କା କାଢ଼ିରଖି ଅବଶିଷ୍ଟ ଟଙ୍କା ପଠେଇଦେଲେ ମନ୍ତ୍ରୀଙ୍କ ବାସଭବନକୁ, ନିଜର ବ୍ୟକ୍ତିଗତ ସହାୟକଙ୍କ ଜରିଆରେ ଓ ଗଡ୍‌ରେଜ୍‌ କମ୍ପାନିକୁ ଟେଲିଫୋନ୍‌ ଲଗାଇବାକୁ ନିର୍ଦ୍ଦେଶ ଦେଲେ ନିଜର ଷ୍ଟେନୋଗ୍ରାଫରଙ୍କୁ ।

 

ସାରସ୍ୱତ ସଭାକୁ ବିଜେ ହେବାର ମୁହୂର୍ତ୍ତ ଉତ୍ତୀର୍ଣ୍ଣ ହେଉଥିବା ଦେଖି ସେତିକିବେଳକୁ ମନ୍ତ୍ରୀ ମହୋଦୟଙ୍କର ଘରୋଇ ସହାୟକ ବାହାରି ଆସୁଥିଲେ ବାହାର ଅଗଣାକୁ । ଯଥା ସମୟରେ ଉପସ୍ଥିତ ନିର୍ବାହୀ ଯନ୍ତ୍ରୀଙ୍କ ସହାୟକଙ୍କ ହାତରୁ ଟଙ୍କା ବିଡ଼ାଟା ଗ୍ରହଣ କରୁ କରୁ ସେ ତାଙ୍କୁ କୋଳାଗ୍ରତ କରିବା ପାଇଁ ଆଦୌ ଭୁଲି ନ ଥିଲେ ।

 

ମନ୍ତ୍ରୀ ମହୋଦୟ ଅବଶେଷରେ ସହାସ୍ୟ ବଦନରେ ନିଜର ଶ୍ରୀଅଙ୍ଗକୁ ଗାଡ଼ି ଭିତରର ମୁଲାୟମ ସିଟ୍‌ ଉପରେ ସ୍ଥାପନା କଲେ ଓ ବ୍ୟକ୍ତିଗତ ସହାୟକ ତତ୍‌କ୍ଷଣାତ୍‌ ଗାଡ଼ିର ପଛ ଗେଟ୍‌ ବନ୍ଦକରି ଦେଇ ନିଜେ ସାମ୍‌ନା ସିଟ୍‌ରେ ବସିପଡ଼ିଲେ ।

 

“ସାର୍‌ !”

 

“ହୁଁ– ।”

 

“ଆପଣ ନିଜେ ତାଙ୍କୁ ଏଇଟା ଦେବା ଅଧିକ ସୁନ୍ଦର ହେବ ସାର୍‌ । ନିଅନ୍ତୁ ସାର୍‌, ମୁଁ ଏଥିରେ ଦଶହଜାର ଟଙ୍କା ରଖି ଦେଇଛି ଓ ଅବଶିଷ୍ଟ ପାଞ୍ଚ ହଜାର ଟଙ୍କା ଅଲଗା ରଖି ଦେଇଛି ।”

 

ମନ୍ତ୍ରୀ ମହୋଦୟ ଟଙ୍କା ପ୍ୟାକେଟ୍‌ଟିକୁ ନିଜର ଦକ୍ଷିଣ ପାଶ୍ୱର୍ସ୍ଥ ପଞ୍ଜାବି ପକେଟ୍‌ରେ ଓ ଅବଶିଷ୍ଟ ପାଞ୍ଚହଜାର ଟଙ୍କାକୁ ବାମ ପକେଟ୍‌ରେ ରଖୁ ରଖୁ ନିଜର କରିତ୍‌କର୍ମା ସହାୟକଙ୍କ ମୁହଁକୁ ଚାହିଁଲେ । ତାଙ୍କର ସେ ଦିବ୍ୟ ଚାହାଣିର ସନ୍ଦର୍ଶନ କରୁ କରୁ ବ୍ୟକ୍ତିଗତ ସହାୟକ ତିରିଶ ଜଣ ସମଧର୍ମାକୁ ଅତିକ୍ରମ କରି ପଦୋନ୍ନତିର ସ୍ୱପ୍ନ ଦେଖିପକାଇଲେ ।

 

ସାରସ୍ୱତ ସଭା ଶେଷ ପର୍ଯ୍ୟାୟରେ ଛାୟାନ୍ଧକାର ପରିବେଶରେ ନୈଶଭୋଜିରେ ଆପ୍ୟାୟିତ ହେଉ ହେଉ ମନ୍ତ୍ରୀ ମହୋଦୟ ସଭାର ମୁଖ୍ୟ ପୁରୋଧା ସମ୍ପାଦକ ମହାଶୟଙ୍କ ହାତକୁ ଦଶହଜାର ଟଙ୍କାର ପ୍ୟାକେଟ୍‌ଟି ବଢ଼ାଇ ଦେଲେ ଓ ସମ୍ପାଦକ କୃତ୍ୟ କୃତ୍ୟ ହୋଇ ତାଙ୍କ ହାତକୁ ବଢ଼ାଇ ଦେଲେ ସାରସ୍ୱତ ଉତ୍ସବ ଅବକାଶରେ ପ୍ରକାଶିତ ବିଶେଷାଙ୍କ ଖଣ୍ଡିଏ, ଯାହାର ପ୍ରଥମ ଗଳ୍ପଟି ହିଁ ଥିଲା ମନ୍ତ୍ରୀ ମହୋଦୟଙ୍କର, ତାଙ୍କ ସାରସ୍ୱତ ସାଧନାର ଏକ ଅବିସ୍ମରଣୀୟ ଦଲିଲ୍‌ ।

 

ସମ୍ପାଦକ ଓ ମନ୍ତ୍ରୀ ମହୋଦୟ ଉଭୟେ ପରସ୍ପର ପ୍ରତି ଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ମନୋଭାବ ହୃଦୟଙ୍ଗମ କରି ଏକ ସ୍ୱରରେ ହସି ଉଠିଲେ, ହୋ-ହୋ-ହୋ । ସଭା ମଞ୍ଚ ଆଉ ଥରେ ଆଲୋକିତ ହୋଇ ଉଠିଥିଲା ରଙ୍ଗିନ୍‌ ଉଜ୍ଜ୍ୱଳ ଆଲୋକମାଳାରେ ।

Image